ବଙ୍ଗଭଙ୍ଗ ସମୟରୁ ଜନମାନସରେ ଥିବା ଅସନ୍ତୋଷର ଦୃଢ଼ ପ୍ରତିଜବାବ

ବଙ୍ଗଭଙ୍ଗ ସମୟରୁ ଜନମାନସରେ ଥିବା ଅସନ୍ତୋଷର ଦୃଢ଼ ପ୍ରତିଜବାବ

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ବିଜୟ କେବଳ ଏକ ରାଜନୈତିକ ସଫଳତା ନୁହେଁ, ବରଂ ଏହା ୧୯୦୫ ମସିହାର ବଙ୍ଗଭଙ୍ଗ ସମୟରୁ ଜନମାନସରେ ଥିବା ବେଦନା ଓ ଅସନ୍ତୋଷର ଏକ ଦୃଢ଼ ପ୍ରତିଜବାବ ବୋଲି ଗଣମାଧ୍ୟମକୁ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବିଗତ ପ୍ରାୟ ୧୨୦ ବର୍ଷ ଧରି ବହୁସଂଖ୍ୟକ ସମାଜ ଯେଉଁ ଅଣଦେଖାର ଶିକାର ହୋଇଥିଲା, ଆଜି ସେହି ସମାଜ ନିଜର ମନକଥା ପ୍ରକାଶ କରିଛି । ପଶ୍ଚିମବଙ୍ଗର ଜନସାଧାରଣ ଅନୁପ୍ରବେଶକାରୀ, ବେରୋଜଗାରୀ ଏବଂ ମହିଳା ଅସୁରକ୍ଷିତତା ବିରୁଦ୍ଧରେ ମତ ଦେବା ସହ ସ୍ୱାବଲମ୍ବନ ଓ ବିକାଶ ସପକ୍ଷରେ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ଜନତା ପାର୍ଟିର ମୂଳ ବିଚାରକ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବିଚାରଧାରା ଆଜି ତାଙ୍କ ନିଜ ମାତୃଭୂମିରେ ସେବା କରିବାର ସୁଯୋଗ ପାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ‘ଡବଲ ଇଞ୍ଜିନ’ ସରକାର ଏବେ ବଙ୍ଗଳାରେ ବିକାଶର ଗତିକୁ ତ୍ୱରାନ୍ୱିତ କରିବ । ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମ ଜୟନ୍ତୀ ଭଳି ଏକ ପବିତ୍ର ସାଂସ୍କୃତିକ ଅବସରରେ ଏହି ନୂତନ ସରକାରର ଗଠନ ବଙ୍ଗଳା ପାଇଁ ଏକ ଶୁଭ ସଂକେତ ।

ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଜଣେ ତୃଣମୂଳ ସ୍ତରର ଜନନେତା ଭାବେ ବର୍ଣ୍ଣନା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ତାଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗ ପୁନର୍ବାର ବୌଦ୍ଧିକ ଓ ସାଂସ୍କୃତିକ କେନ୍ଦ୍ର ଭାବେ ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହେବ । ଶିକ୍ଷା, ନବସୃଜନ ଏବଂ ଯୁବ ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ନୂତନ କୀର୍ତ୍ତିମାନ ସ୍ଥାପନ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
ସୂଚନାଯୋଗ୍ୟ, ଆଜି କୋଲକାତା ଠାରେ ଅନୁଷ୍ଠିତ ଏହି ଭବ୍ୟ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ସାମିଲ ହୋଇଥିଲେ ।

Posted in ଦେଶ ବିଦେଶ, ରାଜନୀତି and tagged .