ପ୍ରଥମେ ବନ୍ଦେ ମାତରମ, ତା ପରେ ଗାନ ହେବ ଜନଗଣ ମନ

ପ୍ରଥମେ ବନ୍ଦେ ମାତରମ, ତା ପରେ ଗାନ ହେବ ଜନଗଣ ମନ

ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏମିତି ଏକ ସମୟ ଥିଲା, ଯେତେବେଳେ କେବଳ ଦୁଇଟି ଶବ୍ଦ ବ୍ରିଟିଶ ସାମ୍ରାଜ୍ୟର ମୂଳଦୁଆକୁ ହଲାଇ ଦେଇଥିଲା। ସେହି ଦୁଇଟି ଶବ୍ଦ ଥିଲା— ‘ବନ୍ଦେ ମାତରମ୍’। କେବଳ ଏକ ନାରା କିମ୍ବା ଗୀତ ନୁହେଁ, ବରଂ ଏହା ଥିଲା କୋଟି କୋଟି ଭାରତୀୟଙ୍କ ଭାବନା ଏବଂ ମୁକ୍ତି ସଂଗ୍ରାମର ମନ୍ତ୍ର। ଏହି କାଳଜୟୀ ଗୀତର ସୃଷ୍ଟି ଏବଂ ଏହା ଦେଶାତ୍ମବୋଧକ ଶକ୍ତି ଜାଗ୍ରତ କରିବାରେ ପ୍ରମୁଖ ସାଧନ ସାଜିଥିଲା । ଭାରତର ଏହି ପବିତ୍ର ରାଷ୍ଟ୍ରୀୟ ଗୀତକୁ ବିଶିଷ୍ଟ ବଙ୍ଗଳା ସାହିତ୍ୟିକ ତଥା ଉପନ୍ୟାସକାର ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଲେଖିଥିଲେ। ସେ ୧୮୭୦ ଦଶକରେ (ମୁଖ୍ୟତଃ ୧୮୭୫) ଏହି ଗୀତର ରଚନା କରିଥିଲେ, ଯାହା ପରବର୍ତ୍ତୀ ସମୟରେ ୧୮୮୨ ମସିହାରେ ପ୍ରକାଶିତ ତାଙ୍କର ପ୍ରସିଦ୍ଧ ଆନନ୍ଦମଠ ଉପନ୍ୟାସରେ ସାମିଲ ହୋଇଥିଲା। ଏହି ଗୀତଟି ସଂସ୍କୃତ ଏବଂ ବଙ୍ଗଳା ଭାଷାର ମିଶ୍ରଣରେ ପ୍ରସ୍ତୁତ ହୋଇଥିଲା, ଯେଉଁଠାରେ ମାତୃଭୂମି ଭାରତକୁ ‘ମା’’ ରୂପରେ ଆରାଧନା କରାଯାଇଛି।

ବଙ୍କିମଚନ୍ଦ୍ର ଯେତେବେଳେ ସରକାରୀ ଚାକିରି କରୁଥିଲେ, ସେତେବେଳେ ବ୍ରିଟିଶ ଶାସକମାନେ ପ୍ରତିଟି ସରକାରୀ କାର୍ଯ୍ୟକ୍ରମରେ ବ୍ରିଟେନର ଜାତୀୟ ସଙ୍ଗୀତ ‘ଗଡ୍ ସେଭ୍ ଦି କୁଇନ୍’ ଗାଇବା ବାଧ୍ୟତାମୂଳକ କରିଥିଲେ। ଏହା ବଙ୍କିମଚନ୍ଦ୍ରଙ୍କ ସ୍ୱାଭିମାନକୁ ଗଭୀର ଆଘାତ ଦେଇଥିଲା। ଭାରତୀୟମାନଙ୍କ ମନରେ ନିଜ ମାତୃଭୂମି ପ୍ରତି ସମ୍ମାନ ଏବଂ ସେବା ମନୋଭାବ ଜାଗ୍ରତ କରିବା ପାଇଁ ସେ ଏକ ବିକଳ୍ପ ଜାତୀୟ ଗୀତର ଆବଶ୍ୟକତା ଅନୁଭବ କଲେ।

ସେ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟ, ଶସ୍ୟଶ୍ୟାମଳା ମାଟି ଏବଂ ଶକ୍ତିର ବନ୍ଦନା କରି ‘ବନ୍ଦେ ମାତରମ୍’ (ମାତୃଭୂମିକୁ ବନ୍ଦନା କରୁଛି) ରଚନା କଲେ, ଯେଉଁଠି ଦେଶକୁ କୌଣସି ଭୌଗୋଳିକ ମାନଚିତ୍ର ନୁହେଁ, ବରଂ ତେତିଶି କୋଟି ସନ୍ତାନଙ୍କ ରକ୍ଷାକର୍ତ୍ତ୍ରୀ ଜଗତଜନନୀ ମା’ ଭାବେ ଉପସ୍ଥାପନ କରାଯାଇଥିଲା।

୧୮୮୨ରେ ‘ଆନନ୍ଦମଠ’ ଉପନ୍ୟାସରେ ପ୍ରକାଶ ପାଇବା ପରେ ଏହା ଧୀରେ ଧୀରେ ଲୋକଲୋଚନକୁ ଆସିଥିଲା, କିନ୍ତୁ ୧୯୦୫ ମସିହାରେ ‘ବଙ୍ଗ ବିଭାଜନ’ ସମୟରେ ଏହା ପ୍ରକୃତ ଦେଶାତ୍ମବୋଧକ ମହାଶକ୍ତି ଭାବେ ଉଭା ହେଲା।

ଲର୍ଡ କର୍ଜନଙ୍କ ବଙ୍ଗ ବିଭାଜନ ନିଷ୍ପତ୍ତି ବିରୋଧରେ ଯେତେବେଳେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହେଲା, ସେତେବେଳେ ରାଜନୈତିକ ସଭାସମିତି, ଶୋଭାଯାତ୍ରା ଓ ଆନ୍ଦୋଳନରେ ‘ବନ୍ଦେ ମାତରମ୍’ ଗାନ କରିବା ଏକ ନିୟମ ପାଲଟିଗଲା। ଏହି ଗୀତ ଲୋକଙ୍କ ଭିତରେ ଥିବା ଆଞ୍ଚଳିକ ଭେଦଭାବ ଦୂର କରି ସାରା ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିଥିଲା। ୧୮୯୬ ମସିହାର ଭାରତୀୟ ଜାତୀୟ କଂଗ୍ରେସର କଲିକତା ଅଧିବେଶନରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ପ୍ରଥମ ଥର ପାଇଁ ଏହି ଗୀତକୁ ନିଜ ସ୍ୱର ଦେଇ ଗାଇଥିଲେ, ଯାହା ଶ୍ରୋତାଙ୍କ ମନରେ ଅପୂର୍ବ ଦେଶପ୍ରେମ ଭରି ଦେଇଥିଲା।‘ବନ୍ଦେ ମାତରମ୍’ର ଶକ୍ତିକୁ ଦେଖି ବ୍ରିଟିଶ ସରକାର ଏତେ ଭୟଭୀତ ହୋଇପଡ଼ିଥିଲେ ଯେ ସର୍ବସାଧାରଣରେ ଏହି ନାରା ଦେବା ଏବଂ ଗୀତ ଗାଇବା ଉପରେ ସେମାନେ ନିଷେଧାଜ୍ଞା ଜାରି କରିଥିଲେ। ଯିଏ ଏହି ନାରା ଦେଉଥିଲା, ତାକୁ ବେତ୍ରାଘାତ ସହ ଜେଲ୍‌ଦଣ୍ଡ ମିଳୁଥିଲା। କିନ୍ତୁ ଏହି ଦମନଲୀଳା ଯୁବପିଢ଼ିଙ୍କୁ ଆହୁରି ଉତ୍ସାହିତ କରିଥିଲା।ଖୁଦିରାମ ବୋଷ, ଭଗତ ସିଂହଙ୍କଠାରୁ ଆରମ୍ଭ କରି ବାଘା ଯତୀନଙ୍କ ପର୍ଯ୍ୟନ୍ତ ଶତାଧିକ ବିପ୍ଳବୀ ହସି ହସି ଫାଶୀ ମଞ୍ଚରେ ଝୁଲିବା ସମୟରେ ମଧ୍ୟ ସେମାନଙ୍କ ଓଠରେ ‘ବନ୍ଦେ ମାତରମ୍’ ଶବ୍ଦ ରହୁଥିଲା। ଏହି ଧ୍ୱନି ପ୍ରତିଟି ଯୁବକକୁ ଦେଶ ପାଇଁ ପ୍ରାଣବଳି ଦେବାକୁ ଶକ୍ତି ଯୋଗାଉଥିଲା।

ସ୍ୱାଧୀନତା ପରେ ୨୪ ଜାନୁଆରୀ ୧୯୫୦ ମସିହାରେ ସମ୍ବିଧାନ ସଭା ପକ୍ଷରୁ ‘ବନ୍ଦେ ମାତରମ୍’କୁ ଭାରତର ପବିତ୍ର ‘ରାଷ୍ଟ୍ରୀୟ ଗୀତ’ ର ମାନ୍ୟତା ଦିଆଗଲା, ଯାହାର ସମ୍ମାନ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ସହ ସମାନ। ବଙ୍କିମଚନ୍ଦ୍ରଙ୍କ କଲମରୁ ନିସୃତ ଏହି ଗୀତ କେବଳ ଅତୀତରେ ସ୍ୱାଧୀନତା ସଂଗ୍ରାମର ମନ୍ତ୍ର ନଥିଲା, ବରଂ ଆଜି ବି ପ୍ରତିଟି ଭାରତୀୟଙ୍କ ଧମନୀରେ ଦେଶପ୍ରେମର ରକ୍ତ ପ୍ରବାହିତ କରିବା ପାଇଁ ଏକ ଅଫୁରନ୍ତ ପ୍ରେରଣାର ଉତ୍ସ।

ଏହି ଅବସରରେ କେନ୍ଦ୍ର ସରକାର ଜାତୀୟ ସଂଗୀତ ଜନଗଣ ମନ.. ଓ ଜାତୀୟ ଗୀତ ବନ୍ଦେ ମା ତରମ..କୁ ନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କ ସମେତ ସବୁ କେନ୍ଦ୍ରୀୟ ମନ୍ତ୍ରାଳୟଙ୍କୁ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଗୃହ ବ୍ୟାପାର ମନ୍ତ୍ରାଳୟ (ଏମଏଚଏ) କହିଛନ୍ତି ଯେ ନିୟମରେ ପୂର୍ବରୁ ନିର୍ଦ୍ଧାରିତ ହୋଇଛି ଯେ କେଉଁ ସବୁ କାର୍ଯ୍ୟକ୍ରମରେ ଜାତୀୟ ସଂଗୀତ ଓ ଜାତୀୟ ଗୀତ ଗାନ ଓ ବଜାଇବା ଜରୁରି। ଏମଏଚଏଙ୍କ ଆଦେଶରେ ସେହି ସବୁ ଅବସରର ସପମ୍ପୂର୍ଣ୍ଣ ସୂଚି ଦିଆଯାଇଛି ଯେଉଁଥିରେ ଭାରତର ଜାତୀୟ ସଂଗୀତ ଓ ଜାତୀୟ ଗୀତ ବଜାଇବା ଓ ଗାଇବା ଦରକାର। ଦିନେ ଯେଉଁ ଗୀତକୁ ବ୍ରିଟିଶ ସରକାର ଗାଇବାକୁ ପ୍ରତିବନ୍ଧ ଲଗାଇଥିଲେ, ଆଜି ସେହି ଗୀତ ପ୍ରଥମେ ଗାଇବାକୁ ସରକାର କହିବା ଏକ ଭଲ ନିଷ୍ପତ୍ତି ।

ଜାରି ଆଦେଶରେ କୁହାଯାଇଛି ଯେ ଜାତୀୟ ସଂଗୀତ ନାଗରିକ ସମ୍ମାନ ସମାରୋହ ଅବସରରେ, ରାଷ୍ଟ୍ରପତିଙ୍କ ଔପଚାରିକ ସରକାରୀ କାର୍ଯ୍ୟକ୍ରମ ଓ ସରକାରଙ୍କ ଦ୍ୱାରା ଆୟୋଜିତ ଅନ୍ୟ କାର୍ଯ୍ୟକ୍ରମକୁ ତାଙ୍କ ଆସିବା ଓ ଯିବା ସମୟରେ ତଥା ରାଷ୍ଟ୍ରପତିଙ୍କ ଦ୍ୱାରା ଅଲଇଣ୍ଡିଆ ରେଡିଓ (ଏଆଇଆର) ଏବଂ ଟେଲିଭିଜନରେ ଦେଶକୁ ସମ୍ବୋଧିତ କରିବାର ଠିକ ପୂର୍ବରୁ ଓ ପରେ ଗାନ କରାଯିବ। ଜେତେବେଳେ ଜାତୀୟ ସଂଗୀତ ଓ ଜାତୀୟ ଗୀତ ଉଭୟ ଗାନ କରାଯିବ ସେତେବେଳେ ପ୍ରଥମେ ଜାତୀୟ ଗୀତ ବାଦନ ଅଥବା ଗାୟନ କରାଯିବ। ତା ପରେ ଜାତୀୟ ସଂଗୀତ ଗାନ ଅଥବା ବାଦନ କରାଯିବ। ମନ୍ତ୍ରାଳୟ କହିଛନ୍ତି ଯେ ଯେଉଁ ରାଜ୍ୟମାନଙ୍କରେ ରାଜ୍ୟ ଗୀତ ଗାନ କରାଯାଉଛି ସେଠାରେ ରାଜ୍ୟ ଗୀତକୁ ମଧ୍ୟ ଜାତୀୟ ସଂଗୀତ ଓ ଜାତୀୟ ଗୀତ ସହିତ ବାଦନ ଓ ଗାୟନ କରାଯାଇ ପାରିବ।

Posted in Uncategorized.