ଶିକ୍ଷାକୁ ନେଇ ଚାଲିଛି ମୂଲଚାଲ

ଶିକ୍ଷାକୁ ନେଇ ଚାଲିଛି ମୂଲଚାଲ

ଦେଶର ସବୁଠାରୁ ବଡ଼ ଡାକ୍ତରୀ ପ୍ରବେଶିକା ପରୀକ୍ଷା ‘ନିଟ୍’ (NEET) କୁ ନେଇ ଚାଲିଥିବା ଦୁର୍ନୀତିର ପେଡ଼ି ଏବେ ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି। ମହାରାଷ୍ଟ୍ରର ନାସିକରୁ ପୋଲିସ ଏହି ପ୍ରଶ୍ନପତ୍ର ଲିକର ମୁଖ୍ୟ ନାୟକ ଶୁଭମକୁ ଗିରଫ କରିଛି। ଜଣେ ସାଧାରଣ ଯୁବକ କିପରି ଶିକ୍ଷା ବ୍ୟବସ୍ଥାରେ ଏତେ ବଡ଼ ସିନ୍ଧି କରିପାରିଲା, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ।

ତଦନ୍ତରୁ ଜଣାପଡ଼ିଛି ଯେ, ଶୁଭମ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଏହି ର୍ୟାକେଟ୍ ଚଲାଉଥିଲା। ସେ ପ୍ରଶ୍ନପତ୍ରକୁ ମାତ୍ର ୧୦ ଲକ୍ଷ ଟଙ୍କାରେ କିଣି ପରୀକ୍ଷାର୍ଥୀଙ୍କୁ ୧୫ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲା। ଏହି ୫ ଲକ୍ଷ ଟଙ୍କାର ଲାଭ ପାଇଁ ସେ ହଜାର ହଜାର ପିଲାଙ୍କ କଠିନ ପରିଶ୍ରମକୁ ପାଣିରେ ମିଶାଇବାକୁ ପଛାଇ ନଥିଲା। ଏହା କେବଳ ଏକ ଆର୍ଥିକ ଅପରାଧ ନୁହେଁ, ବରଂ ଏହା ଦେଶର ଆଗାମୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ମେଧାବୀ ଯୁବପିଢ଼ିଙ୍କ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର।

ଏହି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦିନରାତି ଏକ କରି ପାଠ ପଢ଼ୁଥିବା ଗରିବ ଓ ମଧ୍ୟବିତ୍ତ ପରିବାରର ପିଲାମାନେ ଏହି ଦୁର୍ନୀତି ଯୋଗୁଁ ନିଜର ହକ୍ ହରାଉଛନ୍ତି। ବାରମ୍ବାର ପରୀକ୍ଷା ଲିକ୍ ହେଲେ ଛାତ୍ରଛାତ୍ରୀଙ୍କ ମନରେ ପରୀକ୍ଷା ଓ ଶିକ୍ଷା ବ୍ୟବସ୍ଥା ପ୍ରତି ଥିବା ବିଶ୍ୱାସ ଶେଷ ହୋଇଯିବ। ଯେଉଁମାନେ ଟଙ୍କା ଦେଇ ପ୍ରଶ୍ନପତ୍ର କିଣି ଡାକ୍ତର ହେବାକୁ ଚାହୁଁଛନ୍ତି, ସେମାନେ ଭବିଷ୍ୟତରେ ରୋଗୀଙ୍କ ଜୀବନ ସହ କିପରି ଖେଳିବେ, ତାହା ସହଜରେ ଅନୁମେୟ। ସରକାର ଏହି ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ଶୁଭମ ଓ ତା’ର ସହଯୋଗୀଙ୍କ ବିରୋଧରେ ଦେଶଦ୍ରୋହ ଭଳି କଠୋର ଦଫା ଲାଗୁ ହେବା ଉଚିତ। ଏଥିସହ ପରୀକ୍ଷା ପରିଚାଳନା କରୁଥିବା ଏଜେନ୍ସିଗୁଡ଼ିକରେ କେଉଁଠି ତ୍ରୁଟି ରହିଛି, ତାହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ହେବା ଜରୁରୀ।  ନିଟ-ୟୁଜି ୨୦୨୬ ପରୀକ୍ଷା ଦୁର୍ନୀତି ମାମଲାରେ ନାସିକ କ୍ରାଇମବ୍ରାଞ୍ଚ ଜଣେ ୩୦ ବର୍ଷୀୟ BAMS ଛାତ୍ର ଶୁଭମ ଖୈରନାରଙ୍କୁ ଗିରଫ କରିଛି । ରାଜସ୍ଥାନ ପୋଲିସର ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ୧୦ ଲକ୍ଷରେ କିଣି ୧୫ ଲକ୍ଷରେ ପ୍ରଶ୍ନପତ୍ର ବିକୁଥିଲା ଶୁଭମ । ଯାହାକି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅଭିଯୁକ୍ତ ଶୁଭମ ନାସିକର ଏକ ପ୍ରିଣ୍ଟିଂ ପ୍ରେସରୁ ମେ ୩ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ରର ହାର୍ଡ କପି ହାସଲ କରିଥିବା ଅଭିଯୋଗ ହୋଇଛି ।  ଏହାକୁ ସେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଓ ହ୍ବାଟସ ଆପ ମାଧ୍ୟମରେ ହରିୟାଣା ଏବଂ ଅନ୍ୟ ରାଜ୍ୟର ଲିଙ୍କ୍ ଗୁଡ଼ିକୁ ପଠାଇଥିଲା ।  ସେ ଏହି ‘ଗେସ୍ ପେପର’କୁ ପ୍ରାୟ ୧୦ ଲକ୍ଷ ଟଙ୍କାରେ କିଣିଥିଲା ।  ଅନ୍ୟମାନଙ୍କୁ ୧୫ ଲକ୍ଷ ଟଙ୍କାରେ ବିକ୍ରି କରିଥିଲା ।  ଦୁର୍ନୀତିର ଚେର ମହାରାଷ୍ଟ୍ର, ରାଜସ୍ଥାନ ଏବଂ ହରିୟାଣା ପର୍ଯ୍ୟନ୍ତ ଲମ୍ବିଛି । ଏଥିରେ ପ୍ରାୟ ୪୫ ଜଣଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।  ସିବିଆଇର ଚାରୋଟି ସ୍ୱତନ୍ତ୍ର ଟିମ୍ ନାସିକ କ୍ରାଇମ ବ୍ରାଞ୍ଚ ଅଫିସରେ ପହଞ୍ଚି ଶୁଭମକୁ ନିଜ ହେପାଜତକୁ ନେଇଛି ।  ପରୀକ୍ଷାର ପ୍ରାୟ ୪୨ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ରର ପ୍ରାୟ ୧୨୦ ରୁ ୧୫୦ଟି ପ୍ରଶ୍ନ ମେଳ ଖାଇଥିବାରୁ ପରୀକ୍ଷାକୁ ବାତିଲ କରାଯାଇଛି ।  ସିବିଆଇ ଏବେ ଶୁଭମକୁଅଧିକ ପଚରାଉଚରା କରି ରାକେଟ୍ ପଛରେ ଥିବା ପ୍ରକୃତ କାର୍ପଟଦାରକୁ ଖୋଜିବାକୁ ଚେଷ୍ଟା ଚଳାଇଛି ।

Posted in ଦେଶ ବିଦେଶ and tagged .