ଓଡ଼ିଶାରେ ଚାଲିଥିବା ସ୍ବତନ୍ତ୍ର ସଘନ ସଂଶୋଧନ-୨୦୨୬ର ଚିଠା ତାଲିକା ଜୁଲାଇ ୫ରେ ପ୍ରକାଶ ପାଇବ। ଏହା ପରେ ଯଦି ଚିଠା ଭୋଟର ତାଲିକାରେ କୌଣସି ତ୍ରୁଟି ପରିଲଖିତ ହୁଏ ତେବେ ୪ ଅଗଷ୍ଟ ଯାଏଁ ଫର୍ମ-୬ (Form 6)-ମାଧ୍ୟମରେ ନୂତନ ନାମ ଯୋଡ଼ିପାରିବେ, ଫର୍ମ-୭ (Form 7) ଦେଇ ଭୋଟର ତାଲିକାରୁ ନାମ ବାଦ୍ ଓ ଫର୍ମ-୮ (Form 8) ମାଧ୍ୟମରେ ଯେକୌଣସି ପ୍ରକାରର ସଂଶୋଧନ କରିପାରିବେ।
ଏହି ପ୍ରସଙ୍ଗରେ ଆଜି (ବୁଧବାର) ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଲନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନେ ଯୋଗ ଦେଇଥିଲେ।
ଏହି ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟର ସଫଳ ସମାପ୍ତି, ଡିଜିଟାଇଜେସନର ପ୍ରଗତି ଏବଂ ଚିଠା ଭୋଟର ତାଲିକା (Draft Electoral Roll) ପ୍ରକାଶନ ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା।
କୌଣସି ମଧ୍ୟ ଯୋଗ୍ୟ ଭୋଟର ଯେପରି ବାଦ୍ ନପଡ଼ନ୍ତି ଏବଂ ଭୋଟର ତାଲିକା ଯେପରି ସଠିକ୍, ସମାବେଶୀ ଓ ତ୍ରୁଟିଶୂନ୍ୟ ରହେ, ତାହା ନିଶ୍ଚିତ କରିବାରେ ସାହାଯ୍ୟ କରିବା ପାଇଁ ଚିଠା ଭୋଟର ତାଲିକାର ଯାଞ୍ଚ ଏବଂ ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି।
ରାଜ୍ୟର ମୋଟ ୩ କୋଟି ୩୩ଲକ୍ଷ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାକ୍ ଏସ୍ଆଇଆର୍ରେ ୩କୋଟି ୧୬ଲକ୍ଷ ଅର୍ଥାତ୍ (୯୪.୬%) ପ୍ରତିଶତ ଭୋଟରଙ୍କ ମ୍ୟାପିଂ (ତଥ୍ୟା ସମନ୍ବୟ) ସଫଳତାର ସହକାରେ ଶେଷ ହୋଇଛି ବୋଲି ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମର ସମୀକ୍ଷା ବୈଠକରୁ ଜଣାଯାଇଛି।
ମାତ୍ର ୫.୩୪ ପ୍ରତିଶତ ଭୋଟରଙ୍କ ଅନ୍-ମ୍ୟାପିଂ ରହିଛି। ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ୯ଟି ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କ ସହ ସେମାନଙ୍କ ଜିଲ୍ଲାର ସ୍ଥିତି ବାବଦରେ ପୃଥକ୍ ପୃଥକ୍ ଭାବେ ଆଲୋଚନା କରିଥିଲେ। ଆଜି ସୁଦ୍ଧା କେତେ ପରିଗଣନା ଫର୍ମ ବଣ୍ଟନ କରାଯାଇଛି, ସେଥିରୁ କେତେ ପ୍ରତିଶତ ଡିଜିଟାଇଜେସନ ଶେଷ ହୋଇଛି ଏବଂ କେଉଁ ସବୁ ସମସ୍ୟା ଯୋଗୁଁ ପ୍ରକ୍ରିୟାରେ ବିଳମ୍ବ ହେଉଛି, ସେ ସମସ୍ତ ଦିଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।
ସୂଚନାଯୋଗ୍ୟ, ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକୁ ଅଧିକ ସୁଗମ ଓ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଏସ.ଆଇ.ଆର କାର୍ଯ୍ୟରେ ନିୟୋଜିତ ଅଧିକାରୀମାନଙ୍କ ବଦଳି/ନିଯୁକ୍ତି ଉପରେ ନିଷେଧାଦେଶ ଲାଗୁ କରାଯାଇଛି।ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସୁଚାରୁ ପରିଚାଳନା ପାଇଁ ଅତିରିକ୍ତ ୨୭୫ ଜଣ ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ରାଜ୍ୟରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ସହ ବୈଠକ ଅନୁଷ୍ଠିତ ହୋଇଛି। ଦାବି ଏବଂ ଆପତ୍ତି ଅଭିଯୋଗର ଶୁଣାଣି ପାଇଁ ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀସ୍ତରରେ ଶୁଣାଣି ଶିବିର ପ୍ରତିଷ୍ଠା କରାଯାଇଛି। ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀ , ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏବଂ ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। କ୍ଷେତ୍ର ଏବଂ ରାଜ୍ୟ ସ୍ତରରେ ପର୍ଯ୍ୟାପ୍ତ କର୍ମଚାରୀ ନିୟୋଜନ ସୁନିଶ୍ଚିତ କରାଯାଇଛି। ଏସ.ଆଇ.ଆର-୨୦୨୬ ର ସଫଳ ରୂପାୟନ ପାଇଁ ୩୧ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ ୧୪୭ ଜଣ ନିର୍ବାଚକ ପଞ୍ଜିକରଣ ଅଧିକାରୀ ଏବଂ ୯୯୪ ଜଣ ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ ଙ୍କୁ ନିୟୋଜିତ କରାଯାଇଛି।
