ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ଶୁଭାରମ୍ଭ କଲେ ମୋହନ ସରକାର , ପ୍ରତି ବ୍ୟକ୍ତିଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ଏହି ଯୋଜନାରେ ନିଶୁଳ୍କ ଆକାରରେ ମିଳିବ

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ଶୁଭାରମ୍ଭ କଲେ ମୋହନ ସରକାର , ପ୍ରତି ବ୍ୟକ୍ତିଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ଏହି ଯୋଜନାରେ ନିଶୁଳ୍କ ଆକାରରେ ମିଳିବ

ଓଡ଼ିଶାର କୌଣସି ପରିବାର ଭୋକରେ ରହିବେ ନାହିଁ । କୌଣସି ଶିଶୁ ଅପପୁଷ୍ଟିର ଶିକାର ହେବେ ନାହିଁ । କୌଣସି ବୟୋଜ୍ୟଷ୍ଠ ଅନ୍ନ ଅଭାବରୁ କଷ୍ଟ ପାଇବେ ନାହିଁ । ଏହି ମହାନ୍ ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରାଯାଇଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ସମାରୋହ ଅବସରରେ ଜନକଲ୍ୟାଣକାରୀ ଯୋଜନା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଅବସରରେ କହିଛନ୍ତି ।

ଭୁବନେଶ୍ୱର ୟୁନିଟ୍-୩, ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ବର୍ଷ ମଧ୍ୟରେ ନିଆଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ଓ ଯୋଜନା ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଆମ ସରକାର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ‘ସବ୍‌କା ସାଥ୍, ସବ୍‌କା ବିକାଶ୍, ସବ୍‌କା ବିଶ୍ୱାସ୍ ଓ ସବ୍‌କା ପ୍ରୟାସ୍’ର ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛନ୍ତି । ମୋଦୀଜୀଙ୍କ ବିକଶିତ ଭାରତର ସ୍ୱପ୍ନ ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦକୁ ପାଥେୟ କରି ଆମେ ଏକ ସମୃଦ୍ଧ, ସଶକ୍ତ ଏବଂ ସ୍ୱାଭିମାନୀ ଓଡ଼ିଶା ଗଢ଼ିବାକୁ ପ୍ରତିବଦ୍ଧତାର ସହ ଉଦ୍ୟମ ଜାରି ରଖିଛୁ ।

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା କେବଳ ଏକ ଯୋଜନା ନୁହେଁ, ଏହା ଆମ ସରକାରଙ୍କ ଜନକଲ୍ୟାଣ ପ୍ରତି ଅଙ୍ଗୀକାରବଦ୍ଧତା, ଗରିବ ଜନସାଧାରଣଙ୍କ ପ୍ରତି ସମ୍ୱେଦନଶୀଳତା ଓ ରାଜ୍ୟର ପ୍ରତ୍ୟେକ ପରିବାର’ର ଭାତ ଥାଳିକୁ ସୁରକ୍ଷିତ କରିବାର ଏକ ଐତିହାସିକ ସଂକଳ୍ପ । ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାର ସାଧାରଣ ଲୋକଙ୍କ ପାଇଁ ଏହା ହେଉଛି ଆମ ସରକାରଙ୍କ ଭେଟି ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ଥିବା ସମସ୍ତ ହିତାଧିକାରୀ ସେମାନଙ୍କ ନିୟମିତ ନିଶୁଳ୍କ ଚାଉଳ ସହିତ ପ୍ରତି ବ୍ୟକ୍ତିଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ଏହି ଯୋଜନାରେ ନିଶୁଳ୍କ ଆକାରରେ ମିଳିବ । ସୂଚନାଯୋଗ୍ୟ ଯେ, ରାଜ୍ୟର ହିତାଧିକାରୀମାନେ ବର୍ତ୍ତମାନ ୫ କିଲୋଗ୍ରାମ ଚାଉଳ ବିନା ମୂଲ୍ୟରେ ପାଉଛନ୍ତି । ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ବର୍ତ୍ତମାନ ପ୍ରତ୍ୟେକ ହିତାଧିକାରୀ ୧୦ କିଲୋ ଲେଖାଏଁ ଚାଉଳ ବିନା ମୂଲ୍ୟରେ ପାଇବେ ।

ରାଜ୍ୟର ସମୁଦାୟ ୧ କୋଟି ୯୬ ହଜାର ପରିବାରର ୩ କୋଟି ୨୮ ଲକ୍ଷ ୫୨ ହଜାର ସଦସ୍ୟ ଅର୍ଥାତ୍ ସମୁଦାୟ ଜନସଂଖ୍ୟାର ୮୦ ପ୍ରତିଶତ ଉପକୃତ ହେବେ । ଏହି ଯୋଜନାରେ ରାଜ୍ୟ ସରକାର ବାର୍ଷିକ ୮,୮୧୩ କୋଟି ଟଙ୍କା ଖର୍ଚ୍ଚ କରିବେ । ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗରିବଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏହି ବ୍ୟୟ ଆମ ପାଇଁ ଖର୍ଚ୍ଚ ନୁହେଁ, ଏହା ଏକ ପବିତ୍ର ସାମାଜିକ ନିବେଶ ।

ଦୁଇବର୍ଷ ପୂର୍ତ୍ତି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପାଇଁ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରର ଭିଡ଼ ନିୟନ୍ତ୍ରଣ ଓ ଗମନାଗମନର ବିକାଶ ପାଇଁ ୧୦୮.୨୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମାଥ୍‌ମାଟିକ୍ସରୁ ଇନ୍‌ଫୋସିଟି ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ୧୩ କିଲୋମିଟରରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ୬ ଲେନ୍ ରାସ୍ତାର ଉଦ୍‌ଘାଟନ କରିଛନ୍ତି । ଏଥି ସହିତ ୯୪୯ କୋଟିରୁ ଅଧିକ ଟଙ୍କା ଅଟକଳରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ଉନ୍ନତିକରଣ ଓ ଫ୍ଲାଇଓଭର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି । ଏହି ରାସ୍ତା ୮ ଲେନ୍ ବିଶିଷ୍ଟ କରାଯିବ ।

୨୦ ମହଲା ବିଶିଷ୍ଟ ଜନାଶ୍ରୟ ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର :

ଭୁବନେଶ୍ୱରକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକଙ୍କ ନିରାପଦ ରହଣୀ ପାଇଁ ଜନପଥ ଠାରେ ଏକ ୨୦ ମହଲା ବିଶିଷ୍ଟ ଜନାଶ୍ରୟ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ରଖିଛନ୍ତି । ୮୭୪ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହେବାକୁ ଥିବା ଏହି ଭବନରେ ୨୦୦୦ ଲୋକଙ୍କ ପାଇଁ ସମସ୍ତ ସୁବିଧା ସହ ସ୍ୱଳ୍ପ ମୂଲ୍ୟରେ ସ୍ୱଳ୍ପକାଳୀନ ରହଣୀ ବ୍ୟବସ୍ଥା କରାଯିବ ।

ଅଙ୍ଗନବାଡ଼ୀ କର୍ମୀଙ୍କୁ ସ୍ମାର୍ଟ ଫୋନ, ସୁଭଦ୍ରାଶକ୍ତି ସମ୍ୱାଦ କାର୍ଯ୍ୟକ୍ରମର ଶୁଭାରମ୍ଭ :

ଏଥି ସହିତ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଅଙ୍ଗନବାଡୀ କର୍ମୀ, ସୁପରଭାଇଜର ଏବଂ ବ୍ଲକ୍ ସଂଯୋଜକମାନଙ୍କ ପାଇଁ ସ୍ମାର୍ଟ ଫୋନ ପ୍ରଦାନର ଶୁଭାରମ୍ଭ କରିଥିଲେ । ରାଜ୍ୟର ୭୨,୨୨୪ ଅଙ୍ଗନବାଡ଼ୀ କର୍ମୀ, ୨୮୦୨ ଲେଡି ସୁପରଭାଇଜର ଓ ୩୩୮ ବ୍ଲକ୍ ସଂଯୋଜକଙ୍କୁ ଏହି ଫୋନ ପ୍ରଦାନ କରାଯିବ । ଏଥିସହିତ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଶକ୍ତି ସମ୍ୱାଦ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଓ ଉପଲବ୍‌ଧି ଶୀର୍ଷକ ଏକ ପ୍ରଦର୍ଶନୀ ଉଦ୍‌ଘାଟନ କରିବା ସହିତ ବୁଲି ଦେଖିଥିଲେ । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ଗ୍ରାମୀଣ ମହିଳାକୁ ସଶକ୍ତ କରିବା ଓ ସେମାନଙ୍କୁ ନେତୃତ୍ୱ ନେବାରେ ସକ୍ଷମ କରିବା ଲକ୍ଷ୍ୟରେ ଆମ ସରକାର ପ୍ରତିବଦ୍ଧତାର ସହ କାମ କରୁଛି । ସମସ୍ତଙ୍କୁ ରଜ’ର ଅଗ୍ରୀମ ଶୁଭେଚ୍ଛା ଜଣାଇ ସେ କହିଥିଲେ ଯେ, ପୂର୍ବରୁ ସୁଭଦ୍ରା ଦିଆଯାଇଥିଲା, ଆଜି ଅନ୍ନପୂର୍ଣ୍ଣା । ଯେଉଁ ଘରେ ମା ସୁଭଦ୍ରା ଓ ମା ଅନ୍ନପୂର୍ଣ୍ଣା ରହିବେ ସେ ଘରର ସମୃଦ୍ଧି ଓ ଉନ୍ନତି ନିଶ୍ଚୟ ହେବ ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, ଆମ ସରକାର ହେଉଛି ଅନ୍ତ୍ୟୋଦୟର ସରକାର । ସମାଜର ଶେଷ ଧାଡ଼ିରେ ରହିଥିବା ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତ ସୁବିଧା ଓ ବିକାଶ ପହଞ୍ଚାଇବା ପାଇଁ ଆମେ ପ୍ରତିବଦ୍ଧତାର ସହ କାମ କରୁଛୁ । ଏକ ଭୋକମୁକ୍ତ ଓ ଭୟମୁକ୍ତ ସମାଜ ଗଠନ ପାଇଁ ଆମେ ଉଦ୍ୟମ ଜାରି ରଖିଛୁ ।

ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ଗରିବ ପରିବାରର ଦୁଃଖ ବୁଝି ମୁଖ୍ୟମନ୍ତ୍ରୀ ଏହି ଜନକଲ୍ୟାଣକାରୀ ଅନ୍ନପୂର୍ଣ୍ଣା ଯୋଜନା ଓ ଜନାଶ୍ରୟ ଭବନର ପରିକଳ୍ପନା କରିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣକୁ ଆଶ୍ରୀତ କରି ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ଆମ ସରକାର ବିକାଶ ଓ ଜନସେବା କ୍ଷେତ୍ରରେ ଆହୁରି ଆଗକୁ ବଢ଼ିବ ବୋଲି ସେ କହିଥିଲେ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରେ ଆଜି ଶୁଭାରମ୍ଭ ହୋଇଥିବା ପ୍ରକଳ୍ପ ଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Posted in ରାଜ୍ୟ and tagged .