ଆମର ଏକ ଗଣତନ୍ତ୍ର ଅଛି, ତେଣୁ ସମସ୍ତେ ଦଣ୍ଡ ବିଧାନକୁ ହାଲୁକା ଭାବରେ ନିଅନ୍ତି। କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଆର୍ ନଟରାଜ୍ ଏକ ମାମଲାର ଶୁଣାଣି ସମୟରେ ମୌଖିକ ଭାବରେ ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଏହି ମନ୍ତବ୍ୟ ସହିତ, ହାଇକୋର୍ଟ ଜଣେ ୨୩ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି। ଛାତ୍ରଙ୍କ ଜାମିନ ଆବେଦନର ଶୁଣାଣି କରି ବିଚାରପତି କହିଛନ୍ତି ଯେ, ଆଇନ ଏବେ ଦନ୍ତହୀନ ହୋଇଯାଇଛି। କାରଣ ଆମେ ଅପରାଧୀଙ୍କ ସହିତ କଠୋର ଭାବରେ ବ୍ୟବହାର କରୁନାହୁଁ। କଠୋର ଆଇନ ବ୍ୟବସ୍ଥା ଯୋଗୁ ମଧ୍ୟପ୍ରାଚ୍ୟରେ ଅପରାଧ କରିବା ସହଜ ନୁହେଁ। ଆମ ଦେଶରେ ଲୋକମାନେ ବିଭିନ୍ନ ଅପରାଧ କରୁଛନ୍ତି, ଏପରିକି ନିୟମିତ ଭାବରେ ମଧ୍ୟ, କାରଣ ଅପରାଧୀମାନଙ୍କ ସହିତ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ସେଥିପାଇଁ ଅପରାଧ ସାଧାରଣ ହୋଇଯାଇଛି।
ଯେକୌଣସି ଶାନ୍ତ ଓ ସୁସଭ୍ୟ ସମାଜ ପାଇଁ ଦୃଢ଼ ଆଇନ ଶୃଙ୍ଖଳା ବ୍ୟବସ୍ଥା ହିଁ ସବୁଠାରୁ ବଡ଼ ମେରୁଦଣ୍ଡ। ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଯଦି ଅପରାଧିକ ମାମଲା ବୃଦ୍ଧି ପାଏ, ତେବେ ତାହା ସିଧାସଳଖ ପ୍ରଶାସନ ଏବଂ ଆଇନର ପ୍ରୟୋଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ। ସାମ୍ପ୍ରତିକ ସମୟରେ ବିଭିନ୍ନ ମହଲରୁ ଏଭଳି ଅଭିଯୋଗ ଉଠୁଛି ଯେ, ଅପରାଧୀମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଯେତିକି କଠୋର ଓ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା, ତାହା ହୋଇପାରୁ ନାହିଁ। ଯାହାଫଳରେ ଅପରାଧୀଙ୍କ ମନରୁ ଆଇନ ପ୍ରତି ଭୟ କମିବାରେ ଲାଗିଛି ଏବଂ ଅପରାଧ ଗ୍ରାଫ୍ ମଧ୍ୟ ଊର୍ଦ୍ଧ୍ୱମୁଖୀ ହେଉଛି।
ଜଣେ ଅପରାଧୀ ସେତେବେଳେ ପୁନର୍ବାର ଅପରାଧ କରିବାକୁ ସାହସ କରେ, ଯେତେବେଳେ ସେ ଜାଣିଥାଏ ଯେ ଆଇନର ଗଳାବାଟ ଦେଇ ସେ ସହଜରେ ଖସିଯାଇପାରିବ। ଅନେକ ସମୟରେ ମାମଲାର ଶିଥିଳ ତଦନ୍ତ, କୋର୍ଟରେ ଦୀର୍ଘ ବର୍ଷ ଧରି ବିଚାର ପ୍ରକ୍ରିୟା ଚାଲିବା ଏବଂ ପ୍ରମାଣ ଅଭାବରୁ ଅପରାଧୀ ଖଲାସ ହୋଇଯିବା ଯୋଗୁଁ ସାଧାରଣ ଲୋକଙ୍କ ଆସ୍ଥା ଆଇନ ବ୍ୟବସ୍ଥା ଉପରୁ ତୁଟିଯାଏ। ରାଜ୍ୟରେ ବଢ଼ୁଥିବା ଦାଦାବଟି, ଲୁଟ୍ତରାଜ, ମହିଳା ନିର୍ଯାତନା ଏବଂ ସାଇବର ଅପରାଧ ପଛରେ ଆଇନର କୋହଳତା ବଡ଼ କାରଣ ବୋଲି ଚର୍ଚ୍ଚା ହେଉଛି।
ଜନସାଧାରଣଙ୍କ ମଧ୍ୟରେ ସୁରକ୍ଷା ଭାବ ସୃଷ୍ଟି କରିବାକୁ ହେଲେ କେବଳ ଗିରଫଦାରୀ ଯଥେଷ୍ଟ ନୁହେଁ, ବରଂ ଅପରାଧୀଙ୍କୁ ‘ଉଦାହରଣମୂଳକ ଦଣ୍ଡ’ ମିଳିବା ଜରୁରୀ। ଯେପର୍ଯ୍ୟନ୍ତ ଏକ ସ୍ପେଶାଲ୍ ବ୍ୟବସ୍ଥା ଜରିଆରେ ଅପରାଧୀଙ୍କ ଉପରେ କଠୋର ଆଇନଗତ ପ୍ରହାର ନହୋଇଛି, ସେପର୍ଯ୍ୟନ୍ତ ସମାଜରେ ପରିବର୍ତ୍ତନ ଆସିବା ସମ୍ଭବ ନୁହେଁ। ନିକଟରେ ରାଜ୍ୟ ସରକାର ଅଭିଯୋଗ ଶୁଣାଣି ମାଧ୍ୟମରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଓ ବିଶେଷ ଦଳ ଗଠନ କରୁଥିବା ବେଳେ, ଅପରାଧିକ ମାମଲାଗୁଡ଼ିକର ଫାଷ୍ଟ-ଟ୍ରାକ୍ କୋର୍ଟ ଜରିଆରେ ତୁରନ୍ତ ବିଚାର କରିବାକୁ ସାଧାରଣରେ ଦାବି ହେଉଛି।
ମୋହନ ସରକାରଙ୍କ ଆଗାମୀ ମନ୍ତ୍ରୀମଣ୍ଡଳ ସମୀକ୍ଷା ଏବଂ ପ୍ରଶାସନିକ ସଂସ୍କାର ମଧ୍ୟରେ ଆଇନ ଶୃଙ୍ଖଳାକୁ ସବୁଠାରୁ ଅଧିକ ପ୍ରାଥମିକତା ଦେବାକୁ ପଡ଼ିବ। ପୋଲିସ ପ୍ରଶାସନକୁ ରାଜନୈତିକ ଚାପରୁ ମୁକ୍ତ ରଖି ଅପରାଧୀଙ୍କ ଉପରେ ‘ଜିରୋ ଟଲରେନ୍ସ’ ନୀତି ଆପଣାଇବାକୁ ହେବ। ଅପରାଧୀ ସେ ଯେତେ ବଡ଼ ପ୍ରଭାବଶାଳୀ ବ୍ୟକ୍ତି ହୋଇଥାଉ ନା କାହିଁକି, ତା’ ବିରୋଧରେ କଠୋରରୁ କଠୋରତମ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ହିଁ ସମାଜରେ ଆଇନର ଶାସନ ପ୍ରତିଷ୍ଠା ହୋଇପାରିବ।
