ସ୍ମୃତିରେ ଜୁଲାଇ ୨୫ ତାରିଖ

ସ୍ମୃତିରେ ଜୁଲାଇ ୨୫ ତାରିଖ

ଆଜି ୧୪୩୩ ସାଲ,୧୯୪୮ଶକାଦ୍ଦ , ଆଷାଢ଼ ଶୁକ୍ଳ ଏକାଦଶୀ/ ଦ୍ଵାଦଶୀ, ଜୁଲାଇ ୨୫ ତାରିଖ, ଶନିବାର । ଆଜିର ସ୍ମରଣୀୟ ଘଟଣା ହେଲା , ଠିକ୍ ୨୪ ବର୍ଷ ତଳେ ଆଜିର ତାରିଖରେ ଦେଶର ଏକାଦଶତମ ରାଷ୍ଟ୍ରପତି ଭାବେ ବହୁମୁଖି ପ୍ରତିଭାସମ୍ପନ୍ନ , ଇତିହାସ ସିଦ୍ଧ ପୁରୁଷ ଡଃ ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ ଶପଥଗ୍ରହଣ କରିଥିଲେ । ସେହିପରି ଆଜିର ତାରିଖରେ,୨୦୧୨ ମସିହାରେ ବରେଣ୍ୟ ପ୍ରଣବ ମୁଖାର୍ଜୀ ଦେଶର ତ୍ରୟୋଦଶତମ ରାଷ୍ଟ୍ରପତି ଭାବେ ଶପଥଗ୍ରହଣ କରିଥିବା ବେଳେ , ଠିକ୍ ଆଜିର ତାରିଖରେ,୨୦୨୨ ମସିହାରେ ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଓଡ଼ିଶା ମାଟିର ସୁକନ୍ୟା ଦ୍ରୌପଦୀ ମୁର୍ମୁ ଶପଥଗ୍ରହଣ କରିଥିଲେ । ଆଜି ଓଡିଶାର ମହାନ ନାଟ୍ୟକାର ମନୋରଞ୍ଜନ ଦାସ , ବୈଷ୍ଣବ କବି ଚନ୍ଦ୍ର ରାୟଗୁରୁ ଙ୍କ ଜୟନ୍ତୀ ଏବଂ ସାରସ୍ବତ ସାଧକ ଗଣେଶ୍ୱର ଶତପଥୀ ( ଢେଙ୍କାନାଳ,୨୦୦୨) ଓ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ ଙ୍କ ଶ୍ରାଦ୍ଧ ଦିବସ ।୧୯୩୧, ଅକ୍ଟୋବର ୧୫ରେ ତାମିଲନାଡୁର ରାମେଶ୍ୱରମ୍ ଠାରେ ଏକ ସାଧାରଣ ନାବିକ ପରିବାରରେ ଜନ୍ମଗ୍ରହଣ କରିଥିବା କଲାମଙ୍କ ପ୍ରାରମ୍ଭିକ ଜୀବନ ବେଶ୍ ସଂଘର୍ଷମୟ ଥିଲା। କୁହାଯାଏ, ସଙ୍କଟ ନୁହେଁ, ବରଂ ସଙ୍କଟକୁ ସାମ୍ନା କରିବାର ଧୈର୍ଯ୍ୟ ହିଁ ମଣିଷକୁ ଗଢ଼ିଥାଏ। ପାଠପଢ଼ା ଖର୍ଚ୍ଚ ଉଠାଇବା ପାଇଁ ପିଲାଦିନେ ସମ୍ବାଦ ପତ୍ର  ବିକ୍ରି କରୁଥିବା ଏହି ବାଳକ ଦିନେ ନିଜର ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସାଧାରଣରୁ ଅସାଧାରଣ ହୋଇପାରିଥିଲେ। ମାଡ୍ରାସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଏରୋନୋଟିକାଲ୍ ଇଞ୍ଜିନିୟରିଂ ଶେଷ କରିବା ପରେ ସେ ଦେଶର ସେବାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଦେଇଥିଲେ। ​ବୈଜ୍ଞାନିକ ଭାବେ I  ଇସ୍ରୋ ଏବଂ ଡିଆର ଡିଓ ରେ ତାଙ୍କର ଯୋଗଦାନ ଭାରତର ପ୍ରତିରକ୍ଷା ଓ ମହାକାଶ ବିଜ୍ଞାନକୁ ଏକ ନୂଆ ଉଚ୍ଚତାକୁ ନେଇଯାଇଥିଲା। ଭାରତର ପ୍ରଥମ ସ୍ୱଦେଶୀ ଉପଗ୍ରହ ପ୍ରକ୍ଷେପଣ ଯାନ ( ଏସ ଏଲ ଭି-୩)ର ନିର୍ମାଣ ହେଉ କିମ୍ବା ‘ଅଗ୍ନି’ ଓ ‘ପୃଥ୍ୱୀ’ ଭଳି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ—ଏହି ସବୁଥିରେ ତାଙ୍କର ଭୂମିକା ଥିଲା ମୁଖ୍ୟ। ୧୯୯୮ ମସିହାର ପୋଖରାନ-୨ ଆଣବିକ ପରୀକ୍ଷଣ ଭାରତକୁ ବିଶ୍ୱ ଦରବାରରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଛିଡ଼ା କରିଥିଲା।
​୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ୧୧ଶ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ଥିଲେ ପ୍ରକୃତ ଅର୍ଥରେ “ଜନତାଙ୍କ ରାଷ୍ଟ୍ରପତି”। ରାଇସିନା ହିଲ୍‌ସର ସୀମା ଭିତରେ ବାନ୍ଧି ନରହି ସେ ସଦାସର୍ବଦା ଜନସାଧାରଣ, ବିଶେଷ କରି ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ସହ ଯୋଡ଼ିହୋଇ ରହିବାକୁ ଭଲ ପାଉଥିଲେ।କଲାମ ବିଶ୍ୱାସ କରୁଥିଲେ ଯେ ଦେଶର ଯୁବପିଢ଼ି ହିଁ ରାଷ୍ଟ୍ରର ପ୍ରକୃତ ଶକ୍ତି। ସେ ସାରା ଦେଶ ବୁଲି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ମନରେ ସ୍ୱପ୍ନ ଦେଖିବାର ଓ ତାକୁ ପୂରଣ କରିବାର ସାହସ ଭରିଥିଲେ। ତାଙ୍କର ପ୍ରସିଦ୍ଧ ପୁସ୍ତକ( “ଭାରତ -୨୦୨୦ ) ଇଣ୍ଡିଆ କୁ ଥାଉଜେଣ୍ଡ ଟୋଣ୍ଟିଟୁ ରେ ସେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନ ଦେଖାଇଥିଲେ। ତାଙ୍କ ଜୀବନର କେତେକ ମହାନ ସୂତ୍ର ଆଜି ବି କୋଟି କୋଟି ଲୋକଙ୍କୁ ପ୍ରେରଣା ଦିଏ , ଯଥା ​”ସ୍କ୍ରିନ୍‌ରେ ଦେଖାଯାଉଥିବା ସ୍ୱପ୍ନ ସ୍ୱପ୍ନ ନୁହେଁ, ସ୍ୱପ୍ନ ତାହା ଯାହା ଆପଣଙ୍କୁ ଶୋଇବାକୁ ଦିଏନାହିଁ ” ଠାରୁ ​”ଯଦି ଆପଣ ସୂର୍ଯ୍ୟ ପରି ଉଜ୍ଜ୍ୱଳ ହେବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ସୂର୍ଯ୍ୟ ପରି ଜଳିବାକୁ ଶିଖନ୍ତୁ।” , ଏହିପରି ଅନେକ ଦିବ୍ୟ ଦର୍ଶନ ସେ ଦେଇ ଯାଇଛନ୍ତି । ଜଣେ ଅକଳ୍ପନୀୟ, ଅତୁଳନୀୟ ଆଦର୍ଶ ଶିକ୍ଷକ ଭାବେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ କାର୍ଯ୍ୟରତ ଥିଲେ। ୨୭ ଜୁଲାଇ ୨୦୧୫ ରେ  ଶିଲଙ୍ଗ ଠାରେ  ଛାତ୍ରଛାତ୍ରୀଙ୍କୁ ଭାଷଣ ଦେଉଥିବା ସମୟରେ ହିଁ ତାଙ୍କର ପରଲୋକ ହୋଇଥିଲା। ୧୯୯୭ ରେ ‘ଭାରତ ରତ୍ନ’ରେ ଭୂଷିତ ଡଃ କଲାମ ଆଜି ଆମ ଭିତରେ ନାହାନ୍ତି ସତ, କିନ୍ତୁ ତାଙ୍କର ଆଦର୍ଶ, ସରଳତା ଓ ଦେଶପ୍ରେମ ପ୍ରତିଟି ଭାରତୀୟଙ୍କ ହୃଦୟରେ ଅମର ହୋଇରହିଛି।


ସେହିପରି ପ୍ରଣବ ମୁଖାର୍ଜୀ (୧୧ ଦିସେମ୍ବର ୧୯୩୫ – ୩୧ ଅଗଷ୍ଟ ୨୦୨୦) ଭାରତର ତ୍ରୟୋଦଶତମ ରାଷ୍ଟ୍ରପତି ଏବଂ ଦେଶର ଜଣେ ବରିଷ୍ଠ ତଥା ଅଭିଜ୍ଞ ରାଜନେତା ଥିଲେ। ସେ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଭାବରେ ସେବା କରିଥିଲେ। ତାଙ୍କର ଦୀର୍ଘ ପାଞ୍ଚ ଦଶନ୍ଧିର ରାଜନୈତିକ ଜୀବନରେ ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ପ୍ରମୁଖ ନେତା ଏବଂ ସରକାରଙ୍କ ସଙ୍କଟମୋଚକ ଭାବେ ପରିଚିତ ଥିଲେ। ୧୯୩୫ ମସିହା ଦିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାସ୍ଥିତ ମିରଟି ଗ୍ରାମରେ ପ୍ରଣବ ମୁଖାର୍ଜୀ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା କାମଦା କିଙ୍କର ମୁଖାର୍ଜୀ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ପ୍ରଣବ ମୁଖାର୍ଜୀ କୋଲକାତା ବିଶ୍ୱବିଦ୍ୟାଳୟରୁ ଇତିହାସ ଏବଂ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ସହ ଆଇନ  ଉପାଧି ବା ଡିଗ୍ରୀ ହାସଲ କରିଥିଲେ। ରାଜନୀତିରେ ଯୋଗଦେବା ପୂର୍ବରୁ ସେ ଜଣେ ମହାବିଦ୍ୟାଳୟ ଅଧ୍ୟାପକ ଏବଂ ପରେ ସାମ୍ବାଦିକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ​୧୯୬୯ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନଜରକୁ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସ ମାଧ୍ୟମରେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।କଂଗ୍ରେସ ଦଳ ଏବଂ ସରକାରୀ ଶାସନ ବ୍ୟବସ୍ଥାରେ ଯେତେବେଳେ ବି କୌଣସି ଜଟିଳ ସମସ୍ୟା ଦେଖାଦେଉଥିଲା, ପ୍ରଣବ ମୁଖାର୍ଜୀ ତାହାର ସମାଧାନ ବାହାର କରୁଥିଲେ। ସଂସଦୀୟ ନୀତି ଓ ଆଇନ ଉପରେ ତାଙ୍କର ଗଭୀର ଜ୍ଞାନ ଥିଲା।  ସେ ନିଜର ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ଦେଶର ଚାରୋଟି ପ୍ରମୁଖ ମନ୍ତ୍ରଣାଳୟ — ଅର୍ଥ, ବୈଦେଶିକ, ପ୍ରତିରକ୍ଷା, ଏବଂ ବାଣିଜ୍ୟ ବିଭାଗର ମନ୍ତ୍ରୀ ଭାବେ ସଫଳତା ଲାଭ କରିଥିଲେ । ୧୯୮୨ ମସିହାରେ ସେ ପ୍ରଥମ ଥର ପାଇଁ ଦେଶର କନିଷ୍ଠତମ ଅର୍ଥମନ୍ତ୍ରୀ ହୋଇଥିଲେ। ସେହିପରି
୧୯୯୧ ରୁ ୧୯୯୬ ପର୍ଯ୍ୟନ୍ତ ସେ ଯୋଜନା ଆୟୋଗର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରି ଭାରତୀୟ ଅର୍ଥନୀତିର ଉଦାରୀକରଣ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦେଶର ତ୍ରୟୋଦଶ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ରାଷ୍ଟ୍ରପତି ଭବନକୁ ସାଧାରଣ ଜନତାଙ୍କ ପାଇଁ ଅଧିକ ସୁଲଭ କରିବା ପାଇଁ ଅନେକ ଗୁରୁତ୍ତ୍ୱପୂର୍ଣ କାର୍ଯ୍ୟ କରିଥିଲେ । ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ରାଷ୍ଟ୍ରପତି ଙ୍କ ପାଇଁ ବା ଉଦ୍ଦେଶ୍ୟରେ ବ୍ୟବହୃତ ହୋଇ ଆସିଥିବା ହିଜ୍ ଏକ୍ସେଲେନ୍ସି ପରି ଔପନିବେଶିକ ସମ୍ବୋଧନ ପ୍ରଥାକୁ ସେ ବନ୍ଦ କରି ଦେଇଥିଲେ । ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ସମ୍ବେଦନଶୀଳ ଦୟା ଆବେଦନର ନିଷ୍ପତ୍ତି ନେଇ ଦୃଢ଼ ନେତୃତ୍ୱର ପରିଚୟ ଦେଇଥିଲେ । ୨୦୦୮ ମସିହାରେ ଦେଶର  ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ଏବଂ ୨୦୧୯ରେ ସର୍ବୋଚ୍ଚ ବେସାମରିକ ସମ୍ମାନ ” ଭାରତ ରତ୍ନ” ସମ୍ମାନରେ ସମ୍ମାନିତ ହୋଇଥିଲେ ।ପ୍ରଣବ ମୁଖାର୍ଜୀ ନିଜର ଦଳଗତ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସବୁ ଦଳର ନେତାଙ୍କ ସହ ସୁସମ୍ପର୍କ ରଖିପାରୁଥିଲେ। ୨୦୨୦ ମସିହା ଅଗଷ୍ଟ ୩୧ ତାରିଖରେ ୮୪ ବର୍ଷ ବୟସରେ ନୂଆଦିଲ୍ଲୀଠାରେ ତାଙ୍କର ତିରୋଧାନ ହୋଇଥିଲା। ତାଙ୍କର ଅଗାଧ ଜ୍ଞାନ, ବ୍ୟକ୍ତିତ୍ୱ ଏବଂ ଦେଶସେବା ପାଇଁ ସେ ସଦାସର୍ବଦା ଭାରତୀୟ ରାଜନୀତିର “ସିଦ୍ଧପୁରୁଷ”  ବା ଡୟନ ଭାବେ ସ୍ମରଣୀୟ ହୋଇରହିବେ।

ସେହିପରି  ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀ ଙ୍କ ସୁଯୋଗ୍ୟା ସନ୍ତାନ  ହେଉଛନ୍ତି ସ୍ଵାଧୀନ ଭାରତର ପଞ୍ଚଦଶ ତମ  ରାଷ୍ଟ୍ରପତି ଭାବେ ଆଜିର ତାରିଖରେ ୨୦୨୨ ମସିହାରେ ଶପଥଗ୍ରହଣ କରିଥିଲେ । ସେ କେବଳ ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ନୁହଁନ୍ତି, ବରଂ ଓଡ଼ିଶାରୁ ଏହି ସର୍ବୋଚ୍ଚ ସମ୍ବିଧାନିକ ପଦବୀ ମଣ୍ଡନ କରିବାରେ ପ୍ରଥମ ବ୍ୟକ୍ତି। ତାଙ୍କର ଏହି ଗୌରବମୟ ଯାତ୍ରା ସାଧାରଣ ଜୀବନ, କଠୋର ସଂଗ୍ରାମ ଏବଂ ସମର୍ପିତ ସେବାର ଏକ ଜ୍ୱଳନ୍ତ ଉଦାହରଣ। ବରେଣ୍ୟା ଦ୍ରୌପଦୀ ମୁର୍ମୁ ୧୯୫୮ ମସିହା ଜୁନ୍ ୨୦ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାସ୍ଥିତ ରାଇରଙ୍ଗପୁର ନିକଟବର୍ତ୍ତୀ ଉପରବେଡା ଗ୍ରାମର ଏକ ସାନ୍ତାଳୀ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ବିରଞ୍ଚି ନାରାୟଣ ଟୁଡୁ। ଅଭାବ ଓ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । କ୍ଷମତା ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଜଣେ ସାଧାରଣ କର୍ମଚାରୀ ଓ ଶିକ୍ଷୟିତ୍ରୀ ଭାବେ ନିଜ ଜୀବନ ଆରମ୍ଭ କରିଥିଲେ । ୧୯୭୯ ରୁ ୧୯୮୩ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗରେ ସହକାରୀ  କର କିଙ୍ଭାକଣୀ ବା ଜୁନିଅର କ୍ଲର୍କ ଭାବେ  କାର୍ଯ୍ୟ କରିଥିଲେ।ରାଇରଙ୍ଗପୁରର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସେ ଅବୈତନିକ ଶିକ୍ଷୟିତ୍ରୀ ଭାବେ ନିଷ୍ଠାର ସହ ସେବା ପ୍ରଦାନ କରିଥିଲେ ।୧୯୯୭ ମସିହାରେ ସେ ରାଇରଙ୍ଗପୁର ବିଜ୍ଞାପିତ ପରିଷଦ ( ଏନ୍.ଏ.ସି. ) ର ସଦସ୍ୟ ବା କାଉନସିଲର ଭାବେ ନିର୍ବାଚିତ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଏବଂ ପରେ ଏହାର ଉପାଧ୍ୟକ୍ଷା ମଧ୍ୟ ହୋଇଥିଲେ।  ୨୦୦୦ ଓ ୨୦୦୪ ମସିହାରେ ସେ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ବାଣିଜ୍ୟ, ପରିବହନ, ମାଛ ଓ ପ୍ରାଣୀସମ୍ପଦ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟତୁଲାଇଥିଲେ।
୨୦୦୭ ମସିହାରେ ସୁପରିଚାଳନା ଓ ଜନସେବା ପାଇଁ ଓଡ଼ିଶା ବିଧାନସଭା ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ବିଧାୟିକା ଭାବେ “ପଣ୍ଡିତ ନୀଳକଣ୍ଠ  ସ୍ମୃତି ପୁରସ୍କାରରେ ସମ୍ମାନିତା କରାଯାଇଥିଲା।
​୨୦୧୫ ମସିହାରେ ସେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ। ସେଠାରେ ସେ ୫ ବର୍ଷର କାର୍ଯ୍ୟକାଳ ସଫଳତାର ସହ ପୂରଣ କରିଥିବା ପ୍ରଥମ ରାଜ୍ୟପାଳ ଥିଲେ। ୨୫ ଜୁଲାଇ ୨୦୨୨ରେ ସେ ଭାରତର ୧୫ଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ। ସେ ହେଉଛନ୍ତି ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଜନ୍ମଗ୍ରହଣ କରିଥିବା ପ୍ରଥମ ରାଷ୍ଟ୍ରପତି।
​ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ଦୁଃଖଦାୟକ ସଂଗ୍ରାମ ଦେଇ ଗତି କରିଛି। ସ୍ୱାମୀ ଶ୍ୟାମଚରଣ ମୁର୍ମୁ ଏବଂ ଦୁଇ ପୁଅଙ୍କୁ ଅକାଳରେ ହରାଇବା ପରେ ସେ ଗଭୀର ମାନସିକ ଆଘାତ ପାଇଥିଲେ। ମାତ୍ର ସେ ଆଧ୍ୟାତ୍ମିକତା (ବ୍ରହ୍ମାକୁମାରୀ ସଂସ୍ଥା) ଏବଂ ଜନସେବାକୁ ଆପଣାଇ ନିଜକୁ ପୁନର୍ବାର ସଶକ୍ତ କରିପାରିଥିଲେ। ​ଦ୍ରୌପଦୀ ମୁର୍ମୁଙ୍କ ସଫଳତା ପ୍ରତ୍ୟେକ ଭାରତୀୟ, ବିଶେଷକରି ମହିଳା ଏବଂ ଅବହେଳିତ ବର୍ଗଙ୍କ ପାଇଁ ଏକ ବଡ଼ ପ୍ରେରଣାର ଉତ୍ସ। ଏହା ଭାରତୀୟ ଗଣତନ୍ତ୍ରର ମହାନତା ଏବଂ ସମାବେଶୀ ବିକାଶର ଏକ ଜ୍ୱଳନ୍ତ ଉଦାହରଣ।

ପ୍ରଦ୍ୟୁମ୍ନ ଶତପଥୀ

Posted in ଦେଶ ବିଦେଶ, Featured.