ଭାରତ ସରକାର UAPA ଅଧୀନରେ ୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି

ଭାରତ ସରକାର UAPA ଅଧୀନରେ ୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି

ଭାରତ ସରକାର UAPA ଅଧୀନରେ ୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି । ଏହି ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଜି ଗେଜେଟ୍ ବିଜ୍ଞପ୍ତି ଜାରି କରିଛି । ଏହି ବିଜ୍ଞପ୍ତିରେ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବା ସହିତ ଜଡିତ ଅନେକ ପାକିସ୍ତାନଭିତ୍ତିକ ଆତଙ୍କବାଦୀଙ୍କ ନାମ ସାମିଲ ରହିଛି । ଏହି ସମସ୍ତ ବ୍ୟକ୍ତି ନିଯୁକ୍ତି, ତାଲିମ, ପାଣ୍ଠି ଯୋଗାଣ, ଅସ୍ତ୍ରଶସ୍ତ୍ର ଯୋଗାଣ, ଅନୁପ୍ରବେଶ ଏବଂ ଆତଙ୍କବାଦୀ ଆକ୍ରମଣ କରିବା ଭଳି କାର୍ଯ୍ୟକଳାପରେ ସାମିଲ ରହିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ୨୩ ଜଣ ଆତଙ୍କବାଦୀଙ୍କ ଏହି ତାଲିକାରେ ମାସୁଦ ଇଲିଆସ୍ କାଶ୍ମୀରୀ କୁ ୨୦୨୨ ସୁଞ୍ଜୱାନ୍ ସେନା ଶିବିର ଆକ୍ରମଣ ପଛରେ ଥିବା ଷଡ଼ଯନ୍ତ୍ର ସହିତ ଜଡିତ କରାଯାଇଛି । ମହମ୍ମଦ ମୁସାଦ୍ଦିକ୍ ଉପରେ ସୁଞ୍ଜୱାନ୍ ଆକ୍ରମଣରେ ଅନୁପ୍ରବେଶ ଏବଂ ଆତଙ୍କବାଦୀ କାର୍ଯ୍ୟର ସମନ୍ୱୟ ପାଇଁ ଅଭିଯୋଗ କରାଯାଇଛି । ମୁଫତି ମହମ୍ମଦ ଅସଗର ଖାନ୍ ମଧ୍ୟ ଏହି ତାଲିକାରେ ସାମିଲ ରହିଛନ୍ତି । ଯିଏ ୨୦୧୬ ନାଗ୍ରୋଟା ସେନା ଶିବିର ଆକ୍ରମଣ ସହିତ ଜଡିତ ଅନୁପ୍ରବେଶ ନେଟୱାର୍କର ମୁଖ୍ୟ ସଞ୍ଚାଳକ ବୋଲି କୁହାଯାଉଛି ।

ଏଥିସହ ଆତଙ୍କବାଦୀଙ୍କ ତାଲିକାରେ ହାଫିଜ୍ ଅବଦୁଲ୍ ଶକୁର ଅନ୍ତର୍ଭୁକ୍ତ । ଯାହା ଉପରେ ୨୦୧୬ ନାଗ୍ରୋଟା ଆକ୍ରମଣ ପୂର୍ବରୁ ସ୍ଥାନୀୟ ନେଟୱାର୍କ ସହିତ ଯୋଗାଯୋଗ ଏବଂ ଅନୁପ୍ରବେଶକୁ ସହଜ କରିବା ଅଭିଯୋଗ ରହିଛି। ଅବଦୁଲ୍ଲା ଜେହାଦି ଉପରେ ନାଗ୍ରୋଟା ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ସହାୟତା କରିବା ଏବଂ ଅନେକ ଜେଇଏମ୍ ଶିବିର ପରିଚାଳନା କରିବାର ଅଭିଯୋଗ ରହିଛି । ଫିରଦୌସ୍ ଅହମ୍ମଦ ଭଟ୍ଟ ଯିଏ ଲସ୍କର-ଏ-ତୈବା ପାଇଁ ଲଞ୍ଚିଂ କମାଣ୍ଡର ଭାବରେ ମଧ୍ୟ ଚିହ୍ନଟ ହୋଇଛି ଏବଂ ଅନୁପ୍ରବେଶ ଏବଂ ଲଜିଷ୍ଟିକ୍ ସମର୍ଥନ ସହିତ ଜଡିତ । ବିଲାଲ ଅହମ୍ମଦ ମୀର, ଓରଫ ଅହମ୍ମଦ ଭାଇ ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପ ପରିଚାଳନା କରିବା ଏବଂ ଲସ୍କର-ଏ-ତୈବା ଏବଂ ଟିଆରଏଫ୍ କୁ ଅସ୍ତ୍ରଶସ୍ତ୍ର ଯୋଗାଇବାର ଅଭିଯୋଗ ରହିଛି । ଗେଜେଟ୍ ବିଜ୍ଞପ୍ତିରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ଜଡିତ ମୋଟ ୨୩ ଜଣଙ୍କ ନାମ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରେ ୧୭ ଜଣ ପାକିସ୍ତାନୀ ଏବଂ ୬ ଜଣ ଭାରତୀୟ ନାଗରିକ ରହିଛନ୍ତି । ଯେଉଁମାନେ  ବର୍ତ୍ତମାନ ପାକିସ୍ତାନ ଓ ପାକ୍ ଅଧିକୃତ ଜମ୍ମୁ-କାଶ୍ମୀରରୁ କାର୍ଯ୍ୟ କରୁଛନ୍ତି।

Posted in ଦେଶ ବିଦେଶ.