ଜାତୀୟ ଶିକ୍ଷା ନୀତି (NEP-2020)ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’ ଭାବେ ଗଢ଼ିତୋଳିବାକୁ ଏକ ଦୂରଦର୍ଶୀ ରୋଡ୍ମ୍ୟାପ୍ ଉପସ୍ଥାପନ କରିଛନ୍ତି।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବହୁ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ଥିବା ଜଡ଼ତାକୁ ଦୂର କରିବା ଆମ ସରକାରଙ୍କ ପ୍ରାଥମିକତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ପ୍ରଣୀତ ଏହି ଶିକ୍ଷା ନୀତି କେବଳ ଏକ ସରକାରୀ ଦସ୍ତାବିଜ୍ ନୁହେଁ, ବରଂ ଏହା ଭାରତକୁ ବିଶ୍ୱର ‘ନଲେଜ୍ କ୍ୟାପିଟାଲ୍’ ଭାବେ ପ୍ରତିଷ୍ଠିତ କରିବାର ଏକ ମହତ୍ ମିଶନ। ଶିକ୍ଷା କେବଳ ପୁସ୍ତକଗତ ଜ୍ଞାନ ନୁହେଁ, ବରଂ ଏହା ମାନବ ସଭ୍ୟତାର ପ୍ରଗତିର ମୂଳଦୁଆ। ଆମ ପିଲାମାନେ ଯେପରି ‘Industry-Ready’ ହେବେ ଏବଂ ବିଶ୍ୱସ୍ତରରେ ପ୍ରତିଯୋଗିତା କରିପାରିବେ, ସେଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଶିକ୍ଷାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଭାବେ ଦର୍ଶାଇ ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଶିକ୍ଷା କ୍ଷେତ୍ର ପାଇଁ ୪୧,୨୭୩ କୋଟି ଟଙ୍କାର ଏକ ବିଶାଳ ପାଣ୍ଠି ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ମତରେ, ଏହି ପୁଞ୍ଜି ବିନିଯୋଗ ଓଡ଼ିଶାର ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ମଜବୁତ ମୂଳଦୁଆ ସଦୃଶ ହେବ। ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଥିବା ଶୈକ୍ଷିକ ପାର୍ଥକ୍ୟକୁ ଦୂର କରିବା ପାଇଁ ସରକାର ‘ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ ୧୨,୦୦୦ କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ରାଜ୍ୟର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏହି ବିଦ୍ୟାଳୟଗୁଡ଼ିକରେ ସହରାଞ୍ଚଳ ଭଳି ଉନ୍ନତ ଶ୍ରେଣୀଗୃହ, ବିଜ୍ଞାନାଗାର ଓ ଉନ୍ନତ କ୍ରୀଡ଼ା ସୁବିଧା ଉପଲବ୍ଧ ହେବ, ଯାହା ଗାଁର ମେଧାବୀ ଛାତ୍ରଛାତ୍ରୀଙ୍କୁ ନିଜ ଅଞ୍ଚଳରେ ହିଁ ଗୁଣାତ୍ମକ ଶିକ୍ଷା ପାଇବାରେ ସହାୟକ ହେବ। ସରକାରଙ୍କର ଏହି ପଦକ୍ଷେପ ଗ୍ରାମାଞ୍ଚଳ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।
