ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଘଟିଯାଇଥିବା ସୌମ୍ୟରଞ୍ଜନ ପ୍ରଧାନଙ୍କ ନିର୍ମମ ହତ୍ୟାକାଣ୍ଡ ସଭ୍ୟ ସମାଜର ମୁଣ୍ଡକୁ ନୁଆଁଇ ଦେଇଛି। ଜଣେ ଯୁବକଙ୍କୁ ଦିନଦ୍ୱିପ୍ରହରରେ ଗୋଡ଼ାଇ ଗୋଡ଼ାଇ, ପିଟି ପିଟି ମାରିଦେବା ଭଳି ଭିଡ଼ ହିଂସା କୁ ଯେତେ ନିନ୍ଦା କଲେ ମଧ୍ୟ ତାହା କମ୍ ହେବ। ଆଇନକୁ ନିଜ ହାତକୁ ନେଉଥିବା ଏହି ଭିଡ଼ ହିଂସାକାରୀମାନେ କୌଣସି ସାଧାରଣ ନାଗରିକ ନୁହନ୍ତି, ବରଂ ଜଣେ ଜଣେ ନିଷ୍ଠୁର ଅପରାଧୀ, ଯେଉଁମାନଙ୍କୁ ଆଇନର କଠୋରତମ ଦଣ୍ଡ ମିଳିବା ଏକାନ୍ତ ଆବଶ୍ୟକ। ଗୋଟିଏ ଗଣତାନ୍ତ୍ରିକ ଦେଶରେ ଯେକୌଣସି ବିବାଦର ସମାଧାନ ପାଇଁ କୋର୍ଟ ଏବଂ ପୋଲିସ ବ୍ୟବସ୍ଥା ରହିଛି। ଯଦି କୌଣସି ବ୍ୟକ୍ତି ଭୁଲ୍ କରିଛନ୍ତି, ତେବେ ତାଙ୍କୁ ସଜା ଦେବାର ଅଧିକାର ଆଇନର ଅଛି, କୌଣସି ଉତ୍ତ୍ୟକ୍ତ ଭିଡ଼ର ନାହିଁ। ଭିଡ଼ର ଆଳରେ ଲୁଚି ରହି ହତ୍ୟାକାଣ୍ଡ ଭଳି ଜଘନ୍ୟ ଅପରାଧ ଘଟାଉଥିବା ବ୍ୟକ୍ତିମାନଙ୍କ ଚିହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ ଫାସୀ କିମ୍ବା ଆଜୀବନ କାରାଦଣ୍ଡ ଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ, ଯେପରି ଭବିଷ୍ୟତରେ କେହି ଏଭଳି ଦୁଃସାହସ କରିବେ ନାହିଁ। ଏହି ସମ୍ପୂର୍ଣ୍ଣ ଘଟଣାରେ ସବୁଠାରୁ ଦୁଃଖଦ ଓ ଚିନ୍ତାଜନକ ଦିଗ ହେଉଛି ସ୍ଥାନୀୟ ପୋଲିସର ନିଷ୍କ୍ରିୟତା। ଅପରାଧ ଘଟିବା ସମୟରେ କିମ୍ବା ଘଟଣାର ପୂର୍ବ ସୂଚନା ଥାଇ ମଧ୍ୟ ପୋଲିସର ନିରବ ଦ୍ରଷ୍ଟା ସାଜିବା ପ୍ରଶାସନର ଦୁର୍ବଳତାକୁ ସ୍ପଷ୍ଟ କରୁଛି। ଜନସାଧାରଣଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଖାକି ପୋଷାକ ଯଦି ନିଜ କର୍ତ୍ତବ୍ୟରୁ ଓହରିଯାଏ, ତେବେ ଅପରାଧୀଙ୍କ ସାହସ ବଢ଼ିବା ସ୍ୱାଭାବିକ। ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଦାୟିତ୍ୱହୀନ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କଠୋର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।
ସୌମ୍ୟରଞ୍ଜନଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ସହ ଓଡ଼ିଶାର ଶାନ୍ତିପୂର୍ଣ୍ଣ ପରିବେଶକୁ ବଞ୍ଚାଇବାକୁ ହେଲେ ସରକାରଙ୍କୁ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ହେବ। ଭିଡ଼ ହିଂସାକାରୀଙ୍କୁ ଜେଲ୍ର ଚାରିକାନ୍ଥ ଭିତରକୁ ପଠାଇବା ଏବଂ କର୍ତ୍ତବ୍ୟରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିବା ହିଁ ପ୍ରକୃତ ନ୍ୟାୟ ହେବ।
