ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ଓଡ଼ିଶା ଗସ୍ତ: ସଂଗଠନକୁ କେତେ ସୁଦୃଢ଼ କରିବ ?

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ଓଡ଼ିଶା ଗସ୍ତ: ସଂଗଠନକୁ କେତେ ସୁଦୃଢ଼ କରିବ ?

ଆସନ୍ତା ଜୁନ୍ ୧୨ ତାରିଖରେ ଓଡ଼ିଶାରେ ବିଜେପି ସରକାର ନିଜର ଦୁଇ ବର୍ଷ କାର୍ଯ୍ୟକାଳ ପୂରଣ କରିବାକୁ ଯାଉଥିବା ବେଳେ ରାଜ୍ୟ ରାଜନୀତିରେ ଏକ ବଡ଼ ସାଂଗଠନିକ ହଲଚଲ ଦେଖାଦେଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବାର ସାଢ଼େ ତିନି ମାସ ପରେ ପ୍ରଥମ ଥର ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିହାରର ବରିଷ୍ଠ ତଥା କର୍ମଠ ରାଜନେତା ନିତିନ ନବୀନ। ତାଙ୍କର ଏହି ପ୍ରଥମ ଗସ୍ତକୁ ନେଇ ତୃଣମୂଳ ସ୍ତରରୁ ଶୀର୍ଷ ନେତୃତ୍ୱ ପର୍ଯ୍ୟନ୍ତ ସମସ୍ତ କର୍ମୀ ଓ ନେତା ବେଶ୍ ଉତ୍ସାହିତ ଥିବା ବେଳେ ରାଜ୍ୟ ବିଜେପି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ଆସନ୍ତାକାଲି ଦଳର ଜିଲ୍ଲାସ୍ତରୀୟ ସାଂଗଠନିକ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ସହ ନିତିନ ନବୀନ ମନ୍ତ୍ରୀ ପରିଷଦ ଓ ରାଜ୍ୟର ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ। ସରକାର ଏବଂ ସଂଗଠନ ମଧ୍ୟରେ କିପରି ଉତ୍ତମ ସମନ୍ୱୟ ରହିବ ଏବଂ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ କିପରି ଲୋକଙ୍କ ପାଖରେ ପହଞ୍ଚିବ, ସେନେଇ ସେ ଏକ ପ୍ରକାର ‘ନୀତି ଶିକ୍ଷା’ର ପାଠ ପଢ଼ାଇବେ। ବିଜେପି ଏକ କ୍ୟାଡର ଭିତ୍ତିକ ଦଳ ହୋଇଥିବାରୁ ଶୃଙ୍ଖଳା ଓ ଦକ୍ଷତା ଉପରେ ଏଠାରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ।

ରାଜ୍ୟରେ ସରକାର ଗଠନ କରିବା ପରେ ବିଜେପି ପାଇଁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ଏକ ବଡ଼ ପରୀକ୍ଷା। ତୃଣମୂଳ ସ୍ତରରେ ଦଳର ସ୍ଥିତିକୁ ଆହୁରି ମଜବୁତ୍ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଜେ ରୋଡ୍‌ମାପ୍ ପ୍ରସ୍ତୁତ କରିବେ। ରାଜ୍ୟରେ ଦୀର୍ଘ ଦିନ ହେବ ବିଭିନ୍ନ ସରକାରୀ ନିଗମର ପଦପଦବୀ ପୂରଣ ଏବଂ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିତିନ ନବୀନଙ୍କ ଏହି ଗସ୍ତ ସମୟରେ ରାଜ୍ୟ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ପରେ ଏହି ସବୁ ଆଶାୟୀ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇପାରେ। ବୟସ ଦୃଷ୍ଟିରୁ ସେ ଅପେକ୍ଷାକୃତ କନିଷ୍ଠ ହୋଇଥିଲେ ହେଁ, ନିତିନ ନବୀନଙ୍କ ସାଂଗଠନିକ ଅଭିଜ୍ଞତା ଓ କାର୍ଯ୍ୟଶୈଳୀ ବେଶ୍ ପ୍ରଶଂସନୀୟ। ଓଡ଼ିଶାରେ ବିଜେପିକୁ ଶାସନ ଗାଦିକୁ ଆଣିବାରେ ତାଙ୍କର ପୂର୍ବ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ, କର୍ମୀଙ୍କ ଭିତରେ ଏକ ନୂଆ ଜୋସ୍ ଭରିବାରେ ଏହି ଗସ୍ତ ବେଶ୍ ସହାୟକ ହେବ। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ନିଜ ବଳରେ ସରକାର ଚଲାଉଥିବା ବେଳେ, ୨ ବର୍ଷର ସଫଳତା ଓ ଆଗାମୀ ଚ୍ୟାଲେଞ୍ଜ ଭିତରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଏହି ଦୁଇ ଦିନିଆ ଗସ୍ତ ରାଜ୍ୟ ବିଜେପିର ସାଂଗଠନିକ ଶକ୍ତିକୁ ଆହୁରି ବେଗବାନ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।

Posted in ରାଜ୍ୟ.