ଦେଶରେ ବ୍ୟାଙ୍କମାନଙ୍କର ଋଣ ମଞ୍ଜୁର ନୀତି ନିୟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ

ଦେଶରେ ବ୍ୟାଙ୍କମାନଙ୍କର ଋଣ ମଞ୍ଜୁର ନୀତି ନିୟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ

ଦେଶରେ ବ୍ୟାଙ୍କମାନଙ୍କର ନୀତି ନିୟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ସମେତ ଦେଶର ବ୍ୟାଙ୍କଗୁଡ଼ିକ ବଡ଼ ଋଣକାରୀଙ୍କୁ ବିପୁଳ ପରିମାଣର ଋଣ ମଞ୍ଜୁର କରିବା ବେଳେ ଅନେକ ସମୟରେ ହାଲୁକା ଆଭିମୁଖ୍ୟ ଆପଣାଉଛନ୍ତି। କିନ୍ତୁ ସାଧାରଣ ଲୋକଟେ ଛୋଟ ବ୍ୟକ୍ତିଗତ ଋଣ ନେଲେ ତାଙ୍କ ଉପରେ ଅତ୍ୟନ୍ତ କଠୋର ଓ ଜଟିଳ ସର୍ତ୍ତ ଲାଗୁ କରାଯାଉଛି। କେତେକ କ୍ଷେତ୍ରରେ ସେମାନେ ନାନା ହଇରାଣ ହେଉଥିବା ଘଟଣା ସୁପ୍ରିମକୋର୍ଟଙ୍କ ଧ୍ୟାନ ଆକର୍ଷଣ କରିଛି। ତେବେ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ୍ ଆର୍. ମହାଦେବନଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ସେମାନେ ଋଣ ପ୍ରଦାନ ସମ୍ବନ୍ଧୀୟ ନିୟମକୁ କୋହଳ କରିବା ସପକ୍ଷରେ ନୁହନ୍ତି। ତେବେ ଏଭଳି ନିୟମ ନେଇ ପ୍ରଶ୍ନ ଉଠାଇଛନ୍ତି କୋର୍ଟ।

ଖଣ୍ଡପୀଠ କହିଛନ୍ତି ଯେ, ଋଣ ପାଇବାର ଯୋଗ୍ୟତା ନିର୍ଦ୍ଧାରଣ କରିବା କାମ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏବଂ ବ୍ୟାଙ୍କମାନଙ୍କ ଉପରେ ଛାଡ଼ିଦେବା ଉଚିତ। କିନ୍ତୁ ଋଣ ମଞ୍ଜୁର, ଋଣ ଆଦାୟ ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅଧିକ ସରଳ, ନ୍ୟାୟସଙ୍ଗତ ଓ ଋଣ ଆବେଦନକାରୀଙ୍କ ପାଇଁ କମ୍ ଭାରସ୍ୱରୂପ କରାଯାଇପାରିବ ବୋଲି କୋର୍ଟ ଗୁରୁତ୍ୱ ଦେଇଛନ୍ତି। ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ, ରିହାତି ଏବଂ ପ୍ରୋତ୍ସାହନ ସମ୍ବନ୍ଧୀୟ ନୀତିକୁ ଏଭଳି ପର୍ଯ୍ୟାୟଭିତ୍ତିକ ଭାବେ ପ୍ରସ୍ତୁତ କରାଯିବା ଉଚିତ, ଯାହାଦ୍ୱାରା ସମାଜ ଓ ଆର୍ଥିକ ଦୃଷ୍ଟିରୁ ସବୁଠାରୁ ଦୁର୍ବଳ ବର୍ଗର ଲୋକମାନେ ସର୍ବାଧିକ ଲାଭ ପାଇପାରିବେ।

କାହିଁକି ଏଭଳି ଟିପ୍ପଣୀ କଲେ ସୁପ୍ରିମକୋର୍ଟ ?

ଏମ୍/ଏସ୍ ଭାସ୍କର ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଅନ୍ୟମାନଙ୍କ ଦ୍ୱାରା ଦାୟର ହୋଇଥିବା ଏକ ଆବେଦନର ଶୁଣାଣି କରୁଥିବା ବେଳେ ସୁପ୍ରିମକୋର୍ଟ ବ୍ୟାଙ୍କର ଋଣ ପ୍ରଦାନ ଶୈଳୀକୁ ନେଇ ଗୁରୁତ୍ୱାରୋପ କରିଥିଲେ। ଏହି ଆବେଦନ ୧୬ ଜାନୁଆରୀ ୨୦୨୫ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଦେଇଥିବା ଏକ ଆଦେଶକୁ ଚ୍ୟାଲେଞ୍ଜ କରି ଦାଖଲ କରାଯାଇଥିଲା। ହାଇକୋର୍ଟ SBI ପକ୍ଷରୁ ଦାଖଲ ରିଟ୍ ପିଟିସନକୁ ମଞ୍ଜୁର କରି ଆଇନ ଅନୁଯାୟୀ ବନ୍ଧକ ରଖାଯାଇଥିବା ସମ୍ପତ୍ତିର ଭୌତିକ ଦଖଲ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସମ୍ଭବ ହେଲେ ଦୁଇ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ମଧ୍ୟ କହିଥିଲେ।

ଭାସ୍କର ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ୨୦୧୯ରେ ଷ୍ଟେଟ ବ୍ୟାଙ୍କ ଠାରୁ ୮.୦୯ କୋଟି ଟଙ୍କାର ଋଣ ନେଇଥିଲା। କିନ୍ତୁ କମ୍ପାନୀ ପ୍ରଥମ କିସ୍ତି ମଧ୍ୟ ପରିଶୋଧ କରିପାରିଲା ନାହିଁ। ଫଳରେ ଋଣ ମଞ୍ଜୁର ହେବାର ପ୍ରାୟ ପାଞ୍ଚରୁ ଛଅ ମାସ ମଧ୍ୟରେ, ଅର୍ଥାତ୍ ୨୯ ଜୁଲାଇ ୨୦୧୯ରେ ବ୍ୟାଙ୍କ ଋଣ ଖାତାକୁ ନନ ପରଫର୍ମିଂ ଆସେଟ୍ (NPA) ଭାବେ ଘୋଷଣା କରାଯାଇଥିଲା।

ଏହା ପରେ SBI, SARFAESI ଆଇନର ଧାରା ୧୪ ଅନୁଯାୟୀ ବନ୍ଧକ ରଖାଯାଇଥିବା ସମ୍ପତ୍ତିର ଦଖଲ ନେବା ପ୍ରକ୍ରିୟା ଆରମ୍ଭ କରିଥିଲା। ଯମୁନା ନଗର ଜିଲ୍ଲା ମାଜିଷ୍ଟ୍ରେଟ୍ ୨୯ ମେ ୨୦୨୪ରେ ଏସବିଆଇର ଆବେଦନକୁ ମଞ୍ଜୁର କରିଥିଲେ। ପରେ ବ୍ୟାଙ୍କ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ଏବଂ ହାଇକୋର୍ଟ ସମ୍ପତ୍ତିର ଦଖଲ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

କମ୍ପାନୀ କ’ଣ ଯୁକ୍ତି ରଖିଥିଲା?

କମ୍ପାନୀ କହିଥିଲା ଯେ, ଋଣ ମଞ୍ଜୁର ହେବାର ମାତ୍ର ପାଞ୍ଚରୁ ଛଅ ମାସ ମଧ୍ୟରେ ଏହାକୁ NPA ଘୋଷଣା କରିବା ମନମୁଖୀ ନିଷ୍ପତ୍ତି ଏବଂ SBIର ନିଜସ୍ୱ ନୀତି ବିରୋଧୀ। କମ୍ପାନୀ ଏହା ମଧ୍ୟ କହିଥିଲା ଯେ, ସେମାନେ ସମ୍ପୂର୍ଣ୍ଣ ମୂଳ ଋଣ ରାଶି ପରିଶୋଧ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ବ୍ୟାଙ୍କ ସେହି ପ୍ରସ୍ତାବ ଉପରେ କୌଣସି ପଦକ୍ଷେପ ନେଇନଥିଲା।

କମ୍ପାନୀ ଦାବି କରିଥିଲା ଯେ, ସେମାନଙ୍କର କାରଖାନାକୁ ପୁଣିଥରେ ଚାଲୁ କରିବାର କ୍ଷମତା ରହିଛି। SBI ଏବଂ କୋର୍ଟ ପକ୍ଷରୁ କିଛି ସହଯୋଗ ମିଳିଲେ ଏହି ଶିଳ୍ପ ସଂସ୍ଥା ପୁଣି ଲାଭଜନକ ହୋଇପାରିବ ଏବଂ ଏହା ଦେଶର ଅର୍ଥନୀତି ପାଇଁ ମଧ୍ୟ ଲାଭଦାୟକ ହେବ। କମ୍ପାନୀ ଆହୁରି କହିଥିଲା ଯେ, ମୂଳ ଋଣ ଫେରସ୍ତ କରିବା ସମ୍ବନ୍ଧୀୟ ସେମାନଙ୍କ ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ ଅନ୍ତିମ ନିଷ୍ପତ୍ତି ହୋଇନାହିଁ। ତେଣୁ ସମ୍ପତ୍ତି ଦଖଲ ନେବାକୁ SBI ନେଇଥିବା ପଦକ୍ଷେପ ଅପରିପକ୍ୱ ଏବଂ ମନମୁଖୀ।

SBI କ’ଣ କହିଲା?

ସେପଟେ କମ୍ପାନୀର ଯୁକ୍ତି ନେଇ ଏସିବିଆଇ କହିଥିଲା ଯେ, କମ୍ପାନୀ ବ୍ୟବସାୟିକ ସର୍ତ୍ତରେ ଋଣ ନେଇଥିଲେ ମଧ୍ୟ ଗୋଟିଏ ବି କିସ୍ତି ପରିଶୋଧ କରିନାହିଁ। କମ୍ପାନୀ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆଦେଶକୁ ଚଣ୍ଡିଗଡ଼ସ୍ଥିତ ଡେବ୍ଟସ୍ ରିକଭରି ଟ୍ରିବ୍ୟୁନାଲ୍ (DRT)ରେ ସିକ୍ୟୁରିଟାଇଜେସନ୍ ଆବେଦନ ମାଧ୍ୟମରେ ଚ୍ୟାଲେଞ୍ଜ କରିସାରିଛି। ସେଠାରେ ଏହାର ଅନ୍ତରୀଣ ରିଲିଫ୍ ଆବେଦନ ବିଚାରାଧୀନ ରହିଛି।

ସୁପ୍ରିମକୋର୍ଟ କ’ଣ କହିଲେ?

ଉଭୟ ପକ୍ଷର ତର୍କ ଶୁଣି ସାରିବା ପରେ ଖଣ୍ଡପୀଠ କହିଥିଲେ ଯେ, ଆବେଦନକାରୀଙ୍କ ଆଚରଣ ଅନେକ କ୍ଷେତ୍ରରେ ସନ୍ତୋଷଜନକ ନଥିଲା। କୋର୍ଟ ଉଲ୍ଲେଖ କରିଥିଲେ ଯେ, ୮.୦୯ କୋଟି ଟଙ୍କାର ଋଣ ନେବା ପରେ କମ୍ପାନୀ ପ୍ରଥମ କିସ୍ତିରେ ହିଁ ଖିଲାପ କରିଥିଲା ଏବଂ ଏହା ପରେ “ଗୋଟିଏ ପଇସା ମଧ୍ୟ” ପରିଶୋଧ କରିନାହିଁ।

କୋର୍ଟ କହିଥିଲେ ଯେ, ଋଣ ନେବାର ପ୍ରାୟ ଛଅ ବର୍ଷ ପରେ କେବଳ ମୂଳ ଋଣ ଫେରସ୍ତ କରିବା ପ୍ରସ୍ତାବ “ଅତ୍ୟନ୍ତ କମ୍ ଏବଂ ଅତ୍ୟନ୍ତ ବିଳମ୍ବିତ”। ଖଣ୍ଡପୀଠ ଆହୁରି କହିଥିଲେ ଯେ, DRTର ଦ୍ୱାରସ୍ଥ ହେବା ପରେ କମ୍ପାନୀ ସେଠାରେ ଉପଲବ୍ଧ ଆଇନଗତ ପ୍ରତିକାରକୁ ଅନୁସରଣ କରିବା ଉଚିତ ଥିଲା। ଏକାସାଙ୍ଗରେ ସୁପ୍ରିମକୋର୍ଟରେ ମଧ୍ୟ ରିଲିଫ୍ ମାଗିବା ଉଚିତ ନଥିଲା।

ତେବେ ଏସବିଆଇର ଆଚରଣକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ। କୋର୍ଟ କହିଥିଲେ ଯେ, ଋଣଗ୍ରହୀତା ପ୍ରଥମ କିସ୍ତିରୁ ହିଁ ଖିଲାପ କରିବା ଏହାର ସୂଚକ ଯେ, ଏଭଳି ବଡ଼ ଋଣ ମଞ୍ଜୁର କରିବା ବେଳେ SBIର ସମ୍ପୃକ୍ତ ଅଧିକାରୀମାନେ ଋଣଗ୍ରହୀତାଙ୍କ ଋଣ ପରିଶୋଧ କ୍ଷମତାର ସଠିକ୍ ଆକଳନ କରିନଥିଲେ। ଖଣ୍ଡପୀଠ ଆହୁରି କହିଥିଲେ, “ପ୍ରାଥମିକ ଦୃଷ୍ଟିରୁ ଏହା ସ୍ପଷ୍ଟ ସଙ୍କେତ ଦେଉଛି ଯେ, SBIର ସମ୍ପୃକ୍ତ ଅଧିକାରୀମାନେ ଋଣଗ୍ରହୀତାଙ୍କ ଋଣ ପରିଶୋଧ କ୍ଷମତାର ସଠିକ୍ ମୂଲ୍ୟାଙ୍କନ କରିନଥିଲେ।”

ନିଜର ଅସନ୍ତୋଷ ବ୍ୟକ୍ତ କରି ସୁପ୍ରିମକୋର୍ଟ କହିଥିଲେ ଯେ, ଏଭଳି ମାମଲାରେ SBI ସମେତ ବ୍ୟାଙ୍କଗୁଡ଼ିକର କାର୍ଯ୍ୟଶୈଳୀ ଗୁରୁତର ସମୀକ୍ଷାର ଆବଶ୍ୟକତା ରହିଛି। ଉପଯୁକ୍ତ ମାମଲାରେ ଏଭଳି ପ୍ରଥା ବିରୋଧରେ ଉପଯୁକ୍ତ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇପାରିବ।

ତେବେ ସୁପ୍ରିମକୋର୍ଟ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଆଦେଶରେ କୌଣସି ହସ୍ତକ୍ଷେପ କରିନଥିଲେ। ତେବେ ଯଦି ସେମାନେ ପୂର୍ବରୁ କରି ନଥାନ୍ତି କୋର୍ଟ ଆବେଦନକାରୀଙ୍କୁ DRTରେ ଅନ୍ତରୀଣ ରିଲିଫ୍ ପାଇଁ ଆବେଦନ ଜାରି ରଖିବାକୁ ଅନୁମତି ଦେଇଥିଲେ। ଏଥିସହ ଉଭୟ ପକ୍ଷଙ୍କୁ ୨ ସପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଦୁଇ ସପ୍ତାହ ପାଇଁ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ଖଣ୍ଡପୀଠ ଆଶା ପ୍ରକାଶ କରିଥିଲେ ଯେ, ଏହି ସମୟ ମଧ୍ୟରେ SBI ମାମଲାକୁ ଆଗକୁ ବଢ଼ାଇବ ନାହିଁ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି ଆଦେଶ ମାମଲାର ଗୁଣଦୋଷ ଦୃଷ୍ଟିରୁ ଆବେଦନକାରୀଙ୍କୁ କୌଣସି ସୁବିଧା ଦେବ ନାହିଁ କିମ୍ବା DRT, ଡେବ୍ଟସ୍ ରିକଭରି ଆପିଲେଟ୍ ଟ୍ରିବ୍ୟୁନାଲ୍ (DRAT) କିମ୍ବା ଅନ୍ୟ କୌଣସି ଫୋରମ୍ରେ SBIର ମାମଲାକୁ କ୍ଷତି ପହଞ୍ଚାଇବ ନାହିଁ।

Posted in ଦେଶ ବିଦେଶ.