ଭୁବନେଶ୍ୱର ଲୋୟର ପିଏମଜି (Lower PMG) ଠାରେ ନ୍ୟାୟ ଦାବି କରି ଆମରଣ ଅନଶନରେ ବସିଥିବା କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ଅନଶନ ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଭାବେ ବିଗିଡ଼ିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ହସ୍ପିଟାଲ ବେଡ୍ରେ ଥାଇ ମଧ୍ୟ ତାଙ୍କର ସେହି ଗୋଟିଏ ଜିଦ୍— ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ। ନିଜ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାରର ବିଚାର ଦାବି କରି ଚାମେଲି ଓଝା ଦୀର୍ଘ ଦିନ ହେବ ରାଜଧାନୀ ରାଜପଥରେ ଆନ୍ଦୋଳନ ଚଳାଇଛନ୍ତି। ତାଙ୍କର ଦୁଇଟି ପ୍ରମୁଖ ଦାବି ହେଲା:ମହାକାଳପଡ଼ା ବିଡିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ବିରୋଧରେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ। ମହାକାଳପଡ଼ା ଆଇଆଇସି ମାନସ ମଲ୍ଲିକଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ। ଜଣେ ମହିଳା ଜନପ୍ରତିନିଧିଙ୍କୁ ସ୍ଥାନୀୟ ବ୍ଲକ ଓ ପୋଲିସ ପ୍ରଶାସନର ମୁଖ୍ୟମାନେ କିଭଳି ହଇରାଣ କରୁଛନ୍ତି, ତାହା ଚାମେଲିଙ୍କ ଏହି ଚରମ ନିଷ୍ପତ୍ତିରୁ ସ୍ପଷ୍ଟ ଜଣାପଡ଼ୁଛି। ରାଜଧାନୀର ବୁକୁ ଉପରେ ଜଣେ ମହିଳା ସରପଞ୍ଚ ନ୍ୟାୟ ନପାଇ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ବେଳେ, ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିରବତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଏହା କଦାପି ଗ୍ରହଣୀୟ ନୁହେଁ। ଗଣତନ୍ତ୍ରରେ ତୃଣମୂଳ ସ୍ତରର ଜନପ୍ରତିନିଧିଙ୍କ ଏଭଳି ଅବସ୍ଥା ବେଳେ ଶୀର୍ଷ ନେତୃତ୍ୱ ଚୁପ୍ ରହିବା ସାଧାରଣ ଜନତାଙ୍କ ମଧ୍ୟରେ ଏକ ନକାରାତ୍ମକ ବାର୍ତ୍ତା ପ୍ରେରଣ କରୁଛି।
ସରକାର ତୁରନ୍ତ ଚାମେଲିଙ୍କୁ ବୁଝାଇ, ତାଙ୍କ ଅଭିଯୋଗ ଶୁଣିବା ନିହାତି ଦରକାର। ଯଦି ସରକାର ଏହି ମାମଲାକୁ ହାଲୁକା ଭାବେ ନିଅନ୍ତି, ତେବେ ଏହାର ପ୍ରଭାବ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଓ ଲୋକାଭିମୁଖୀ ଚିତ୍ର ଉପରେ ପଡ଼ିବ ଏବଂ ତାହାକୁ ଖରାପ କରିବ। ତେଣୁ ସରକାର ନିଜର ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବା ଉଚିତ।
ଚାମେଲି ଓଝା ଆଣିଥିବା ଅଭିଯୋଗ କୌଣସି ବ୍ୟକ୍ତିଗତ ଘଟଣା ନୁହେଁ। ଏହା ଆଜି ଓଡ଼ିଶାର ପ୍ରତିଟି ପଞ୍ଚାୟତର ଏକ ନିହାତି ସତ ସମସ୍ୟା। ଅନେକ ସମୟରେ ନିର୍ବାଚିତ ସରପଞ୍ଚମାନଙ୍କୁ ପ୍ରଶାସନିକ ଅଧିକାରୀ ଚାପରେ ରଖିବାକୁ ଚେଷ୍ଟା କରନ୍ତି, ଯାହାଦ୍ୱାରା ତୃଣମୂଳ ସ୍ତରର ବିକାଶ ବାଧାପ୍ରାପ୍ତ ହୁଏ।
ରାଜ୍ୟରେ ଶାସନ କରୁଥିବା ବିଜେପି ସରକାରଙ୍କ ପ୍ରମୁଖ ଦାୟିତ୍ୱ ଓ ମୁଖ୍ୟ କାମ ଏହି ଆଫିସରସାହିର ଅନ୍ତ ଘଟାଇ ପଞ୍ଚାୟତର ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ କରିବା। ସରକାର ଯଦି ଜଣେ ମହିଳା ସରପଞ୍ଚଙ୍କୁ ସୁରକ୍ଷା ଓ ପ୍ରଶାସନିକ ଶୋଷଣରୁ ମୁକ୍ତି ଦେଇ ନପାରିବେ, ତେବେ ସୁଶାସନର ନାରା କେବଳ କାଗଜପତ୍ରରେ ରହିଯିବ। ପ୍ରଶାସନକୁ ଲୋକାଭିମୁଖୀ କରିବା ଏବଂ ଚାମେଲିଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ଏବେ ସରକାରଙ୍କ ପାଇଁ ସବୁଠାରୁ ବଡ଼ ପରୀକ୍ଷା।
କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାରର ବିଚାର ଦାବି କରିଛନ୍ତି ଚାମେଲି। ଚାମେଲିଙ୍କ ଦୁଇଟି ପ୍ରମୁଖ ଦାବି କୁ ସରକାର କିପରି ସମାଧାନ କରୁଛନ୍ତି ତାହା ସମୟ କହିବ ।
