ଯେଉଁ ମାଟିରେ ରବୀନ୍ଦ୍ରନାଥ ଠାକୁର କବିତା ଲେଖିଥିଲେ, ବିବେକାନନ୍ଦ ବିଶ୍ୱକୁ ନୂଆ ଦିଗ ଦେଖାଇଥିଲେ ଏବଂ ସୁଭାଷ ବୋଷ ସ୍ୱାଧୀନତାର ସ୍ୱପ୍ନ ଦେଖିଥିଲେ, ସେହି ବେଙ୍ଗଲ ଆଜି ଏକ ନୂଆ ମୋଡ଼ରେ ଛିଡ଼ା ହୋଇଛି। ଦୀର୍ଘ ୧୫ ବର୍ଷର ମମତା ଶାସନର ଅନ୍ତ ଘଟାଇ ପଶ୍ଚିମବଙ୍ଗ ଆଜି ବିକାଶର ଏକ ନୂଆ ବାର୍ତ୍ତା ଦେଉଛି। ଦିନେ ଭାରତର ଶିଳ୍ପ ଜଗତର ମୁକୁଟ କୁହାଯାଉଥିବା ବେଙ୍ଗଲର ପତନ ୧୯୭୭ର ବାମପନ୍ଥୀ ଶାସନରୁ ଆରମ୍ଭ ହୋଇଥିଲା। ୩୪ ବର୍ଷର ବାମ ଶାସନ ବେଙ୍ଗଲର ଅର୍ଥନୀତିକୁ ପଙ୍ଗୁ କରିଦେଇଥିଲା। ଏହାପରେ ଟାଟା ନାନୋ ପ୍ରକଳ୍ପକୁ ସିଙ୍ଗୁରରୁ ତଡ଼ିବା ପାଇଁ ମମତା ବାନାର୍ଜୀ ଯେଉଁ ଆନ୍ଦୋଳନ କରିଥିଲେ, ତାହା ବେଙ୍ଗଲର ଶିଳ୍ପ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିଲା। ୨୦୧୧ରେ ‘ପରିବର୍ତ୍ତନ’ର ନାରା ଦେଇ କ୍ଷମତାକୁ ଆସିଥିବା ମମତା ବାନାର୍ଜୀ ବେଙ୍ଗଲକୁ ଶାନ୍ତି ଦେବା ପରିବର୍ତ୍ତେ ରକ୍ତାକ୍ତ ରାଜନୀତି ଭେଟି ଦେଇଥିବା ଅଭିଯୋଗ ହୋଇଛି। ସାରଦା ଚିଟଫଣ୍ଡ ଠାରୁ ଆରମ୍ଭ କରି ଶିକ୍ଷକ ନିଯୁକ୍ତି କେଳେଙ୍କାରୀ ପର୍ଯ୍ୟନ୍ତ, ଟିଏମସି ନେତାଙ୍କ ଘରୁ କୋଟି କୋଟି ଟଙ୍କା ବାହାରିବା ବେଙ୍ଗଲର ଶିକ୍ଷିତ ଯୁବପିଢ଼ିଙ୍କ ସ୍ୱପ୍ନକୁ ଚୂରମାର କରିଥିଲା। ରାଜ୍ୟକୁ ୬ ଲକ୍ଷ କୋଟିରୁ ଅଧିକ ଋଣବୋଝରେ ବୁଡ଼ାଇ ମମତା ସରକାର କେବଳ ଭୋଟ୍ ପାଇଁ ମାଗଣା ଯୋଜନା ଚଲାଇଥିଲେ, ଯେଉଁଠି ଶିଳ୍ପ ବା ଚାକିରିର କୌଣସି ସ୍ଥାନ ନଥିଲା। ପ୍ରତିଦିନ ଅପରାଧୀମାନେ ହିଂସାକାଣ୍ଡ ଘଟାଇ ଲୋକଙ୍କୁ ଭୟଭୀତ କରାଉଥିଲେ । ୨୦୨୪ର ଆର.ଜି. କର ମେଡିକାଲ କଲେଜ ଘଟଣା ବେଙ୍ଗଲର ଆତ୍ମାକୁ ଦୋହଲାଇ ଦେଇଥିଲା। ଜଣେ ଟ୍ରେନି ଡାକ୍ତରଙ୍କ ସହ ହୋଇଥିବା ଅମାନୁଷିକ କାଣ୍ଡ ଏବଂ ପରେ ସରକାରଙ୍କ ପ୍ରମାଣ ନଷ୍ଟ କରିବା ପ୍ରୟାସ ରାଜ୍ୟବାସୀଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ କରିଥିଲା। ସେହିଦିନ ହିଁ ମମତା ସରକାରଙ୍କ ପତନର ମୂଳଦୁଆ ପଡ଼ିଥିଲା। ୨୦୧୯ରେ ୧୮ଟି ଲୋକସଭା ଆସନ ଜିତି ବିଜେପି ବେଙ୍ଗଲରେ ନିଜର ଶକ୍ତି ଜାହିର କରିଥିଲା। ୨୦୨୧ରେ ବିଧାନସଭା ନିର୍ବାଚନରେ ମାତ୍ର ୭୭ଟି ସିଟ୍ ପାଇଥିଲେ ମଧ୍ୟ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ହାର ମାନିନଥିଲେ। ହିଂସା, ରକ୍ତପାତ ଏବଂ ମିଥ୍ୟା ମାମଲା ସତ୍ତ୍ୱେ ବିଜେପି କର୍ମୀମାନେ ପ୍ରତି ବୁଥ୍ରେ ନିଜର ସଂଗଠନ ମଜବୁତ କରିଥିଲେ।
ଶେଷରେ ୨୦୨୬ ନିର୍ବାଚନରେ ଜନତାଙ୍କ ଆକ୍ରୋଶ ଭୋଟ୍ ଆକାରରେ ବାହାରିଲା। ମମତା ବାନାର୍ଜୀ ନିଜ ଆସନ ହରାଇବା ସହ ଟିଏମସିର ୧୫ ବର୍ଷର ସାମ୍ରାଜ୍ୟ ଧୂଳିସାତ୍ ହେଲା। ବିଜେପି ପଶ୍ଚିମବଙ୍ଗରେ ସରକାର ଗଢ଼ିବା ସହ ବେଙ୍ଗଲକୁ ପୁଣି ଥରେ ‘ସୋନାର ବାଂଲା’ କରିବାର ପ୍ରତିଶ୍ରୁତି ଦେଇଛି।
ଏହା କେବଳ ଏକ ରାଜନୈତିକ ବିଜୟ ନୁହେଁ, ବରଂ ଏହା ସେହି ମା’ମାନଙ୍କର ବିଜୟ ଯାହାଙ୍କ ପୁଅମାନେ ରାଜନୈତିକ ହିଂସାରେ ପ୍ରାଣ ହରାଇଥିଲେ। ବେଙ୍ଗଲ ପୁଣି ଉଠିବ, ପୁଣି ହସିବ। ଏହା ହିଁ ନୂଆ ସରକାରଙ୍କଠାରୁ ଦେଶବାସୀ ଅପେକ୍ଷା କରିଛନ୍ତି ।
