ସ୍ୱତନ୍ତ୍ର ଓଡ଼ିଶାର ବିନ୍ଧାଣି ମହାରାଜା କୃଷ୍ଣଚନ୍ଦ୍ର ଗଜପତି: ଏକ ଶ୍ରଦ୍ଧାଞ୍ଜଳି

ସ୍ୱତନ୍ତ୍ର ଓଡ଼ିଶାର ବିନ୍ଧାଣି ମହାରାଜା କୃଷ୍ଣଚନ୍ଦ୍ର ଗଜପତି: ଏକ ଶ୍ରଦ୍ଧାଞ୍ଜଳି

କୃଷ୍ଣଚନ୍ଦ୍ର ଗଜପତି

ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ତଥା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ(୧୯୩୭), ଅକଳ୍ପନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ( ୨୬-୦୪- ୧୮୯୨- ୨୫-୦୫-୧୯୭୪)ଙ୍କ ୧୩୫ ତମ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି।‌ ବିଶେଷ କରି ୧୯୧୩ ମସିହା, ଆଜିର ଦିନରେ ୨୧ ବର୍ଷ ପୂରଣ କରି ୨୨ ବର୍ଷରେ ପଦାର୍ପଣ କରିବାର ଶୁଭ ଅବକାଶରେ , ଅର୍ଥାତ୍ ନିଜ ଜନ୍ମ ଦିନରେ ସେ ସିଂହାସନ ଆରୋହଣ କରି ରାଜ୍ୟାଭିଷେକ ହେବା ପରେ ପାଞ୍ଚୋଟି କାର୍ଯ୍ୟ କରିବା ପାଇଁ ଶପଥ ଗ୍ରହଣ କରିଥିଲେ ଓ ପରବର୍ତ୍ତୀ ଜୀବନରେ ଏହି ସର୍ତ୍ତ ଗୁଡିକୁ ପାଳନ କରିଥିଲେ । ସେହି ସର୍ତ୍ତ ଥିଲା –
୧-ପିତାଙ୍କ ସଂରକ୍ଷିତ ରାଜକୋଷ (୨୫ ଲକ୍ଷ ଟଙ୍କା)ରୁ ନିଜ ସୁଖ ସ୍ୱାଚ୍ଛନ୍ଦ୍ୟ ନିମନ୍ତେ ଗୋଟିଏ ବି ଟଙ୍କା ଖର୍ଚ୍ଚ କରିବେ ନାହିଁ
୨- ସେହି ଗଚ୍ଛିତ ଧନ କେବଳ ଦେଶୋପକାରରେ ଲାଗିବ ।
୩- ପୂର୍ବପୁରୁଷଙ୍କଦ୍ୱାରା ନିର୍ମିତ କୀର୍ତ୍ତିମାଳାର ଉନ୍ନତି ସାଧନ,
୪-ପ୍ରଜାମଙ୍ଗଳ ନିମନ୍ତେ ଲୋକହିତକର କାର୍ଯ୍ୟ କରିବା
୫-ପଦବ୍ରଜରେ ଯାଇ ବ୍ରହ୍ମକପାଳରେ ପିତା ଓ ପ୍ରପିତାମହଙ୍କୁ ପିଣ୍ଡ ଦେବେ ଓ ସ୍କଟଲ୍ୟାଣ୍ଡର ବନାନୀ ମଧ୍ୟରେ ପଶୁ ଶିକାର କରିବେ । ତାହା ସବୁ ପାଳନ କରିଥିଲେ ।ରାଜା ଗୌରଚନ୍ଦ୍ର ଦେବ (ଦ୍ୱିତୀୟ) ଓ ରାଣୀ ବିଷ୍ଣୁପ୍ରିୟା ଦେବୀଙ୍କର ଜ୍ୟେଷ୍ଠ ପୁତ୍ର ରୂପେ କୃଷ୍ଣଚନ୍ଦ୍ର ୧୮୯୨ ମସିହା ଅପ୍ରେଲ ମାସ ୨୬ତାରିଖ, ବୈଶାଖ ମାସ ଅମାବାସ୍ୟା ଦିନ ପାରଳାଖେମୁଣ୍ଡି ଠାରେ ଜନ୍ମ ଗ୍ରହଣ କରିଥିଲେ । ପିତା ଗୌରଚନ୍ଦ୍ର ଗଜପତି ଓ ପିତୃବ୍ୟ ପଦ୍ମନାଭ ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ ଓ ମି.ଏଡମଣ୍ଡକ୍ୟାଣ୍ଡଲର ଗୃହଶିକ୍ଷକଙ୍କ ଦାୟିତ୍ୱରେ ସେ ବାଲ୍ୟଶିକ୍ଷା ସମାପ୍ତ କରିଥିଲେ । ପ୍ରାଥମିକ ଶିକ୍ଷା ଶେଷ ହେବା ପରେ ଉଚ୍ଚଶିକ୍ଷା ପାଇଁ ସେ ତତ୍କାଳୀନ ମାନ୍ଦ୍ରାଜ ଗଲେ । ଅଧ୍ୟକ୍ଷ ମରିସନ୍ ସାହେବ ଓ ଅଧ୍ୟାପକ ମି.ଡି.ଲାହେ, ନିଉଲଣ୍ଡନ କଲେଜରେ ତାଙ୍କର ଶିକ୍ଷକ ଥିଲେ । ମାନ୍ଦ୍ରାଜରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କ ପିତା ଗୌରଚନ୍ଦ୍ର ନାରାୟଣ ଦେବଙ୍କର ସ୍ୱର୍ଗବାସ ହୋଇଥିଲା । ନିଉଙ୍ଗଟନ ପ୍ରିନ୍ସ କଲେଜରୁ ପାଠପଢା ଶେଷ ପରେ କୃଷ୍ଣଚନ୍ଦ୍ର ୧୯୧୩ ମସିହାରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରି ଖରସୁଆଁ ରାଜ୍ୟର ରାଜଜେମା ନଳିନୀ ଦେବୀଙ୍କୁ ବିବାହ କରିଥିଲେ ଓ ଶାସନ ଭାର ଗ୍ରହଣ କରିଥିଲେ । ସେତେବେଳେ ସେ ଓଡ଼ିଶାର ଦକ୍ଷିଣାଞ୍ଚଳର ପ୍ରଥମ ସ୍ନାତକ ହୋଇଥିଲେ । କଲେଜରେ ପଢ଼ିଲାବେଳେ କିଶୋର କୃଷ୍ଣଚନ୍ଦ୍ର ସର୍ବଦା ପାରଳାଖେମୁଣ୍ଡି ଏବଂ ଓଡ଼ିଆ ଜାତିର ଉନ୍ନତି ବିଷୟରେ ଚିନ୍ତା କରୁଥିଲେ । ଏଣେ କୋର୍ଟ ଅଫ ବର୍ଡସଙ୍କ ପ୍ରରୋଚନାରେ କୃଷ୍ଣଚନ୍ଦ୍ରଙ୍କର ପିତୃବ୍ୟ ପଦ୍ମନାଭ ଗଜପତି ପାରଳାଖେମୁଣ୍ଡିରେ ପ୍ରତିଷ୍ଠା କରିଥିବା ମହାବିଦ୍ୟାଳୟକୁ ଖର୍ଚ୍ଚ କାଟ କରିବା ଆଳରେ ଉଠାଇଦେବାକୁ ମସୁଧା କରିବା ଜାଣି କୃଷ୍ଣଚନ୍ଦ୍ର ଏହାର ଘୋର ବିରୋଧ କରିଥିଲେ । ଫଳରେ ସେହି କଲେଜ ନ ଉଠି ରହିଗଲା । ତାଙ୍କର ବିବାହ ଉତ୍ସବ ପାଳନ ଅବସରରେ ବିଶ୍ବମଣି ଗୋପବନ୍ଧୁ ଦାସଙ୍କଦ୍ୱାରା ସ୍ଥାପିତ ସତ୍ୟବାଦୀ ବନବିଦ୍ୟାଳୟର ଏକ ଛାତ୍ରାବାସ ନିର୍ମାଣ ଲାଗି ପାଞ୍ଚଶହ ଟଙ୍କା ଦାନକରିଥିଲେ । ଏହି ଅର୍ଥ ପାଇବା ପରେ ଗୋପବନ୍ଧୁ ଦାସ କୃଷ୍ଣଚନ୍ଦ୍ରଙ୍କୁ ଆଶୀର୍ବାଦ ଜଣାଇ ଏକ ପତ୍ର ଲେଖିଥିଲେ । ତା’ଛଡା ଓଡ଼ିଆ ସାହିତ୍ୟର ବିକାଶ ଲାଗି ଉତ୍କଳ ସାହିତ୍ୟ ସମାଜକୁ ଏକଶତ ଟଙ୍କା ଦାନ କରିଥିଲେ । ତାଙ୍କ ମତରେ ରାଜ୍ୟ ତଥା ଓଡ଼ିଶାରୁ ଅଜ୍ଞାନ ଅନ୍ଧକାର ଦୂରୀଭୂତ ହୋଇପାରିଲେ ଜନସାଧାରଣଙ୍କ ଆର୍ଥିକ, ମାନସିକ, ସାମୂହିକ ଉନ୍ନତି ସାଧିତ ହୋଇପାରିବ । ଶିକ୍ଷାର ବିକାଶ ପାଇଁ ସେ ଗୁଡ଼ିଏ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ଥାପନ କରିଥିଲେ । ମେଧାବୀ ଛାତ୍ରଙ୍କୁ ବୃତ୍ତି ଏବଂ ଗରିବ ଛାତ୍ରଙ୍କୁ ବିଦ୍ୟାଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ । ଭାରତ ଗୌରବ ମଧୂସୁଦନ ଦାସଙ୍କ ନାରିଶିକ୍ଷା ପ୍ରତି ଗୁରୁତ୍ୱଦେଇ କୃଷ୍ଣଚନ୍ଦ୍ର ପାରଳାଖେମୁଣ୍ଡିରେ ଏକ ବାଳିକା ବିଦ୍ୟାଳୟ ସ୍ଥାପନ କରିଥିଲେ । ସେତେବେଳେ ବାଲ୍ୟବିବାହ ପ୍ରଚଳିତ ଥିଲା ,ବହୁ ଅପ୍ରାପ୍ତବୟସ୍କା ବାଳିକା ବିବାହ କରି ଅକାଳ ବୈଧବ୍ୟ ଯୋଗୁ ଦୁଃଖରେ କାଳତିପାତ କରୁଥିଲେ । ପାରଳାରେ ସଙ୍ଗୀତଜ୍ଞ ବୃନ୍ଦାବନ ପାଣିଗ୍ରାହୀଙ୍କ ଝିଅ ପାଖ ପଡିଶାର ଝିଅମାନଙ୍କୁ ଡାକି ଆଣି ନିଜ ଘରେ ପାଠ ପଢ଼ାଉଥିବା ଖବର ରାଜା କୃଷ୍ଣଚନ୍ଦ୍ରଙ୍କ କର୍ଣ୍ଣଗୋଚର ହେବାମାତ୍ରେ ସେଥିଲାଗି ସେ ଗୋଟିଏ କୋଠାଘର ଯୋଗାଇ ଦେଇ ସେଠାରେ ବାଳିକା ବିଦ୍ୟାଳୟ ଆରମ୍ଭ କରିଥିଲେ । ପ୍ରତିବର୍ଷ ପାଠପଢ଼ାରେ ଭଲ କରୁଥିବା ଝିଅମାନଙ୍କୁ ସୁନା ଓ ରୂପା ଗହଣା ସହିତ ଶାଢୀ ପୁରସ୍କାର ଦେଉଥିଲେ । ଫଳରେ ବାଳିକା ସଂଖ୍ୟା ବୃଦ୍ଧି ପାଇଲା ଓ କ୍ରମଶଃ ଏହା ପାରଳାଖେମୁଣ୍ଡିର ପ୍ରଥମ ବାଳିକା ଉଚ୍ଚବିଦ୍ୟାଳୟରେ ପରିଣତ ହେଲା । ପିତୃବ୍ୟ ପଦ୍ମନାଭ ଗଜପତିଙ୍କ ନାମରେ ପଦ୍ମନାଭ ଛାତ୍ରବୃତ୍ତି ଫଣ୍ଡ ଗଠନ କରିଥିଲେ । ସେହି ଫଣ୍ଡରୁ କଲେଜରେ ପଢୁଥିବା ଛାତ୍ରମାନଙ୍କ ପାଇଁ ଛାତ୍ରାବାସ ନିର୍ମାଣ କରାଇ ସେମାନଙ୍କ ଲାଗି ମାଗଣାରେ ଖାଇବା ଓ ରହିବାର ବ୍ୟବସ୍ଥା ହୋଇଥିଲା । ନିଜ ରାଜ୍ୟରେ ଶିକ୍ଷାର ବିସ୍ତାର ଲାଗି ମୁକ୍ତହସ୍ତ ହୋଇ ପଡ଼ିଥିଲେ କୃଷ୍ଣଚନ୍ଦ୍ର । କଲେଜ ପାଠ ଶେଷ ହେବା ପରେ ଛାତ୍ରମାନଙ୍କୁ ମାସିକ ବୃତ୍ତିଦେଇ ଦେଶର ବିଭିନ୍ନ ପ୍ରଦେଶରେ ଥିବା କୃଷି, ଇଂଜିନିୟରିଂ, ମେଡିକାଲ, ପଶୁଚିକିତ୍ସା ବା ଅନ୍ୟାନ୍ୟ ବୈଷୟିକ ଶିକ୍ଷାୟତନମାନଙ୍କରେ ପଢ଼ିବାକୁ ପଠାଇ ଦିଆଯାଉଥିଲା । ମାନ୍ଦ୍ରାଜର ନିଉ ଉଇଙ୍ଗଟନ କଲେଜରେ ପଢିଲାବେଳେ ସେଠାକାର ଜଣେ ଅଧ୍ୟାପକ ମିଷ୍ଟର କାମେରାନ ମୋରିସନଙ୍କଦ୍ୱାରା ରାଜକୁମାର କୃଷ୍ଣଚନ୍ଦ୍ର ପ୍ରଭାବିତ ହୋଇଥିଲେ । ତେଣୁ ସେ ଗାଦିନସୀନ ହେବା ପରେ ପାରଳାଖେମୁଣ୍ଡି କଲେଜ ପରିସରରେ ଷାଠିଏ ହଜାର ଟଙ୍କା ଖର୍ଚ୍ଚ କରି ‘ମୋରିସନ ଏକ୍ସଟେନସନ’ ନାମରେ ଏକ ବ୍ଲକ ନିର୍ମାଣ କରାଇ ୧୯୧୬ ମସିହାରେ ଅଧ୍ୟାପକ ମୋରିସନ ସାହେବଙ୍କଦ୍ୱାରା ଉନ୍ମୋଚନ କରାଇଥିଲେ । ମହାରାଜାଙ୍କୁ ଖବର ମିଳିଲା ଯେ ଆର୍ତ୍ତତ୍ରାଣ ମିଶ୍ର ନାମକ ଜଣେ ସଂସ୍କୃତ ପଣ୍ଡିତ ତାଙ୍କ ନିଜର ବସାଘର ପିଣ୍ଡାରେ କେତେଜଣ ଛାତ୍ରଙ୍କୁ ସଂସ୍କୃତ ଶିକ୍ଷା ଦେଉଛନ୍ତି । ସେ ପଣ୍ଡିତ ମହାଶୟଙ୍କୁ ଡକାଇ ଏକ ସଂସ୍କୃତ ଶିକ୍ଷାୟତନ ଖୋଲିବାକୁ ଅନୁରୋଧ କଲେ । ସେଥିଲାଗି କୋଠା ଘର ଯୋଗାଇଦିଆଗଲା ଓ ଛାତ୍ରମାନେ ସେଠାରେ ରହି ସଂସ୍କୃତ ପଢ଼ିଲାବେଳେ ପ୍ରତି ଛାତ୍ରକୁ ମାସକୁ ପାଞ୍ଚ ଟଙ୍କା ଓ ସାତ ମାଣ ଚାଉଳ ଦିଆଯାଉଥିଲା । ସେହି ସମୟରେ ଏହି ସାହାଯ୍ୟ କିଛି କମ ନଥିଲା । ପରବର୍ତ୍ତୀ ସମୟରେ ପାରଳାଖେମୁଣ୍ଡି ସଂସ୍କୃତ କଲେଜ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରୁ ସ୍ୱୀକୃତିପ୍ରାପ୍ତ ହୋଇଥିଲା । କୃଷ୍ଣଚନ୍ଦ୍ରଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ଓଡ଼ିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିକାଶ ଘଟାଇ ଏକ ବିଶ୍ୱ ବିଦ୍ୟାଳୟ ସ୍ଥାପନ କରିବା । ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିଥିଲେ । ଶିକ୍ଷା ବିଭାଗରେ କାର୍ଯ୍ୟରତ ସଚିବ ରେଭେନ୍ସା କଲେଜର ଅଧ୍ୟକ୍ଷ ଏସସି ତ୍ରିପାଠୀଙ୍କ ସମେତ କଟକ ଟ୍ରେନିଂ କଲେଜ ଅଧ୍ୟକ୍ଷ ମହେଶ ଚନ୍ଦ୍ର ପ୍ରଧାନ, ଖାଲ୍ଲିକୋଟ କଲେଜର ଅଧ୍ୟକ୍ଷ ପି ମହାନ୍ତି, ପାରଳାଖେମୁଣ୍ଡି କଲେଜର ଅଧ୍ୟକ୍ଷ ପି ଜଗନ୍ନାଥ ସ୍ୱାମୀ ଓ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କୁ ନେଇ ଏହି କମିଟି ରିପୋର୍ଟ ଦାଖଲ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗଠନ କରିବାକୁ ନିଷ୍ପତି ନିଆଯାଇଥିଲା । ପଣ୍ଡିତ ଗୋପିନାଥ ନନ୍ଦଙ୍କ ସଙ୍କଳିତ ‘ଓଡ଼ିଆ ଶବ୍ଦତତ୍ତ୍ୱ ବୋଧ ଅଭିଧାନ’ ମୂଦ୍ରଣ କରାଇଥିଲେ । ଗବେଷକମାନଙ୍କ ପଠନ ନିମନ୍ତେ ନିଜ ରାଜ ଉଆସରେ ଏକ ବିରାଟ ପାଠାଗାରର ସ୍ଥାପନା କରିଥିଲେ । ସେ ସମୟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ବିଭିନ୍ନ ପ୍ରଶାସନିକ ଅଧିନରେ ରହିଥିଲା । ସମସ୍ତ ଓଡ଼ିଆ ଭାଷାଭାଷୀ ଲୋକ ଗୋଟିଏ ଅଞ୍ଚଳରେ ରହିଲେ, ଉନ୍ନତି ସମ୍ଭବ ବୋଲି କୃଷ୍ଣଚନ୍ଦ୍ର ଦେବ ହୃଦୟଙ୍ଗମ କରିପାରିଥିଲେ । ତଦନୁସାରେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ କାର୍ଯ୍ୟ କରିବାକୁ ସେ ଶପଥ ଗ୍ରହଣ କରିଥିଲେ । ପାରଳାଖେମୁଣ୍ଡିଠାରେ ୧୯୧୨ରେ ହୋଇଥିବା ଉତ୍କଳ ସମ୍ମିଳନୀରେ ସେ ଜଣେ ପୁରୋଧା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।୧୯୧୪ ମସିହା ଡିସେମ୍ବର ୨୭ ଓ ୨୮ ତାରିଖରେ ସେ ଦଶମ ଉତ୍କଳ ସମ୍ମିଳନୀ ପାରଳାଖେମୁଣ୍ଡିଠାରେ ଆହୂତ କରି ନିଜର କର୍ମକୁଶଳତା ଦେଖାଇଥିଲେ । ସେଠାରେ ପ୍ରଥମଥର ପାଇଁ ସେ ପୂର୍ଣ୍ଣାଙ୍ଗ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୂଳଭିତ୍ତି ପକାଇଥିଲେ । ଏହି ସମ୍ମିଳନୀର ପ୍ରାରମ୍ଭରେ କୃଷ୍ଣଚନ୍ଦ୍ର ଗଜପତି ଦୃଢ଼ତାର ସହିତ ପ୍ରସ୍ତାବ ଦେଇ କହିଲେ,”ଓଡ଼ିଆ ଭାଷାଭାଷୀଙ୍କୁ ଏକ ଶାସନାଧୀନ କରିବାପାଇଁ କେବଳ ଦାବି ନ କରି ସମଗ୍ର ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳକୁ ଏକତ୍ରୀତ କରି ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବି କରିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ।” କୃଷ୍ଣଚନ୍ଦ୍ରଙ୍କର ଏଇଭଳି ବଳିଷ୍ଠ ଓ ଅକାଟ୍ୟ ଯୁକ୍ତି ସମ୍ମିଳନୀର ନେତୃବର୍ଗ ଏପରିକି ବୟୋଜ୍ୟୋଷ୍ଠ ନେତା ମଧୁବାବୁଙ୍କୁ ମଧ୍ୟ ଚକିତ କରି ଦେଇଥିଲା ଏବଂ ଗଜପତିଙ୍କର ଏହି ବଜ୍ର ନିର୍ଘୋଷ ନିନାଦ ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ଶଶିଭୂଷଣ ରଥ ଓ ମଧୁସୂଦନ ଦାସ ଇତ୍ୟାଦିଙ୍କ ସମର୍ଥନ ପାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଏକ ପ୍ରସ୍ତାବ ଉତ୍କଳ ସମ୍ମିଳନୀରେ ଗୃହୀତ ହେଲା । ୧୯୧୭ ମସିହାରେ ମଣ୍ଟେଗୁ-ଚେମସ୍ ଫୋର୍ଡ କମିଟି ଭାଷାଭିତ୍ତିକ ପ୍ରଦେଶ ଗଠନ ସପକ୍ଷରେ ମତ ପ୍ରକାଶ କରିଥିଲେ । ଏ ସମ୍ପର୍କରେ ଉତ୍କଳର ସଦସ୍ୟଭାବେ କୃଷ୍ଣଚନ୍ଦ୍ର ଦିଲ୍ଲୀଠାରେ ମଣ୍ଟେଗୁଙ୍କ ସହିତ ସାକ୍ଷାତ କରିଥିଲେ । ୧୯୨୨ ମସିହାରେ ବିହାର-ଓଡ଼ିଶା ବ୍ୟବସ୍ଥାପକ ସଭାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣ ପାଇଁ ଏକ ସ୍ୱତନ୍ତ୍ର ପ୍ରସ୍ତାବ ଗୃହୀତ ହୋଇଥିଲା । ଫିଲିପ୍ ଡଫ୍ କମିଟି ବିଶାଖାପାଟଣା ଓ ଗଞ୍ଜାମ ଗସ୍ତ ବେଳେ ଗଜପତିଙ୍କ ସହିତ ସାକ୍ଷାତ କରିଥିଲେ । ୧୯୨୭ ମସିହାରେ ଭାରତରେ ଶାସନ ସଂସ୍କାର ପାଇଁ ବ୍ରିଟିଶ୍ ସରକାର ସାଇମନ୍ କମିଶନ୍ ନିଯୁକ୍ତି କରିଥିଲେ । ସମଗ୍ର ଦେଶ ସେତେବେଳେ ସାଇମନ୍ କମିଶନଙ୍କୁ ବାସନ୍ଦ କରିଥିଲେ , କିନ୍ତୁ ଓଡ଼ିଶାର ସ୍ୱାର୍ଥ ନିମନ୍ତେ ଗଜପତି ଓ ମଧୁ ବାବୁ ଅଣ୍ଟାଭିଡ଼ି ସାଇମନ୍ କମିଶନ ଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଆଗେଇ ଆସିଥିଲେ । ଯା’ଫଳରେ ଓଡ଼ିଶା କଥା ବିଚାର କରିବା ପାଇଁ ଅଟଲିଙ୍କ ଅଧ୍ୟକ୍ଷତାରେ ଏକ ସବ୍ କମିଟି ଗଠନ କରାଗଲା ଓ ସେହି କମିଟି ଓଡ଼ିଶା ପାଇଁ ଅନୁକୂଳ ମତ ପ୍ରକାଶ କଲେ । ପ୍ରଥମ ଗୋଲ ଟେବୁଲ ବୈଠକ (୧୯୩୦-୩୧) ଲଣ୍ଡନଠାରେ ଅନୁଷ୍ଠିତ ହେଲା । ବିହାର ଓ ଓଡ଼ିଶା ସରକାରଙ୍କ ତରଫରୁ କୃଷ୍ଣଚନ୍ଦ୍ର ଗଜପତି ମନୋନୀତ ସଭ୍ୟ ଭାବେ ଗୋଲ ଟେବୁଲ୍ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଓଡ଼ିଶାର ଦାବି ଉତ୍‌ଥାପନ କରି ଏକ ଐତିହାସିକ ଭାଷଣ ଦେଇ ବ୍ରିଟିଶ ସରକାରଙ୍କର ଦୃଷ୍ଟି ଆକର୍ଷଣ କରି କହିଥିଲେ,”ଆମେ ଚାହୁଁ ଭାଷା ଓ ଜାତି ସୂତ୍ରରେ ପ୍ରଦେଶ ଗଠନ । ଏକ କୋଟି ଓଡ଼ିଆଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଅନୁମତି ନଦେଇ ଆପଣମାନେ ଭାରତରେ ନୂତନ ଶାସନ ସଂସ୍କାର କରିପାରିବେ ନାହିଁ ।” ଏହି ମହାମନୀଷୀଙ୍କ ଯୁକ୍ତିଯୁକ୍ତ ବକ୍ତବ୍ୟ ଶୁଣି ଗୋଲ ଟେବୁଲ୍ ବୈଠକରେ ଉପସ୍ଥିତ ବ୍ରିଟିଶ ସରକାରଙ୍କର ପ୍ରତିନିଧି ମାନେ ସ୍ତବ୍ଧ ହୋଇଯାଇ ଥିଲେ ।ବିଲାତ ସରକାର ୧୯୩୧ ମସିହାରେ ଓଡ଼ନେଲ କମିଟି ବସାଇଲେ ଓ ଏହି କମିଟି ମୂଖ୍ୟତଃ ତିନୋଟି ବିଷୟ ପ୍ରତି ଧ୍ୟାନ ଦେଇଥିଲେ । ତନ୍ମଧ୍ୟରୁ ଗୋଟିଏ ଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସୀମା ନିର୍ଦ୍ଧାରଣ । ୧୯୩୨ ମସିହାରେ ଓଡ଼ନେଲ କମିଟି ରିପୋର୍ଟ ପ୍ରକାଶ ପାଇଲା । ଫିଲିପ୍ ଡଫ୍ କମିଟିର ଅନୁମୋଦନ ଲାଭକରି ୧୯୩୩ ମସିହାରେ ଏହି ବିଷୟ ଶ୍ୱେତପତ୍ରରେ ପ୍ରକାଶ ପାଇଲା । ଏହି ଶ୍ୱେତପତ୍ର ନୈରାଶ୍ୟଜନକ ଥିଲା । କାରଣ ପାରଳାଖେମୁଣ୍ଡି ଓ ଜୟପୁର ଜମିଦାରୀ ଏଥିରୁ ବାଦ୍ ପଡ଼ିଥିଲା । ମଧୁବାବୁଙ୍କ ନିବେଦନ କ୍ରମେ କୃଷ୍ଣଚନ୍ଦ୍ର ଜଏଣ୍ଟ ସିଲେକ୍ଟ କମିଟି ଆଗରେ ଏହି କଥା ଉପସ୍ଥାପନା କରିବା ନିମନ୍ତେ ବିଲାତ ଯାଇ ୧୯୩୪ରେ ପାରଳାଖେମୁଣ୍ଡିର ଓଡ଼ିଶାରେ ମିଶ୍ରଣ ପାଇଁ ଜଏଣ୍ଟ ପାର୍ଲାମେଣ୍ଟାରି କମିଟିଠାରେ ଆବେଦନ କରିଥିଲେ । ଏହି କମିଟିର ଅଧ୍ୟକ୍ଷ ଲର୍ଡ଼ ଲିନ୍‌ଲିଥ୍‌ଗୋ ଙ୍କୁ ପ୍ରଭାବିତ କରିପାରିଥିଲେ । ପରେ ଭାରତର ବଡ଼ଲାଟ ଲର୍ଡ଼ ଉଇଲିଂଡ଼ନ୍‌ଙ୍କୁ ପ୍ରଭାବିତ କରି ଓଡ଼ିଶା ସହିତ ପାରଳାଖେମୁଣ୍ଡି ଓ ଜୟପୁରକୁ ମିଶାଇବା ପାଇଁ ରାଜି କରାଇ ପାରିଥିଲେ । ତାଙ୍କ ସ୍ମାରକପତ୍ର ଅର୍ଥାତ୍ ମେମୋରେଣ୍ଡମ ରେ ଓଡ଼ିଶାସହିତପାରଳାଖେମୁଣ୍ଡିର ମିଶ୍ରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପାଇଁ ସ୍ପଷ୍ଟ ଦାବିକୁ ଅଗ୍ରାଧିକାର ଦେଇ ଇଂରେଜ ସରକାର ଏହାକୁ ଓଡ଼ିଶା ଅନ୍ତର୍ଗତ କରିଥିଲେ ଓ ୧୯୩୬ ମସିହା ମାର୍ଚ୍ଚ ୩ ତାରିଖ ରେ ୬ ଗୋଟି ଜିଲ୍ଲାକୁ ନେଇ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ମାନ୍ୟତା ଲାଭ କଲା ବୋଲି ରାଜପତ୍ର ( ବିଜ୍ଞପ୍ତି) ପ୍ରକାଶ ପାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ସେ ତିନିଥର ଲଣ୍ଡନ ଯାଇଥିଲେ । ଶୁଣାଯାଏ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସ୍ୱତନ୍ତ୍ର ଉତ୍କଳ ଗଠନ ନେଇ ବାରମ୍ବାର ଲଣ୍ଡନ ଯିବାଫଳରେ ସେ ଅର୍ଥନୈତିକ ଚାପରେ ପଡ଼ି ରାଜପ୍ରସାଦର ବହୁ ମୂଲ୍ୟବାନ ଅଳଙ୍କାର ପ୍ରଜାଙ୍କ ମଙ୍ଗଳପାଇଁ ବିକ୍ରି କରିଥିଲେ । ନିଜ ଶାସନ କାଳରେ ସେ ନିଜ ରାଜ୍ୟ ଭିତର ଦେଇ ନୂଆପଡ଼ା-ପାରଳା ଖେମୁଣ୍ଡି ରେଳପଥକୁ ଗୁଣୁପୁର ଯାଏ ସମ୍ପ୍ରସାରିତ କରିଥିଲେ । କୃଷି ଓ ଶିଳ୍ପ ପାଇଁ ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ । ଧାନ କଳ, ତେଲ କଳ ଏବଂ ଲୁହା କାରଖାନା ବସାଇଥିଲେ । ରାଜ୍ୟରେ ଜଳ ସେଚନର ସୁବିଧା ପାଇଁ ନଳିନୀ କୃଷ୍ଣ ସାଗର କାଶୀ ନଗରଠାରେ ଖୋଳାଇ ଥିଲେ ,ସାହିତ୍ୟ ଗବେଷଣା ପାଇଁ ଗୋପୀନାଥ ନନ୍ଦ ଓ ଗୋପାଳ ପ୍ରହରାଜଙ୍କ ଭଳି ଗବେଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ବ୍ରିଟିଶ ସଂସଦ (ପର୍ଲ୍ୟାମେଣ୍ଟ)ରେ ୧୯୩୫ ମସିହା ଭାରତ ଆଇନ ସଂଶୋଧନ ହୋଇ ସମଗ୍ର ଭାରତୀୟ ଉପମହାଦେଶକୁ ୧୧ଟି ପ୍ରଦେଶରେ ବିଭକ୍ତ କରାଗଲା । ପ୍ରତି ପ୍ରଦେଶର ବିଧାନ ସଭା ପାଇଁ ନିର୍ବାଚନ ହେଲା । ଓଡ଼ିଶା ବିଧାନ ସଭାରେ ୬୦ଟି ଆସନରୁ ୩୬ଟି ଆସନ କଂଗ୍ରେସ ଦଳ ହାତରେ ଥିବା ସ୍ଥଳେ କୃଷ୍ଣଚନ୍ଦ୍ରଙ୍କ ଦ୍ବାରା ଗଠିତ ଓଡ଼ିଶା ଜାତୀୟ ଦଳ ହାତରେ ୨୪ଟି ଆସନ ଥିଲା । ତେଣୁ ସଂଖ୍ୟା ଗରିଷ୍ଠ କଂଗ୍ରେସ ଦଳ ମନ୍ତ୍ରିମଣ୍ଡଳ ଗଠନ କରିବା କଥା ମାତ୍ର ତତ୍କାଲିନ ରାଜ୍ୟପାଳମାନଙ୍କ ସ୍ୱତନ୍ତ୍ର କ୍ଷମତାକୁ ବିରୋଧ କରି କୌଣସି ରାଜ୍ୟରେ କଂଗ୍ରେସ ଦଳ କୌଣସି ରାଜ୍ୟରେ ଶାସନ ଦାୟିତ୍ୱ ନେଲେ ନାହିଁ । ୧୯୩୭ ମସିହା ଏପ୍ରିଲ୍ ମାସ ୧ ତାରିଖରେ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ସାର୍ ଜନ ଅଷ୍ଟିନ ହବାକ ଗଜପତି କୃଷ୍ଣଚନ୍ଦ୍ର ଦେବଙ୍କୁ ନେତା ରୂପେ ନିର୍ବାଚିତ କରି ପ୍ରଥମ ମନ୍ତ୍ରିମଣ୍ଡଳ ଗଠନ କରିବାପାଇଁ ନିମନ୍ତ୍ରଣ କଲେ । ତେଣୁ ଗୋରାଚାନ୍ଦ ପଟ୍ଟନାୟକ ଓ ଲତିଫୁର ରହମାନଙ୍କୁ ସଦସ୍ୟ ଭାବରେ ନେଇ ମନ୍ତ୍ରିମଣ୍ଡଳ ଗଠନ କରି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୧୯୩୭ ମସିହା ଏପ୍ରିଲ ପହିଲାରୁ ଜୁଲାଇ ମାସ ଅଠର ତାରିଖ ପର୍ଯ୍ୟନ୍ତ ଶାସନ କାର୍ଯ୍ୟ ପରିଚାଳନା କଲେ ଏବଂ ପରେ ୧୯୪୧ ମସିହା ନଭେମ୍ବର ମାସ ଠାରୁ ୧୯୪୪ ମସିହା ଜୁନ ମାସ ପର୍ଯ୍ୟନ୍ତ ତୃତୀୟ ମନ୍ତ୍ରିମଣ୍ଡଳରେ ପୁନର୍ବାର ପ୍ରଧାନମନ୍ତ୍ରୀ ରୂପେ ଯୋଗଦେଇ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ସମଗ୍ର ଦେଶରେ ସେ ହିଁ ଏକମାତ୍ର ରାଜ୍ୟ ପ୍ରଧାନମନ୍ତ୍ରୀ, ଯିଏ ଯୋଜନା ବୋର୍ଡ ଗଠନ କରିଥିଲେ । ପଣ୍ଡିତ ଗୋଦାବରୀଶ ମିଶ୍ର ତାଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ଉତ୍କଳବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ବିଦ୍ୟାଧରପୁର ଠାରେ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା , ଜୁନ ୧ ତାରିଖ,୧୯୪୪ ମସିହାରେ କଟକ ମେଡିକାଲ ସ୍କୁଲ କୁ ମେଡିକାଲ କଲେଜରେ ପରିବର୍ତ୍ତିତ କରିବା, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା ପ୍ରଭୃତି ତାଙ୍କର ମହନୀୟ ଅବଦାନକୁ ଏ ଜାତି ଭୁଲି ପାରେନା । ତାଙ୍କର ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି ପୁନଃ କୋଟି କୋଟି ପ୍ରଣାମ ଜଣାଉଛି । “ବନ୍ଦେ ଉତ୍କଳ ଜନନୀ”,ଶୁଭ ସକାଳ ବନ୍ଧୁ ବର୍ଗ ।

ଆଜିର କାର୍ଯ୍ୟକ୍ରମ

ଓଡ଼ିଆ ଜାତିର ଅସ୍ମିତା, ସ୍ୱାଭିମାନ ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ମୁଖ୍ୟ ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜନ୍ମ ଜୟନ୍ତୀ ଆଜି ରାଜ୍ୟବ୍ୟାପୀ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଆଧୁନିକ ଓଡ଼ିଶାର ଭିତ୍ତିଭୂମି ସ୍ଥାପନ କରିବାରେ ତାଙ୍କର ଯେଉଁ ଅତୁଳନୀୟ ତ୍ୟାଗ ରହିଛି, ତାହା ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ। ତାଙ୍କରି ସ୍ମୃତି ଚାରଣ ପାଇଁ ଆଜି ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଲୋକ ସଂପର୍କ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏଜି ଛକରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ସାଂସଦ ପ୍ରଦୀପ ପାଣିଗ୍ରାହୀ, ଗଜପତି ବିକାଶ ମଞ୍ଚର ପ୍ରତିନିଧି, ସାମ୍ବାଦିକ ଏବଂ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ମହାରାଜାଙ୍କୁ ସ୍ମରଣ କରିଥିଲେ। ଏହି ସ୍ମୃତି ସଭାରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିଛନ୍ତି। ସେ ଦାବି କରିଛନ୍ତି ଯେ, ଆଗାମୀ ପିଢ଼ି ଯେପରି ଓଡ଼ିଶାର ଏହି ମହାନାୟକଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ପାଇପାରିବେ, ସେଥିପାଇଁ ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ମହାରାଜାଙ୍କ ଜୀବନୀ ଓ କାର୍ଯ୍ୟାବଳୀକୁ ସ୍ଥାନ ଦେବା ଉଚିତ।

ବାଚସ୍ପତି ଶ୍ରୀମତୀ ପାଢ଼ୀ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ମହାରାଜା ଜଣେ କେବଳ ଶାସକ ନଥିଲେ, ବରଂ ଜଣେ ମହାନ ଦେଶଭକ୍ତ ଓ ସଂସ୍କାରକ ଥିଲେ। ତାଙ୍କର ଜୀବନ ଆଦର୍ଶ ଆଜିର ଯୁବପିଢ଼ି ପାଇଁ ଏକ ଅକ୍ଷୟ ପ୍ରେରଣାର ଉତ୍ସ। ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲି ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ସମସ୍ତେ ପ୍ରତିବଦ୍ଧ ହେବା ଆବଶ୍ୟକ।

ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ପାରଳା ମହାରାଜାଙ୍କ ସଂଗ୍ରାମ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ପାରଳାଖେମୁଣ୍ଡିଠାରେ ଉତ୍କଳ ସମ୍ମିଳନୀର ୧୦ମ ବୈଠକ ଆୟୋଜନ କରି ସେ ବିଭିନ୍ନ ଅଞ୍ଚଳରେ ବିକ୍ଷିପ୍ତ ହୋଇ ରହିଥିବା ଓଡ଼ିଆଭାଷୀ ଅଞ୍ଚଳକୁ ଏକାଠି କରିବା ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ମାନ୍ୟତା ପାଇବା ପରେ, ୧୯୩୭ରେ ସେ ରାଜ୍ୟର ପ୍ରଥମ ପ୍ରଧାନମନ୍ତ୍ରୀ (ସେତେବେଳର ମୁଖ୍ୟମନ୍ତ୍ରୀ ପଦ) ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଶାସନ କ୍ଷମତାରେ ଥିବା ସମୟରେ ସେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କୃଷିକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥିଲେ। ଓଡ଼ିଶାରେ କୃଷି ବିଶ୍ୱବିଦ୍ୟାଳୟ, କଟକର ମେଡିକାଲ କଲେଜ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ରାଜ୍ୟକୁ ଆଗକୁ ନେଇଥିଲା।

“ମହାରାଜାଙ୍କ ସ୍ୱପ୍ନର ଓଡ଼ିଶା ଗଠନ କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରେଷ୍ଠ ସମ୍ମାନ।” ତାଙ୍କର ନିସ୍ୱାର୍ଥପର ସେବା ଓ ଓଡ଼ିଆ ଜାତି ପ୍ରତି ଥିବା ମମତା ଆମକୁ ସବୁଦା ପ୍ରେରଣା ଦେଉଥିବ। ଆଜିର ଦିନରେ ଆମେ ସମସ୍ତେ ମିଶି ଏକ ସୁନ୍ଦର ଓ ପ୍ରଗତିଶୀଳ ଓଡ଼ିଶା ଗଠନର ସଂକଳ୍ପ ନେବା ହିଁ ମହାରାଜାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

Posted in Uncategorized.