ନୂଆଦିଲ୍ଲୀରେ ନିଟ୍ ପରୀକ୍ଷାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀରେ ନିଟ୍ ପରୀକ୍ଷାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ଆସନ୍ତା ବର୍ଷ ଠାରୁ ଓଏମଆର ପରିବର୍ତ୍ତେ ସିବିଟି ମୋଡ୍‌ରେ ଅନୁଷ୍ଠିତ ହେବ ପରୀକ୍ଷା

ନିଟ୍ ପରୀକ୍ଷା ପ୍ରଣାଳୀରେ ବଡ଼ ସଂସ୍କାର: ଆସନ୍ତା ବର୍ଷରୁ ଓଏମଆର ବଦଳରେ ‘ସିବିଟି’ ମୋଡ୍‌; ଶିକ୍ଷା ମାଫିଆଙ୍କ ବିରୋଧରେ ସରକାରଙ୍କ ଯୁଦ୍ଧ ଦେହୀ ଡାକରା

ଦେଶର ଶିକ୍ଷା ବ୍ୟବସ୍ଥା ଓ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଆଣିବା ପାଇଁ କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ଯେ, ଆସନ୍ତା ବର୍ଷଠାରୁ ‘ନିଟ୍’ ପରୀକ୍ଷା ପାରମ୍ପରିକ ଓଏମଆର ସିଟ୍ ବଦଳରେ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ବା ସିବିଟି ମୋଡ୍‌ରେ ଅନୁଷ୍ଠିତ ହେବ।

ଗତ ମେ’ ୩ ତାରିଖରେ ଅନୁଷ୍ଠିତ ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିବା ପରେ ସରକାର ଏହି କଠୋର ପଦକ୍ଷେପ ନେଇଛନ୍ତି। ଶିକ୍ଷା ମନ୍ତ୍ରୀଙ୍କ କହିବା ଅନୁଯାୟୀ:

ସିବିଟି ମୋଡ୍‌ରେ ପ୍ରଶ୍ନପତ୍ର ଲିକ୍ ହେବାର ସମ୍ଭାବନା ନଗଣ୍ୟ। ଏହା ପରୀକ୍ଷା ମାଫିଆଙ୍କ ଷଡ଼ଯନ୍ତ୍ରକୁ ପଣ୍ଡ କରିବାରେ ସହାୟକ ହେବ। ଯେପରି କୌଣସି ଯୋଗ୍ୟ ଛାତ୍ର ଜାଲିଆତି ଯୋଗୁଁ ନିଜ ଅଧିକାରରୁ ବଞ୍ଚିତ ନ ହୁଅନ୍ତି, ସରକାର ସେଥିପାଇଁ ପ୍ରତିବଦ୍ଧ। ଏନଟିଏ (NTA) ର ସମସ୍ତ ତ୍ରୁଟି ସୁଧାରି ଏକ ସୁରକ୍ଷିତ ପରୀକ୍ଷା ପ୍ରଣାଳୀ ଗଠନ କରିବା ସରକାରଙ୍କ ଲକ୍ଷ୍ୟ।

ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ଚିନ୍ତାକୁ ଦୂର କରିବା ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ କେତେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାରମୂଳକ ପଦକ୍ଷେପ ବିଷୟରେ ଜଣାଇଛନ୍ତି: ଆସନ୍ତା ଜୁନ୍ ୨୧ରେ ହେବାକୁ ଥିବା ପରୀକ୍ଷା ପାଇଁ ପିଲାମାନଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଦେଇଥିବା ଦେୟ ଫେରସ୍ତ କରାଯିବ। ପରୀକ୍ଷା ସମୟକୁ ୧୫ ମିନିଟ୍ ବୃଦ୍ଧି କରାଯାଇଛି। ପରୀକ୍ଷାର୍ଥୀମାନେ ପୁଣି ଥରେ ନିଜ ପସନ୍ଦର ପରୀକ୍ଷା ସହର ବାଛିପାରିବେ। ପରୀକ୍ଷାର୍ଥୀଙ୍କ ଯାତାୟାତ ସୁବିଧା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀମାନଙ୍କ ସହ ସମନ୍ୱୟ ରକ୍ଷା କରିବେ। ଜୁନ୍ ୧୪ ସୁଦ୍ଧା ସମସ୍ତ ପରୀକ୍ଷାର୍ଥୀଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯିବ।

ଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଭୁଲ୍ କାର୍ଯ୍ୟ ପ୍ରତି ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ରହିଛି। ସିବିଆଇ (CBI) ତଦନ୍ତ ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍ ପଛରେ ଥିବା ପ୍ରତ୍ୟେକ ଦୋଷୀଙ୍କୁ ଖୋଜି ବାହାର କରାଯିବ ଏବଂ ଶିକ୍ଷା ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାଷ୍ଟ୍ର ସ୍ୱାର୍ଥ ଏବଂ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସରକାର ପରୀକ୍ଷା ବାତିଲ କରିବାର କଠୋର ନିଷ୍ପତ୍ତି ନେଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ପଦକ୍ଷେପ ଭବିଷ୍ୟତରେ ଏକ ସ୍ୱଚ୍ଛ ଓ ସୁରକ୍ଷିତ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ପକାଇବ ବୋଲି ଆଶା କରାଯାଉଛି।ଛାତ୍ରଛାତ୍ରୀଙ୍କ ପରିଶ୍ରମ ପ୍ରତି ସରକାର ସମ୍ବେଦନଶୀଳ । ରାଷ୍ଟ୍ରୀୟ ସ୍ୱାର୍ଥ ତଥା ମେଧାବୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସମ୍ପୂର୍ଣ୍ଣ ଅଧିକାର ଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ଶୁକ୍ରବାର ନୂଆଦିଲ୍ଲୀ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ନିଟ୍ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା, ସାଧୁତା ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଗତ ମେ’ ୩ ତାରିଖରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)ର ଅଭିଯୋଗ ନିବାରଣ ପ୍ରଣାଳୀ ମାଧ୍ୟମରେ ଏକ ଆପତ୍ତି ମିଳିଥିଲା ଯେ ବଜାରରେ ଉପଲବ୍ଧ କିଛି ‘ଗେସ୍ ପେପର’ର ପ୍ରଶ୍ନ ସହ ଚଳିତ ବର୍ଷର ମୂଳ ପ୍ରଶ୍ନପତ୍ରର ସାମଞ୍ଜସ୍ୟ ରହିଛି । ଏହାକୁ ଗମ୍ଭୀରତାର ସହ ନେଇ ଉଚ୍ଚଶିକ୍ଷା ବିଭାଗ ଏବଂ ଏନଟିଏ ତୁରନ୍ତ ଏକ ପ୍ରାଥମିକ ସମୀକ୍ଷା କରି ମାମଲାକୁ ଭାରତ ସରକାରଙ୍କ ସମ୍ପୃକ୍ତ ଏଜେନ୍ସିଗୁଡ଼ିକୁ ହସ୍ତାନ୍ତର କରିଥିଲେ । ବିଭିନ୍ନ ରାଜ୍ୟର ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରକ୍ଷା କରାଯାଇ ଏହା ନିଶ୍ଚିତ ହୋଇଥିଲା ଯେ, ‘ଗେସ୍ ପେପର’ ଆଳରେ ପ୍ରକୃତ ପରୀକ୍ଷା ପ୍ରଶ୍ନପତ୍ର ହିଁ ଲିକ୍ କରାଯାଇଥିଲା।

ପରୀକ୍ଷା ପରିଚାଳନାରେ ସଂପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବାକୁ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି । ଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଭୁଲ୍ କାର୍ଯ୍ୟ ପ୍ରତି ଆମର ‘ଶୂନ୍ୟ ସହନଶୀଳତା’ ରହିଛି ଏବଂ ଏହା ପରୀକ୍ଷା ମାଫିଆଙ୍କ ବିରୁଦ୍ଧରେ ଏକ ଲମ୍ବା ଲଢ଼େଇ। ସିବିଆଇ ତଦନ୍ତରେ କୌଣସି ବି ଦୋଷୀଙ୍କୁ ଛଡ଼ାଯିବ ନାହିଁ। ଶିକ୍ଷା ମାଫିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ଚିନ୍ତାକୁ ଦୂର କରିବା ପାଇଁ ସରକାର ଏବଂ ଏନଟିଏ କେତେକ ପ୍ରମୁଖ ସଂସ୍କାରମୂଳକ ପଦକ୍ଷେପ ଘୋଷଣା କରିଛନ୍ତି । ନିଟ୍ ପୁନଃ ପରୀକ୍ଷା ଆସନ୍ତା ଜୁନ୍ ୨୧ରେ ଅନୁଷ୍ଠିତ ହେବ । ପୁନଃ ପରୀକ୍ଷା ପାଇଁ ପିଲାମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଦେଇଥିବା ଫି’ ଫେରସ୍ତ କରାଯିବ ଏବଂ ଏହି ପରୀକ୍ଷା ସମ୍ପୂର୍ଣ୍ଣ ମାଗଣା ହେବ । ପରୀକ୍ଷାର୍ଥୀମାନେ ପୁଣି ଥରେ ନିଜ ପସନ୍ଦର ପରୀକ୍ଷା ସହର ବାଛିପାରିବେ। ଏଥିପାଇଁ ଏନଟିଏ ପକ୍ଷରୁ ଏକ ସପ୍ତାହ ସମୟ ଦିଆଯିବ । ପରୀକ୍ଷା ସମୟକୁ ୧୫ ମିନିଟ୍ ବୃଦ୍ଧି କରାଯାଇଛି । ପୂର୍ବରୁ ପରୀକ୍ଷା ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଥିବାବେଳେ ଏବେ ଏହା ୫ଟା ୧୫ ପର୍ଯ୍ୟନ୍ତ ଚାଲିବ । ସମସ୍ତ ପରୀକ୍ଷାର୍ଥୀଙ୍କୁ ଜୁନ୍ ୧୪ ସୁଦ୍ଧା ଆଡମିଟ୍ କାର୍ଡ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

Posted in ଦେଶ ବିଦେଶ.