୨୦୩୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ପହଞ୍ଚିବ ଗୁଣାତ୍ମକ ବିଦ୍ୟୁତ୍ ସେବା

୨୦୩୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ପହଞ୍ଚିବ ଗୁଣାତ୍ମକ ବିଦ୍ୟୁତ୍ ସେବା

ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ସମସ୍ତଙ୍କୁ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ ଦିନର ପ୍ରସ୍ତାବିତ ଶକ୍ତି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି।

ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୧୫ଟି ନୂଆ ଗ୍ରୀଡ୍ ସବଷ୍ଟେସନ୍ ସ୍ଥାପନ କରାଯାଇଛି। ଏହା ସହିତ ୭୮୮.୯୯ ସର୍କିଟ୍ କିଲୋମିଟର ଟ୍ରାନ୍ସମିସନ୍ ଲାଇନ୍ ମଧ୍ୟ ବିଛାଯାଇଛି। ବର୍ତ୍ତମାନ ଓଡ଼ିଶାରେ ମୋଟ ୨୧୦ଟି ଗ୍ରୀଡ୍ ସବଷ୍ଟେସନ୍‌ କାର୍ଯ୍ୟକ୍ଷମ ରହିଛି। ୨୦୩୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ଗୁଣାତ୍ମକ ବିଦ୍ୟୁତ୍ ସେବା ପହଞ୍ଚାଇବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି। ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସହ ଦ୍ରୁତ ଶିଳ୍ପାୟନକୁ ଦୃଷ୍ଟିରେ ରଖି ୭୬୫ କେଭି ଗ୍ରୀଡ୍‌ର ଏକ ରିଙ୍ଗ୍ ସିଷ୍ଟମ୍ ନିର୍ମାଣ କରାଯାଉଛି।

ଏହି ରିଙ୍ଗ୍ ସିଷ୍ଟମ୍‌ର ଅଂଶ ଭାବେ ଅନୁଗୋଳ ଓ ସୁନ୍ଦରଗଡ଼ରେ ଦୁଇଟି ୭୬୫/୪୦୦ କେଭି ଗ୍ରୀଡ୍ ଷ୍ଟେସନ୍ ଏବେ କାର୍ଯ୍ୟକ୍ଷମ ରହିଛି। ଗୋପାଳପୁର ଓ ପାରାଦୀପରେ ଆଉ ଦୁଇଟି ୭୬୫/୪୦୦ କେଭି ଗ୍ରୀଡ୍ ଷ୍ଟେସନ୍ ନିର୍ମାଣାଧୀନ ରହିଛି। ଏହା ବ୍ୟତୀତ କୋଲାବିରା, ଡୁବୁରି ଓ ଆଠଗଡ଼ ନିକଟ ବେତଖୋଲିରେ ଆଉ ତିନୋଟି ୭୬୫/୪୦୦ କେଭି ସବଷ୍ଟେସନ୍ ନିର୍ମାଣ ପାଇଁ ଯୋଜନା ହୋଇଛି।ରାଜ୍ୟରେ ବର୍ତ୍ତମାନ ପାଞ୍ଚଟି ୪୦୦ କେଭି ଗ୍ରୀଡ୍ ସବଷ୍ଟେସନ୍‌ କାର୍ଯ୍ୟକ୍ଷମ ଥିବାବେଳେ ଆଉ ଚାରିଟି ନିର୍ମାଣାଧୀନ ରହିଛି। ଆଉ ଦୁଇଟି ସବଷ୍ଟେସନ୍ ଟେଣ୍ଡର ପର୍ଯ୍ୟାୟରେ ରହିଛି। ଏହା ସହିତ ଭବିଷ୍ୟତରେ ଆହୁରି ୯ଟି ୪୦୦ କେଭି ଗ୍ରୀଡ୍ ସବଷ୍ଟେସନ୍ ନିର୍ମାଣ କରିବାକୁ ଯୋଜନା ରହିଛି।

ବିଭିନ୍ନ ଗ୍ରୀଡ୍‌ର ଆଧୁନିକୀକରଣ ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ୨୦୩୦-୩୧ ସୁଦ୍ଧା ରାଜ୍ୟରେ ପ୍ରାୟ ୫୯୦ଟି ଶିଳ୍ପ ପ୍ରକଳ୍ପ ସ୍ଥାପନ ହେବାର ଯୋଜନା ଥିବାରୁ ଏହି ଶିଳ୍ପ ସଂସ୍ଥା ଓ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ପାଇଁ ବଡ଼ ଧରଣର ଶକ୍ତି ଭିତ୍ତିଭୂମି ବିକାଶ କରାଯିବ। ବୈଠକରୁ ଜଣାପଡ଼ିଛି ଯେ, ଏଥିପାଇଁ ରାଜ୍ୟରେ ପ୍ରାୟ ୧୬ ହଜାର କୋଟି ଟଙ୍କାର ଶକ୍ତି ପ୍ରକଳ୍ପ ନିର୍ମାଣ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ବିଦ୍ୟୁତ୍ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ଶିଳ୍ପାୟନକୁ ମଧ୍ୟ ଗତି ଦେବ ବୋଲି ଆଶା କରାଯାଉଛି।

ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, OPTCLର CMD ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Posted in ରାଜ୍ୟ.