ମେ ୯ ବେଙ୍ଗଲ ପାଇବ ନୂଆ ମୁଖ୍ୟମନ୍ତ୍ରୀ

ମେ ୯ ବେଙ୍ଗଲ ପାଇବ ନୂଆ ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଉଲ୍ଲେଖନୀୟ ବିଜୟ ପରେ ନୂଆ ସରକାର ଗଢିବା ପ୍ରକ୍ରିୟା ଦ୍ରୁତ ହୋଇଛି। ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ସଦସ୍ୟ ମେ ୯ ତାରିଖ ଦିନ କୋଲକାତାର ପ୍ରସିଦ୍ଧ ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ତେବେ ଏହା ପୂର୍ବରୁ ୮ ମେ ମଧ୍ୟାହ୍ନରେ ବିଜେପି ବିଧାୟକ ଦଳ ବୈଠକ ହେବ। ଏହି ବୈଠକରେ ବିଧାୟକ ଦଳ ନେତା ନିର୍ବାଚନ ହେବ। ଯାହାଙ୍କୁ ବିଧାୟକ ଦଳ ନେତା ବାଛିବ ସେ ୯ ତାରିଖରେ ବ୍ରିଗେଡ ପରେଡ ପଡିଆରେ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ।

ଏଥି ମଧ୍ୟରେ ନିର୍ବାଚନ ପରେ ପୁରା ରାଜ୍ୟରେ ହେଉଥିବା ହିଂସାକାଣ୍ଡ ରାଜ୍ୟ ରାଜନୀତି ଉଷ୍ମ କରିଛି। ରାଜ୍ୟ ବିଜେପି ସଭାପତି ସମିକ ଭଟ୍ଟାଚାର୍ଯ୍ୟ ଏହି ପ୍ରସଙ୍ଗର ସମାଧାନ ଲାଗି ଏବେ କାର୍ଯ୍ୟ କରୁଛନ୍ତି। ସୂତ୍ର ଅନୁସାରେ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ପାଇଁ ଏହି ଖାସ ତାରିଖ ଗୁରୁଦେବ ରବିନ୍ଦ୍ର ନାଥ ଠାକୁରଙ୍କ ଜୟନ୍ତୀ କାରଣରୁ ବଛା ଯାଇଛି। ଏଣୁ କାର୍ଯ୍ୟକ୍ରମର ସାଂସ୍କୃତିକ ଗୁରୁତ୍ୱ ଢେର ବଢି ଯାଇଛି। ଅନ୍ୟପଟେ ନିର୍ବାଚନ ପ୍ରକ୍ରିୟା ପୁରା ହେବା ପରେ ନୂଆ ବିଧାନସଭା ଗଠନ ଲାଗି ନିର୍ବାଚନ ଆୟୋଗ ଏକ ଅଧିସୂଚନା ଜାରି କରିଛନ୍ତି। ଏହି ଅଧିସୂଚନା ରାଜ୍ୟପାଳଙ୍କ ନିକଟକୁ ପଠାଇ ଦିଆଯାଇଛି। ଏହା ସହିତ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଔପଚାରିକ ରୂପେ ଶେଷ ହୋଇଛି।

ପଶ୍ଚିମବଙ୍ଗରେ ସରକାର ଗଠନ ପ୍ରକ୍ରିୟା ଉପରେ ନଜର ରଖିବା ଲାଗି ବିଜେପି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କେନ୍ଦ୍ର ପର୍ଯ୍ୟବେକ୍ଷକ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ଏହି ଦୁଇ ନେତା ମୁଖ୍ୟମନ୍ତ୍ରୀ ପଦବୀ ଓ କ୍ୟାବିନେଟ୍ ଚୂଡ଼ାନ୍ତ କରିବା ଲାଗି ନବ ନିର୍ବାଚିତ ବିଧାୟକଙ୍କୁ ଭେଟିବେ। ଏଥି ପାଇଁ ଅମିତ ଶାହ ଗୁରୁବାର କୋଲକାତା ପହଞ୍ଚିବେ ବୋଲି ଜଣାପଡିଛି। ଶାହ କୋଲକାତା ପହଞ୍ଚିବା ପରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ।

ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ୨୦୭ଟି ଆସନ ସହ ବହୁମତ ହାସଲ କରିଛି। ୮୦ଟି ଆସନ ପାଇଥିବା ଟିଏମସି ବିରୋଧୀ ଦଳରେ ବସିବ। ଏଣୁ ପାର୍ଟି ଏବେ ଏକ ଦୃଢ ନେତୃତ୍ୱ ସମର୍ଥନରେ ନୂଆ ସରକାର ଗଢିବା ଦିଗରେ ଆଗକୁ ଅଗ୍ରସର ହେଉଛି।

Posted in ଦେଶ ବିଦେଶ, ରାଜନୀତି and tagged .