ପଶ୍ଚିମବଙ୍ଗ ରାଜନୀତିର ପାରଦ ଏବେ ଶିଖରରେ ଥିବା ବେଳେ ଏକ ବଡ଼ ଧରଣର ହତ୍ୟାକାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହଯୋଗୀ ଚନ୍ଦ୍ରନାଥ ରଥଙ୍କୁ ବୁଧବାର ରାତିରେ ମଧ୍ୟମଗ୍ରାମ ନିକଟରେ ଗୁଳି କରି ହତ୍ୟା କରାଯାଇଛି। ବିଧାନସଭା ପାସ୍ ଲାଗିଥିବା ଗାଡ଼ି ଭିତରେ ଚନ୍ଦ୍ରନାଥଙ୍କୁ ଆତତାୟୀମାନେ ଟାର୍ଗେଟ୍ କରିଥିଲେ। ବିଜେପି ଏହାକୁ ଏକ ‘ସୁନିୟୋଜିତ ହତ୍ୟାକାଣ୍ଡ’ ବୋଲି କହିଥିବା ବେଳେ ଟିଏମସି ଏହାର ନିନ୍ଦା କରି ତଦନ୍ତ ଦାବି କରିଛି। ତେବେ ପଶ୍ଚିମବଂଗରେ ଏହି ହତ୍ୟା ପୁଣି ଏକ ରାଜନୈତିକ ହତ୍ୟାର ମୁକ ଉଦାହରଣ ହୋଇ ସାରା ଦେଶକୁ ନିନ୍ଦିତ କରିଛି । ପଶ୍ଚିମବଙ୍ଗରେ ରାଜନୈତିକ ହିଂସାର ଇତିହାସ ବହୁତ ପୁରୁଣା। ବାମପନ୍ଥୀ ଶାସନ କାଳରୁ ଆରମ୍ଭ ହୋଇଥିବା ଏହି ଧାରା ଟିଏମସିର ୧୫ ବର୍ଷର ଶାସନ କାଳରେ ମଧ୍ୟ ଜାରି ରହିଛି। ବିଭିନ୍ନ ତଥ୍ୟ ଏବଂ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁଯାୟୀ, ବେଙ୍ଗଲରେ ରାଜନୈତିକ ହତ୍ୟାର ସଂଖ୍ୟା ଦେଶର ଅନ୍ୟ ରାଜ୍ୟ ତୁଳନାରେ ଅଧିକ। ଗତ ୧୫ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ପ୍ରାୟ ୩୦୦ରୁ ଅଧିକ ରାଜନୈତିକ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ବିଶେଷ କରି ନିର୍ବାଚନ ପରବର୍ତ୍ତୀ ହିଂସାରେ ଏହି ସଂଖ୍ୟା ସବୁଠୁ ଅଧିକ ରହିଥାଏ। ୨୦୨୧ ବିଧାନସଭା ନିର୍ବାଚନ ପରେ ହୋଇଥିବା ହିଂସାରେ ହିଁ କେବଳ ୫୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିଲା। ୨୦୧୯ ପରଠାରୁ ଯେବେଠାରୁ ବିଜେପି ବେଙ୍ଗଲରେ ଶକ୍ତିଶାଳୀ ହୋଇଛି, ସେବେଠାରୁ ଦଳର ନେତା ଓ କର୍ମୀମାନେ ଅଧିକ ଟାର୍ଗେଟ୍ ହୋଇଛନ୍ତି। ବିଜେପିର ଦାବି ଅନୁଯାୟୀ, ଗତ ୬-୭ ବର୍ଷ ମଧ୍ୟରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ବିଜେପି କର୍ମୀ ଓ ନେତା ରାଜନୈତିକ ହିଂସାର ଶିକାର ହୋଇଛନ୍ତି। ମନୀଷ ଶୁକ୍ଲାଠୁ ଆରମ୍ଭ କରି ଦେବେନ୍ଦ୍ର ନାଥ ରାୟ ଏବଂ ନିକଟରେ ଚନ୍ଦ୍ରନାଥ ରଥଙ୍କ ହତ୍ୟା ଦର୍ଶାଉଛି ଯେ ବେଙ୍ଗଲରେ ରାଜନୈତିକ ବିରୋଧୀଙ୍କୁ ଦମନ କରିବା ପାଇଁ ଅପରାଧର ସାହାରା ନିଆଯାଉଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶୁଭେନ୍ଦୁ ଅଧିକାରୀ ନିକଟରେ ଭବାନୀପୁର ଆସନରୁ ମମତା ବାନାର୍ଜୀଙ୍କୁ ପ୍ରାୟ ୧୫ ହଜାର ଭୋଟ୍ରେ ପରାଜିତ କରିଛନ୍ତି। ଏହି ଐତିହାସିକ ପରାଜୟ ପରେ ଶୁଭେନ୍ଦୁଙ୍କ ନିକଟତର ଲୋକଙ୍କୁ ଟାର୍ଗେଟ୍ କରାଯିବା ଏକ ବଡ଼ ପ୍ରଶ୍ନ ଚିହ୍ନ ସୃଷ୍ଟି କରୁଛି।
ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ତାଙ୍କ ନିଜ ଗଡ଼ ଭବାନୀପୁରରେ ପରାଜିତ କରିଛନ୍ତି। ଏହି ପରାଜୟ ଟିଏମସି ପାଇଁ ଏକ ବଡ଼ ଆଘାତ ଥିଲା। ବିଜେପିର ଅଭିଯୋଗ ଯେ, ଶୁଭେନ୍ଦୁଙ୍କୁ ମାନସିକ ଭାବେ ଦୁର୍ବଳ କରିବା ପାଇଁ ତାଙ୍କର ସବୁଠାରୁ ବିଶ୍ୱସ୍ତ ସହଯୋଗୀ ଚନ୍ଦ୍ରନାଥଙ୍କୁ ହତ୍ୟା କରାଯାଇଛି। ଶୁଭେନ୍ଦୁ ଅଧିକାରୀ ଏବେ ବେଙ୍ଗଲ ବିଜେପିର ମୁଖ୍ୟ ଚେହେରା। ଚନ୍ଦ୍ରନାଥ ତାଙ୍କର ପିଏ ଭାବେ ଶୁଭେନ୍ଦୁଙ୍କ ପ୍ରତିଟି ରଣନୀତି, ଗସ୍ତ ଏବଂ ସାଂଗଠନିକ କାର୍ଯ୍ୟର ତଦାରଖ କରୁଥିଲେ। ତାଙ୍କୁ ରାସ୍ତାରୁ ହଟାଇ ଦେଲେ ଶୁଭେନ୍ଦୁଙ୍କ ସାଂଗଠନିକ କାର୍ଯ୍ୟରେ ବାଧା ସୃଷ୍ଟି ହେବ, ଏହା ଟିଏମସିର ଉଦ୍ଦେଶ୍ୟ ବୋଲି ବିଜେପି ଦାବି କରୁଛି।
୨୦୨୧ ନିର୍ବାଚନ ପରେ ମଧ୍ୟ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା। ସେତେବେଳେ ମଧ୍ୟ ଶାସକ ଦଳ ଉପରେ ବିରୋଧୀଙ୍କୁ ଦମନ କରିବାର ଅଭିଯୋଗ ଆସିଥିଲା। ଏହି ହତ୍ୟାକାଣ୍ଡ ସେହି ପୁରୁଣା ‘ରାଜନୈତିକ ହିଂସା’ ମଡେଲ୍ର ଏକ ଅଂଶ ବୋଲି ସନ୍ଦେହ କରାଯାଉଛି।
ଚନ୍ଦ୍ରନାଥଙ୍କ ଗାଡ଼ିରେ ‘ବିଧାନସଭା ପାସ୍’ ଷ୍ଟିକର୍ ଥିଲା, ଯାହା ସୂଚାଉଛି ଯେ ଆତତାୟୀମାନେ ଜାଣିଶୁଣି ତାଙ୍କୁ ଟାର୍ଗେଟ୍ କରିଥିଲେ। ପୋଲିସ ପ୍ରଶାସନ ଟିଏମସି ନିୟନ୍ତ୍ରଣରେ ଥିବାରୁ ଏପରି ସାହସିକ ହତ୍ୟାକାଣ୍ଡ ଶାସକ ଦଳର ପରୋକ୍ଷ ସମର୍ଥନ ବିନା ସମ୍ଭବ ନୁହେଁ ବୋଲି ବିଜେପି ନେତାମାନେ ଅଭିଯୋଗ କରୁଛନ୍ତି। ତେବେ ସେ ଯାହା ହେଉ ରାଜନୀତିରେ ହିଂସାକାଣ୍ଡ କୈାଣସି ସମସ୍ୟାର ସମାଧାନ ନୁହେଁ । ଏହାଦ୍ବାରା ଯେ ବିଜେପି ଦୁର୍ବଳ ହେବ ଏବଂ ବିଜେପି କର୍ମୀମାନେ ଭୟରେ ରହିବେ ଏଥିରେ କିଛି କାରଣ ନାହିଁ । ଆଗାମୀ ଦିନରେ ଏହି ରାଜନୈତିକ ହିଂସା ବେଙ୍ଗଲରେ ବନ୍ଦ ହେଉଛି କି ନାହିଁ ତାହା ସମୟ କହିବ ।
