ଶ୍ରୀମନ୍ଦିର ସିଂହଦ୍ବାରରେ ପ୍ରସ୍ତୁତ ହୋଇ ରହିଛନ୍ତି ୩ ରଥ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜ,ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା

ଶ୍ରୀମନ୍ଦିର ସିଂହଦ୍ବାରରେ ପ୍ରସ୍ତୁତ ହୋଇ ରହିଛନ୍ତି ୩ ରଥ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜ,ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା

ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀମନ୍ଦିର ସିଂହଦ୍ବାରରେ ପ୍ରସ୍ତୁତ ହୋଇ ରହିଛନ୍ତି ୩ ରଥ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜ । ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ରଥଖଳାରୁ ତିନି ରଥଙ୍କୁ ଶ୍ରୀମନ୍ଦିର ସିଂହଦ୍ବାର ସାମ୍ନା ରଥ ଚକଡ଼ାକୁ ଟଣାଯାଇଥିଲା । ହରିବୋଲ, ହୁଳହୁଳି ସହ ଜୟଜଗନ୍ନାଥ ଧ୍ବନିରେ ପ୍ରକମ୍ବିତ ହୋଇଥିଲା ବଡ଼ଦାଣ୍ଡ । ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ ଶ୍ରୀଜିଉ । ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନକୁ ଦେଖିବ ସାରା ବିଶ୍ବ । କାଲି ପାଇଁ କ’ଣ ରହିଛି ମହାପ୍ରଭୁଙ୍କ ନିତିକାନ୍ତି ଆସନ୍ତୁ ଦେଖିବା ଏଇ ରିପୋର୍ଟରେ ।

ଅପେକ୍ଷାରେ ରଥ । ଅପେକ୍ଷାରେ ପଥ । ଅପେକ୍ଷାରେ ଭକ୍ତ । କେତେବେଳେ ଆସିବେ ସ୍ବୟଂ ଜଗନ୍ନାଥ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଶ୍ରୀମନ୍ଦିର ସିଂହଦ୍ବାରରେ ଦଣ୍ଡାୟମାନ ତିନି ରଥ ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ବଜ । ଅପେକ୍ଷା କେବଳ ଶ୍ରୀଜିଉମାନଙ୍କ ଆଗମନକୁ । ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ବଡ଼ଦେଉଳର ରତ୍ନବେଦୀରୁ କୋଟି କୋଟି ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିବେ ବ୍ରହ୍ମାଣ୍ଡ ଠାକୁର । ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ଦେଖିବ ସାରା ବିଶ୍ବ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ଯାତ୍ରା କରିବେ କାଳିଆ ସାଆନ୍ତ ।ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ପରେ ରଥଖଳାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥଙ୍କୁ ସିଂହଦ୍ବାର ସମ୍ମୁଖକୁ ଟଣାଯାଇଥିଲା । ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ , ତା’ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥକୁ ସିଂହଦ୍ବାର ଅଭିମୁଖେ ଟାଣିନେଇଥିଲେ ସୁରକ୍ଷାକର୍ମୀ ଓ ଭକ୍ତ । ଘଣ୍ଟ ଘଣ୍ଟା ସହ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ସାରା ପରିବେଶ ।

ସେପଟେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ଆଜି ଅନେକ ନିତିକାନ୍ତିକୁ ସଅଳ ସାରିବାକୁ ଲାଗିପଡ଼ିଥିଲେ ସେବାୟତ । ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ ନୀତି ହୋଇଥିଲା । ଏହା ପରେ ସକାଳ ଧୂପ ନୀତି ସରିବା ପରେ ତିନି ବାଡ଼ରୁ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ରଥ ଖଳାକୁ ଆସିଥିଲେ। ଗତକାଲିଠାରୁ ପୁରୀରେ ଅବିଶ୍ରାନ୍ତ ବର୍ଷା ହେଉଥିଲେ ବି ରଥଖଳାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପୂର୍ବରୁ ହଠାତ୍ ବର୍ଷା ବନ୍ଦ ହୋଇଯାଇଥିଲା । ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିଥିବା ଭକ୍ତ ରଥ ଟାଣିବା ସହ ବେଶ୍ ଭାବବିହ୍ବଳ ହୋଇଥିଲେ ।

ଆସନ୍ତାକାଲି ତିନି ରଥରେ କନକମୁଣ୍ଡି ସ୍ଥାପନ ଓ ରଥ ପ୍ରତିଷ୍ଠା ପରେ ଧାଡ଼ି ପହଣ୍ଡିରେ ରଥାରୁଢ଼ ହେବେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁସାରେ ଆସନ୍ତାକାଲି ସକାଳ ୬ଟା ମହାପ୍ରଭୁଙ୍କ ମଙ୍ଗଳ ଆଳତି, ୭ଟାରେ ସୂର୍ଯ୍ୟପୂଜା, ୮ଟାରେ ସକାଳ ଧୂପ, ୯ଟାରେ ରଥ ପ୍ରତିଷ୍ଠା ହୋଇ ୯ଟା ୩୦ରେ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହେବ ।ଦିନ ସାଢ଼େ ୧୨ଟାରେ ଠାକୁରଙ୍କ ପହଣ୍ଡି ସରିବା ପରେ ଦିନ ୨ଟାରୁ ୩ଟା ଭିତରେ ତିନି ରଥରେ ଛେରା ପହଁରା କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଅପରାହ୍ଣ ୩ଟାରୁ ୪ଟା ମଧ୍ୟରେ ଚାରଫିଟା, ଘୋଡ଼ା ଲାଗି ହେବ । ଅପରାହ୍ଣ ୪ଟାରେ ଆରମ୍ଭ ହେବ ରଥଟଣା । ଆଜି ରାତିରେ ମହାପ୍ରଭୁଙ୍କ ସେନାପଟା ଲାଗି ଓ ବାହୁଟକଣ୍ଟ ନୀତି କରାଯିବ । ମହାପ୍ରଭୁଙ୍କ ନୀତିକାନ୍ତିକୁ ସୁଚାରୁ ରୂପେ ସମ୍ପାଦନ ସହ ଘୋଷଯାତ୍ରା ପାଇଁ ସେବାୟତମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ।

ସ୍ନାନପୂର୍ଣ୍ଣିମା ପରଠାରୁ ଅନବସର ନୀତି ଯୋଗୁଁ ୧୫ ଦିନ ଧରି ମହାପ୍ରଭୁଙ୍କ ଦର୍ଶନ କରିପାରିନଥିଲେ ଭକ୍ତ । ଗତକାଲି ସ୍ବଳ୍ପ ସମୟ ପାଇଁ ନବଯୌବନ ଦର୍ଶନର ସୁଯୋଗ ମିଳିଥିଲେ ବି ଅନେକ ଭକ୍ତ ଏଥିରୁ ବଞ୍ଚିତ ଥିଲେ । ହେଲେ ସେ ପରା ଭାବ ବିନୋଦିଆ, ଭକ୍ତ ବତ୍ସଳ ମହାପ୍ରଭୁ । ଭକ୍ତଙ୍କୁ କେମିତି ନିରାଶ କରିଥାନ୍ତେ । ଖାସ୍ ଭକ୍ତଙ୍କ ପାଇଁ ତ ରାତି ପାହିଲେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂରତି । ଆଉ ଭକ୍ତଙ୍କ ଗହଣରେ କରିବେ ଶ୍ରୀଗୁଣ୍ଡିଚା ଯାତ୍ରା । ବିଶ୍ବ ଦେଖିବ ବିଶ୍ବ ନିୟନ୍ତାଙ୍କ ମାନବୀୟ ଲୀଳାଖେଳା ।

Posted in Uncategorized.