ସେଶେଲସ୍ ରାଜଧାନୀ ଭିକ୍ଟୋରିଆରେ ସେଠାକାର ସଂସଦକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଇତିହାସ ରଚିଛନ୍ତି। ଏହାକୁ ମିସାଇ ମୋଦି ବିଶ୍ୱର ୨୦ ଟି ଦେଶର ସଂସଦକୁ ଏପର୍ଯ୍ୟନ୍ତ ସମ୍ବୋଧିତ କଲେଣି। ମୋଦି ନିଜ ଭାଷଣ ଆରମ୍ଭ କରି କହିଛନ୍ତି ଯେ ‘ଏହି ନ୍ୟାସନାଲ ଆସେମ୍ବ୍ଲିକୁ ସମ୍ବୋଧିତ କରୁଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଆପଣମାନଙ୍କ ସମ୍ମୁଖରେ ଛିଡା ହେବା ମୋ ପାଇଁ ବହୁତ ସମ୍ମାନର କଥା। ମୁଁ ମୋ ସହିତ ଭାରତର ୧୪୦ କୋଟି ଲୋକଙ୍କ ପକ୍ଷରୁ ଆପଣମାନଙ୍କ ଲାଗି ଭଲପାଇବା ଓ ସୁଭକାମନା ନେଇ ଆସିଛି’।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମନେ ପକାଇ ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୫ ମସିହାରେ ହିନ୍ଦ ମହାସାଗର କ୍ଷେତ୍ରରେ ସେ ସର୍ବ ପ୍ରଥମେ ସେଶେଲସ୍ ଗସ୍ତ କରିଥିଲେ। କାରଣ ଭାରତର ଭିଜନରେ ସେଶେଲସ୍ ର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ପାଖାପାଖି ଏକ ଦଶକ ପରେ ପୁଣି ସେଶେଲସ୍ ପହଞ୍ଚିଥିବା ବେଳେ ମୋର ଏହି ବିଶ୍ୱାସ ଆହୁରି ମଜଭୁତ ହୋଇଛି। ପ୍ରଧାନମନ୍ତ୍ରୀ ସେଶେଲସ ସ୍ୱାଧୀନତାର ୫୦ ତମ ବାର୍ଷିକ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଭାରତ ଓ ସେଶେଲସ୍ ସମ୍ପର୍କ ନେଇ କହିଛନ୍ତି ଆମର ସମ୍ପର୍କ କେବଳ ୫୦ ବର୍ଷର ନୁହେଁ, ଯେତେବେଳେ ଡିପ୍ଲୋମ୍ୟାଟିକ୍ ସମ୍ପର୍କ ଆରମ୍ଭ ହୋଇଥିଲା। ଏହି ସମ୍ପକ ଅନେକ ପୂର୍ବରୁ ଅଗଷ୍ଟ ୧୭୭୦ରେ ଆରମ୍ଭ ହୋଇସାରିଥିଲା। ‘ଥେଲେମାକେ’ ଜାହାଜରେ ଲୋକେ ସେଣ୍ଟ ଏନ୍ ଆଇଲ୍ୟାଣ୍ଡ ପହଞ୍ଚିଥିଲେ। ଏଠାକୁ ଯେଉଁମାନେ ଆସିଥିଲେ ସେମାନଙ୍କ ମଧ୍ୟରେ ୫ ଜଣ ଭାରତୀୟ ମଧ୍ୟ ଥିଲେ। ଏହି ଯାତ୍ରା ଆଗକୁ ରାସ୍ତା ଦେଖାଇଲା ଓ ସମୟ ସହିତ ଭାରତୀୟଙ୍କ କାହାଣୀ ସେଶେଲସ୍ କାହାଣୀର ଅଂଶ ପାଲଟି ଯାଇଥିଲା। ମୋଦି କହିଛନ୍ତି ଯେ ଏହି ଇତିହାସ ଆମକୁ ମନେ ପକାଇ ଦେଉଛି ଯେ ଏହି ସମ୍ପର୍କ କୌଣସି ସରକାର ନୁହେଁ ଏଠାକାର ଲୋକେ ଗଢିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣର ଶେଷ ପଙକ୍ତିରେ ଭବିଷ୍ୟତର ରୋଡ ମ୍ୟାପ୍ କଥା କହିଛନ୍ତି। ସେ କହିଛନ୍ତି ଯେ ଭାରତ ଓ ସେଶେଲସ୍ ମିଳିତ ଫିସରିଜ, ମେରିନ ସାଇନ୍ସ, କୋଷ୍ଟାଲ ମ୍ୟାନେଜମେଣ୍ଟ, ରିନ୍ୟୁଏବଲ ଏନର୍ଜୀ ଓ ସଷ୍ଟେନେବଲ ଟୁରିଜମ କ୍ଷେତ୍ରରେ ଭାଗିଦାର ହୋଇ ପାରନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଶେଲସ୍ ସାଂସଦ ଓ ବିଶ୍ୱବାସୀଙ୍କୁ ନିବେଦନ କରିଛନ୍ତି ଯେ ଆସନ୍ତୁ ଆମେ ସବୁ ମିଶି ଏପରି କାମ କରିବା ଆମର ଆଗାମୀ ପିଢୀକୁ ଉତ୍ତରାଧିକାରରେ ଯେଉଁ ସମୁଦ୍ର ମିଳିଛି ତାହା ଯେପରି ଆଜିର ତୁଳନାରେ ଆହୁରି ସୁସ୍ଥ ଓ ସୁରକ୍ଷିତ ଓ ସଂସାଧନରେ ଭରପୁର ହେବ।
