“ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬”ର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,୧୧୦୦ଶ୍ରଦ୍ଧାଳୁଙ୍କୁ ଧରି ବାହାରିଲା ସ୍ୱତନ୍ତ୍ର ଟ୍ରେନ୍

“ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬”ର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,୧୧୦୦ଶ୍ରଦ୍ଧାଳୁଙ୍କୁ ଧରି ବାହାରିଲା ସ୍ୱତନ୍ତ୍ର ଟ୍ରେନ୍

ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ସ୍ୱତନ୍ତ୍ର “ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬” ।  ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୧୦୦ରୁ ଅଧିକ ଶ୍ରଦ୍ଧାଳୁ ଗୁଜୁରାଟସ୍ଥିତ ପ୍ରସିଦ୍ଧ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି ।  ଭୁବନେଶ୍ୱର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭ ଉଦଘାଟନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକାଶ ବି, ବିରାସତ ବି: ଦୁଇ ସାଂସ୍କୃତିକ କେନ୍ଦ୍ରର ମହାମିଳନ ହେବ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ର ଏକ ଭାରତ ଶ୍ରେଷ୍ଠ ଭାରତ’ ସଂକଳ୍ପକୁ ଆଗେଇ ନେବା ପାଇଁ ଏହା ଏକ ଅନନ୍ୟ ପ୍ରୟାସ ।  ଏହି ଯାତ୍ରା ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ କେନ୍ଦ୍ର ସହ ଗୁଜୁରାଟର ଐତିହ୍ୟକୁ ଯୋଡ଼ା ଯାଉଛି ।

ଏହି ପବିତ୍ର ଯାତ୍ରାରେ ଓଡ଼ିଶାର ଏକାମ୍ର କ୍ଷେତ୍ରର ଐତିହ୍ୟବାହୀ କେଦାରଗୌରୀ ମାଟି ଏବଂ ପବିତ୍ର ବିନ୍ଦୁସାଗରର ଜଳ ମଧ୍ୟ ସୋମନାଥ ପୀଠକୁ ପଠାଯାଇଛି ।  ଆଜିଠାରୁ ୬ଦିନ ପାଇଁ ଶ୍ରଦ୍ଧାଳୁମାନେ ଯାତ୍ରା କରିଛନ୍ତି ।  ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏହି ଶ୍ରଦ୍ଧାଳୁମାନେ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଛି ।  ଏ ଯାତ୍ରାକୁ ନେଇ ତୀର୍ଥଯାତ୍ରୀମାନେ ବେଶ ଖୁସିବ୍ୟକ୍ତ କରିଛନ୍ତି  ।   ସରକାରଙ୍କ ତରଫରୁ ଏଭଳି ଏକ ଯାତ୍ରାର ସୁବିଧା କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ଏନେଇ ଧନ୍ୟବାଦ ପ୍ରଦାନ କରିଛନ୍ତି  ।

ଭାରତର ପବିତ୍ର ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରେ ସର୍ବାଗ୍ରେ ପୂଜା ପାଆନ୍ତି ପ୍ରଭୁ ଶ୍ରୀ ସୋମନାଥ। ଗୁଜରାଟର ସୌରାଷ୍ଟ୍ର ଅଞ୍ଚଳର ପ୍ରଭାସ ପାଟନ୍‌ଠାରେ ସମୁଦ୍ର କୂଳରେ ଅବସ୍ଥିତ ଏହି ଭବ୍ୟ ମନ୍ଦିର। ସୋମନାଥ ମନ୍ଦିର କେବଳ ଏକ ଧାର୍ମିକ ପୀଠ ନୁହେଁ, ବରଂ ଏହା ଭାରତୀୟ ସନାତନ ସଂସ୍କୃତିର ସ୍ୱାଭିମାନ, ସହନଶୀଳତା ଏବଂ ପୁନର୍ଜନ୍ମର ସବୁଠାରୁ ବଡ଼ ପ୍ରତୀକ।

ଋଗ୍‌ବେଦ ଏବଂ ଶିବ ପୁରାଣ ଅନୁସାରେ, ସୋମନାଥ ଜ୍ୟୋତିର୍ଲିଙ୍ଗର ସ୍ଥାପନ ସ୍ୱୟଂ ଚନ୍ଦ୍ରଦେବ (ସୋମ) କରିଥିଲେ। ଦକ୍ଷ ପ୍ରଜାପତିଙ୍କ ଅଭିଶାପ ଯୋଗୁଁ ଚନ୍ଦ୍ରଦେବ ଯେତେବେଳେ ନିଜର ସମସ୍ତ ଚମକ ହରାଇ କ୍ଷୟ ରୋଗରେ ପୀଡ଼ିତ ହେଲେ, ସେତେବେଳେ ସେ ପ୍ରଭାସ ତୀର୍ଥରେ ସରସ୍ୱତୀ, ହିରଣ ଓ କପିଳା ନଦୀର ସଙ୍ଗମ ସ୍ଥଳରେ ପ୍ରଭୁ ବ୍ରହ୍ମାଙ୍କ ପରାମର୍ଶ କ୍ରମେ ଶିବଲିଙ୍ଗ ସ୍ଥାପନ କରି ଘୋର ତପସ୍ୟା କରିଥିଲେ।

ପ୍ରଭୁ ଶିବ ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ତାଙ୍କୁ ଅଭିଶାପମୁକ୍ତ କରିବା ସହ ନିଜ ମସ୍ତକରେ ସ୍ଥାନ ଦେଇଥିଲେ। ଚନ୍ଦ୍ରଦେବଙ୍କ ଅନୁରୋଧ କ୍ରମେ ମହାଦେବ ସେହିଦିନଠାରୁ ସେଠାରେ ‘ସୋମନାଥ’ (ଚନ୍ଦ୍ରଙ୍କ ନାଥ) ଭାବେ ଜ୍ୟୋତିର୍ଲିଙ୍ଗ ରୂପରେ ବିରାଜମାନ ହେଲେ।

ଆଜି ଆମେ ଯେଉଁ ସୋମନାଥ ମନ୍ଦିରର ଭବ୍ୟ ରୂପ ଦେଖୁଛୁ, ତାହା ସ୍ୱାଧୀନତା ପରେ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କ ଦୂରଦୃଷ୍ଟି ଯୋଗୁଁ ସମ୍ଭବ ହୋଇଛି। ସେ ଏହି ମନ୍ଦିରର ପୁନରୁଦ୍ଧାର ପାଇଁ ସଂକଳ୍ପ ନେଇଥିଲେ ଏବଂ ୧୯୫୧ ମସିହାରେ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ଏଠାରେ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ଚାଲୁକ୍ୟ ଶୈଳୀ (ମାରୁ-ଗୁର୍ଜର ସ୍ଥାପତ୍ୟ) ରେ ନିର୍ମିତ ଏହି ମନ୍ଦିରର ସୌନ୍ଦର୍ଯ୍ୟ ଏବଂ ଏହାର ଶିଖର ଉପରେ ଥିବା ସ୍ୱର୍ଣ୍ଣ କଳସ ଦେଖିଲେ ଆଖି ଖୋସି ହୋଇଯାଏ।

ସୋମନାଥ ମନ୍ଦିର ପ୍ରାଙ୍ଗଣର ଦକ୍ଷିଣ ପାର୍ଶ୍ୱ ସମୁଦ୍ର କୂଳରେ ଏକ ପ୍ରାଚୀନ ସ୍ତମ୍ଭ ରହିଛି, ଯାହାକୁ ‘ବାଣ ସ୍ତମ୍ଭ’ କୁହାଯାଏ। ଏହି ସ୍ତମ୍ଭ ଉପରେ ଲେଖାଯାଇଛି ଯେ, ଏହି ସ୍ଥାନଠାରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ କୌଣସି ଭୂଖଣ୍ଡ ବା ପାହାଡ଼ ନାହିଁ— ଅର୍ଥାତ ଏହା ସମ୍ପୂର୍ଣ୍ଣ ସଳଖ ଜଳମାର୍ଗ। ହଜାର ହଜାର ବର୍ଷ ପୂର୍ବେ ଭାରତୀୟ ସନାତନ ଭୂଗୋଳ ଏବଂ ବିଜ୍ଞାନ କେତେ ଉନ୍ନତ ଥିଲା, ଏହି ବାଣ ସ୍ତମ୍ଭ ତାହାର ଏକ ବଡ଼ ପ୍ରମାଣ।

ଗୁଜରାଟର ସୋମନାଥ ପୀଠ ହେଉଛି ଭାରତର ଆଧ୍ୟାତ୍ମିକ ଚେତନାର ପ୍ରାଣକେନ୍ଦ୍ର। ଏଠାକାର ସମୁଦ୍ରର ଗର୍ଜନ ଏବଂ ଆରତିର ଧ୍ୱନି ଭକ୍ତ ମନରେ ଏକ ଅଲୌକିକ ଶାନ୍ତି ଓ ଦିବ୍ୟ ଅନୁଭୂତି ସୃଷ୍ଟି କରିଥାଏ।

Posted in ରାଜ୍ୟ and tagged .