
ବିଶାଖା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ବୈଶାଖ (ବଇଶାଖ ନାମରେ ମଧ୍ୟ ଜଣା) କୁହାଯାଏ । ବୈଶାଖ ଶାଳିବାହନ ଶକାବ୍ଦର ପ୍ରଥମ ମାସ । ବୈଶାଖ ଓଡ଼ିଆ ହିନ୍ଦୁମାନଙ୍କର ପ୍ରଥମ ଚାନ୍ଦ୍ରମାନ ମାସ । ଏ ମାସ ଚୈତ୍ର ପୂର୍ଣ୍ଣିମା ପର ଦିନଠାରୁ ଆରମ୍ଭ ହୁଏ; ଏହାର ପୂର୍ବବର୍ତ୍ତୀ ମାସ ଚୈତ୍ର ଓ ପରବର୍ତ୍ତୀ ମାସ ଜ୍ୟୈଷ୍ଠ । ଏହି ମାସ ଓ ଏହାର ପରବର୍ତ୍ତୀ ମାସ ଗ୍ରୀଷ୍ମ ଋତୁ । ହିନ୍ଦୁମାନଙ୍କର ଏହା ଏକ ଧର୍ମ ମାସ । କେଉଁ ଆବହମାନ କାଳରୁ ଏହି ପବିତ୍ର ମାସରେ ଯେଉଁ ପବିତ୍ର ପର୍ବପର୍ବାଣି ପାଳିତ ହୋଇ ଆସୁଅଛି, ତନ୍ମଧ୍ୟରେ ବୈଶାଖ ଶୁକ୍ଳ ତୃତୀୟା , ଯାହା ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ଆରମ୍ଭ , ଓଡ଼ିଆ ଜାତିର ଗର୍ବ ଗୈାରବ , ମେଧା ପତାକା ଉତ୍ତୋଳକ କବିରାଜ ଜୟଦେବଙ୍କ ପବିତ୍ର ଜୟନ୍ତୀ ଏବଂ ପୁରାଣ ଶାସ୍ତ୍ର ଅନୁଯାୟୀ ଏହି ତିଥିରେ ଗଙ୍ଗାମାତାଙ୍କର ଧରାବତରଣ ହୋଇଥିଲା, ମହର୍ଷି ପରଶୁରାମଙ୍କର ଜନ୍ମ , ମା’ ଅନ୍ନପୂର୍ଣ୍ଣା ମଧ୍ୟ ଏହି ତିଥିରେ ପ୍ରକଟ ହୋଇଥିଲେ , ଏପରିକି କୁରୁସଭା ସ୍ଥଳରେ ଦ୍ରୌପଦୀଙ୍କୁ କୋଟିବସ୍ତ୍ର ପ୍ରଦାନ କରି ଲଜ୍ଜା ନିବାରଣ କରିଥିଲେ ଶ୍ରୀକୃଷ୍ଣ ଆଜି ର ତିଥିରେ । ସେହିପରି ଏହି ତିଥିରେ ମଧ୍ୟ ଶ୍ରେଷ୍ଠ ବନ୍ଧୁତ୍ବର ପ୍ରତୀକ, କୃଷ୍ଣ ସୁଦାମାଙ୍କର ବହୁ ବର୍ଷ ପରେ ମିଳନ ହୋଇଥିଲା । ଦେବ କୃପା ଲଭି, କୁବେରଙ୍କୁ ମଧ୍ୟ ସମସ୍ତ ଧନ ଦୌଲତର ଚାବି ପ୍ରାପ୍ତ ହୋଇଥିଲା ଏହି ତିଥିରେ ।ସତ୍ୟ ଏବଂ ତ୍ରେତୟା ଯୁଗର ପ୍ରାରମ୍ଭ ହୋଇଥିଲା ଏହି ପବିତ୍ର ତିଥିରେ । ବ୍ରହ୍ମାଙ୍କର ପୁତ୍ର ଅକ୍ଷୟ କୁମାରଙ୍କ ଜନ୍ମ ମଧ୍ୟ ଏହି ତିଥିରେ ହୋଇଥିଲା। ପୂର୍ବରୁ ବନ୍ଦ ରହିଥିବା ପ୍ରସିଦ୍ଧ ବଦ୍ରିନାଥ ଧାମର ଦ୍ବାରଫିଟା ବା ଫାଟକ ଏହି ହିଁ ଖୋଲିଥାଏ। ବୃନ୍ଦାବନ ଧାମର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିର, ବର୍ଷର କେବଳ ଏହିଦିନ ଶ୍ରୀ ବିଗ୍ରହ ଚରଣର ଦର୍ଶନ ହୋଇଥାଏ, ଅନ୍ୟଥା ବର୍ଷସାରା ତାଙ୍କୁ ବସ୍ତୁ ରେ ଢ଼ାଙ୍କି ରଖାଯାଏ। ଏହି ତିଥିରେ ମଧ୍ୟ ମହାଭାରତ ଯୁଦ୍ଧ ସମାପ୍ତ ହୋଇଥିଲା। ଏହା ପରେ ଶୁକ୍ଳ ନବମୀ, ଯାହା ସୀତା ନବମୀ ଭାବେ କେଉଁ ଅନାଦି ଅନନ୍ତ କାଳରୁ ପାଳିତ ହୋଇ ଆସୁଛି । ତତ୍ ପରେ ଶୁକ୍ଳ ଏକାଦଶୀ ବା ମୋହିନୀ ଏକାଦଶୀ ,ଶୁକ୍ଳ ଚତୁର୍ଦ୍ଦଶୀ ବା ନୃସିଂହ ଜନ୍ମ ବ୍ରତ ଏବଂ ଶେଷରେ ପୂର୍ଣ୍ଣିମା ବା ବୁଦ୍ଧ ଜୟନ୍ତୀ ଭାବେ ପାଳନ କରା ଯାଇ ଆସୁଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୌରାଣିକ କଥାନୁସାରେ ମାରୱାଡ଼କ୍ଷେତ୍ରରେ ବେଦବାଦୀ ଶ୍ରେଷ୍ଠ ଧର୍ମାବତାର ବ୍ରାହ୍ମଣ ଦେବଦତ୍ତ ନିବାସ କରୁଥିଲେ । ତାଙ୍କର ଶୋଭନା ନାମକ ସୁନ୍ଦରୀ ତଥା ନିଜର ରୂପସୌନ୍ଦର୍ଯ୍ୟରେ ଗର୍ବକରୁଥିବା ପତ୍ନୀ ଥିଲେ । ଜୀବିକା ପାଇଁ ଦେବଦତ୍ତ ଗ୍ରାମ ଗ୍ରାମ ବୁଲି ଭିକ୍ଷା ମାଗୁଥିଲେ । କିନ୍ତୁ ବ୍ରାହ୍ମଣୀ ଶୋଭନା କୁସଂଗତରେ ପଡ଼ି ବ୍ୟଭିଚାର ପ୍ରବୃତ୍ତି ହୋଇଗଲେ । ତା’ର କୁକର୍ମ ପ୍ରତ୍ୟେକ ଗ୍ରାମରେ ଚର୍ଚ୍ଚା ହେବାକୁ ଲାଗିଲା । ଯାହାଫଳରେ ଦୁର୍ଷ୍କମରେ ରତ ହୋଇ ଗ୍ରାମକୁ ଧ୍ୱଂସ କରିଦେବା ସହ ବ୍ରାହ୍ମଣୀ ଶୋଭନା ନିଜେ ସ୍ୱୟଂ ପୋଡ଼ିହୋଇ ମରିଗଲା । ପରବର୍ତ୍ତୀ ଜନ୍ମରେ ଚାଣ୍ଡାଳ ଘରେ ଜନ୍ମଗ୍ରହଣ କଲା । ବିବାହ କରିବାର କିଛିଦିନ ପରେ ସେ ଚାଣ୍ଡାଳୁଣୀ ହେଲା । ସମୟ ଚକ୍ରରେ ସେ ତା’ର କର୍ମ ପାଇଁ ଅନ୍ଧୁଣୀ, ଭିକାରୁଣୀ ସାଜି ଜୀବନ କାଟିଲା । ଦୈବାତ ସେ ବୈଶାଖ ମାସ, ଶୁକ୍ଳପକ୍ଷ ନବମୀ (ସୀତା ନବମୀ) ତିଥିରେ କୌଶଳପୁରୀରେ ପହଞ୍ଚିଲା । ବ୍ରାହ୍ମଣୀ ଜଣକ ନେହୁରା ହୋଇ କହିଲା-ହେ ସଜ୍ଜନ ମୋ ଉପରେ କୃପା କର କିଛି ଭୋଜନ ଦିଅ, ନଚେତ୍ ମୁଁ ଭୋକରେ ମରିଯିବି । ଏପରି କହି ସେ ଶ୍ରୀଜନକ ଭବନ ସମ୍ମୁଖରେ ତିଆରି ହୋଇଥିବା ଏକ ହଜାର ପୁଷ୍ପମଣ୍ଡିତ ଖମ୍ବକୁ ଅତିକ୍ରମ କରି ସେଥିରେ ପ୍ରବେଶ କଲା । ସେ ସେଠାରେ ଭିକ୍ଷା ଆକାରରେ କହିଲା ଭାଇମାନେ ମୋତେ କିଛି ସାହାଯ୍ୟ କର, କିଛି ଖାଇବାକୁ ଦିଅ । ହଠାତ୍ ଜଣେ ଭକ୍ତ କହିଲା ହେ ଦେବୀ ! ଆଜି ସୀତା ନବମୀ, ଭୋଜନରେ ଅନ୍ନ ଦେଉଥିବା ବ୍ୟକ୍ତିଙ୍କୁ ପାପ ଲାଗିଥାଏ । ଏଥିପାଇଁ ଆଜି ଅନ୍ନ ମିଳିବନି । କାଲି ଠିକ୍ ସକାଳେ ଆସ, ଠାକୁରଙ୍କ ପ୍ରସାଦ ମିଳିବ । କିନ୍ତୁ ସେ କିଛି ନ ମାନି କହିଲା ମୋତେ ବହୁତ ଜୋର୍ରେ ଭୋକ ଲାଗୁଛି କିଛି ଦିଅ । ଭକ୍ତ ଜଣକ ଉକ୍ତ ଦେବୀଙ୍କୁ ତୁଳସୀ ଏବଂ ଜଳ ଦେଲେ । ସେହି ପାପିନୀ ତୁଳସୀ ଓ ଜଳ ପାଇ ମୃତ୍ୟୁ ବରଣ କଲା । ଅଜାଣତରେ ଉକ୍ତ ଦେବୀଙ୍କର ସୀତା ନବମୀ ବ୍ରତ ସଂପୂର୍ଣ୍ଣ ହୋଇଗଲା ଓ ପରମ କୃପାଳିନୀ ତାଙ୍କର ସମସ୍ତ ପାପକୁ ମୁକ୍ତ କରିଦେଲେ ବୋଲି ସ୍ଥାନୀୟ ଲୋକ କୁହାକୁହି ହେଲେ । ଏହି ବ୍ରତ ପ୍ରଭାବରେ ପାପିନୀ ନିର୍ମଳ ହୋଇ ସ୍ୱର୍ଗ ଗଲା । ତତ୍ପଶ୍ଚାତ୍ ସେ କାମରୂପ ଦେଶର ମହାରାଜ ଜୟସିଂହଙ୍କ ମହାରାଣୀ କାମଚଳା ନାମରେ ବିଖ୍ୟାତ ହେଲେ । ସେହିପରି ଉତ୍ତର ରାମାୟଣର ବର୍ଣ୍ଣନା ଅନୁସାରେ ବାଲ୍ମିକୀ ଋଷିଙ୍କ ଆଶ୍ରମରେ ଥିବା ବାଳକ ଲବ କୁଶ ଭଗବାନ ରାମଙ୍କର ଅଶ୍ବମେଧ ଯଜ୍ଞର ଘୋଡ଼ାକୁ ବାନ୍ଧି ରଖିଥିଲେ । ଯେପର୍ଯ୍ୟନ୍ତ ରାମ ନ ଆସିବେ ସେମାନେ ଘୋଡ଼ାକୁ ଛାଡ଼ିବେ ନାହିଁବୋଲି ଅଡ଼ିବସିଥିଲେ । ପ୍ରଥମେ ଘୋଡ଼ା ସହିତ ସେନାପତି ସୈନ୍ୟବାହିନୀ ଧରି ଆସିଥିଲେ । ସେମାନେ ଦୁଇ ବାଳକଙ୍କୁ ଯେତେ ବୁଝାଇଲେ ମଧ୍ୟ ଦୁଇ ଭାଇ ମାନିନଥିଲେ । ଶେଷରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ପରାକ୍ରମଶାଳୀ ଦୁଇ ବାଳକ ସୈନ୍ୟବାହିନୀ ସହ ସେନାପତିଙ୍କୁ ଅଚେତ କରିଦେଇଥିଲେ । ପରେ ଶ୍ରୀରାମଙ୍କ ସାନ ଭାଇ ଶତ୍ରୁଘ୍ନ ଆସିଲେ, ସେ ମଧ୍ୟ ବାଳକ ଦୁଇ ଜଣଙ୍କୁ ବୁଝାଇବାକୁ ଚେଷ୍ଟା କଲେ, ହେଲେ ସବୁ ବିଫଳ ହେଲା, ତାଙ୍କୁ ମଧ୍ୟ ଯୁଦ୍ଧରେ ପରାସ୍ତ କଲେ ଲବ ଆଉ କୁଶ । ସେହିପରି ମହାପରାକ୍ରମୀ ଭରତ ପରେ ଲକ୍ଷ୍ମଣଙ୍କୁ ମଧ୍ୟ ଦୁଇ ଭାଇ ପରାସ୍ତ କଲେ । ତିନି ଭାଇ ଅଚେତ ହେବା ପରେ ନିଜେ ଶ୍ରୀରାମ ଘଟଣା ସ୍ଥଳକୁ ଆସିଥିଲେ । ତେବେ ଯେଉଁ ଲକ୍ଷ୍ମଣ ନିଜ ବାଣରେ ମେଧନାଦ ଭଲି ବୀରକୁ ପରାସ୍ତ କରିଥିଲେ, ଯେଉଁ ଭରତ ନିଜ ବାଟୁଳିରେ ହନୁମାନଙ୍କୁ ଅଚେତ କରିଥିଲେ, ସେମାନଙ୍କୁ କିପରି ଏହି ଦୁଇ ବାଳକ ପରାସ୍ତ କରିପାରିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଦୁଇ ବାଳକଙ୍କ ଭିତରେ ଏଭଳି ପରାକ୍ରମ ସମ୍ଭବ ହୋଇପାରିଥିଲା ମାତା ସୀତାଙ୍କ ଆଶୀର୍ବାଦର ପ୍ରଭାବରେ । ଦେବୀ ସୀତା ହେଉଛନ୍ତି ସ୍ବୟଂ ଶକ୍ତିସ୍ବରୂପା । ଦେବୀ ଦୁର୍ଗା ବାଳିକା ଥିବାବେଳେ ସୀତା ଶିବଧନୁକୁ ନିଜ ବାମ ହାତରେ ଉଠାଇ ଦେଇଥିଲେ, ଯାହାକୁ ପରବର୍ତ୍ତୀ ସମୟରେ ବୀର ଯୋଦ୍ଧାମାନେ ଉଠାଇବା ତ ଦୂରର କଥା ଘୁଞ୍ଚାଇପାରିନଥିଲେ । ଦେବୀ ସୀତାଙ୍କର ଇଚ୍ଛା ଅନୁସାରେ ଭଗବାନ ଶ୍ରୀରାମ ଏହି ଶିବଧନୁକୁ ଭାଙ୍ଗିଥିଲେ । ବିଶେଷ କରି ଆମ ଧର୍ମଶାସ୍ତ୍ର ଆଧାରିତ ତଥ୍ୟ ଅନୁସାରେ ନବମୀର ମହତ୍ତ୍ବ ମହନୀୟ । ଯଥା ନବମୀ’ ଚନ୍ଦ୍ରପକ୍ଷର ନବମ ଦିବସ – ଚନ୍ଦ୍ରର ନବମ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ଅଷ୍ଟମୀର ପରବର୍ତ୍ତୀ ଓ ଦଶମୀର ପୂର୍ବବର୍ତ୍ତୀ ତିଥି । କୃଷ୍ଣ ପକ୍ଷର ନବମୀକୁ କୃଷ୍ଣା ନବମୀ ଓ ଶୁକ୍ଳ ପକ୍ଷର ନବମୀକୁ ଶୁକ୍ଳା ନବମୀ କୁହାଯାଇଥାଏ।ଚୈତ୍ର ଶୁକ୍ଳ ନବମୀ ବା ରାମ ନବମୀ , ଯେଉଁ ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଏବଂ ଦୁର୍ଗାଙ୍କର ମଧ୍ୟ ବାସନ୍ତିକ ନବମୀପୂଜା ହୁଏ ।

ପାରମ୍ପରିକ ରୀତି ମତେ ନବମୀ ତିଥିରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କର ଫୁଲ ତୁଳସୀ ନିଆଯାଇ ପୂଜାର୍ଚ୍ଚନା କରାଯିବା ପରେ ରଥଯାତ୍ରା ଲାଗି ରଥ କାଠ ଚିରଟ କାର୍ଯ୍ୟର ଶୁଭାରମ୍ବ ହୋଇ ହୋଇଥାଏ । ସେହିପରି ବୈଶାଖ ଶୁକ୍ଳନବମୀ ବା ସୀତା ନବମୀ ବା ସୀତା ଜୟନ୍ତୀ । ତଦନୁରୂପେ ଭାଦ୍ରବ କୃଷ୍ଣନବମୀରେ ନନ୍ଦୋତ୍ସବ , ଯାହା କୃଷ୍ଣ ଜନ୍ମାଷ୍ଟମୀର ପରଦିନ କୃତ ଉତ୍ସବ ,ଆଶ୍ୱିନ ଶୁକ୍ଳନବମୀ ବା ମହାନବମୀ ,ଶାରଦୀୟା ଦୁର୍ଗା ପୂଜାର ତୃତୀୟ ବା ଶେଷ ଦିବସ ,କାର୍ତ୍ତିକ ଶୁକ୍ଳନବମୀ ବା ଅଅଁଳା ନବମୀ, ଜଗଦ୍ଧାତ୍ରୀପୂଜା ଓ ଦୂର୍ଗାନବମୀ ବ୍ରତ ମାର୍ଗଶୀର କୃଷ୍ଣନବମୀ ବା କାଞ୍ଜିଅଅଁଳା ଓଷା , ବିଶେଷ କରି
କାଞ୍ଜିଅଁଳା ଓଷା ତିଥିରେ ସନ୍ତାନସନ୍ତତି ଥିବା ମହିଳାମାନେ ଷଠୀଦେବୀଙ୍କ ନିକଟରେ ନିଜ ପିଲାମାନଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ଏ ଉପବାସ କରିଥାନ୍ତି ।ପୁନଃ ଏଠାରେ ଉଲ୍ଲେଖଯୋଗ୍ୟ ଯେ
ଭୂମିସୁତା ସୀତା ଯଜ୍ଞଭୂମି କର୍ଷଣ ସମୟରେ ହିଁ ଭୂମିରୁ ଉତ୍ପନ୍ନ ହୋଇଥିଲେ। ତେଣୁ ଏହି ଅଯୋନିସଂଭୂତାଙ୍କର ପ୍ରକଟ ତିଥି ବୈଶାଖ ଶୁକ୍ଳ ନବମୀ ହିଁ ତାଙ୍କର ଜନ୍ମଦିନ ଭାବରେ ପାଳିତ ହୋଇ ଆସୁଛି । ଆମ ଭାରତୀୟ ସଂସ୍କୃତିରେ ସୀତା ଯେପରି ସମସ୍ତଙ୍କର ଆଦରଣୀୟା, ସେହିପରି ସମ୍ମାନନୀୟା। ପ୍ରତ୍ୟେକ ଭାରତୀୟ ନାରୀ ସୀତାଙ୍କୁ ସର୍ବଶ୍ରେଷ୍ଠ ଆଦର୍ଶ ରୂପେ ଗ୍ରହଣ କରିଥାନ୍ତି। ସୀତା ରାଜର୍ଷି ଜନକଙ୍କର ପୁତ୍ରୀ ଏବଂ ଅଯୋଧ୍ୟାପତି ଦଶରଥଙ୍କର ପୁତ୍ରବଧୂ। ବିଷ୍ଣୁଙ୍କର ରାମ ଅବତାରର ପତ୍ନୀ ଲକ୍ଷ୍ମୀସ୍ୱରୂପିଣୀ ସୀତା। ଏତେ ସବୁ ସତ୍ତ୍ୱେ, କୌଣସି ଦିନ ସେ ରାଜପ୍ରାସାଦର ସୁଖବୈଭବ ଭୋଗ କରିପାରିନଥିଲେ। ବିଶେଷ କରି ସୀତାଙ୍କର ସବୁଠାରୁ ଦୁଃଖର ଦିନ ଥିଲା ଯେତେବେଳେ ସନ୍ତାନସଂଭବା ଜାଣି ମଧ୍ୟ ରାମଚନ୍ଦ୍ର ତାଙ୍କୁ ବନବାସ ପ୍ରଦାନ କରିଥିଲେ। ଏ ସଂପର୍କରେ ପୁରାଣରେ ବର୍ଣ୍ଣନାତ୍ମକ ଭାବେ ଉଲ୍ଲେଖ ରହିଛି ଯେ ଏକଦା ସୀତା ଉଦ୍ୟାନରେ ପରିଭ୍ରମଣ କରିବା ସମୟରେ ଏକ ଶୁକପକ୍ଷୀ ଦମ୍ପତିଙ୍କଠାରୁ ରାମଚନ୍ଦ୍ରଙ୍କର ରୂପଗୁଣର ପ୍ରଶଂସା ଶୁଣି ଏତେ ମୁଗ୍ଧ ହୋଇଗଲେ ଯେ ପ୍ରତିଦିନ ତାହା ଶୁଣିବାପାଇଁ ଶୁକପକ୍ଷୀ ଦୁଇଟିଙ୍କୁ ଆଣି ପଞ୍ଜୁରୀରେ ରଖିଦେଲେ। ପ୍ରଥମରେ ସେମାନେ ବନଚର, ଦ୍ୱିତୀୟରେ ସ୍ତ୍ରୀପକ୍ଷୀଟି ଗର୍ଭବତୀ ଥିଲା। ସେମାନେ ଚାହୁଁଥିଲେ ତାଙ୍କ ନିଜସ୍ୱ ବାସସ୍ଥାନରେ ତାଙ୍କ ସନ୍ତାନକୁ ଜନ୍ମଦେବାକୁ। ତେଣୁ ମୁକ୍ତି ଲାଗି ବାରମ୍ବାର ସେମାନେ ସୀତାଙ୍କୁ ଅନୁରୋଧ କଲେ। କିନ୍ତୁ ସୀତା ସେଥିରେ ଆଦୌ କର୍ଣ୍ଣପାତ କଲେ ନାହିଁ। ଶେଷରେ ସ୍ତ୍ରୀପକ୍ଷୀଟିକୁ ରଖି ପୁରୁଷପକ୍ଷୀଟିକୁ ଉଡ଼ାଇ ଦେଲେ। ଏଥିରେ ସ୍ତ୍ରୀପକ୍ଷୀଟି ଅତ୍ୟଧିକ ଦୁଃଖିତ ଓ କାତର ହୋଇ ସୀତାଙ୍କୁ କହିଲା, “ମୋର ଗର୍ଭବାସ କାଳରେ ତୁମେ ଯେପରି ମୋ ପତିଠାରୁ ମୋତେ ଅଲଗା କଲ, ତୁମେ ମଧ୍ୟ ସେହିପରି ରାମଚନ୍ଦ୍ରଙ୍କଠାରୁ ଅଲଗା ହେବ।” ଏହା କହି ସ୍ତ୍ରୀ ଶୁକପକ୍ଷୀଟି ମୃତ୍ୟୁବରଣ କଲା। ତାର ମୃତ୍ୟୁରେ ଦୁଃଖିତ ହୋଇ ପୁରୁଷ ପକ୍ଷୀଟିର ମଧ୍ୟ ମୃତ୍ୟୁ ହେଲା। କିନ୍ତୁ ସୀତାଙ୍କ ପ୍ରତି ଦ୍ୱେଷ ରଖି ମୃତ୍ୟୁବରଣ କରିଥିବାରୁ ପର ଜନ୍ମରେ ସେ ଅଯୋଧ୍ୟାରେ ଏକ ରଜକ ଭାବରେ ଜନ୍ମଗ୍ରହଣ କଲା। ତାହାରି କଟୁବଚନ ହିଁ ସୀତାଙ୍କ ବନବାସର କାରଣ ହୋଇଥିଲା।
କ୍ରମଶଃ
