ଦେଶରେ ସାଧାରଣ ଲୋକଟିଏ ନିଜର ଛୋଟ ଘର ଖଣ୍ଡେ ପାଇଁ, ପିଲାଙ୍କ ପାଠପଢ଼ା ପାଇଁ କିମ୍ବା କୌଣସି ଜରୁରୀ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ବ୍ୟାଙ୍କକୁ ଋଣ ମାଗିବାକୁ ଗଲେ ତାଙ୍କୁ ନାକେଦମ୍ ହେବାକୁ ପଡ଼େ। ଶହେ ପ୍ରକାର କାଗଜପତ୍ର, ଗ୍ୟାରେଣ୍ଟର ଏବଂ କଠୋର ସର୍ତ୍ତାବଳୀ ଭିତରେ ମଧ୍ୟବିତ୍ତ ଲୋକଟିଏ ବ୍ୟାଙ୍କ ଚକ୍କର କାଟି କାଟି ଥକିଯାଏ। କିନ୍ତୁ ଅନ୍ୟପଟେ ବଡ଼ ବଡ଼ କମ୍ପାନୀ ଓ କୋଟିପତିମାନଙ୍କୁ ବିପୁଳ ପରିମାଣର ଋଣ ମଞ୍ଜୁର କରିବା ବେଳେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ଦେଶର ବଡ଼ ବଡ଼ ବ୍ୟାଙ୍କଗୁଡ଼ିକ ଅତ୍ୟନ୍ତ ହାଲୁକା ଆଭିମୁଖ୍ୟ ଆପଣାଉଛନ୍ତି। ବ୍ୟାଙ୍କମାନଙ୍କର ଏହି ପାତରଅନ୍ତର ଏବଂ ଦ୍ୱିମୁଖୀ କାର୍ଯ୍ୟଶୈଳୀ ଉପରେ ଏବେ ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ୍ ଆର୍. ମହାଦେବନଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଋଣ ମଞ୍ଜୁର, ଋଣ ଆଦାୟ ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅଧିକ ସରଳ, ନ୍ୟାୟସଙ୍ଗତ ଓ ଋଣ ଆବେଦନକାରୀଙ୍କ ପାଇଁ କମ୍ ଭାରସ୍ୱରୂପ କରାଯିବା ନିହାତି ଆବଶ୍ୟକ।
ଏମ୍/ଏସ୍ ଭାସ୍କର ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ସଂସ୍ଥାର ଋଣ ଖିଲାପ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କମ୍ପାନୀଟି ୨୦୧୯ ମସିହାରେ SBI ରୁ ୮.୦୯ କୋଟି ଟଙ୍କାର ଋଣ ନେଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଋଣ ନେବା ପରେ କମ୍ପାନୀ ପ୍ରଥମ କିସ୍ତିରୁ ହିଁ ଖିଲାପ କରିଥିଲା ଏବଂ ଗତ ୬ ବର୍ଷ ଭିତରେ ବ୍ୟାଙ୍କକୁ “ଗୋଟିଏ ପଇସା ମଧ୍ୟ” ଫେରସ୍ତ କରିନଥିଲା। ଏହାପରେ ବ୍ୟାଙ୍କ ତାଙ୍କ ଆକାଉଣ୍ଟକୁ ଘୋଷଣା କରି ସମ୍ପତ୍ତି ଜବତ ପ୍ରକ୍ରିୟା ଆରମ୍ଭ କରିଥିଲା। କୋର୍ଟ କହିଛନ୍ତି ଯେ, ଜଣେ ଋଣଗ୍ରହୀତା ପ୍ରଥମ କିସ୍ତିରୁ ହିଁ ଖିଲାପ କରିବା ସ୍ପଷ୍ଟ ସଙ୍କେତ ଦେଉଛି ଯେ, ଏଭଳି ବଡ଼ ଋଣ ମଞ୍ଜୁର କରିବା ସମୟରେ SBIର ସମ୍ପୃକ୍ତ ଅଧିକାରୀମାନେ ଋଣଗ୍ରହୀତାଙ୍କ ଋଣ ପରିଶୋଧ କ୍ଷମତାର ସଠିକ୍ ଆକଳନ କରିନଥିଲେ। ବଡ଼ ବାବୁମାନଙ୍କ ପାଇଁ ବ୍ୟାଙ୍କ ଯେଉଁ ଉଦାରତା ଦେଖାଏ, ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ଦେଶର କୋଟି କୋଟି ସାଧାରଣ ଟ୍ୟାକ୍ସପେୟର ବା କରଦାତାଙ୍କ ମନର କଥାକୁ ପ୍ରତିଫଳିତ କରିଛି। ସାଧାରଣ ଲୋକଙ୍କ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ଆଭିମୁଖ୍ୟ କେତେ କଠୋର ଥାଏ, ସାଧାରଣ ଗ୍ରାହକଙ୍କ ସିବିଲ୍ ସ୍କୋର ସାମାନ୍ୟ କମ୍ ଥିଲେ କିମ୍ବା ଅତୀତରେ କୌଣସି ଛୋଟ କିସ୍ତି ବିଳମ୍ବ ହୋଇଥିଲେ ବ୍ୟାଙ୍କ ତୁରନ୍ତ ଋଣ ଆବେଦନ ଖାରଜ କରିଦିଏ। କିନ୍ତୁ ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ହଜାର ହଜାର କୋଟି ଟଙ୍କା ଋଣ ନେଇ ଖିଲାପ କଲେ ବି ସେମାନଙ୍କୁ ପୁଣି ଋଣ କୋହଳ ର ସୁବିଧା ଦିଆଯାଏ। ମଧ୍ୟବିତ୍ତ ଲୋକଙ୍କୁ ଛୋଟ ଋଣ ପାଇଁ ନିଜର ସମସ୍ତ ସମ୍ପତ୍ତି ବନ୍ଧକ ରଖିବାକୁ ପଡ଼େ ଏବଂ ବାରମ୍ବାର ବ୍ୟାଙ୍କ କାର୍ଯ୍ୟାଳୟ ଦୌଡ଼ିବାକୁ ପଡ଼େ। କିନ୍ତୁ ବଡ଼ ଶିଳ୍ପପତିଙ୍କ ପ୍ରୋଜେକ୍ଟ ରିପୋର୍ଟ ଆଧାରରେ କେବଳ କାଗଜୀ ଅନୁମାନକୁ ଦେଖି କୋଟି କୋଟି ଟଙ୍କାର ସରକାରୀ ପାଣ୍ଠି ପାଣି ଭଳି ବାଣ୍ଟି ଦିଆଯାଏ। ସାଧାରଣ ଲୋକଟିଏ ଗୋଟିଏ କିମ୍ବା ଦୁଇଟି କିସ୍ତି ଦେବାରେ ବିଫଳ ହେଲେ ବ୍ୟାଙ୍କ ପକ୍ଷରୁ ମାନସିକ ଚାପ ସୃଷ୍ଟି କରାଯାଏ, ତାଙ୍କ ଘର ଆଗରେ ନୋଟିସ୍ ମରାଯାଏ। କିନ୍ତୁ ବଡ଼ ବଡ଼ ଖିଲାପକାରୀମାନେ ବର୍ଷ ବର୍ଷ ଧରି କୋର୍ଟ-କଚେରୀ ମାଧ୍ୟମରେ ମାମଲାକୁ ଟାଣି ଚାଲନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ସମ୍ପତ୍ତି ଦଖଲ ଆଦେଶରେ କୌଣସି ହସ୍ତକ୍ଷେପ କରିନାହାନ୍ତି ଏବଂ ଆବେଦନକାରୀଙ୍କୁ ରେ ଲଢ଼ିବାକୁ କହିଛନ୍ତି, କିନ୍ତୁ ବ୍ୟାଙ୍କିଙ୍ଗ୍ ନୀତିରେ ସଂସ୍କାର ପାଇଁ ଦୁଇଟି ବଡ଼ ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି: ବ୍ୟାଙ୍କଗୁଡ଼ିକର ରିହାତି ଏବଂ ପ୍ରୋତ୍ସାହନ ସମ୍ବନ୍ଧୀୟ ନୀତି ଏଭଳି ହେବା ଉଚିତ, ଯାହାଦ୍ୱାରା ସମାଜର ସବୁଠାରୁ ଦୁର୍ବଳ ବର୍ଗର ଲୋକମାନେ ସର୍ବାଧିକ ଲାଭ ପାଇପାରିବେ। ଋଣ ପାଇବାର ଯୋଗ୍ୟତା RBI ନିର୍ଦ୍ଧାରଣ କରୁ, କିନ୍ତୁ ପ୍ରକ୍ରିୟାଟି ଯେପରି ସାଧାରଣ ଗ୍ରାହକଙ୍କ ପାଇଁ କମ୍ ଭାରସ୍ୱରୂପ ଓ ନ୍ୟାୟସଙ୍ଗତ ହେବ, ତାହା ବ୍ୟାଙ୍କଗୁଡ଼ିକ ନିଶ୍ଚିତ କରନ୍ତୁ। ସୁପ୍ରିମକୋର୍ଟଙ୍କ ଏହି କଡ଼ା ଆଭିମୁଖ୍ୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଭିତରେ ଚାଲିଥିବା ‘ବଡ଼ ବାବୁ ସଂସ୍କୃତି’ ଏବଂ ବେପରୁଆ ଋଣ ପ୍ରଦାନ ଶୈଳୀ ଉପରେ ଏକ ବଡ଼ ବ୍ରେକ୍। ବ୍ୟାଙ୍କଗୁଡ଼ିକ ନିଜର କାର୍ଯ୍ୟଶୈଳୀକୁ ସମୀକ୍ଷା କରି ଯଦି ସାଧାରଣ ଜନତାଙ୍କୁ ସହଜରେ ଓ ସ୍ୱଚ୍ଛତାର ସହ ଋଣ ପ୍ରଦାନ ନକରିବେ, ତେବେ ଆଗାମୀ ଦିନରେ କୋର୍ଟ ଏହି ପ୍ରଥା ବିରୋଧରେ ଆହୁରି କଠୋର ଆଦେଶ ଜାରି କରିବେ, ଏହା ସ୍ପଷ୍ଟ ହୋଇଯାଇଛି।
