ଚାନ୍ଦିପୁରରୁ ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ଚାନ୍ଦିପୁରରୁ ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ଚାନ୍ଦିପୁରରୁ ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର)ରୁ ମଧ୍ୟମ ଦୂରତା ବିଶିଷ୍ଟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ପରୀକ୍ଷା କରିଛି। ଏହି ପରୀକ୍ଷା ରଣନୀତିକ ବାହିନୀ କମାଣ୍ଡର ତତ୍ତ୍ୱାବଧାନରେ କରାଯାଇଥିବାବେଳେ କ୍ଷେପଣାସ୍ତ୍ରର ସମସ୍ତ ପରିଚାଳନାଗତ ଓ ପ୍ରଯୁକ୍ତିଗତ ମାନଦଣ୍ଡ ସଫଳତାର ସହ ପରୀକ୍ଷିତ ହୋଇଛି।

ଏହା ନିୟମିତ ‘ୟୁଜର ଟ୍ରାଏଲ୍’,ଦେଶର ରଣନୀତିକ ପ୍ରତିରୋଧ କ୍ଷମତାର ପ୍ରସ୍ତୁତି ଓ ନିର୍ଭରଯୋଗ୍ୟତାକୁ ପୁଣିଥରେ ଯାଞ୍ଚ କରିବା ଉଦ୍ଦେଶ୍ୟ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଡିଆରଡିଓ ଦ୍ୱାରା ବିକଶିତ ଅଗ୍ନି-୪ ଦୁଇ ପର୍ଯ୍ୟାୟ ବିଶିଷ୍ଟ କଠିନ ଇନ୍ଧନଚାଳିତ ମଧ୍ୟମ ଦୂରତା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ଏହାର ରେଞ୍ଜ ୩ ହଜାର ୫୦୦ରୁ ୪ ହଜାର କିଲୋମିଟର।

ପ୍ରାୟ ୨୦ ମିଟର ଲମ୍ବା ଓ ୧୭ ଟନ୍ ଓଜନର ଏହି କ୍ଷେପଣାସ୍ତ୍ର ପ୍ରାୟ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ପେଲୋଡ୍ ବହନ କରିପାରେ। ଅଗ୍ନି-୪ ବର୍ତ୍ତମାନ ଭାରତର ରଣନୀତିକ ବାହିନୀ କମାଣ୍ଡରେ ସାମିଲ ହୋଇ ଦେଶର ସ୍ଥଳଭିତ୍ତିକ ରଣନୀତିକ ପ୍ରତିରୋଧ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଏହି ସଫଳ ପରୀକ୍ଷା ଭାରତର କ୍ଷେପଣାସ୍ତ୍ର କ୍ଷମତା ଓ ଜାତୀୟ ସୁରକ୍ଷା ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିଛି।

Posted in ରାଜ୍ୟ.