ପ୍ରଦ୍ୟୁମ୍ନ ଶତପଥୀ
ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା । ହଜାର ହଜାର ବର୍ଷ ଧରି ବିଷ୍ଣୁଙ୍କ ଅବତାର ବ୍ୟାସଦେବଙ୍କ ଜନ୍ମଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଇଆସୁଅଛି ।ଋଷି ପରାଶରଙ୍କ ଔରସରେ ମତ୍ସ୍ୟଗନ୍ଧା (ସତ୍ୟବତୀ)ଙ୍କ ଗର୍ଭରୁ ଆଷାଢ଼ ପୂର୍ଣ୍ଣିମା ଦିନ ମହର୍ଷି ବ୍ୟାସଦେବ ଗଙ୍ଗାନଦୀ ଗର୍ଭସ୍ଥ କୃଷ୍ଣଦ୍ୱୀପରେ ଜନ୍ମ ଗ୍ରହଣ କରିଥିଲେ । ବ୍ୟାସଦେବଙ୍କ ଔରସରେ ଶୁକଦେବ ଜନ୍ମ ହୋଇଥିଲେ ।ଏହାଙ୍କ ମାତା ସତ୍ୟବତୀଙ୍କ ସଙ୍ଗେ ଶାନ୍ତନୁଙ୍କର ବିବାହ ହୋଇଥିଲା । ଶାନ୍ତନୁ ଓ ସତ୍ୟବତୀଙ୍କ ପୁତ୍ର ବିଚିତ୍ରବିର୍ଯ୍ୟ ନିଃସନ୍ତାନ ମୃତ ହେବାରୁ ସତ୍ୟବତୀଙ୍କ ଆଦେଶ ଅନୁସାରେ ଏ ବିଚିତ୍ରବିର୍ଯ୍ୟଙ୍କ ଦୁଇ ବିଧବାପତ୍ନୀ ଅମ୍ବିକା ଓ ଅମ୍ବାଳିକାଙ୍କ ସଙ୍ଗେ ନିୟୋଗ ବିଧି ଅନୁସାରେ ସହବାସ କଲେ ଓ ସେମାନଙ୍କ ଗର୍ଭରୁ ଧୃତରାଷ୍ଟ୍ର ଓ ପାଣ୍ଡୁଙ୍କ ଜନ୍ମ ହେଲା । ଏହାଙ୍କ ଔରସରେ ବିଚିତ୍ରବିର୍ଯ୍ୟଙ୍କ ଦାସୀଗର୍ଭରେ ବିଦୁର ଜନ୍ମଗ୍ରହଣ କରିଥିଲେ ।ବ୍ୟାସଦେବଙ୍କର ଅନେକ ନାମ ପୁରାଣ ଶାସ୍ତ୍ର ରେ ଉଲ୍ଲେଖିତ । ଯଥା ବେଦବ୍ୟାସ,: ବେଦମାନଙ୍କ ସଂଗ୍ରହ ଓ ବିଭାଗ କରିଥିବାରୁ । ପୁରାଣାନୁସାରେ ଭିନ୍ନ ଭିନ୍ନ କଳ୍ପରେ ପ୍ରତ୍ୟେକ ଦ୍ୱାପର ଯୁଗରେ ଜନ୍ମଗ୍ରହଣ କରି ବେଦମାନଙ୍କ ସଂଗ୍ରହ ଓ ବିଭାଗକାରୀ ୨୮ ଜଣ ଋଷି ବେଦବ୍ୟାସ ଭାବେ ପରିଚିତ । ଏମାନେ ବ୍ରହ୍ମା ବା ବିଷ୍ଣୁଙ୍କର ଅବତାର ବୋଲି କଥିତ ।

ପ୍ରଥମେ ଦ୍ୱାପର ଯୁଗରେ ସ୍ୱୟଂ ବ୍ରହ୍ମା ବେଦବ୍ୟାସ ରୂପେ, ଦ୍ୱିତୀୟ ଦ୍ୱାପରରେ ପ୍ରଜାପତି ବା ମନୁ, ତୃତୀୟ ଦ୍ୱାପରରେ ଶୁକ୍ରାଚାର୍ଯ୍ୟ, ଚତୁର୍ଥ ଦ୍ୱାପରରେ ବୃହଷ୍ପତି ବେଦଭାଷ୍ୟ ରୂପେ ପରିଚିତ ହୁଅନ୍ତି । ସ୍ୱୟଂଭୁବ, ଉଶନା, ସବିତା, ମୃତ୍ୟୁ ବା ଯମ, ଇନ୍ଦ୍ର, ବଶିଷ୍ଠ, ସାରସ୍ୱତ, ତ୍ରିଧାମ, ଋଷଭ ବା ତ୍ରିବୃଷ, ସୁତେଜା ବା ଭାରଦ୍ୱାଜ, ଅନ୍ତରିକ୍ଷ ବା ଧର୍ମ, ବ୍ପୁବନ୍ ବା ସୁଚକ୍ଷୁ, ତ୍ରଯ୍ୟାରୁଣି, ଧନଞ୍ଜୟ, କୃତଞ୍ଜୟ, ଋତଞ୍ଜୟ, ଭରଦ୍ୱାଜ, ଗୌତମ, ଉତ୍ତମ ବା ହର୍ଯ୍ୟତ୍ମା, ବାଚଶ୍ରବା ବା ନାରାୟଣ ବା ବେଣ, ସୋମମୁଖ୍ୟାୟନ ବା ତୃଣବିନ୍ଦୁ, ଋକ୍ଷ ବା ବାଲ୍ମୀକି, ଶକ୍ତି, ପରାଶର, ଜାତୁକର୍ଣ୍ଣ ଓ କୃଷ୍ଣ ଦ୍ୱୈପାୟନ ବେଦବ୍ୟାସ ଭୂମିକାରେ ଅବତିର୍ଣ୍ଣ ହୋଇଥାଆନ୍ତି । ସେହିପରି ଅନ୍ୟତମ ନାମ ଦ୍ୱୈପାୟନ: ଗଙ୍ଗା ନଦୀମଧ୍ୟସ୍ଥ ଦ୍ୱୀପରେ ଏହାଙ୍କ ଜନ୍ମ ହୋଇଥିବାରୁ ଏବଂ ତାଙ୍କ ନାମ ମଧ୍ୟ କୃଷ୍ଣ ଦ୍ୱୈପାୟନ,: ଏହାଙ୍କ ଦେହର ବର୍ଣ୍ଣ କଳା ହୋଇଥିବାରୁ ଓ କୃଷ୍ଣଦ୍ୱୀପରେ ଜନ୍ମଗ୍ରହଣ କରିଥିବାରୁ କାନୀନ ,ଅବିବାହିତା ସତ୍ୟବତୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିବାରୁ,ସତ୍ୟଭାରତ,ମହାଭାରତର ପ୍ରଣେତା ହୋଇଥିବାରୁ,ପାରାଶର୍ଯ୍ୟ ,ପରାଶରଙ୍କ ପୁତ୍ର ହୋଇଥିବାରୁ
ବାଦରାୟଣ,ସତ୍ୟବ୍ରତ,ସତ୍ୟରତ । ବ୍ୟାସଦେବଙ୍କ ନିମନ୍ତେ ଏହି କଥାକୁ ଭିନ୍ନ ଭାଷାରେ କୁହାଯାଇଛି :-
“ବ୍ୟାସାୟ ବିଷ୍ଣୁ ରୂପାୟ, ବ୍ୟାସ ରୂପାୟ ବିଷ୍ଣବେ।
ନମୋ ବୈ ବ୍ରହ୍ମ ବିଧୟେ ବଶିଷ୍ଠାୟ ନମୋନମଃ।
ଅଚ୍ୟୁତର୍ବଦ ବ୍ରହ୍ମା ଦ୍ୱିର୍ବାହାରୁ ପରେ ହରିଃ।
ଆଭାଲ ଲୋଚଚନଃ ଶମ୍ଭୁ ଭଗବାନ ବାଦରାୟାଣଃ”।।
ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର।
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ”।।
ସ୍କନ୍ଧ ପୁରାଣ ରେ ଅତି ସ୍ପଷ୍ଟ ଭାବରେ ଗୁରୁ ଶବ୍ଦର ପାଞ୍ଚ ଗୋଟି ଅର୍ଥ ଉଲ୍ଲେଖ ଅଛି ।
୧- “ଗୁ” କାରଶ୍ଚାନ୍ଧକାରେ ” ରୁ” କାରସ୍ତେଜ ଉଚ୍ୟତେ, ଅଜ୍ଞାନ ଗ୍ରାସକଂ ବ୍ରହ୍ମ ଗୁରୁରେବ ନ ସଂଶୟଃ ।।
ଅର୍ଥାତ୍ ” ଗୁ” କାରର ଅର୍ଥ, ଅଜ୍ଞାନ ରୂପକ ଅନ୍ଧକାର ଏବଂ ” ରୁ” କାରର ଅର୍ଥ ଜ୍ଞାନ ରୂପକ ତେଜର ପ୍ରକାଶ । ଅଜ୍ଞାନ ( ମାୟା) ରୂପକ ଅନ୍ଧକାର କୁ ନଷ୍ଟ କରୁଥିବା ବ୍ରହ୍ମଜ୍ଞାନ ରୂପୀ ଆଲୋକ ହିଁ ଗୁରୁ ଅଟନ୍ତି ।
୨-“ଗୁ”କାରଃ ପ୍ରଥମୋ ବର୍ଣୋ ମାୟାଦିଗୁଣଭାସକଃ
“ରୁ”କାରୋ,{ସ୍ଥି ପରଂବ୍ରହ୍ମ ମାୟାଭ୍ରାନ୍ତିବିମୋଚକମ୍ ।।
ମର୍ମାର୍ଥ – “ଗୁ”କାର ମାୟା ପ୍ରଭୃତି ( ୧୦୮ ପ୍ରକାର ମାୟା,ଆଠ ପ୍ରକାର ପ୍ରକୃତି ଏମାନଙ୍କ ଠାରୁ ସୃଷ୍ଟି) । ସେହିପରି ଖରାପ ଗୁଣ ସମୂହର ଜନ୍ମଦାତା ର ନାମ” ଗୁ”କାର ଅଟେ । ସେହି ମାୟାଭ୍ରମରୁ ମୁକ୍ତ କରୁଥିବା ପରଂବ୍ରହ୍ମ ” ରୁ”କାର ଅଟନ୍ତି ।
୩-“ଗୁ”କାରଶ୍ଚ ଗୁଣାତୀତ ରୂପାତୀତୋ ” ରୁ”କାରକଃ
ଗୁଣ ରୂପ ବିହୀନତ୍ବତ ଗୁରୁରିତ୍ୟଭିଧୀୟେତ ।।
ମର୍ମାର୍ଥ ହେଲା- “ଗୁ”କାର- ସତ୍ତ୍ବ ରଜ ଓ ତମ ଗୁଣର ଉର୍ଦ୍ଧ୍ବ ରେ , ” ରୁ”କାର- ସମସ୍ତ ରୂପ ବା ଅବୟବ ଅବା ଆକୃତି ରୁ ଉର୍ଦ୍ଧ୍ବ ରେ ଅର୍ଥାତ୍ ” ଗୁରୁଃ ସାକ୍ଷାତ୍ ଆଦି ନାରାୟଣ ପୁରୁଷ “
ସେଥିପାଇଁ ଆମେ କହିଆସିଥାଏଁ – ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେଵ ମହେଶ୍ୱର, ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀଗୁରବେ ନମଃ ।
୪-“ଗୁ”କାରଂ ଚ ଗୁଣାତୀତଂ ” ରୁ”କାର ରୂପବର୍ଜିତଂ
ଗୁଣାତୀତମରୂପଂ ଚ ମୋ ଦଦ୍ୟାତ୍ ସ ଗୁରୁଃ ସ୍ମୃତଃ ।
୫- ” ଗୁ”କାରଶ୍ଚାନ୍ଧକାରସ୍ତୁ ‘ରୁ’ କାରସ୍ତନ୍ନିରୋଧକୃତ
ଅନ୍ଧକାର ବିନାଶିତ୍ବାତ୍ ଗୁରୁରିତ୍ୟଭିଧିୟତେ ।।
ଗଣିତ ବିଦ୍ୟା ର ଛାତ୍ର ଭାବରେ ହିସାବ କଲେ
“ଗୁରୁ”= ଗ+ଉ+ର+ଉ
ଗ ପ୍ରତିନିଧିତ୍ଵ କରେ ସିଦ୍ଧି ପ୍ରଦାୟକ
ଉ ପ୍ରତିନିଧିତ୍ଵ କରେ ଶିବ, ଅର୍ଥାତ୍ ସତ୍ ଆନନ୍ଦ ପ୍ରଦାତା
ର ପ୍ରତିନିଧିତ୍ଵ କରେ ପାପ ର ଦହନ କରିବା
ଉ ଏଠାରେ ପ୍ରତିନିଧିତ୍ଵ କରେ-ଦେହ ମଧ୍ୟ ରେ ଥିବା ଆତ୍ମା- ଶିବ, ଯିଏକି ସତ୍ ଆନନ୍ଦ ପ୍ରଦାତା
ଅତଏବ ଉପରୋକ୍ତ ପ୍ରଦାନରେ ସକ୍ଷମ ଗୁରୁ ହିଁ ପରମ ଗୁରୁ ।
ପୁନଶ୍ଚ ” ତତ୍ତ୍ବୋପଦେଶ ଗ୍ରନ୍ଥ ରେ” ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟ କହିଛନ୍ତି –
“ଆଚାର୍ଯ୍ୟବାନ ପୁରୁଷୋ ହି ବେଦେତ୍ୟେବଂ ଶ୍ରୁତର୍ଜ୍ଜଗୋ
ଅନାଦାଵିହ ସଂସାରେ ବୋଧକ ଗୁରୁରେବ ହି ” ।
ପ୍ରଥମତଃ ପାଞ୍ଚ ପ୍ରକାର ଗୁରୁ ଯଥା ମାତା ଗୁରୁ, ପିତା ଗୁରୁ,ବିଦ୍ୟାଗୁରୁ,କର୍ଣ୍ଣଗୁରୁ,ତତ୍ତ୍ବଗୁରୁ ।
ଦ୍ବିତୀୟତଃ ଆଦ୍ୟ ଗୁରୁ, ଶିକ୍ଷା ଗୁରୁ, ଜ୍ଞାନ ଗୁରୁ, ତୀର୍ଥ ଗୁରୁ ଓ ଜଗତଗୁରୁ ।।

ମାତା, ଜନ୍ମଦାତ୍ରୀ ଏହି କ୍ରମରେ ପ୍ରଥମ ଗୁରୁ, ପିତା ଦ୍ୱିତୀୟ ଗୁରୁ ଏବଂ ଶିକ୍ଷାଦାତା ତୃତୀୟ ଗୁରୁ। ଗୁରୁମାନେ ହିଁ ଆମ ଜୀବନର ମାର୍ଗଦର୍ଶକ, ସୁନିୟନ୍ତ୍ରକ।ଗୁରୁମାନଙ୍କ ଠାରୁ ଶିକ୍ଷା, ଦୀକ୍ଷା ତଥା ତାଙ୍କ ଆଦର୍ଶ ସବୁକିଛି ଶିଷ୍ୟମାନଙ୍କର ଜୀବନରେ ପ୍ରତିଫଳିତ ହୋଇଥାଏ।ବ୍ୟାସଦେବ ତାଙ୍କ ସୃଷ୍ଟି ମାଧ୍ୟମରେ ଯୁଗଯୁଗ ପାଇଁ ଏ ମଣିଷ ଜାତିକୁ ମହାନ ଶିକ୍ଷା ଦେଇ ଯାଇଛନ୍ତି। “ଯାହା ନାହିଁ ଭାରତେ, ତାହା ନାହିଁ ମରତେ” ଅର୍ଥାତ୍ ବିଶ୍ୱ ବ୍ରହ୍ମାଣ୍ଡରେ ନାହିଁ ବୋଲି ବୁଝାଯାଏ।ଏଥିପାଇଁ ଭାରତରେ ସମସ୍ତ ପୌରାଣିକ କିମ୍ପଦନ୍ତୀ ଅଥବା ପ୍ରାମାଣିକ ତଥ୍ୟମାନ ବର୍ତ୍ତମାନ ସମଗ୍ର ବିଶ୍ୱପାଇଁ ଗବେଷଣାର ସାମଗ୍ରୀ ପାଲଟିଛି।ଆମ ଜୀବନର ପ୍ରତିଟି ବିଭାଗ ପାଇଁ ଏହା ବର୍ତ୍ତମାନ ମହାନ ବିଭବ ରୂପେ ସମୃଦ୍ଧି କରୁଛି । ଗୁରୁପୂର୍ଣ୍ଣିମା ପାଳନ ହିନ୍ଦୁ ଏବଂ ବୌଦ୍ଧ ଧର୍ମରେ ରହିଛି। ଅତଏବ ଏହି ନ୍ୟାୟରେ ଆମର ପ୍ରଥମ ଗୁରୁ ଆମର ବୋଉକୁ ଆମେ ଗତ ୨୦୨୫, ପବିତ୍ର ନେତ୍ରୋତ୍ସବ ତଥା ନବଯୌବନ ଦର୍ଶନ ତିଥିରେ ହରାଇଛୁ । ବାସ୍ତବରେ ସେ ହିଁ ଆମର ପ୍ରଥମ ଗୁରୁ । ତାର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି ମୁଣ୍ଡିଆ ମାରୁଛି । ଦ୍ବିତୀୟ ଗୁରୁ ଆମର ସ୍ବର୍ଗବାସୀ ପିତା ଓ କକେଇ , ସେ ତିନିଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣିପାତାନ୍ତେ ଆମର ପ୍ରଥମ ଶିକ୍ଷା ଗୁରୁ ସ୍ବର୍ଗତ ଦିବ୍ୟସିଂହ ହରିଚନ୍ଦନ, ଅଚ୍ୟୁତାନନ୍ଦ ଦାସ, ଦୁର୍ଗାଚରଣ ମହାନ୍ତି ଙ୍କ ଅମୃତ ଅମ୍ଲାନ ସ୍ମତି ପ୍ରତି କୋଟି ପ୍ରଣାମ ଜଣାଇବା ସହ ଆମର ଗୁରୁ ବରେଣ୍ୟ ରାଧାଚରଣ ସାମନ୍ତରାଙ୍କ ପାଦପଦ୍ମରେ କୋଟି ପ୍ରଣାମ ଜଣାଉଛୁ । ସେହିପରି ଆମର ପ୍ରଥମ ଆଧ୍ୟାତ୍ମିକ ଗୁରୁ ମହାନ୍ ସ୍ବାଧୀନତା ସଂଗ୍ରାମୀ , କାଳଜୟୀ ସାରସ୍ବତ ସାଧକ ଅଭିନ୍ନ ସୁନ୍ଦର ଅଭିରାମ ପରମହଂସ ଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।ଅଧୁନା ଆମେ ସ୍ବାମୀ ପରମହଂସ ବ୍ରହ୍ମାନନ୍ଦ ସରସ୍ଵତୀଙ୍କୁ ମଥାନତ ପ୍ରଣିପାତ କରୁଛୁ ଏବଂ ଆଶୀର୍ବାଦ ନେବା ପାଇଁ ଆଜି ମହାପୁରୁଷଙ୍କ ପବିତ୍ର ନିଗମ କଳ୍ପତରୁ ଆଶ୍ରମରେ ଆୟୋଜିତ ଗୁରୁ ପୂଜନ ଉତ୍ସବରେ ଯୋଗ ଦେବାକୁ ଯାଉଛୁ । ସେହିପରି ଶାସ୍ତ୍ର ଉଲ୍ଲେଖିତ ଯେ “प्रेरकः सूचकश्वैव वाचको दर्शकस्तथा । शिक्षको बोधकश्चैव षडेते गुरवः स्मृताः ॥ ” । ଏହି ନ୍ୟାୟରେ ସମାଜର ପ୍ରତ୍ୟେକ ବ୍ୟକ୍ତି , ଏପରିକି ଆମର ହିତୈଷୀ ଶତ୍ରୁ ମଧ୍ୟ ଆମର ଗୁରୁ । ସମସ୍ତଙ୍କୁ ଗୁରୁ ପୂର୍ଣ୍ଣିମାର ପବିତ୍ର ଅବସରରେ ପ୍ରଣିପାତାନ୍ତେ ବନ୍ଦେ ଉତ୍କଳ ଜନନୀ,ଜୟ ଜଗନ୍ନାଥ ।
