——
୧୯୮୦ ମସିହାରେ ଆମେ ନିଷ୍ପତ୍ତି ନେଇଥିଲୁ ଶୂନ ଉପରେ ଗବେଷଣା କରିବା ପାଇଁ । ସେତେବେଳେ ଆମର ପରମ ପୂଜ୍ୟ ଗୁରୁ ତଥା ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଗଣିତ ଶାସ୍ତ୍ରର ବିଭାଗୀୟ ମୁଖ୍ୟ ଚିର ବନ୍ଦନୀୟ ଦେବକୀ ନନ୍ଦନ ମହାନ୍ତି ଆମକୁ ପରାମର୍ଶ ଦେଲେ ଯେ ପ୍ରଥମେ ହାବାର୍ଡ ବିଶ୍ବ ବିଦ୍ୟାଳୟର ପ୍ରାଚାର୍ଯ୍ୟ ( ପ୍ରଫେସର)କପ୍ଲାନ ଙ୍କ ଶୂନ ଉପରେ ” ଦି ନଥିଙ୍ଗ ଡ୍ୟାଟ୍ ଇଜ୍” ପୁସ୍ତକ ପଢିବାକୁ । ଆମେ କେବଳ ଏହି ବହି ଖଣ୍ଡିକ ପାଇଁ କଲିକତା ବହୁ କଷ୍ଟରେ ଯାଇ କିଣି ଆଣି ପଢିବା ସମୟରେ ସେଥିରୁ ଜାଣିଲୁ ଯେ ଗୌତମ ବୁଦ୍ଧ ଜଣେ ମହାନ ଗଣିତଜ୍ଞ ଥିଲେ ।
ଆମର ଆଗ୍ରହ ବଢ଼ିଲା , ଯାହା ସମ୍ପର୍କରେ ଆମେ କେବେ କୌଣସି ବହିରେ ପଢି ନଥିଲୁ । ପ୍ରାଚାର୍ଯ୍ୟ କପ୍ଲାନ ବୌଦ୍ଧ ଗ୍ରନ୍ଥ ” ଲଳିତ ବିସ୍ତର”କୁ ଅଧ୍ୟୟନ କରି ବୁଦ୍ଧଦେବଙ୍କ ବିବାହ ବିଷୟ କୁ ଉପଜୀବ୍ୟ କରି ଏକ ସୁନ୍ଦର ଆଖ୍ୟାୟିକା ଅବତାରଣା କରିଛନ୍ତି, ଯାହା ମଧ୍ୟ ଆମେ ପଢି ନଥିଲୁ । ମହାନ୍ତି ଗୁରୁଜୀଙ୍କ ପରାମର୍ଶ ପୂର୍ବରୁ ଆମର ଅନ୍ୟତମ ଗୁରୁ ପ୍ରାଚାର୍ଯ୍ୟ ଶୁକଦେବ ରଥ ଆମକୁ ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ଅନେକ କ୍ଷେତ୍ରରେ ପ୍ରଥମ ଓଡିଆ ମହିଳା ଚିର ବନ୍ଦନୀୟା ସରଳା ଦେବୀ ଙ୍କ ଦ୍ବାରା ୧୯୫୨ ମସିହାରେ ପ୍ରକାଶିତ ” ପଞ୍ଚସଖାଙ୍କ ଧର୍ମ ଓ ଶୂନ୍ୟ ସାହିତ୍ୟ” ପଢ଼ିବା ପାଇଁ ପରାମର୍ଶ ଦେଇଥିଲେ ।
ଆଜି ପରମ ପୂଜ୍ୟା ସରଳା ଦେବୀ ଖୁବ୍ ମନେ ପଡ଼ନ୍ତି, ଯେତେବେଳେ ନୂତନ ସଂସଦ ଭବନରେ ପ୍ରଥମ ସମ୍ବିଧାନ ସଂଶୋଧନ ଅର୍ଥାତ ୧୨୮ ତମ ସଂଶୋଧନ ବିଧେୟକ ” ନାରୀ ଶକ୍ତି ବନ୍ଦନ ଅଧିନିୟମ” ନିମ୍ନ ସଦନ ଅର୍ଥାତ୍ ଲୋକସଭାରେ ୪୫୪ ଜଣ ସାଂସଦ ଙ୍କ ସମର୍ଥନ ଓ ମାତ୍ର ୨ ଜଣ ସାଂସଦ ଙ୍କ ବିରୋଧ ସଂଖ୍ୟା ଆଧାରରେ ଗୃହୀତ ହେଲା । ଗତ ଅଗଷ୍ଟ ୧୯ ତାରିଖରେ ତାଙ୍କର ୧୨୦ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାବଚନାର୍ପିତ ଉପସ୍ଥାପନ ରେ ବିସ୍ତୃତ ଭାବେ ଆଲୋଚନା କରିଥିଲୁ । ଶହେ ବର୍ଷ ତଳେ ସେ ଯାହା ଚିନ୍ତା ପ୍ରକଟ କରି କାର୍ଯ୍ୟାରମ୍ଭ କରିଥିଲେ, ତାହା ଆଜି ଫଳବତୀ ହୋଇଛି ।
ଓଡିଶା ବିଧାନସଭା ର ବାଚସ୍ପତି ଥିବା ସମୟରେ ଓଡିଆ ଭାଷାରେ ଗୃହ ପରିଚାଳନା କରିବା ସମୟରେ ନିଜର ବକ୍ତବ୍ୟ ରେ ଉଲ୍ଲେଖ କରିଥିବା ଭବିଷ୍ୟତ କଥନ ସତ୍ୟ ହେଲା । ତଥ୍ୟ ଜାଣିନଥିବା ଲୋକେ କହୁଛନ୍ତି ଓ ଲେଖିଛନ୍ତି ଯେ ପ୍ରମିଳା ମଲ୍ଲିକ ପ୍ରଥମ ମହିଳା ବାଚସ୍ପତି । ଛାଡ଼ନ୍ତୁ, ସେ ଦିଗକୁ ପରେ ଯିବା । ପ୍ରଥମେ ଗଣିତଜ୍ଞ ଗୌତମ ବୁଦ୍ଧ ଙ୍କୁ ପଢ଼ିବା । ତାଙ୍କୁ ପଢିଥିବାରୁ ହିଁ ଆମେ ଦୃଢ଼ତାର ସହିତ କହି ଆସୁଛୁ ଯେ ଗୌତମ ବୁଦ୍ଧ ଙ୍କ ଜନ୍ମ ଆଜିର ଭୁବନେଶ୍ଵର ର କପିଳେଶ୍ୱର, ସେତେବେଳେର କପିଳେଶ୍ୱର ଜନପଦ । ଆମେ ରାମାୟଣ ରେ ସୀତା ବିବାହ, ମହାଭାରତରେ ଦ୍ରୌପଦୀ ସ୍ଵୟମ୍ବର ପଢି ଆସିଥାଏ ।
ଶିବ ଧନୁ ଭଙ୍ଗ ଠାରୁ ଅର୍ଜୁନ ଙ୍କ ଲକ୍ଷ୍ୟଭେଦ ପଢିଆସୁଛେ । କେଉଁ ସର୍ତ୍ତ ପୂରଣ କରି ଗୌତମ ଗୋପା ଙ୍କୁ ବିବାହ କରିଥଲେ, ତାହା ଆମେ ପଢିନଥିଲୁ । କପ୍ଲାନ ଆମକୁ ଜଣାଇ ଦେଲେ । ଯେଉଁ ଯୁବକ କୁସ୍ତିବିଦ୍ୟା, ଧନୁର୍ବିଦ୍ୟା, ଦୌଡ଼,ସନ୍ତରଣ, ସାହିତ୍ୟ ଓ ଗଣିତରେ ପାରଦର୍ଶିତା ଦେଖାଇ ପାରିବେ, ସେହି ଯୁବକଙ୍କୁ ଗୋପା ବର ରୂପେ ବରଣ କରିବେ ବୋଲି ଥିଲା ସର୍ତ୍ତାବଳୀ । ସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଗୌତମ ଙ୍କୁ ଗଣିତ ପରୀକ୍ଷା ର ସମ୍ମୁଖୀନ ହେବାକୁ ପଡିଥିଲା ।
ତତ୍କାଳୀନ ଗଣିତ ବିଚାରକ ଅର୍ଜୁନ ପଣ୍ଡିତ ଗୌତମଙ୍କୁ କରିଥିଲେ ପ୍ରଥମ ପ୍ରଶ୍ନ ” କୋଟି ପରେ ଶହେ ଶହେ ଗୁଣ ବିଶିଷ୍ଟ ସଂଖ୍ୟା ଗୁଡ଼ିକର ନାମ କହିପାରିବେ ?
ଉତ୍ତରରେ ଗୌତମ କହିଥିଲେ ଗୁରୁଦେବ !
ଶହେ କୋଟି= ୧ ଅୟୁତ
ଶହେ ଅୟୁତ=ଏକ ନିୟୁତ
ଶହେ ନିୟୁତ=ଏକ କଙ୍କର
ଶହେ କଙ୍କର=ଏକ ଭିଭର
ଶହେ ଭିବର=ଏକ ଅଚୋବ୍ୟ
ଶହେ ଅଚୋବ୍ୟ= ଏକ ଭିଭାହ
ଶହେ ଭିଭାହ=ଏକ ଉତ୍ସଙ୍ଗ
ଶହେ ଉତ୍ସଙ୍ଗ=ଏକ ବହୁଳ
ଶହେ ବହୁଳ=ଏକ ନାଗଵଳ
ଶହେ ନାଗବଳ=ଏକ ତଇତଇଲମ୍ବ
(ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏକ ତିତିଲମ୍ଵ ହେଉଛି ଦଶର ସତେଇଶତମ ଘାତ)
ଉପସ୍ଥିତ ସଭାସଦ୍ ତାଳି ମାରି ଗୌତମ ଙ୍କ ପ୍ରଶଂସା କରିଥିଲେ। ଅର୍ଜୁନ ପଣ୍ଡିତେ କହିଥିଲେ ” ମୁଁ ନୁହେଁ, ଆପଣ ବିରାଟ ଗଣିତଜ୍ଞ ” । ଏହା ପରେ ଗୌତମ ନିଜର ବୃଦ୍ଧ ଆଙ୍ଗୁଠି ଓ ତର୍ଜ୍ଜନୀ ଆଙ୍ଗୁଠିର ଅଗ୍ରଭାଗ ଯୋଡ଼ି ଏକ ଶୂନ ଆକୃତି ର ମୁଦ୍ରା ଗୋପାଙ୍କୁ ଦେଖାଇ କହିଥିଲେ, ଆଗାମୀ ଦିନରେ ଏହା ସଂସାର କୁ ନିୟନ୍ତ୍ରଣ କରିବ ” ।
ରବର୍ଟ କପ୍ଲାନ ଲେଖିଛନ୍ତି ଯେ ବୁଦ୍ଧଦେବଙ୍କ ସମୟରେ ଦଶ ଭିତ୍ତିକ ସଂଖ୍ୟା ସୃଷ୍ଟି ହୋଇନଥିଲା । କାରଣ ବୈଦିକ ଦର୍ଶନରେ ଶୂନ୍ୟତା ଭରି ରହିଥିଲେ ମଧ୍ୟ ଗଣନା ବିଜ୍ଞାନ ରେ ଶୂନ ପ୍ରବେଶ କରିନଥିଲା । ଛଅ ଶହ ବର୍ଷ ତଳେ ସନ୍ଥ ପଞ୍ଚସଖା ତାହା ଉଲ୍ଲେଖ କରିଯାଇଛନ୍ତି , ଯାହା ବିଶ୍ବର ଅନ୍ୟ କେହି ଏସମ୍ପର୍କରେ ଉଲ୍ଲେଖ କରିନାହାନ୍ତି । ସନ୍ଥକବି ଅଚ୍ୟୁତାନନ୍ଦ ଦାସ ଙ୍କ ” ଶୂନ୍ୟ ସଂହିତା” ର ଏଯାବତ୍ ସଠିକ୍ ମୂଲ୍ୟାଙ୍କନ ହୋଇ ପାରିନାହିଁ ବୋଲି ଆମର ବ୍ୟକ୍ତିଗତ ମତ ।
ପଞ୍ଚସଖା ଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ସନ୍ଥ ବଳରାମ ଙ୍କ ବିରାଟ ଗୀତା ରେ ଅର୍ଜୁନ ଙ୍କ ମୁଖରେ ଶ୍ରୀକୃଷ୍ଣ ଙ୍କୁ ବୁଝାଇଛନ୍ତି – ” ତୋହର ରୂପରେଖ ନାହିଁ
ଶୂନ୍ୟ ପୁରୁଷ ଶୂନ୍ୟ ଦେହୀ
ବୋଇଲି ଶୂନ୍ୟ ତୋର ଦେହୀ
ଆବର ନାମ ଥିବ କାହିଁ ?
ଶୂନ୍ୟରେ ବ୍ରହ୍ମ ସିନା ଥାଇ
ସେଠାରେ ନାମ ଥିବ ରହି।।
ଅର୍ଥାତ୍ ତୁମର ଦେହ ନାହଁ,ତୁମେ ଶୂନ୍ୟରୂପୀ ଶୂନ୍ୟ ଶରୀର,ଯଦିଓ ତୁମେ ଶରୀର ଧାରୀ କିନ୍ତୁ ମୁଁ ତୁମକୁ ଶୂନ୍ୟରୂପୀ ବୋଲି ଜାଣିଛି ।ତୁମର ବହୁ ନାମ କାହୁଁ ଆସିଲା? ବିଶ୍ବ ଶୂନ୍ୟରେ ଅବସ୍ଥିତ, ସେଠାରେ ଶୂନ୍ୟନାମ ଛଡା ଆଉ କିଛି ନାହିଁ । ଏହି ଶୂନ୍ୟରୁ ଯାହା ଯେ ନାମ ଉତ୍ପତ୍ତି ହୋଇଛି ତାହା କେବଳ ଶବ୍ଦ ବା ନାଦ , ଏହାକୁ ନାଦବ୍ରହ୍ମ ବୋଲାଯାଏ । ସନ୍ଥ ବଳରାମ ଶୂନ୍ୟ ବ୍ରହ୍ମ ଙ୍କୁ ନିର୍ଗୁଣ ଏବଂ ସଗୁଣ ଭାବେ ବର୍ଣ୍ଣନା କରିଥିବାବେଳେ ଅତିବଡ଼ି ଜଗନ୍ନାଥ ଦାସ ତାଙ୍କର ” ତୁଳାଭିଣା ଗ୍ରନ୍ଥ ରେ ଲେଖିଛନ୍ତି –
“ସକଳ ମନ୍ତ୍ର ତୀର୍ଥ ଜ୍ଞାନ
ବୋଇଲେ ଶୂନ୍ୟ ଏ ପ୍ରମାଣ
ଏତେ କହିଲୁ ଗୋ ପାର୍ବତୀ
ଏ ସର୍ବେ ଶୂନ୍ୟରେ ଅଛନ୍ତି
ମହାଶୂନ୍ୟରୁ ଶୂନ୍ୟ ଜାତ
ସେ ଶୂନ୍ୟ ପ୍ରଣବ ସମ୍ଭୁତ
ପ୍ରଣବ ପରମକୁ କହି
ସକଳ ଶାସ୍ତ୍ର ସେ ବୋଲାଇ ।।”
ସନ୍ଥ ଅଚ୍ୟୁତାନନ୍ଦ ତାଙ୍କର ଶୂନ୍ୟ ସଂହିତା ରେ ଶୂନ୍ୟ ଦର୍ଶନ ତତ୍ତ୍ଵ ସମ୍ପର୍କରେ ଯାହା ଅବତାରଣା କରି ଯାଇଛନ୍ତି,ତାହା ହେଲା –
” ଭଲା ପଚାରିଲୁ ଗୁପତ ସନ୍ଧି
ଶୂନ୍ୟ ପୁରୁଷ ଶୂନ୍ୟ ପରେ ବନ୍ଦୀ
ଶୂନ୍ୟ ପୁରୁଷ ଉଦାସ ରେ ରହେ
ଶୂନ୍ୟ ପୁରୁଷ ସବୁ ମାୟା ଭ୍ୟାୟେ
ଶୂନ୍ୟ ପୁରୁଷ ଦୟାଳୁ ଅଟଇ
ଶୂନ୍ୟ ପୁରୁଷ ସର୍ବ ଘଟେ ରହି
ଶୂନ୍ୟ ପୁରୁଷ କରେ ନଟ ଘଟ
ଶୂନ୍ୟ ପୁରୁଷ ଜାଣେ ଛନ୍ଦ କୂଟ
ଶୂନ୍ୟ ପୁରୁଷ ଶୂନ୍ୟ ରେ ମାରି
ମାରି ଶୂନ୍ୟ ପୁଣି ଗତି କରି ।।”
ସନ୍ଥ ବଳରାମ ତାଙ୍କର ଗଣେଶ ବିଭୂତି ଟୀକା ରେ ଉଲ୍ଲେଖ କରିଯାଇଛନ୍ତି –
” ଅଣାକାର ରୂପଂ ଶୂନ୍ୟଂ ଶୂନ୍ୟ ମଧ୍ୟେ ନିରଞ୍ଜନଃ
ନିରାକାର ମଧ୍ୟେ ଜ୍ୟୋତିଃ ସ ଜ୍ୟୋତିଃ
ର୍ଭଗବାନମୟ ।।”
ବୌଦ୍ଧଧର୍ମରେ ଯେପରି ଭାବେ ପୂଜା ଉପାସନା ପଦ୍ଧତି ବର୍ଣ୍ଣିତ, ଅର୍ଥାତ୍ ଯେଉଁ ପୂଜା ପଦ୍ଧତି ଓ ମାର୍ଗ ବୌଦ୍ଧ ଧର୍ମର ଅଗ୍ନିରେ ଚିରନ୍ତନ ଭାବେ ପ୍ରଜ୍ଜ୍ଵଳିତ, ସେହି ପଦ୍ଧତିରେ ଈଶ୍ବର ଉପାସନା କରିବା ପାଇଁ ସନ୍ଥ ଅଚ୍ୟୁତାନନ୍ଦ କହି ଯାଇଛନ୍ତି । ସେ କହିଛନ୍ତି –
“ଚଉଦ ବ୍ରହ୍ମାଣ୍ଡ ଉପରେ ଅଛ ଶୂନ୍ୟଶୂନ୍ୟ ମହାଶୂନ୍ୟରେ ଗଛ
ନିରାକାର ଭଜି ମା’ଦୁର୍ଗା ଦେବୀ
ତେଣୁ ନିର୍ଲେପକୁ ଥାଆନ୍ତି ସେବି










