ଗଣତନ୍ତ୍ରରେ ଜନସାଧାରଣଙ୍କ ମତଦାନ ହେଉଛି ସବୁଠାରୁ ବଡ଼ ଶକ୍ତି। କିନ୍ତୁ ଏହି ଶକ୍ତିର ପ୍ରକୃତ ପ୍ରୟୋଗ ସେତେବେଳେ ସମ୍ଭବ ହୁଏ, ଯେତେବେଳେ ଭୋଟର ତାଲିକା ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ତ୍ରୁଟିଶୂନ୍ୟ ରହିଥାଏ। ଓଡ଼ିଶାର ସାମ୍ପ୍ରତିକ ପରିସ୍ଥିତିରେ ଭୋଟର ତାଲିକା ସଂଶୋଧନ ର ଗୁରୁତ୍ୱ ଅନେକଗୁଣ ବଢ଼ିଯାଇଛି।
ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବାଂଲାଦେଶୀ ଅନୁପ୍ରବେଶ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଯଦି ଭୋଟର ତାଲିକା ନିୟମିତ ସଂଶୋଧନ କରାଯାଏ ନାହିଁ, ତେବେ ବେଆଇନ ଅନୁପ୍ରବେଶକାରୀମାନେ ଭୋଟର ପରିଚୟ ପତ୍ର ହାସଲ କରି ରାଜ୍ୟର ରାଜନୈତିକ ଭବିଷ୍ୟତକୁ ନିୟନ୍ତ୍ରଣ କରିବାର ଆଶଙ୍କା ରହିଛି। ସ୍ଥାନୀୟ ଅସ୍ମିତା ରକ୍ଷା ପାଇଁ ତାଲିକାରୁ ଅଣ-ଭାରତୀୟଙ୍କ ନାମ ବାଦ୍ ଦେବା ଜରୁରୀ।
ଓଡ଼ିଶାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଯୁବକଯୁବତୀ ୧୮ ବର୍ଷ ବୟସ ଅତିକ୍ରମ କରୁଛନ୍ତି। ଏହି ନୂତନ ମତଦାତାମାନଙ୍କ ନାମ ତାଲିକାରେ ଯୋଡ଼ିବା ଦ୍ୱାରା ହିଁ ଯୁବପିଢ଼ିର ଚିନ୍ତାଧାରା ରାଜନୀତିରେ ପ୍ରତିଫଳିତ ହୋଇପାରିବ। ଅନେକ ସମୟରେ ତାଲିକାରେ ମୃତ ବ୍ୟକ୍ତି କିମ୍ବା ବାହାରକୁ ଚାଲିଯାଇଥିବା ଲୋକଙ୍କ ନାମ ରହିଯାଏ। ଏହାର ଫାଇଦା ଉଠାଇ କିଛି ଅସାଧୁ ଲୋକ “ନକଲି ମତଦାନ”କରିଥାନ୍ତି। ସଂଶୋଧନ ପ୍ରକ୍ରିୟା ଦ୍ୱାରା ଏହି ଜାଲିଆତିକୁ ରୋକାଯାଇପାରିବ।
ଭୋଟର ତାଲିକା ଯଦି ତ୍ରୁଟିପୂର୍ଣ୍ଣ ରହେ, ତେବେ ଜନମତର ପ୍ରକୃତ ପ୍ରତିଫଳନ ହୋଇପାରେ ନାହିଁ। ଜଣେ ଯୋଗ୍ୟ ପ୍ରତିନିଧି ବାଛିବା ପାଇଁ ପ୍ରତିଟି ଭୋଟରଙ୍କ ତଥ୍ୟ ସଠିକ୍ ରହିବା ଆବଶ୍ୟକ।
କେବଳ ସରକାର କିମ୍ବା ନିର୍ବାଚନ କମିଶନଙ୍କ ଉପରେ ନିର୍ଭର ନକରି ପ୍ରତିଟି ସଚେତନ ନାଗରିକ ନିଜର ଓ ନିଜ ପରିବାରର ନାମ ଯାଞ୍ଚ କରିବା ଉଚିତ। ନାମ କଟିଯାଇଥିଲେ କିମ୍ବା କିଛି ତ୍ରୁଟି ଥିଲେ ତୁରନ୍ତ ସ୍ଥାନୀୟ ବିଏଲଓ (BLO) କିମ୍ବା ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ଆବେଦନ କରିବା ଆବଶ୍ୟକ।
ତେବେ ତୃତୀୟ ପର୍ଯ୍ୟାୟରୁ ହିମାଚଳ ପ୍ରଦେଶ, ଜମ୍ମୁ ଏବଂ କାଶ୍ମୀର ଓ ଲଦାଖକୁ ବାଦ ଦିଆଯାଇଛି। ଏହିସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ ଭୌଗଳିକ ଓ ପାଣିପାଗ ସମ୍ପର୍କିତ ସମସ୍ୟା ରହିଥିବାରୁ ପରେ ଏହିଠାରେ ଏସଆଇଆର୍ କରାଯିବ ବୋଲି ମୁଖ୍ୟ ଇଲେକ୍ସନ କମିଶନ କହିଛନ୍ତି। ଗୁରୁବାର ଏନେଇ ଇସିଆଇଙ୍କ ପକ୍ଷରୁ ଘୋଷଣା କରାଯାଇଛି।
ତୃତୀୟ ପର୍ଯ୍ୟାୟରେ, ୩.୯୪ ଲକ୍ଷରୁ ଅଧିକ ବୁଥ୍ ସ୍ତରୀୟ ଅଧିକାରୀ ଏହି କାର୍ଯ୍ୟାରେ ନିୟୋଜିତ ହେବେ। ପ୍ରାୟ ୩୬.୭୩ କୋଟି ଭୋଟରଙ୍କ ଘରେ ଘରେ ଯାଇ ଏମାନେ ଯାଞ୍ଚ କରିବେ। ଏହି ପର୍ଯ୍ୟାୟରେ ଦିଲ୍ଲୀ ମଧ୍ୟ ସାମିଲ ହେବ।ଜାତୀୟ ଜନଗଣନା ଅଧୀନରେ ଚାଲିଥିବା ଘର ଗଣନା କାର୍ଯ୍ୟ ସହିତ ଏସଆଇଆର କାର୍ଯ୍ୟସୂଚୀକୁ ସଂଲଗ୍ନ କରାଯାଇଛି। ଫଳରେ ଦୁଇଟି କାର୍ଯ୍ୟ ଏକା ସହିତ କରାଯିବ। ଫଳରେ ଉଭୟ ପ୍ରକ୍ରିୟାରେ ପ୍ରଶାସନିକ କଳର ସୁବିନିଯୋଗ ହୋଇପାରିବ ବୋଲି ଅଧିକାରୀମାନେ କହିଛନ୍ତି।
ଇସିଆଇଙ୍କ ସୂଚନା ଅନୁସାରେ, ବାକି ରହିଯାଇଥିବା ଅଞ୍ଚଳଗୁଡ଼ିକ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ପୃଥକ ଭାବରେ କାର୍ଯ୍ୟସୂଚୀ ଜାରି କରାଯିବ।। ଏସଆଇଆର ଉଦ୍ଦେଶ୍ୟ ହେଉଛି କେବଳ ଯୋଗ୍ୟ ଭୋଟରମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା, ଏବଂ ଅଯୋଗ୍ୟ ନାମ ଅନ୍ତର୍ଭୁକ୍ତ ହେବାରୁ ରୋକିବା ବୋଲି କହିଛନ୍ତି ସିଇସି।
