ଗ୍ରାହମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ମୁକ୍ତି ଆବେଦନର ଶୁଣାଣି ପୁଣି ଘୁଞ୍ଚିଛି। ଦାରା ସିଂଙ୍କ ମୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବାକୁ ଓଡ଼ିଶା ବନ୍ଦୀ ମୁକ୍ତି ସମୀକ୍ଷା ବୋର୍ଡକୁ ସୁପ୍ରିମକୋର୍ଟ ଆଉ ଏକ ଶେଷ ସୁଯୋଗ ଦେଇଛନ୍ତି।
ପୂର୍ବ ଶୁଣାଣିରେ ଆଜି ସୁଦ୍ଧା ଦାରା ସିଂଙ୍କ ମୁକ୍ତି ଆବେଦନ ଉପରେ ନିଷ୍ପତ୍ତି ନେବାକୁ ଓଡ଼ିଶା ସରକାରଙ୍କୁ କୁହାଯାଇଥିଲା। ତେବେ ଆଜିର ଶୁଣାଣିରେ ମଧ୍ୟ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବା ସରକାରୀ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା। ମାମଲାକୁ ଆଉ କିଛି ସମୟ ଘୁଞ୍ଚାଇବାକୁ ସରକାରୀ ପକ୍ଷରୁ ଅନୁରୋଧ କରାଯାଇଥିଲା।ସରକାରଙ୍କ ଏହି ଅନୁରୋଧରେ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଥିଲେ। ଏପର୍ଯ୍ୟନ୍ତ ନିଷ୍ପତ୍ତି କାହିଁକି ନିଆଯାଇନାହିଁ ବୋଲି ବିଚାରପତିମାନେ ପ୍ରଶ୍ନ କରିଥିଲେ। ଏହାସହ ଜେଲ୍ ମହାନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ଏକ ଚିଠି କୋର୍ଟରେ ଦାଖଲ ହେବା ନେଇ ମଧ୍ୟ ଖଣ୍ଡପୀଠ ପ୍ରଶ୍ନ ଉଠାଇଥିଲେ। ଦାରା ସିଂ ଉତ୍ତରପ୍ରଦେଶର ମୂଳ ବାସିନ୍ଦା ହୋଇଥିବାରୁ ତାଙ୍କ ପୂର୍ବ ପୃଷ୍ଠଭୂମି ଓ ଆଚରଣ ସମ୍ପର୍କିତ ତଥ୍ୟ ସେଠାକାର କର୍ତ୍ତୃପକ୍ଷଙ୍କଠାରୁ ମଗାଯାଇଥିବା ସରକାରୀ ପକ୍ଷରୁ କୁହାଯାଇଥିଲା।ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଓଡ଼ିଶା ବନ୍ଦୀ ମୁକ୍ତି ସମୀକ୍ଷା ବୋର୍ଡକୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ନିଷ୍ପତ୍ତି ନେବାକୁ ସମୟ ଦେଇଛନ୍ତି। ଏହି ସମୟସୀମା ମଧ୍ୟରେ ବୋର୍ଡ ନିଷ୍ପତ୍ତି ନନେଲେ, ଦାରା ସିଂଙ୍କ ମୁକ୍ତି ଆବେଦନ ଉପରେ କୋର୍ଟ ନିଜେ ନିଷ୍ପତ୍ତି ନେବେ ବୋଲି ଖଣ୍ଡପୀଠ ମୌଖିକ ଭାବେ ସ୍ପଷ୍ଟ କରିଛନ୍ତି।
୧୯୯୯ ମସିହାରେ ଗ୍ରାହମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଦାରା ସିଂ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଏବେ ସେପ୍ଟେମ୍ବର ୨ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ଉପରେ ନଜର ରହିଛି।
