ଆଜି ଅନ୍ତର୍ଜାତୀୟ ଜଙ୍ଗଲ ଦିବସ ଅବସରରେ ସକଳ ବନ୍ଧୁ ବର୍ଗଙ୍କ ସକଳ ସୁମନାସ ପ୍ରାର୍ଥନାନ୍ତେ ଜଣାଉଛୁ ଶୁଭାଭିନନ୍ଦନ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ୨୦୧୨ ମସିହାରେ ଜାତିସଂଘର ସାଧାରଣ ସଭା ଦ୍ବାରା ଘୋଷଣା କରାଯାଇଥିଲା ଯେ ପ୍ରତି ବର୍ଷ ମାର୍ଚ୍ଚ ୨୧ ତାରିଖକୁ ଅନ୍ତର୍ଜାତୀୟ ଜଙ୍ଗଲ ଦିବସ ରୂପେ ପାଳନ କରାଯିବ। ସବୁ ପ୍ରକାର ଜଙ୍ଗଲର ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହାର ମୂଳ ଉଦ୍ଦେଶ୍ୟ। ଜଙ୍ଗଲ ଦିବସରେ ପୃଥିବୀର ଦେଶମାନଙ୍କୁ ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବୃକ୍ଷରୋପଣ ଭଳି ଜଙ୍ଗଲ ସମ୍ପର୍କିତ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଉତ୍ସାହିତ କରାଯାଇଥାଏ। ସୁସ୍ଥ ଜଙ୍ଗଲ ଓ ଆମ ସ୍ବାସ୍ଥ୍ୟ ମଧ୍ୟରେ ଥିବା ସମ୍ପର୍କକୁ ଉପଜିବ୍ୟ କରି ଆଲେଖ୍ୟ ଆଲୋଚନା ମାଧ୍ୟମରେ ଜଙ୍ଗଲର ସୁରକ୍ଷା, ସଂରକ୍ଷଣ ଏବଂ ସମସ୍ତ ପ୍ରକାରର ଜଙ୍ଗଲ ପ୍ରତି ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ। ଏହି ଦିନ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ଜଙ୍ଗଲ ସମ୍ପର୍କିତ କାର୍ଯ୍ୟକ୍ରମ ମଧ୍ୟ ବିଗତ ତେର ବର୍ଷ ଧରି ଆୟୋଜନ କରାଯାଇ ଆସୁଛି । ଏହା ନିଃସନ୍ଦେହ ଯେ ମାନବ ସମାଜରବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ଏ ଜୀବନ ଅର୍ଥହୀନ” – ଏହା ଏକ ନିରଳସ ସତ୍ୟ। ବୃକ୍ଷ ପରିବେଶର ସନ୍ତୁଳନ ରକ୍ଷା କରିବା ସହ ପ୍ରାଣୀଜଗତକୁ ଅମ୍ଳଜାନ, ଖାଦ୍ୟ, ଛାଇ ଏବଂ ବାସସ୍ଥାନ ଯୋଗାଇଥାଏ। ଧରିତ୍ରୀ ମାଆର ସୁରକ୍ଷା ତଥା ପ୍ରଦୂଷଣ ମୁକ୍ତ ବାତାବର୍ଣ୍ଣ ପାଇଁ ବୃକ୍ଷରୋପଣ ଏବଂ ସେଗୁଡିକର ଯତ୍ନ ନେବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ। ଆମେ ସମସ୍ତେ ଅବଗତ ଯେ ବୃକ୍ଷ ଅଙ୍ଗାରକାମ୍ଳ ବା କାର୍ବନଡାଇଅକ୍ସାଇଡ୍ ଗ୍ରହଣ କରି ଆମକୁ ଶ୍ୱାସକ୍ରିୟା ପାଇଁ ଆବଶ୍ୟକୀୟ ଅମ୍ଳଜାନ ଦେଇଥାଏ। ବୃକ୍ଷ ମାନବ ସମାଜକୁ କ’ଣ ନ ଦିଏ ? ପ୍ରାୟ ପ୍ରାଗୈତିହାସିକ ଯୁଗରୁ ମଣିଷର ବନଭୂମି ସହ ନିବିଡ଼ ସମ୍ପର୍କ ରହିଛି। ଦିନେ ସଭ୍ୟତାର ବିକାଶ ବନଭୂମିରେ ହିଁ ହୋଇଥିଲା। ମଣିଷ ଉଦ୍ଭିଦ ବା ବୃକ୍ଷ ଜଗତକୁ ତା’ର ମୌଳିକ ଆବଶ୍ୟକତା ବୋଲି ମନେ କଲା। ବୃକ୍ଷ ନ ରହିଲେ ପ୍ରାଣୀ ଜଗତ ତିଷ୍ଠି ରହିପାରିବନି କାରଣ ବାୟୁରେ ଥିବା ଅମ୍ଳଜାନ ଆମେ ଶ୍ୱାସକ୍ରିୟା ଦ୍ୱାରା ଦେହ ଭିତରକୁ ନେଇ ବଞ୍ଚେ । ଏହି ଅମ୍ଳଜାନ ଆମେ ପାଉ ବୃକ୍ଷଲତା ଠାରୁ ଏବଂ ଆମର ପ୍ରାଣ ନାଶକାରୀ ଅଙ୍ଗାରକାମ୍ଳ ବୃକ୍ଷ ଟାଣି ନେଇ ନିଜର ଖାଦ୍ୟରେ ପରିଣତ କରେ। ତେଣୁ ଉଦ୍ଭିଦ ଆମର ପରମ ବନ୍ଧୁ।ପ୍ରାଣୀ ଜଗତ ଉଦ୍ଭିଦ ଜଗତ ବିନା ବଞ୍ଚି ରହିପାରିବ ନାହିଁ , ଏହା ନିର୍ବିବାଦୀୟ ସତ୍ୟ ।
ତେଣୁ ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ପରସ୍ପର ପରିପୁରକ। ବୃକ୍ଷ ଆମକୁ ଛାଇ ଦିଏ। ଫଳ, ଫୁଲ, ଲାଖ, ଝୁଣା, ମହୁ, ଜାଳେଣି, ଔଷଧ ଆହୁରି ଅନେକ କିଛି ଯୋଗାଇଥାଏ। ପରିବେଶ ଶୀତଳ ରଖେ। ପ୍ରଦୂଷଣରୁ ଆମକୁ ରକ୍ଷା କରେ। ବର୍ଷା କରାଏ। ବନ୍ୟାଦାଉରୁ ଆମକୁ ରକ୍ଷା କରେ। ମୃତ୍ତିକା ସଂରକ୍ଷଣ କରେ। ତଥାପି ଏସବୁର ଉପକାର ମଣିଷ ଭୁଲିଯାଇ ଅବାଧରେ ଗଛ କାଟିବାରେ ଲାଗିଛି। ବନଭୂମିର ଆବଶ୍ୟକତା ତା’ ଜୀବନରେ କେତେ ରହିଛି ସେକଥା ଭୁଲିଯାଉଛି। ଫଳରେ ଅନିୟମିତ ବୃଷ୍ଟିପାତ, ଅଂଶୁଘାତ, ବର୍ଷାଭାବ, ଖାଦ୍ୟାଭାବ, ଜଳବାୟୁ ପରିବର୍ତ୍ତନ ଏବଂ ଉତ୍ତପ୍ତ ବସୁଧାରେ ଭାଜି ହେଉଛି। ବୃକ୍ଷ ହିଁ ଜୀବନ, କାରଣ ବୃକ୍ଷ ଥିଲେ ବର୍ଷା ହୁଏ। ବର୍ଷା ଯୋଗୁ ଶସ୍ୟ ଉତ୍ପାଦନ ହୁଏ। ମଣିଷ ତା’ର ଖାଦ୍ୟ ପୂରଣ କରେ। ମାନବ ଜାତିର କଲ୍ୟାଣ ପାଇଁ ବୃକ୍ଷରୋପଣ, ସାମାଜିକ ବନୀକରଣ ନିହାତି ଅପରିହାର୍ଯ୍ୟ। ଅରଣ୍ୟ ଓ ବୃକ୍ଷରାଜି ଆମର ଜାତୀୟ ସମ୍ପଦ। ତେଣୁ ଆମେ ଗଛ ପୋତି ତା’ର ରକ୍ଷଣାବେକ୍ଷଣ ଦିଗରେ ଜାଗରଣ ସୃଷ୍ଟି କରିବା, ପ୍ରକୃତି ଓ ପରିବେଶ ପ୍ରତି ସଚେତନ ହେବା, ନୂତନ ବନ ସୃଷ୍ଟି କରିବା ଦରକାର।ବନ ସୃଷ୍ଟି ପାଇଁ ଉପଯୁକ୍ତ ସମୟ ହେଉଛି ବର୍ଷାଋତୁ। ବର୍ଷା ଓ ବୃକ୍ଷ ଅଙ୍ଗାଙ୍ଗୀଭାବେ ଜଡ଼ିତ। ମୌସୁମୀର ପ୍ରଥମ ସ୍ପର୍ଶ ପାଇଲା ପରେ ସଂଜୀବିତ ହୋଇଉଠେ ପ୍ରତ୍ୟେକ ବୃକ୍ଷର ଉଦାସୀପଣ। ବୀଜଟିଏ ମେଲୁଥାଏ ପତ୍ରରେ।ବର୍ଷାପାଣିରେ କଅଁଳିଉଠେ ତା’ର ଛନ ଛନ ଦେହ। ହୃଷ୍ଟପୁଷ୍ଟ ହୋଇ ଚାରା ଗଛରେ ପରିଣତ ହୁଏ। ଛୋଟରୁ ବଡ଼ ହୁଏ। ଫୁଲ ଫଳ ସମ୍ଭାରରେ ନିଜର ପରିଚୟ ଦିଏ ପ୍ରକୃତିକୁ। ଟିକିଏ ଯତ୍ନନେଲେ ବର୍ଷାଋତୁରେ ବେଶି କଷ୍ଟ କରିବାକୁ ପଡ଼ି ନ ଥାଏ ସବୁଜିମାକୁ ହାତପାଆନ୍ତାରେ ପାଇବାକୁ। ବର୍ଷାଋତୁରେ ବନ ବିଭାଗ କର୍ମଚାରୀମାନେ ବିଭିନ୍ନ ଚାରା ବଣ୍ଟନ କରିଥାନ୍ତି। ଫଳ ଫୁଲ, କାଠ, ଶୋଭାବର୍ଦ୍ଧନକାରୀ ଫୁଲଗଛ। ୟୁକାଲ୍ପଟାସ, ଝାଉଁ, ଦେବଦାରୁ ଲଗାଯାଏ। ସ୍କୁଲ କଲେଜରେ ମଧ୍ୟ ସଚେତନ କରାଯାଇ ବୃକ୍ଷର ଗୁରୁତ୍ୱ ବିଷୟରେ ସେମିନାର କରାଯାଏ। ମୌସୁମୀ ବର୍ଷା ମାଟିକୁ ଭିଜାଇ ପରିବେଶରେ ଶୀତଳତା ଆଣିଥାଏ। ଆଉ ଏହି ସ୍ନିଗ୍ଧ ପରିବେଶରେ ରାସ୍ତାକଡ଼, ସମୁଦ୍ରକୂଳ, ସ୍କୁଲ୍, ଅଫିସ୍, ଗୃହ ହତା, କ୍ଲବ, ପାର୍କମାନଙ୍କରେ ଚାରା ଗଛ ଲଗାଇ ଜନଜାଗରଣ ସୃଷ୍ଟି କରାଯାଏ।ବର ଓସ୍ତ ଗଛକୁ ଯଥାସମ୍ଭବ ସବୁସ୍ଥାନରେ ଲଗାଇବା ଦରକାର। ଆମ୍ବ, ପଣସ, ଜାମୁ, ଚାକୁଣ୍ଡା ତୋଟାମାନଙ୍କରେ ଲଗାଇବା ଦରକାର। ଗୃହ ପରିବେଶରେ ଫୁଲ ଓ ଫଳଗଛ ଲଗାଇବା ଦରକାର, ଯାହାଦ୍ୱାରା ଛାଇ ପାଇବା ସହ ଠିକ୍ ଭାବରେ ରକ୍ଷଣାବେକ୍ଷଣ କରିପାରିବା।ଜାତୀୟ ଜଙ୍ଗଲ ନୀତି ଅନୁଯାୟୀ, ଆମ ଦେଶରେ ୩୩.୩ ଭାଗ ଜଙ୍ଗଲ ରହିବା କଥା କିନ୍ତୁ ରହିଛି ତା’ଠାରୁ ଯଥେଷ୍ଟ କମ୍। ଫଳରେ ଉତ୍ତପ୍ତ ବସୁଧାରେ ଦିନକୁ ଦିନ ଅସହ୍ୟ ହେଲାଣି ବଞ୍ଚତ୍ବା। ଉତ୍କଟ ଜଳାଭାବ ଦେଖାଗଲାଣି ଚତୁର୍ଦିଗ।ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବୃକ୍ଷରୋପଣ ଉପରେ ପ୍ରାଧାନ୍ୟ ଦେଇଥିଲେ। ସେ କହିଥିଲେ, ଖାଲି ସରକାରୀସ୍ତରରେ ବନୀକରଣ ସମ୍ଭବ ନୁହେଁ, ଏଥିପାଇଁ ଜନ ଜାଗରଣ ଦରକାର। ୧୯୫୦ ମସିହାରେ ତତ୍କାଳୀନ କୃଷିମନ୍ତ୍ରୀ କେ.ଏମ୍. ମୁନ୍ସୀ ଏକ
ଜାତୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସେବେଠାରୁ ବୃକ୍ଷରୋପଣର ଗୁରୁତ୍ୱ ବଢିଛି। ସ୍କୁଲ, କଲେଜ, ସରକାରୀ, ବେସରକାରୀ ପ୍ରତିଷ୍ଠାନ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ରାସ୍ତାଘାଟ, ହତାବାଡ଼ି, ଖୋଲାସ୍ଥାନରେ ପ୍ରତିବର୍ଷ ବୃକ୍ଷରୋପଣ କରାଯାଇଆସୁଅଛି।ମାନବ ସମାଜ ବଞ୍ଚତ୍ରହିବା ପାଇଁ ବୃକ୍ଷ ରୋପଣ ସହ ବୃକ୍ଷ ପାଳନ ଉଭୟର ଆବଶ୍ୟକତା ରହିଛି। ଏହା ଏକ ପୁଣ୍ୟ କାମ, ଏ କଥା ସମସ୍ତେ ବୁଝିବାର ସମୟ ଆସିଛି। ୧୯୯୯ର ବାତ୍ୟା ଓ ଫନୀ ବାତ୍ୟାରେ ଯେତେ ଗଛ ଉପୁଡ଼ିଯାଇଛି ତା’ର ଭରଣା ହୋଇପାରିନାହିଁ। ମାଟି, ପାଣି, ପବନ ପରି ବୃକ୍ଷ ଆମର ପରମ ବନ୍ଧୁ। ମଣିଷ ଧୋକାଦିଏ, ମନରେ ଦୁଃଖ ଦିଏ, କିନ୍ତୁ ଗଛ ଆପଣଙ୍କ ଭଲ ପାଇବା, ଯତ୍ନକୁ ବୁଝି ଶ୍ୟାମଳ ରଙ୍ଗରେ ହସିଉଠେ। ଫଳ ଫୁଲ, ଜାଳେଣି, ଗୃହ ସଜ୍ଜୀକରଣ ପାଇଁ କାଠ ଦେଇ, ପ୍ରଦୂଷଣମୁକ୍ତ ପରିବେଶ ଦେଇଥାଏ ।ସକ୍ରେଟିସ୍ଙ୍କ ମତରେ ବୃକ୍ଷରୁ ଜଳ, ଜଳରୁ ଶସ୍ୟ, ଶସ୍ୟ ହିଁ ଜୀବନ ଅର୍ଥାତ୍ ବୃକ୍ଷ ଥିଲେ ବର୍ଷା ହୁଏ, ବର୍ଷା ହେଲେ ଶସ୍ୟ ହୁଏ, ଆଉ ଶସ୍ୟ ହିଁ ଜୀବନ ରକ୍ଷା କରିଥାଏ। ମଣିଷର ଅର୍ଥନୈତିକ, ସାମାଜିକ ମାନଦଣ୍ଡକୁ ବଢ଼ାଇଥାଏ ଏ କଥାକୁ ସମସ୍ତେ ହୃଦୟଙ୍ଗମ କରିବା, ଗଛ ଲଗାଇବା ଆଉ ଦିନେ ସେହି ଗଛ ଡାଳରେ ଚଢ଼େଇର ସଙ୍ଗୀତ ଶୁଣିବା, ବାୟା ଚଢ଼େଇର ବସା ଦେଖିବା ପ୍ରକୃତିର ସବୁଜିମାକୁ ଉପଭୋଗ କରିବା ।
