ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ଶ୍ରୀକ୍ଷେତ୍ର ପୁରୀରେ ବର୍ଷସାରା ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରେ ‘ଦେବସ୍ନାନ ପୂର୍ଣ୍ଣିମା’ ବା ‘ସ୍ନାନ ଯାତ୍ରା’ ସବୁଠାରୁ ଅଲୌକିକ ଓ ଆକର୍ଷଣୀୟ। ଜ୍ୟେଷ୍ଠ ମାସର ଶୁକ୍ଳ ପୂର୍ଣ୍ଣିମା ତିଥିରେ ଏହି ମେଗା ପର୍ବ ଅନୁଷ୍ଠିତ ହୋଇଥାଏ। ଶାସ୍ତ୍ରୀୟ ମାନ୍ୟତା ଅନୁଯାୟୀ, ଏହି ପବିତ୍ର ତିଥିରେ ହିଁ ଦାରୁବ୍ରହ୍ମ ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରକଟ ହୋଇଥିଲେ, ତେଣୁ ଏହାକୁ ଶ୍ରୀଜଗନ୍ନାଥଙ୍କ ଜନ୍ମୋତ୍ସବ ବା ଆବିର୍ଭାବ ଦିବସ ଭାବେ ମଧ୍ୟ ପାଳନ କରାଯାଏ। ବର୍ଷକରେ ମାତ୍ର ଥରେ ମହାପ୍ରଭୁ ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡର ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀମନ୍ଦିରର ସ୍ନାନବେଦୀକୁ ଆସିଥାନ୍ତି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଦିନ କାଳିଆ ସାଆନ୍ତକୁ ଆଖିପୂରାଇ ଦେଖିବାର ଅପୂର୍ବ ସୁଯୋଗ ପାଇଥାନ୍ତି।
ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କୁ ସ୍ନାନବେଦୀକୁ ପହଣ୍ଡି କରି ଅଣାଯାଏ। ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର ‘ସୁନା କୂଅ’ରୁ ସେବାୟତମାନେ ମନ୍ତ୍ରୋଚ୍ଚାରଣ ପୂର୍ବକ ୧୦୮ ଗରା ଜଳ ଆଣିଥାନ୍ତି। ଏହି ଜଳରେ ସୁଗନ୍ଧିତ ଦ୍ରବ୍ୟ ଯେପରିକି ଚନ୍ଦନ, ଅଗୁରୁ, କର୍ପୂର ଓ ଜୟଫଳ ଆଦି ମିଶ୍ରଣ କରାଯାଇ ମହାପ୍ରଭୁଙ୍କୁ ଶୀତଳ ସ୍ନାନ କରାଯାଏ।
ସ୍ନାନ ନୀତି ସମ୍ପନ୍ନ ହେବା ପରେ ଅପରାହ୍ନରେ ଭକ୍ତଙ୍କ ପାଇଁ ସବୁଠାରୁ ବଡ଼ ଆକର୍ଷଣ ପାଲଟେ ‘ଗଜାନନ ବେଶ’ ବା ‘ହାତୀ ବେଶ’। କିମ୍ବଦନ୍ତୀ ଅନୁଯାୟୀ, ଗଣପତିଙ୍କ ପରମ ଭକ୍ତ ପଣ୍ଡିତ ଗୋପାଳ ଗୁରୁଙ୍କୁ ମହାପ୍ରଭୁ ସ୍ନାନବେଦୀରେ ଗଜାନନ ରୂପରେ ଦର୍ଶନ ଦେଇଥିଲେ। ସେହିଦିନଠାରୁ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ହାତୀ ବେଶରେ ଏବଂ ସୁଭଦ୍ରା ଜଗଦମ୍ବା ବେଶରେ ସ୍ନାନବେଦୀରେ ସର୍ବସାଧାରଣଙ୍କୁ ଦର୍ଶନ ଦିଅନ୍ତି।
ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀମନ୍ଦିରରେ ଏକ ଅତି ରହସ୍ୟମୟ ଓ ଗୁପ୍ତ ପର୍ବ ଆରମ୍ଭ ହୁଏ, ଯାହାକୁ ‘ଅଣସର’ ବା ‘ଅନାବସର’ କୁହାଯାଏ। ସ୍ନାନବେଦୀରେ ୧୦୮ ଗରା ଶୀତଳ ଜଳରେ ସ୍ନାନ କରିବା ଯୋଗୁଁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପ୍ରଭାବିତ କରେ ଜ୍ୱର। ସେଥିପାଇଁ ମହାପ୍ରଭୁ ଅସୁସ୍ଥ ହୋଇପଡ଼ନ୍ତି। ସ୍ନାନବେଦୀରୁ ପ୍ରଭୁ ରତ୍ନସିଂହାସନକୁ ନଫେରି ଶ୍ରୀମନ୍ଦିର ଭିତରେ ଥିବା ଏକ ଅନ୍ଧକାର ଗୁପ୍ତ କୋଠରୀ ‘ଅଣସର ପିଣ୍ଡି’କୁ ବିଜେ କରନ୍ତି। ଆସନ୍ତା ୧୫ ଦିନ ଧରି ମହାପ୍ରଭୁ ସେଠାରେ ସମ୍ପୂର୍ଣ୍ଣ ଗୁପ୍ତ ଆଇସୋଲେସନ୍ ବା ଚିକିତ୍ସାରେ ରହନ୍ତି। ଏହି ସମୟରେ ମହାପ୍ରଭୁଙ୍କର କୌଣସି ସର୍ବସାଧାରଣ ଦର୍ଶନ ହୁଏନାହିଁ। ଅଣସର ସମୟରେ ମହାପ୍ରଭୁଙ୍କୁ ସାଧାରଣ ଅନ୍ନଭୋଗ ଦିଆଯାଏ ନାହିଁ, ବରଂ କେବଳ ପଣା ଓ ଚକଟା ଭୋଗ ଅର୍ପଣ କରାଯାଏ। ଶ୍ରୀମନ୍ଦିରର ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଦୈତାପତି ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ‘ଫୁଲୁରୀ ତେଲ’ (ଔଷଧୀୟ ତେଲ) ଲଗାଇବା ସହ ଗୁପ୍ତ ଜଡ଼ିବୁଟି ଏବଂ ‘ଦଶମୂଳ ମୋଦକ’ (ଔଷଧ) ଦେଇ ଚିକିତ୍ସା କରନ୍ତି।
ଯେଉଁ ୧୫ ଦିନ ମହାପ୍ରଭୁ ଅଣସର ଘରେ ରହନ୍ତି, ସେହି ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରତିନିଧି ଭାବେ ତିନୋଟି ସୁନ୍ଦର ପଟ୍ଟଚିତ୍ର ବା ‘ପଟ୍ଟିଦିଅଁ’ ପୂଜା ପାଆନ୍ତି। ପ୍ରଭୁ ଜଗନ୍ନାଥଙ୍କ ସ୍ଥାନରେ ଶ୍ରୀଅନନ୍ତ ବାସୁଦେବ, ବଳଭଦ୍ରଙ୍କ ସ୍ଥାନରେ ଶ୍ରୀଅନନ୍ତ ନାରାୟଣ ଏବଂ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀଙ୍କ ପଟ୍ଟଚିତ୍ରକୁ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଏ। ଏହାସହ ବ୍ରହ୍ମଗିରିର ଅଲାରନାଥ ପୀଠରେ ମଧ୍ୟ ଏହି ସମୟରେ ପ୍ରଭୁ ଜଗନ୍ନାଥଙ୍କ ନାରାୟଣ ରୂପକୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମେ।
୧୫ ଦିନର ଗୁପ୍ତ ଚିକିତ୍ସା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୁଅନ୍ତି। ଆଷାଢ଼ ଅମାବାସ୍ୟା ତିଥିରେ ପ୍ରଭୁଙ୍କର ‘ନବଯୌବନ ବେଶ’ ଓ ‘ନେତ୍ରୋତ୍ସବ’ ଅନୁଷ୍ଠିତ ହୁଏ, ଯେଉଁଠି ଦୀର୍ଘ ଦିନ ପରେ ଭକ୍ତମାନେ ନିଜ ପ୍ରିୟ କାଳିଆ ସାଆନ୍ତକୁ ନୂଆ ରୂପରେ ଦର୍ଶନ କରି ଭାବବିହ୍ୱଳ ହୋଇପଡ଼ନ୍ତି। ଏହାର ଠିକ୍ ପରଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ମହାପ୍ରଭୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବାହାରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ବନିରେ କମ୍ପେ ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୂଅ ଛୁଟେ । ଗଜାନନ ବେଶରେ ଲକ୍ଷ ଲକ୍ଷ ଭକ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥାନ୍ତି ।
