ମହାନଦୀ ଜଳ ସମସ୍ୟାର ସମାଧାନ ଖୁବଶୀଘ୍ର । ଛତିଶଗଡ ମୁଖ୍ୟମନ୍ତ୍ରୀ ଓଡିଶା ଗସ୍ତରେ ଆସି ମହାନଦୀ ବିବାଦ ନାହିଁ କିମ୍ବା ସମସ୍ୟା ନାହିଁ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ଏକ ଘଣ୍ଟାରୁ ଅଧିକ ସମୟ ଆଲୋଚନା କରିଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ । ଦୁଇ ରାଜ୍ୟର ଉନ୍ନତି ଓ ଜନକଲ୍ୟାଣ ପାଇଁ ସମନ୍ୱୟ ଏବଂ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ । ଲୋକଙ୍କ ବିକାଶ ଓ କଲ୍ୟାଣ ଦିଗରେ ଆମର ମିଳିତ ପ୍ରତିଶ୍ରୁତିକୁ ଆଗକୁ ବଢ଼ାଇବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସୂଚନା ଦେଇଛନ୍ତି । ଏପଟେ କିନ୍ତୁ ମହାନଦୀ ନେଇ ତେଜିଛି ରାଜନୈତିକ ବୟାନବାଜି।
ବିବାଦ ନାହିଁ କିମ୍ବା ସମସ୍ୟା ନାହିଁ
ମହାନଦୀ ଜଳ ନେଇ ବିବାଦ ନାହିଁ କିମ୍ବା ସମସ୍ୟା ନାହିଁ | ବହୁତ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ । ଦୁଇ ରାଜ୍ୟରେ ବିଜେପି ଏବଂ କେନ୍ଦ୍ରରେ ବିଜେପି ସରକାର ଅଛି ତେଣୁ କୌଣସି ବିବାଦୀୟ ସ୍ଥିତି ନାହିଁ ବୋଲି କହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ | ଦୁଇ ଦିନିଆ ଗସ୍ତରେ ଓଡିଶା ଆସି ମହାନଦୀ ପ୍ରସଙ୍ଗରେ ଏଭଳି କିଛି କହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ । ଏହି ପ୍ରତିକ୍ରିୟା ପରେ ଦୀର୍ଘ ଦଶ ବର୍ଷ ଧରି ଚାଲିଥିବା ଓଡିଶା ଛତିଶଗଡ ମହାନଦୀ ଜଳ ବିବାଦ ସମାଧାନ ଆଡକୁ ଯାଉଥିବା ଜଣାପଡୁଛି ।
ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ମହାନଦୀ ନେଇ ଦୁଇ ମୁଖ୍ୟମନ୍ତ୍ରୀ ଏବଂ ଅଧିକାରୀମାନେ ଦିଲ୍ଲୀରେ ଆଲୋଚନା କରିସାରିଛୁ । ସେଠାରେ ଆମେ ଦୁଇ ମୁଖ୍ୟମନ୍ତ୍ରୀ ସିଡବ୍ଲୁସିକୁ ସହମତି ଦେଇ ଦେଇଛୁ, ଦୁଇ ରାଜ୍ୟ ପାଇଁ ଯାହା ହିତ ହେବ ସିଡବ୍ଲୁସିର ନିର୍ଦେଶକୁ ମାନିବୁ | ବିଜେପି ସରକାର ଆସିବା ପରେ ଯେଉଁ ସବୁ ରାଜ୍ୟରେ ଜଳ ବିବାଦ ଥିଲା ତାର ସମାଧାନ ହେଉଛି |
ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଲା ଆଲୋଚନା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କ ସରକାରୀ ବାସଭବନରେ ଚର୍ଚ୍ଚା ଆଲୋଚନା କରିଛନ୍ତି ବିଷ୍ଣୁ ଦେଓ | ଆଲୋଚନା ପରେ ବିଷ୍ଣୁଦେବ ସାଏ ନିଜ ଏକ୍ସ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ପାରସ୍ପରିକ ସହଯୋଗ, ବିକାଶ ଏବଂ ଜନକଲ୍ୟାଣ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ନେଇ ସାର୍ଥକ ଆଲୋଚନା ହୋଇଛି |
ଦୁଇ ରାଜ୍ୟ ମଧ୍ୟରେ ରହିଥିବା ପାରସ୍ପରିକ ସହଯୋଗକୁ ଆହୁରି ଗତିଶୀଳ କରିବା ସହ ଜନସ୍ୱାର୍ଥ ଓ ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ ନିରନ୍ତର ଆଗକୁ ବଢ଼ିବା ପାଇଁ ଏହି ଅବସରରେ ସଂକଳ୍ପବଦ୍ଧତା ପ୍ରକାଶ ପାଇଛି | ଦୁଇ ରାଜ୍ୟର ଉନ୍ନତି ଓ ଜନକଲ୍ୟାଣ ପାଇଁ ସମନ୍ୱୟ ଏବଂ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି | ମୋହନ ଚରଣ ମାଝୀ ମଧ୍ୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଏବଂ ଲୋକଙ୍କ ବିକାଶ ଓ କଲ୍ୟାଣ ଦିଗରେ ଆମର ମିଳିତ ପ୍ରତିଶ୍ରୁତିକୁ ଆଗକୁ ବଢ଼ାଇବା ସମ୍ପର୍କରେ ଆମ ମଧ୍ୟରେ ଏକ ଫଳପ୍ରଦ ଆଲୋଚନା ହୋଇଥିବା ଏକ୍ସରେ ସୂଚନା ଦେଇଛନ୍ତି।
ସ୍ପଷ୍ଟ କରନ୍ତୁ ୭ ଦିନ ନା ୧୫ ଦିନ
ସେପଟେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିରୋଧୀ ଭିନ୍ନ ଢଙ୍ଗରେ ଦେଖିଛନ୍ତି | ମହାନଦୀ ଜଳ ସମସ୍ୟାର ସମାଧାନ ନେଇ ପ୍ରଥମେ ଛତିଶଗଡ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ୭ ଦିନ ହେଉ କିମ୍ବା ୧୫ ଦିନ ମଧ୍ୟରେ ମହାନଦୀ ସମସ୍ୟା ସମାଧାନ ହେବ | ଆନ୍ଧ୍ର, ଝାଡ଼ଖଣ୍ଡ ଭଳି ଓଡିଶା ଜଳ ବିବାଦର ସମାଧାନ କେବେ ହେବ ବୋଲି ସ୍ପଷ୍ଟ କରି ଯିବାକୁ କହିଛନ୍ତି ପିସିସି ସଭାପତି ଭକ୍ତ ଦାସ | ବର୍ତ୍ତମାନ ମଧ୍ୟ ଛତିଶଗଡ଼ ମହାନଦୀରେ ବ୍ୟାରେଜ ନିର୍ମାଣ ଜାରି ରଖିଛି | କାମ ବନ୍ଦ ନକରି ଦୁଇ ରାଜ୍ୟର ମୁଖିଆଙ୍କ ମଧ୍ୟରେ କଣ ଆଲୋଚନା ହୋଇଛି ତାହା ସାର୍ବଜନୀନ ହେଉ |
ସେ କହିଛନ୍ତି, ସରକାରକୁ ଅଢେଇ ବର୍ଷ ପରେ ବି କାହିଁକି ସମାଧାନର ବାଟ ବାହାରି ପାରୁନାହିଁ କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡ଼ି | ମହାନଦୀ ବଞ୍ଚାଓ ଆନ୍ଦୋଳନ ମଞ୍ଚ ପକ୍ଷରୁ ମଧ୍ୟ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ଭ୍ରମାତ୍ମକ ବୋଲି କୁହାଯାଇଛି | ଶାସକ ଦଳ ଏହାର ଉତ୍ତର ଦେଇ କହିଛି, ମହାନଦୀ ଜଳ ସମସ୍ୟା ପୂର୍ବ ସରକାରର ଭୁଲ | ଟ୍ରିପଲ ଇଂଜିନ ସରକାର ମହାନଦୀ ସମସ୍ୟାର ଖୁବଶୀଘ୍ର ସମାଧାନ କରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ବୈଠକ ପରେ ଦୀପାବଳୀ ସୁଦ୍ଧା ମହାନଦୀ ନେଇ ଭଲ ଖବର ଆସିବ ବୋଲି କହିଥିଲେ | ଆଉ ଏଵେ ବିଷ୍ଣୁ ଦେଓ ସାଏଙ୍କ ଓଡିଶା ଗସ୍ତ ଏବଂ ସକାରାତ୍ମକ ମତାମତ, ମହାନଦୀ ସମସ୍ୟାର ସମାଧାନ ଆଡକୁ ନେଉଥିବା କୁହାଯାଉଛି।
