ଶିକ୍ଷା କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ । ପିଲାମାନେ ବହିରୁ ଯାହା ପଢ଼ନ୍ତି, ତା’ଠାରୁ ଅଧିକ ସେମାନେ ନିଜ ପରିବେଶ ଓ ଅନୁଭୂତିରୁ ଶିଖନ୍ତି । ପାରମ୍ପରିକ ଶିକ୍ଷାର ସୀମା ଲଂଘି ପିଲାଙ୍କୁ ଅନୁଭୂତିମୂଳକ ଶିକ୍ଷା ଦେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଆଜି ସମ୍ବଲପୁରର ଭାଲୁବାହାଲରେ “ବିର୍ଲା ଓପନ୍ ମାଇଣ୍ଡସ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍”ର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ।
ଜାତୀୟ ଶିକ୍ଷା ନୀତି ୨୦୨୦ର ଗୁରୁତ୍ୱ ଏବଂ ମାତୃଭାଷା ଆଧାରିତ ଶିକ୍ଷା ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କେବଳ ଇଂରାଜୀରେ ପଢିଲେ ପିଲାମାନେ ଗ୍ଲୋବାଲ୍ ବା ଆନ୍ତର୍ଜାତୀୟ ସ୍ତରର ହେବେ ନାହିଁ । ମାତୃଭାଷାରେ ଶିକ୍ଷା ଗ୍ରହଣ କଲେ ହିଁ ପିଲାଙ୍କ ବୁଝିବାର ଶକ୍ତି ବୃଦ୍ଧି ପାଏ ଏବଂ ସେମାନଙ୍କ ଚିନ୍ତାଧାରାରେ ସ୍ପଷ୍ଟତା ଆସିଥାଏ । ଜାପାନ, ଜର୍ମାନ ଏବଂ ଚୀନ ଭଳି ବିକଶିତ ରାଷ୍ଟ୍ରର ଉଦାହରଣ ଦେଇ ସେ କହିଛନ୍ତି ଯେ, ଏହି ଦେଶଗୁଡିକରେ ବିଜ୍ଞାନ ଓ ସର୍ବୋତ୍ତମ ଶିକ୍ଷା ନିଜ ମାତୃଭାଷାରେ ହିଁ ଦିଆଯାଏ । ତେଣୁ ଆମକୁ ମଧ୍ୟ ଆମର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ମାତୃଭାଷା ଅନୁସାରେ ଶିକ୍ଷା ପ୍ରଦାନ କରିବା ଆବଶ୍ୟକ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ନର୍ସରୀରୁ କେଜି ୧ ଓ କେଜି ୨ ପର୍ଯ୍ୟନ୍ତ ‘ବାଲବାଟିକା’ ମାଧ୍ୟମରେ ପିଲାଙ୍କୁ ମାତୃଭାଷାରେ ପଢାଇବାକୁ ଗୁରୁତ୍ୱ ଦିଆଯାଇଛି । ପିଲାମାନେ କେବଳ ବହିରୁ ନୁହେଁ, ବରଂ ଖେଳ, ନୃତ୍ୟ, ସଙ୍ଗୀତ ମାଧ୍ୟମରେ ପାଠ ଶିଖୁଛନ୍ତି । ପ୍ରଥମ ଥର ପାଇଁ ପାଠ ସହ ଦକ୍ଷତାକୁ ଗୁରୁତ୍ୱ ଦିଆଯାଇଛି । ବିର୍ଲା ଓପନ୍ ମାଇଣ୍ଡସ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ମଧ୍ୟ ଏହିଭଳି ବ୍ୟବସ୍ଥା ଆପଣାଇବା ଦରକାର । ବୀର ସୁରେନ୍ଦ୍ର ସାଏଙ୍କ ବୀରତ୍ୱ ଏବଂ କୁଦୋପାଲିର ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆମ ଶିକ୍ଷା ବ୍ୟବସ୍ଥା ଦୀର୍ଘ ଦିନ ଧରି ଗୋଲାମୀ ମାନସିକତା ଦ୍ୱାରା ପ୍ରଭାବିତ ହୋଇ ରହିଥିଲା । କିନ୍ତୁ ବର୍ତ୍ତମାନ ସମୟରେ ପିଲାମାନେ ନିଜ ସଂସ୍କୃତି ଓ ପରମ୍ପରା ସହ ଯୋଡି ହେବା ଆବଶ୍ୟକ । ଖିଣ୍ଡା, ଦେବ୍ରିଗଡ଼ ଏବଂ ହୀରାକୁଦ ଭଳି ସ୍ଥାନ ପରିଦର୍ଶନ କରି ପିଲାମାନେ ସେହି ସ୍ଥାନରୁ ବାସ୍ତବ ଅଭିଜ୍ଞତା ହାସଲ କରିବା ଉଚିତ୍ ।
କ୍ଲାସରୁମ୍ ମଧ୍ୟରେ ପିଲାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ଦିଗରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ଶ୍ରୀ ପ୍ରଧାନ ଶିକ୍ଷା କ୍ଷେତ୍ରରେ ଏଆଇର ସହଯୋଗ ନେବାକୁ ସେ ସ୍କୁଲର ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି । ସ୍କୁଲ ପରିସରରେ ବହୁତ ପରିମାଣରେ ବୃକ୍ଷରୋପଣ କରି ଏହାକୁ ଏକ ଆଧୁନିକ ‘ଗୁରୁକୁଳ’ରେ ପରିଣତ କରିବାକୁ ସେ ସ୍କୁଲ ମ୍ୟାନେଜମେଣ୍ଟ କମିଟିକୁ ପରାମର୍ଶ ଦେଇଛନ୍ତି ।
ସେ ଆହୁରି ସୂଚନା ଦେଇଛନ୍ତି, ସମ୍ବଲପୁର ଜିଲ୍ଲାର ସମସ୍ତ ସରକାରୀ ସ୍କୁଲର ଆଧୁନିକିକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୨ କୋଟି ଟଙ୍କା ବନିଯୋଗ କରାଯିବ । ଶେଷରେ, ସମ୍ବଲପୁରକୁ ଏକ “ଶିକ୍ଷା ହବ୍” ଭାବେ ଗଢିତୋଳିବା ସହ ସହରକୁ ସ୍ୱଚ୍ଛ ରଖିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ବିର୍ଲା ଓପନ୍ ମାଇଣ୍ଡସ୍ ସ୍କୁଲ୍ ଆଗାମୀ ଦିନରେ ଅଞ୍ଚଳର ପିଲାମାନଙ୍କ ବ୍ୟକ୍ତିତ୍ୱ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି ।
