ଭୀଷଣ ଗ୍ରୀଷ୍ମ ପ୍ରବାହ ଲଗାତାର ଜାରି ରହିଛି। ଦେଶରେ ରବିବାର ସର୍ବାଧିକ ତାପମାତ୍ରା ୪୩.୭ ଡିଗ୍ରି ଓ ସର୍ବନିମ୍ନ ୨୭ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ୨୫ ମେ ସୋମବାର ସୂର୍ଯ୍ୟ ରୋହିଣୀ ନକ୍ଷତ୍ରକୁ ପ୍ରବେଶ ସହ ‘ନୌତପା’ ଆରମ୍ଭ ହେବ, ଫଳରେ ଗ୍ରୀଷ୍ମରେ ତାପମାତ୍ରା ବଢିବ। ତେବେ ଭାରତୀୟ ପାଣିପାଗ ବିଜ୍ଞାନବିଭାଗଙ୍କ ପୂର୍ବାନୁମାନ ଅନୁସାରେ ଏହି ସମୟରେ ଦେଶର ସର୍ବାଧିକ ତାପମାତ୍ରା ୪୬ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚି ପାରେ। ହେଲେ ଏବେ ଭୀଷଣ ତାତି ଓ ଏଥିରେ ହେଉଥିବା ଗୁଳଗୁଳି ଏବେ ଲୋକଙ୍କୁ ବେହାଲ କରିଦେଇଛି।
ନୌତପା କ’ଣ?
ନୌତପାର ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି। ଏହି ଅବଧିରେ ସୂର୍ଯ୍ୟଙ୍କ କିରଣ ସିଧା ପୃଥିବୀ ଉପରେ ପଡିଥାଏ। ଏଣୁ ଅତ୍ୟାଧିକ ତାପମାତ୍ରା ସହ ହିଟୱେଭ୍ ପ୍ରକୋପ ବଢିଥାଏ। ଜ୍ୟୋତିଷୀୟ ମହତ୍ୱ ଅନୁସାରେ ଯେତେବେଳେ ସୂର୍ଯ୍ୟ ବୃଷଭ ରାଶିରେ ଭ୍ରମଣ କରି ରୋହିଣୀ ନକ୍ଷତ୍ରରେ ପ୍ରବେଶ କରନ୍ତି ଏହାର ପ୍ରାରମ୍ଭିକ ୯ ଦିନକୁ ନୌତପା କୁହାଯାଏ। ରୋହିଣୀ ନକ୍ଷତ୍ରର ସ୍ୱାମୀ ଚନ୍ଦ୍ରମା (ଶୀତଳତାର ପ୍ରତୀକ), ଯେତେବେଳେ ସୂର୍ଯ୍ୟ(ଅଗ୍ନି ତତ୍ତ୍ୱ) ନକ୍ଷତ୍ରକୁ ପ୍ରବେଶ କରେ ସେତେବେଳେ ଚନ୍ଦ୍ରମାଙ୍କ ଶୀତଳତାକୁ ଅବଶୋଷ କରି ନିଅନ୍ତି। ଏଣୁ ପୃଥିବୀରେ ତାପମାତ୍ରା ଚରମରେ ପହଞ୍ଚି ଯାଏ।
ବୈଜ୍ଞାନିକ କାରଣ
ଖଗୋଳିୟ ରୂପେ ଏହି ସମୟରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧରେ କର୍କଟ ରେଖାର ଠିକ ଉପର ଆଡକୁ ଅଗ୍ରସର ହେଉଥାନ୍ତି। ଏହି କାରଣରୁ ସୂର୍ଯ୍ୟଙ୍କ କିରଣ ପୃଥିବୀ ଉପରେ ସିଧା ପଡିଥାଏ। ଏହି ସମୟ ପର୍ଯ୍ୟନ୍ତ ଶୀତଳ ମୌସୁମୀ ପବନ ପହଞ୍ଚି ନଥାଏ ଓ ଶୁଷ୍କ ଗରମ ପବନ (ଲୁ) କାରଣରୁ ବାତାବରଣ ଭାଟ୍ଟି ଭଳି ଉତପ୍ତ ହୋଇଥାଏ।
ନୌତପାରେ ଯେତିକି ହେବ ଗରମ ସେତିକି ବଢିବ ବର୍ଷା
ତେବେ ଭାରତୀୟ ପାଣିପାଗ ନେଇ ପଞ୍ଜିକା ଆକଳନ ଅନୁସାରେ ନୌତପାରେ ପୃଥିବୀ ଯେତିକି ଉତପ୍ତ ହେବ ମୌସୁମୀରେ ସେତେ ଅଧିକ ବର୍ଷା ହେବ। ଏଥିରେ ଯଦି ମୌସୁମୀ ଠିକ୍ ସମୟରେ ପହଞ୍ଚି ଯାଏ ଧାନ ଚାଷ କାମ ମଧ୍ୟ ଜୋରଧରିବ। ତେବେ ନୌତପା ଆରମ୍ଭ ହେବା ପୂର୍ବରୁ ରବିବାର ତାପମାତ୍ରା ୪୩ ଡିଗ୍ରି ସେଲସିୟସ୍ ପାର କରି ଯାଇଛି। ଏଥିରେ ବହୁଥିବା ଗରମ ପବନ ପରିସ୍ଥିତିକୁ ଅଧିକ ଜଟିଳ କରିଛି।
