ସେବା ଭାରତୀ’ ନିଃସ୍ୱାର୍ଥପର ମାନବସେବାର ଜ୍ୱଳନ୍ତ ଉଦାହରଣ- ଧର୍ମେନ୍ଦ୍ର ପ୍ରଧାନ

ସେବା ଭାରତୀ’ ନିଃସ୍ୱାର୍ଥପର ମାନବସେବାର ଜ୍ୱଳନ୍ତ ଉଦାହରଣ- ଧର୍ମେନ୍ଦ୍ର ପ୍ରଧାନ

ସେବା ଭାରତୀ କେବଳ ଏକ ସଂଗଠନର ନାମ ନୁହେଁ, ବରଂ ଏହା ନିଃସ୍ୱାର୍ଥପର ସେବାର ଏକ ଅନନ୍ୟ ପ୍ରତୀକ ବୋଲି ଶନିବାର ସମ୍ବଲପୁର ଠାରେ ଆୟୋଜିତ ‘ସେବା ଭାରତୀ’ ଓଡ଼ିଶା ପଶ୍ଚିମ ପ୍ରାନ୍ତର ବାର୍ଷିକ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ କହିଛନ୍ତି ଯେ, “ସେବା ହିଁ ଭଗବାନ” ମନ୍ତ୍ରକୁ ପାଥେୟ କରି ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସଂସ୍କାର ଏବଂ ବିପର୍ଯ୍ୟୟ ପରିଚାଳନା ଭଳି ପ୍ରତିଟି କ୍ଷେତ୍ରରେ ଏହି ଅନୁଷ୍ଠାନର ସମର୍ପିତ କାର୍ଯ୍ୟଧାରା ଅତ୍ୟନ୍ତ ପ୍ରଶଂସନୀୟ । ସମାଜର ଅବହେଳିତ ଓ ବଞ୍ଚିତ ବ୍ୟକ୍ତିଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେବା ଭାରତୀ ଯେଉଁ ସଂକଳ୍ପ ନେଇଛି, ତାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ଆମେ କାହାକୁ ଦୟା କରିବା ଉଚିତ ନୁହେଁ, କାହାକୁ ଅନୁକମ୍ପା ଦେଖେଇବା ଉଚିତ ନୁହେଁ, ଆମେ ଆମର ନିଜର କର୍ତ୍ତବ୍ୟ କରିବା ଉଚିତ। କର୍ତ୍ତବ୍ୟଟା ଆମର ସମାଜର ସଂସ୍କାର ।

ସ୍ଥାନୀୟ ପ୍ରସଙ୍ଗ ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେବା ଭାରତୀ ସଦାସର୍ବଦା ନିଜକୁ ସମାଜ ସହ ଯୋଡ଼ି ରଖିଛି । ସାମାଜିକ ସ୍ୱାବଲମ୍ବନ ସହ ପାରମ୍ପାରିକ କାର୍ଯ୍ୟକ୍ରମ ଏବଂ ପାନୀୟ ଜଳ ବ୍ୟବସ୍ଥା ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଏକ ଆତ୍ମୀୟତା ଓ ସାମୂହିକ ସଦଭାବ ସୃଷ୍ଟି କରିବାରେ ଏହି ସଂଗଠନ ସଫଳ ହୋଇଛି । ତେବେ ଆଜି ଜିଲ୍ଲା ପ୍ରଶାସନ ପ୍ରଦାନ କରାଯାଇଥିବା ଆମ୍ବୁଲାନ୍ସ ସେବା ଅଞ୍ଚଳର ସ୍ୱାସ୍ଥ୍ୟସେବାକୁ ଆହୁରି ତ୍ୱରାନ୍ୱିତ କରିବ । ସେହିପରି ସ୍ଥାନୀୟ ଅଞ୍ଚଳରେ ଚାଲୁଥିବା ଗୋଶାଳା ଓ ଚିକିତ୍ସା ଶିବିର କାର୍ଯ୍ୟରେ ସେବା ଭାରତୀ ସହ ସମାଜର ପ୍ରତିଟି ବ୍ୟକ୍ତି ମଧ୍ୟ ମିଳିତ ଭାବେ ଦାୟିତ୍ୱ ନେବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

ଆଜିର ସମୟରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣକୁ ଏକ ଚିନ୍ତାଜନକ ବିଷୟ ଭାବେ ଦର୍ଶାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଗାମୀ ପିଢ଼ିକୁ ସୁସ୍ଥ ଓ ଶିକ୍ଷିତ କରି ଗଢ଼ିତୋଳିବା ଆମ ସମସ୍ତଙ୍କର ମିଳିତ କର୍ତ୍ତବ୍ୟ । ଏହା ସହ ବଢୁଥିବା ତାପମାତ୍ରାର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ଏବଂ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର ସମ୍ପୂର୍ଣ୍ଣ ବର୍ଜନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, “ଯେତେବେଳେ ଆମେ ସମାଜକୁ ନିଜର ପରିବାର ଭାବେ ଗ୍ରହଣ କରିବା, ସେତେବେଳେ ଯାଇ ଏକ ସୁସ୍ଥ ଓ ସୁବ୍ୟବସ୍ଥିତ ସମାଜ ଗଠନ ସମ୍ଭବ ହେବ।”

ଏହି ବାର୍ଷିକ ଉତ୍ସବରେ ଓଡ଼ିଶାର ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକଙ୍କ ସମେତ ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ଏବଂ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ସମସ୍ତ ବର୍ଗଙ୍କୁ ସାଥିରେ ନେଇ ସେବା ଭାରତୀ ଏହି ମହତ ସେବା ଜାରି ରଖିଥିବାରୁ ଶ୍ରୀ ପ୍ରଧାନ ସଂଗଠନକୁ ସାଧୁବାଦ ଜଣାଇଛନ୍ତି।

Posted in ରାଜ୍ୟ and tagged .