ବିଶ୍ବଭୂଷଣ ହରିଚନ୍ଦନଙ୍କ ୮୫ ତମ ଜନ୍ମଦିନ

ବିଶ୍ବଭୂଷଣ ହରିଚନ୍ଦନଙ୍କ ୮୫ ତମ ଜନ୍ମଦିନ

ଆଜି ତେୟାନବେ (୯୩) ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଓଡ଼ିଶାର ଜନାଦୃତ ଜନନେତା ,ପାଇକ ସାମରିକ ମହାସଂସ୍କୃତି ଓ ପରମ୍ପରାର ମ଼ହାନାୟକ, ପଡୋଶୀ ଆନ୍ଧ୍ର ଓ ଛତିଶଗଡ଼ ରାଜ୍ୟର ପ୍ରାକ୍ତନ ରାଜ୍ୟପାଳ ବରେଣ୍ୟ ବିଶ୍ବଭୂଷଣ ହରିଚନ୍ଦନ। ୧୯୩୪ ମସିହାରେ ଆଜିର ତାରିଖରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଆ ନାଟ୍ୟାନ୍ଦୋଳନର ସମର୍ପିତ କାଣ୍ଡାରୀ ପିତା ପର୍ଶୁରାମ ହରିଚନ୍ଦନଙ୍କ ସୁପୁତ୍ର ଭାବରେ ଜନ୍ମ୍ ଗ୍ରହଣ କରିଥିଲେ ।

ଏହା ନିର୍ଵିବାଦୀୟ ସତ୍ୟ ଯେ ବିଶ୍ବଭୂଷଣ ଆଜ୍ଞା ଓଡ଼ିଶାର ରାଜନୈତିକ ଇତିହାସରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ଜରୁରୀକାଳୀନ ପରିସ୍ଥିତିରେ କାରାବରଣ ଏବଂ ୧୯୭୭ ନିର୍ବାଚନରେ ବିଜୟୀ ହୋଇ ମନ୍ତ୍ରୀ ହେବା ଠାରୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଏବଂ ପରେ ଛତିଶଗଡ଼ର ରାଜ୍ୟପାଳ ହେବା ଭିତରେ ଅନେକ ଇତିହାସର ସେ ମହାନାୟକ । ୧୯୭୭ ରୁ ୨୦୦୯ ଭିତରେ ଅନେକ ରାଜନୈତିକ ଘନଘଟା ମଧ୍ୟରେ ସେ ରାଜ୍ୟରେ ଅନେକ ଥର ଅନେକ ବିଭାଗର ଯଥା ଖାଦ୍ୟ,ଯୋଗାଣ, ଆଇନ୍,ଶ୍ରମ, ନିଯୁକ୍ତି, ଗୃହ ନିର୍ମାଣ, ସଂସ୍କୃତି, ରାଜସ୍ୱ, ଶିଳ୍ପ,ଗ୍ରାମ୍ୟ ଉନ୍ନୟନ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ ମଧ୍ୟ କୈାଣସି ସମୟରେ ତାଙ୍କ ବିରୋଧରେ ସାମାନ୍ୟ ଦୁର୍ନୀତିର ଆରୋପ କରାଯାଇପାରିନାହିଁ । ତାଙ୍କର ମଣିଷ ପଣିଆ ଉଦାହରଣୀୟ । ଆମେ ଦୁଇଜଣ ଥିଲୁ ନିର୍ବାଚନରେ ପ୍ରତିଦ୍ବନ୍ଦୀ , ଅନେକ ସଭାରେ ଆମେ ତାଙ୍କ ପ୍ରତି ଅତ୍ୟନ୍ତ କଟୁ, ଅପମାନ ଜନକ ଭାଷା ପ୍ରୟୋଗ କରିଥିଲୁ । ନିର୍ବାଚନ ପରେ ସେ ବିଜୟୀ ହୋଇ ମନ୍ତ୍ରୀ ହୋଇଥିଲେ, କିଛି ଦିନ ପରେ ଆମର ଏକମାତ୍ର ପୁତ୍ରର ବ୍ରତଘର ଉତ୍ସବକୁ ନିମନ୍ତ୍ରଣ କରିଥିଲୁ ଏବଂ ଜାଣିଥିଲୁଯେ ସେ ଆସିବେ ନାହିଁ । ମାତ୍ର ସେ ଆସିଲେ, ତଦାରଖ କଲେ, କିଏ ଖାଇଲେ ନ ଖାଇଲେ ତାହା ବୁଝି ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ଯାଇଥିଲେ । ସେ ଦିନ ତାଙ୍କର ଅସଲ ପରିଚୟ ପାଇ ଆମେ ତାଙ୍କ ସହିତ ଏଯାବତ୍ ରହିଆସିଛୁ ଏବଂ ଏହି ରହିଆସିଵା ଭିତରେ ଅନେକ କିଛି ଇତିହାସ ବି ସୃଷ୍ଟି ହୋଇଛି, ଯାହା ଏଯାବତ୍ ଅନାଲୋଚିତ ।‌ କେବଳ ଏତିକି ନୁହେଁ ,ଜଣେ ପାଠକାଦୃତ ଆଲେଖ୍ୟ ସ୍ରଷ୍ଟା ଭାବେ ସେ ” ସୁବାର୍ତ୍ତା”ର ନିୟମିତ ସ୍ତମ୍ଭକାର ଭାବରେ ଅନୁଗୃହୀତ କରାଇଛନ୍ତି । ପ୍ରକାଶିତ ଆଲେଖ୍ୟକୁ ସଙ୍କଳନ କରି ଯେଭଳି ଏକ ପୁସ୍ତକ ପ୍ରକାଶ ପାଇଛି, ଠିକ୍ ଦୈନିକ ଖବରକାଗଜ ମାନଙ୍କରେ ପ୍ରକାଶିତ ଆଲେଖ୍ୟକୁ ନେଇ ‘ ଏ ମାଟିର ଡ଼ାକ ” ଶୀର୍ଷକରେ ମଧ୍ୟ ଏକ ପୁସ୍ତକ ପ୍ରକାଶ ପାଇଛି । ସେହିପରି ଉତ୍ତରାଧିକାରୀ ସୂତ୍ରରେ ସେ ମଧ୍ୟ ଜଣେ ନାଟ୍ୟକାର,ନାଟ୍ୟ ନିର୍ଦ୍ଦେଶକ । ଅନେକ ନାଟକ ମଧ୍ୟରେ ପାଇକ ସଂଗ୍ରାମକୁ ଉପଜିଵ୍ୟ କରି , ବକ୍ସି ଜଗବନ୍ଧୁଙ୍କୁ ନାୟକ କରି ” ମହା ସଂଗ୍ରାମର ମହାନାୟକ” ଶୀର୍ଷକରେ ଏକ ଜନାଦୃତ ନାଟକ ରଚନା କରିଥିଲେ ଏବଂ ସୌଭାଗ୍ୟକ୍ରମେ ଏହାର ଶ୍ରଦ୍ଧାର୍ପିତ ସମାବେଶର ଅତିଥି ଭାବେ ଯୋଗଦେଇ ଗୈାରଵାବିମଣ୍ଡିତ ହୋଇଥିଲୁ । ଏବେ ଏହି ନାଟକ ଜାତୀୟ ସ୍ତରରେ ଜନାଦୃତି ଲାଭ କରିଚାଲିଛି । ବହୁମୁଖି ପ୍ରତିଭାଦୀପ୍ତ ମହାନ୍ ବ୍ୟକ୍ତିତ୍ଵଙ୍କ ଶୁଭ ଜନ୍ମ ଦିନର ଶୁଭାଵସରରେ ଶୁଭାଭିନନ୍ଦନ ସହ ଶୁଭକାମନା ଜଣାଉଛି । “ବନ୍ଦେ ଉତ୍କଳ ଜନନୀ”, “ଜୟ ଜଗନ୍ନାଥ”, ।

ଆଜି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୁଲ୍ୟରେ ତାଙ୍କର ଜନ୍ମୋତ୍ସବ ପାଳିତ ହେବାକୁ ଯାଉଛି ଠିକ୍ ପୂର୍ବାହ୍ନ ୧୦ ଘଟିକା ସମୟରେ ରାଜଧାନୀର ପ୍ରତିଷ୍ଠିତ ଜୟଦେବ ଭବନ ପ୍ରେକ୍ଷାଳୟରେ । ସବୁଠାରୁ ଉତ୍ସାହିତ କଥା ହେଲା ଅନେକ ସଙ୍ଗଠନ ସ୍ଵତଃ ମାନସିକତା ଆଧାରରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ସହିତ ସାମିଲ୍ ହୋଇଛନ୍ତି । ଜନ୍ମୋତ୍ସବର ବିଭିନ୍ନ ଦାୟିତ୍ଵ ମଧ୍ୟ ନେଇଛନ୍ତି । ଶ୍ରଦ୍ଧେୟ ଦୁର୍ଗାଚରଣ ମହାନ୍ତି ( ରାଜା) , ଅଧିବକ୍ତା ସମରେନ୍ଦ୍ର ସାହୁ, ରାଇମୋହନ ପଟ୍ଟନାୟକ , ଶ୍ରଦ୍ଧେୟା ରଶ୍ମି ମହାପାତ୍ର, ଶ୍ରଦ୍ଧେୟ ସୁଶିଲ ରାୟ , ଡଃ ପ୍ରଦୀପ କୁମାର ବିଶ୍ବାଳ, ପ୍ରଶାନ୍ତ କୁମାର ପରିଡ଼ା, ଯୁବ ସାମ୍ବାଦିକ ଚିରଞ୍ଜିବୀ ସେଠୀ, ଅରବିନ୍ଦ ତ୍ରିପାଠୀ,ସୀତାଂଶୁ ମହାରଣା, ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ପ୍ରମୁଖ

ସାହାଯ୍ୟ ସହଯୋଗର ହାତ ବଢ଼ାଇଛନ୍ତି । ଚଳିତ ବର୍ଷ ମାନ୍ୟବର ସାଂସଦ ଦିଲ୍ଲୀପ ରାୟ , ମାନ୍ୟବର ବିଧାୟକ ବାବୁ ସିଂ ଏବଂ ପ୍ରବୀଣ ସାରସ୍ବତ ସାଧକ ଓ ଗବେଷକ ବାଳମୁକୁନ୍ଦ ଦାସ ” ବିଶ୍ବଭୂଷଣ ପ୍ରତିଭା” ସମ୍ମାନରେ ସମ୍ବର୍ଦ୍ଧିତ ହେବାକୁ ଯାଉଛନ୍ତି । ଆପଣମାନଙ୍କ ଉପସ୍ଥିତି କାମନା କରୁଛୁ । ଶୁଭ ସକାଳ, ବନ୍ଦେ ଉତ୍କଳ ଜନନୀ

ପାଳ ହୋଇଥିବା ବିଶ୍ବଭୂଷଣଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା।

Posted in ରାଜ୍ୟ.