ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ଅଧିନିୟମ, ୨୦୨୬ (MMDR Amendment Act, 2026)କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶାର ସାଂସଦମାନଙ୍କୁ ଦେଇଥିବା ଚିଠିର ପ୍ରତ୍ୟୁତ୍ତର ରଖିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତଥ୍ୟକୁ ଗୋପନ ରଖି ଏବଂ ମିଛରେ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଗ୍ରହଣୀୟ ନୁହେଁ ବୋଲି ସେ ପତ୍ରରେ ପ୍ରକାଶ କରିଛନ୍ତି।
ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ଅଧିନିୟମ, ୨୦୨୬ (MMDR Amendment Act, 2026)କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶାର ସାଂସଦମାନଙ୍କୁ ଦେଇଥିବା ଚିଠିର ପ୍ରତ୍ୟୁତ୍ତର ରଖିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତଥ୍ୟକୁ ଗୋପନ ରଖି ଏବଂ ମିଛରେ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଗ୍ରହଣୀୟ ନୁହେଁ ବୋଲି ସେ ପତ୍ରରେ ପ୍ରକାଶ କରିଛନ୍ତି।ଖଣିଜ ଜମି ଉପରେ ଅନିୟନ୍ତ୍ରିତ ଓ ମନମୁଖୀ ଶୁଳ୍କ ଲଗାଇବା ଦ୍ୱାରା କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ ଏବଂ ଯାଜପୁର ଭଳି ଶିଳ୍ପାଞ୍ଚଳରେ ଖଣି ଓ ଶିଳ୍ପ ବନ୍ଦ ହେବାର ଆଶଙ୍କା ଥିଲା, ଯାହା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି କରିଥା’ନ୍ତା। ଏହାସହ ଇସ୍ପାତ, ସିମେଣ୍ଟ, ବିଦ୍ୟୁତ୍ ଓ କୋଇଲା କଞ୍ଚାମାଲ ଖର୍ଚ୍ଚ ବୃଦ୍ଧି ପାଇ ରାଜ୍ୟର ସାଧାରଣ ମଧ୍ୟବିତ୍ତ ପରିବାର ଉପରେ ବୋଝ ହୋଇଥା’ନ୍ତା। ଧାରା ୯ଡି ଏହି ଅନିୟନ୍ତ୍ରିତ କରକୁ ରୋକିବା ପାଇଁ ଏକ ନିର୍ଦ୍ଦିଷ୍ଟ ସୀମା ନିର୍ଦ୍ଧାରଣ କରିଛି ବା ଏଭଳି ବିପଦର ଆଶଙ୍କା ଦୂରେଇ ଯାଇଛି ।
ଶ୍ରୀ ପ୍ରଧାନ ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି, ୨୦୧୫ରୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ଡିଏମଏଫ୍ ମାଧ୍ୟମରେ ଓଡ଼ିଶାର ଖଣି ଅଞ୍ଚଳଗୁଡ଼ିକର ବିକାଶ ପାଇଁ ୩୭,୦୦୦ କୋଟିରୁ ଅଧିକ ଟଙ୍କା ମିଳିଛି । ସେହିପରି ସିଏଜି ରିପୋର୍ଟକୁ ଉଦ୍ଧୃତ କରି ଶ୍ରୀ ପ୍ରଧାନ କହିଛନ୍ତି, ପୂର୍ବ ବିଜେଡି ସରକାର ସମୟରେ ଖଣି ଦ୍ୱାରା ଆଦୌ କ୍ଷତିଗ୍ରସ୍ତ ହୋଇନଥିବା ୯୭୬ଟି ଗାଁରେ ୯୮୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ, ପ୍ରତ୍ୟକ୍ଷ ଭାବେ କ୍ଷତିଗ୍ରସ୍ତ ୫୮୪ଟି ଗାଁକୁ କୌଣସି ପାଣ୍ଠି ଦିଆଯାଇ ନାହିଁ। ଏହାସହିତ ଗ୍ରାମସଭାର ମଞ୍ଜୁରୀ ନନେଇ ୧,୭୩୦ଟି ପ୍ରକଳ୍ପ କାମ କରାଯାଇଥିବା ସିଏଜି ଅଡିଟ୍ ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ିଛି।
ଏଥିସହିତ ORISED (Orissa Rural Infrastructure and Socio-Economic Development Act) ଆକ୍ଟ, ୨୦୦୪କୁ ୨୦୦୫ରେ ହାଇକୋର୍ଟ ରଦ୍ଦ କରିବା ପରେ, ବିଜେଡି ସରକାର ଆଇନଗତ ତ୍ରୁଟି ସୁଧାରିବା ପାଇଁ ବିଧାନସଭାରେ କୌଣସି ସଂଶୋଧନ ନଆଣି ୧୮ ବର୍ଷ ଧରି ସୁପ୍ରିମକୋର୍ଟରେ ମାମଲା ଚଲାଇ ସମୟ ନଷ୍ଟ କରିଥିଲେ। ଓଡ଼ିଶାର ସାଂସଦମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥ, ଶିଳ୍ପ ସମୃଦ୍ଧି ଏବଂ ଯୁବପିଢ଼ିଙ୍କ ନିଯୁକ୍ତି ସୁରକ୍ଷା ପାଇଁ ସଂସଦରେ ଏମଏମଡିଆର୍ ସଂଶୋଧନ ବିଲ୍, ୨୦୨୬କୁ ସମର୍ଥନ କରିଛନ୍ତି । ବିରୋଧୀ ଦଳ ନେତା ଦଳୀୟ ମନୋଭାବରୁ ଊର୍ଦ୍ଧ୍ୱକୁ ଯାଇ ରାଜ୍ୟର ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରୁଥିବା ଏହି ଐତିହାସିକ ଆଇନକୁ ସମର୍ଥନ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି।
