ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ହର୍ମୁଜ ପ୍ରଣାଳୀ’ ଅବରୋଧ ନିଷ୍ପତ୍ତି ବିଶ୍ୱ ରାଜନୀତିକୁ ସ୍ତବ୍ଧ କରିଦେଇଛି। ଇରାନକୁ ‘ଟୋଲ୍’ ଦେଉଥିବା ଜାହାଜଗୁଡ଼ିକ ଉପରେ କଟକଣା ଲଗାଇବା ଆମେରିକାର ଏକପାଖିଆ ନିଷ୍ପତ୍ତି ଭଳି ମନେହେଉଥିଲେ ମଧ୍ୟ, ଭାରତ ଭଳି ବିକାଶଶୀଳ ଦେଶ ପାଇଁ ଏହା ଅନେକ ଆହ୍ୱାନ ସୃଷ୍ଟି କରିଛି। ଏହା ଭାରତ ପାଇଁ କେତେ କ୍ଷତିକାରକ ହେବ, ତା’ ସମୟ କହିବ । ଭାରତ ନିଜର ଆବଶ୍ୟକୀୟ ଅଶୋଧିତ ତୈଳ ଓ ଗ୍ୟାସ୍ର ଏକ ବଡ଼ ଅଂଶ ପଶ୍ଚିମ ଏସିଆରୁ ଆମଦାନୀ କରିଥାଏ। ହର୍ମୁଜ ପ୍ରଣାଳୀ ଦେଇ ଗତ ମାସରେ ୮ରୁ ଅଧିକ ଏଲପିଜି ଟ୍ୟାଙ୍କର ଭାରତ ଆସିଛି। ଆମେରିକାର ଏହି ଅବରୋଧ ଯୋଗୁଁ ଯଦି ତୈଳ ଯୋଗାଣ ବାଧାପ୍ରାପ୍ତ ହୁଏ, ତେବେ ଭାରତରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ୍ ଦର ଆକାଶଛୁଆଁ ହେବାର ଆଶଙ୍କା ରହିଛି। ଯଦିଓ ଆମେରିକା ‘ଭାରତକୁ ଭଲ ପାଏ’ ବୋଲି କହୁଛି, ମାତ୍ର ଆର୍ଥିକ ସ୍ୱାର୍ଥ କ୍ଷେତ୍ରରେ ଏହି ‘ଦାଦାଗିରି’ ଭାରତୀୟ ଗ୍ରାହକଙ୍କ ପକେଟ୍ ଉପରେ ଭାରି ପଡ଼ିପାରେ।
ଭାରତ ସବୁବେଳେ ଉଭୟ ଇରାନ ଏବଂ ଆମେରିକା ସହ ସନ୍ତୁଳିତ ସମ୍ପର୍କ ରଖିବାକୁ ଚେଷ୍ଟା କରିଛି। ଇରାନର ଚାବାହାର ବନ୍ଦରରେ ଭାରତର ବଡ଼ ନିବେଶ ରହିଛି। ଆମେରିକା ଯଦି ଇରାନକୁ ସମ୍ପୂର୍ଣ୍ଣ ଅଲଗା କରିବାକୁ ଚାହେଁ, ତେବେ ଭାରତ ପାଇଁ ନିଜର ରଣନୈତିକ ସ୍ୱାର୍ଥ ରକ୍ଷା କରିବା କଷ୍ଟକର ହୋଇପଡ଼ିବ।
ଟ୍ରମ୍ପଙ୍କ ଘୋଷଣା ଅନୁଯାୟୀ, ଇରାନକୁ ଟୋଲ୍ ଦେଉଥିବା ଜାହାଜକୁ ଅନୁମତି ମିଳିବ ନାହିଁ। ଯଦିଓ ଭାରତୀୟ ଟ୍ୟାଙ୍କର ବର୍ତ୍ତମାନ ଟୋଲ୍ ଦେଉନାହାନ୍ତି, କିନ୍ତୁ ଯୁଦ୍ଧ ସ୍ଥିତିରେ ସାମୁଦ୍ରିକ ବୀମା (Insurance) ଏବଂ ପରିବହନ ଖର୍ଚ୍ଚ ବଢ଼ିଯିବ। ଏହା ସିଧାସଳଖ ଭାରତୀୟ ବାଣିଜ୍ୟକୁ ପ୍ରଭାବିତ କରିବ।
ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ୪୦ ମିନିଟର ଆଲୋଚନା ସୂଚାଉଛି ଯେ, ଭାରତ ନିଜର ଚିନ୍ତା ବିଷୟରେ ଆମେରିକାକୁ ଅବଗତ କରାଇଛି। ଆମେରିକା ପାଇଁ ଭାରତ ଏକ ବଡ଼ ବଜାର ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ବନ୍ଧୁ। ତେଣୁ ହର୍ମୁଜ ପ୍ରଣାଳୀରେ ଭାରତୀୟ ଜାହାଜଗୁଡ଼ିକ ପାଇଁ ଆମେରିକା କିଛିଟା କୋହଳ ମନୋଭାବ ପୋଷଣ କରିପାରେ।
ଆମେରିକାର କଠୋର ଆଭିମୁଖ୍ୟ ପ୍ରାରମ୍ଭିକ ଭାବେ ‘ଦାଦାଗିରି’ ଭଳି ମନେ ହେଉଥିଲେ ମଧ୍ୟ, ଭାରତ ନିଜର ଦୃଢ଼ କୂଟନୀତି ବଳରେ ଏହି ସଙ୍କଟରୁ ବାହାରିବାକୁ ଚେଷ୍ଟା କରୁଛି। ତେବେ ଦୀର୍ଘ ସମୟ ଧରି ଏହି ଅସ୍ଥିରତା ଲାଗିରହିଲେ, ଏହା ଭାରତୀୟ ଅର୍ଥନୀତି ପାଇଁ ନିଶ୍ଚିତ ଭାବେ କ୍ଷତିକାରକ ସାବ୍ୟସ୍ତ ହେବ। କେନ୍ଦ୍ର ସରକାର ଏଭଳି ସମୟରେ କିପରି ସମସ୍ୟାର ସମ୍ମୁଖୀନ ହୋଇ ସମାଧାନ କରୁଛନ୍ତି ତାହା ଉପରେ କୋଟି କୋଟି ଭାରତୀୟଙ୍କ ନଜର ରହିଛି ।
