ଆଜିଠାରୁ ଓଡ଼ିଶାରେ ‘ଡିଜିଟାଲ୍ ଜନଗଣନା’: ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ୯୦ ହଜାରୁ ଅଧିକ ଅଧିକାରୀ, ଜାଣନ୍ତୁ କିପରି ହେବ ଗଣତି

ଆଜିଠାରୁ ଓଡ଼ିଶାରେ ‘ଡିଜିଟାଲ୍ ଜନଗଣନା’: ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ୯୦ ହଜାରୁ ଅଧିକ ଅଧିକାରୀ, ଜାଣନ୍ତୁ କିପରି ହେବ ଗଣତି

ଭୁବନେଶ୍ୱର: ଓଡ଼ିଶାର ଜନସଂଖ୍ୟା ଓ ଆର୍ଥିକ ସ୍ଥିତିର ସଠିକ୍ ଆକଳନ ପାଇଁ ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ‘ଡିଜିଟାଲ୍ ଜନଗଣନା’। ଜନସଂଖ୍ୟା ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରକ୍ରିୟା ଏପ୍ରିଲ ୧୬ରୁ ଆରମ୍ଭ ହୋଇ ମେ’ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପୂର୍ବ ଜନଗଣନା ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ଓ ଅତ୍ୟାଧୁନିକ ହେବ। ରାଜ୍ୟର କୋଣ ଅନୁକୋଣରେ ତଥ୍ୟ ସଂଗ୍ରହ ପାଇଁ ୯୦ ହଜାରରୁ ଅଧିକ ଗଣନାକାରୀ ନିୟୋଜିତ ହୋଇଛନ୍ତି। କାର୍ଯ୍ୟର ତଦାରଖ ଓ ସ୍ୱଚ୍ଛତା ପାଇଁ ୧୫ ହଜାରରୁ ଅଧିକ ସୁପରଭାଇଜର୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରତି ଅଧିକାରୀ ପ୍ରାୟ ୮୦୦ ଲୋକଙ୍କ ତଥ୍ୟ ସଂଗ୍ରହ କରିବେ। ଏଥିପାଇଁ ସେମାନଙ୍କୁ ୨୦୦ରୁ ୨୨୦ଟି ଘର ବୁଲିବାକୁ ପଡ଼ିବ। ଜନଗଣନା ଅଧିକାରୀମାନେ ଘରକୁ ଘର ବୁଲି ପ୍ରଥମେ ଘର ଗଣତି କରିବା ସହ ସେଥିରେ ନମ୍ବରିଂ କରିବେ। ଏହାପରେ ପରିବାରର ମୁଖ୍ୟଙ୍କୁ ସାମାଜିକ ଓ ଆର୍ଥିକ ସ୍ଥିତି ସମ୍ପର୍କିତ ୩୩ଟି ପ୍ରଶ୍ନ ପଚରାଯିବ। ଡିଜିଟାଲ୍ ଜନଗଣନା ହୋଇଥିବାରୁ ଏହି ସମସ୍ତ ତଥ୍ୟ ସଙ୍ଗେ ସଙ୍ଗେ ମୋବାଇଲ୍ ଆପ୍ ବା ଡିଜିଟାଲ୍ ପ୍ଲାଟଫର୍ମରେ ଅପଲୋଡ୍ କରାଯିବ, ଯାହାଦ୍ୱାରା ତ୍ରୁଟିର ସମ୍ଭାବନା କମ୍ ରହିବ। ଏହି ଜାତୀୟ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଜନସଂଖ୍ୟା ନିର୍ଦ୍ଦେଶାଳୟ ପକ୍ଷରୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି। ସଠିକ୍ ତଥ୍ୟ ପ୍ରଦାନ କରିବା ଦ୍ୱାରା ଆଗାମୀ ଦିନରେ ସରକାରୀ ଯୋଜନା ପ୍ରସ୍ତୁତିରେ ସହାୟକ ହେବ।

ଗଣନାକାରୀମାନେ ନିଜ ମୋବାଇଲ୍ ବା ଟାବଲେଟ୍‌ରେ ଏକ ସ୍ୱତନ୍ତ୍ର ଆପ୍ (Mobile App) ମାଧ୍ୟମରେ ସିଧାସଳଖ ତଥ୍ୟ ଅପଲୋଡ୍ କରିବେ। କୌଣସି କାଗଜ ଫର୍ମ ବ୍ୟବହାର ହେବ ନାହିଁ। ଏଥର ଜନସାଧାରଣ ଚାହିଁଲେ ସରକାରୀ ପୋର୍ଟାଲ୍‌ରେ ନିଜେ ଲଗ୍-ଇନ୍ କରି ନିଜ ପରିବାରର ତଥ୍ୟ ପୂରଣ କରିପାରିବେ। କାଗଜ ଫର୍ମକୁ ପରେ କମ୍ପ୍ୟୁଟରରେ ଏଣ୍ଟ୍ରି କରିବା ପାଇଁ ଯେଉଁ ସମୟ ଲାଗୁଥିଲା, ତାହା ଏବେ ବଞ୍ଚିଯିବ। ତଥ୍ୟ ସଙ୍ଗେ ସଙ୍ଗେ ସରକାରୀ ସର୍ଭରରେ ଜମା ହେବ। ଡିଜିଟାଲ୍ ବ୍ୟବସ୍ଥାରେ ଭୁଲ୍ ହେବାର ସମ୍ଭାବନା ଖୁବ୍ କମ୍। ଏହାଦ୍ୱାରା ଜନସଂଖ୍ୟା ରିପୋର୍ଟ ବହୁତ ଶୀଘ୍ର ପ୍ରକାଶ ପାଇପାରିବ।

Posted in ରାଜ୍ୟ.