ଆମେରିକା ବିନା ନୋଟୋ କେବଳ ଏକ ‘କାଗଜ ବାଘ’ – ଟ୍ରମ୍ପ

ଆମେରିକା ବିନା ନୋଟୋ କେବଳ ଏକ ‘କାଗଜ ବାଘ’ – ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ହୋର୍ମୁଜ ଷ୍ଟ୍ରେଟ୍ କୁ ସୁରକ୍ଷିତ କରିବାରେ ସହାୟତା ନ କରିବା କାରଣରୁ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ଉପରେ ବର୍ଷିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସାଲରେ ନାଟୋକୁ ଭୟାଳୁ ବୋଲି କହିଥିବା ବେଳେ ଆମେରିକା ବିନା ନୋଟୋ କେବଳ ଏକ ‘କାଗଜ ବାଘ’ ବୋଲି କହିଛନ୍ତି। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ସହଯୋଗୀ ଦେଶ ଇରାନର ପରମାଣୁ ବିପଦକୁ ରୋକିବା ଲଢେଇରେ ସାମିଲ ହେବାକୁ ଚାହୁଁ ନାହାନ୍ତି।

ତେବେ ଆମେରିକା ଓ ଇସ୍ରାଏଲ ମିଳିତ ଏହି ଯୁଦ୍ଧକୁ ଜିତିସାରିଲେଣି ଓ ତାହା ବି ବହୁତ କମ୍ ସମୟରେ। ଷ୍ଟ୍ରେଟ୍ ଅଫ ହୋର୍ମୁଜ ଖୋଲିବା ଏକ ସହଜ କାମ, ହେଲେ ବି ସେମାନେ ସହଯୋଗ କରୁ ନାହାନ୍ତି। ଟ୍ରମ୍ପ କହିଛନ୍ତି ତୈଳ ମୂଲ୍ୟବୃଦ୍ଧି ପାଇଁ ଚିତ୍କାର କରୁଥିବା ଏହି ଦେଶମାନେ ଏବେବି ସହାୟତା ପାଇଁ ମୁହଁ ମୋଡୁଛନ୍ତି, ଏଣୁ ସେମାନେ ଭୟାଳୁ ଓ ଏଥି ପାଇଁ ଆମେରିକା ସେମାନଙ୍କୁ ମନେ ରଖିବ। ଏହି ବିବାଦ ସେତେବେଳେ ଉପୁଜିଛି ଯେତେବେଳେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ବିରୋଧରେ ଇରାନ ଷ୍ଟ୍ରେଟ୍ ଅଫ ହୋର୍ମୁଜକୁ ବ୍ଲକ୍ କରିଦେଇଛି।

ଏହି ସାମୁଦ୍ରିକ ମାର୍ଗ ବୈଶ୍ୱିକ ତୈଳ ବେପାରର ଏକ ଗୁରୁତ୍ୱପୂର୍ଣ୍ଣ ଚୋକ ପଏଣ୍ଟ। ସାଧାରଣ ସମୟରେ ଏହି ମାର୍ଗ ଦେଇ ବିଶ୍ୱର ଏକ ପଞ୍ଚମାଂଶ ଅଶୋଧିତ ତୈଳ ଓ ଏଲପିଜି ଗ୍ୟାସ ପରିବହନ ହୋଇଥାଏ। ଫେବୃଆରୀ ୨୮ ତାରିଖରେ ଦିନ ଇରାନ ଉପରେ ଇସ୍ରାଏଲ ଓ ଆମେରିକା ବଡ଼ ଧରଣର ଆକ୍ରମଣ ଆରମ୍ଭ କରିଥିଲେ। ଏଥିରେ ଇରାନର ଶୀର୍ଷ ନେତାଙ୍କ ସମେତ ଅନେକ ଅଧିକାରୀ ପ୍ରାଣ ହରାଇଛନ୍ତି। ଏହା ପରେ ଇରାନ ଗଲଫ ଦେଶଙ୍କ ଉପରେ ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏଣୁ ହୋର୍ମୁଜ ଦେଇ ବାଣିଜ୍ୟିକ ନୌ ପରିବହନ ଠପ ହୋଇଯାଇଛି। ଫଳରେ ସାରା ବିଶ୍ୱରେ ତୈଳ ଦର ଏବେ ଆକାଶ ଛୁଆଁ ହୋଇଛି।

ଏହି ଯୁଦ୍ଧ ଆରମ୍ଭରେ ଟ୍ରମ୍ପ ଆମକୁ କାହାର ସହାୟତା ଆବଶ୍ୟକତା ନାହିଁ ବୋଲି କହିଥିଲେ। ହେଲେ ପରେ ଯୁଦ୍ଧପୋତ ପଠାଇ ଏହି ସାମୁଦ୍ରିକ ମାର୍ଗକୁ ସୁରକ୍ଷିତ କରିବା ପାଇଁ ସହଯୋଗୀଙ୍କ ଉପରେ ଚାପ ପକାଉଛନ୍ତି। ତେବେ ବ୍ରିଟେନ, ଫ୍ରାନ୍ସ, ଜର୍ମାନ ଓ ଜାପାନ ସହିତ ୬ ପ୍ରମୁଖ ଦେଶ ଉଚିତ ପ୍ରୟାସରେ ଯୋଗଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି। ହେଲେ ସେମାନେ କୌଣସି ଔପଚାରିକ ମିସନରେ ଭାଗିଦାର ହେବାକୁ ହଁ କରି ନାହାନ୍ତି। ସେହିପରି ଜର୍ମାନ ଓ ଇଟାଲୀ ଭଳି କେତେକ ଦେଶ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିରାମ ହେବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଲାଗି ମନା କରିଦେଇଛନ୍ତି।

ତେବେ ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଏମାନଙ୍କ ମଧ୍ୟରୁ କୌଣସି ଦେଶଠାରୁ ପୂର୍ବରୁ ପରାମର୍ଶ ନିଆଯାଇନଥିଲା। ହେଲେ ଆମେରିକା ଓ ଇସ୍ରାଏଲ ମିଳିତ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ସହଯୋଗୀ ଦେଶଙ୍କ ତର୍କ ହେଉଛି ଏହି ଯୁଦ୍ଧ ବିନା ପରାମର୍ଶରେ ଆରମ୍ଭ ହୋଇଛି। ଏଣୁ ଏଥିରେ ସେମାନେ ସିଧାସଳଖ ସାମିଲ ହେବାକୁ ଚାହୁଁ ନାହାନ୍ତି। ଏଥିରେ ୟୁରୋପୀୟ ଦେଶଙ୍କ କହିବା କଥା ହେଉଛି ଟ୍ରମ୍ପଙ୍କ ନୀତି ଓ ଅପମାନଜନକ ବୟାନ ସେମାନଙ୍କୁ ସହଯୋଗରୁ ଦୂରେଇ ରଖିଛି। ତେବେ ଟ୍ରମ୍ପଙ୍କ ଏହି ସମାଲୋଚନା ନାଟୋ ମେଣ୍ଟର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି।

ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଏଥିରେ ସହଯୋଗୀ ଯଦି ସହାୟତା ନ କରନ୍ତି ନାଟୋର ଭବିଷ୍ୟତ ବହୁତ ଖରାପ ହୋଇପାରେ। ତୈଳ ମୂଲ୍ୟ ଯୋଗୁ ପ୍ରଭାବିତ ଦେଶମାନଙ୍କୁ ଏବେ ଆମେରିକା ଉପରେ ନିର୍ଭର ହେବାକୁ ବାଧ୍ୟ ହୋଇଛନ୍ତି। ତେବେ ଟ୍ରମ୍ପଙ୍କ କହିବା କଥା ହେଉଛି ବିପଦ ଟଳି ସାରିଥିଲେ ମଧ୍ୟ ସେମାନେ ଆଗକୁ ଆସୁ ନାହାନ୍ତି।

Posted in ଦେଶ ବିଦେଶ, ରାଜନୀତି and tagged , .