ବାସ୍ତବରେ ଧର୍ମେନ୍ଦ୍ର ପ୍ରଧାନ ଜଣେ ଓଡ଼ିଆ ବିସ୍ମୟ ପ୍ରତିଭା

ବାସ୍ତବରେ ଧର୍ମେନ୍ଦ୍ର ପ୍ରଧାନ ଜଣେ ଓଡ଼ିଆ ବିସ୍ମୟ ପ୍ରତିଭା

ଆଜି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୮(ଅଠାବନ) ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ୧୯୬୯ ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ରୀଯୁକ୍ତ ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆନ୍ଥୋପଲୋଜୀରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି । ଛାତ୍ରଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ଭାବେ କାର୍ଯ୍ୟ କରି ପରବର୍ତ୍ତୀ ସମୟରେ ଏହାର କେନ୍ଦ୍ରୀୟ ନେତା ହେବା ଏବଂ ତତ୍ ପରବର୍ତ୍ତୀ ସମୟରେ ଏହାର ଯୁବ ସଂଗଠନର ସର୍ବଭାରତୀୟ ସଭାପତି ହୋଇଥିଲେ । ମାତ୍ର ୩୧ ବର୍ଷ ବୟସରେ ଓଡ଼ିଶା ବିଧାନ ସଭାର ସଦସ୍ୟ ( ପାଲଲହଡ଼ା) ଏବଂ ୩୫ ବର୍ଷ ବୟସରେ ଲୋକସଭାକୁ (୨୦୦୪) ନିର୍ବାଚିତ ହୋଇଥିବା ଶ୍ରୀ ପ୍ରଧାନ ସଂସଦରେ ସ୍ଵକୀୟ ପ୍ରଜ୍ଞା ଆଧାରରେ ବିଜେପି ଦଳର ତୁଙ୍ଗ ନେତାମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ , ଯାହାର ଫଳଶ୍ରୁତି ହେଲା, ସେ ହିଁ ପ୍ରଥମ ଓଡ଼ିଆ, ଯିଏ ଅନ୍ୟ ରାଜ୍ୟରୁ ଯଥା ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭା ସଦସ୍ୟ ହେବା ସହିତ ପ୍ରଥମ ମନ୍ତ୍ରୀ, ଯିଏ ଦୀର୍ଘ ୭ ବର୍ଷ ଧରି କ୍ରମାଗତ ଭାବେ ସଦା ସମାଲୋଚିତ ବିଭାଗ ” ତୈଳ ଓ ପ୍ରାକୃତିକ ବାଷ୍ପ” ବିଭାଗର ମନ୍ତ୍ରୀ ହୋଇଥିଲେ ଏବଂ ପରେ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ବିଭାଗ ସହିତ ଦକ୍ଷତା ବିକାଶ ର ମନ୍ତ୍ରୀ ଭାବେ ଦକ୍ଷତାର ସହିତ କାର୍ଯ୍ୟ କରି ପ୍ରଶଂସିତ ହୋଇଥିଲେ । ସଦ୍ୟ ସମାପ୍ତ ଲୋକ ସଭା ନିର୍ବାଚନରେ ସମ୍ବଲପୁର ଲୋକସଭା କ୍ଷେତ୍ରରେ ବିପୁଳ ବିଜୟ ଲାଭ ବର୍ତ୍ତମାନ ଶିକ୍ଷା ବିଭାଗର ମନ୍ତ୍ରୀ । ଦୁଇ ଦିନ ତଳେ, ଅର୍ଥାତ୍ ସୋମବାର ଦିନ ସଂସଦରେ ଓଡିଆ ଭାଷାରେ ଶପଥଗ୍ରହଣ କରିବା ସହିତ ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ କହି ସଦନରେ ଭାଷା ଜନନୀ ଓ ପ୍ରଭୁ ଜଗନ୍ନାଥଙ୍କ ମହନୀୟତା ପ୍ରତିପାଦନ କେବଳ କରିନଥିଲେ, ଅନ୍ୟ ୧୬ ଜଣ ସାଂସଦ ଓଡିଆ ଭାଷାରେ ଶପଥଗ୍ରହଣ କରିବା ପାଇଁ ପ୍ରେରିତ କରିଥିଲେ ।୨୦୧୪ ରୁ ୨୦୧୭ , ତିନି ବର୍ଷ ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟୀତ୍ବ ଗ୍ରହଣ କରି କ୍ୟାବିନେଟ୍ ମନ୍ତ୍ରୀ ହେବା ଏବଂ ଏଥିସହିତ ଇସ୍ପାତ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ । ଓଡ଼ିଆ ଭାଷା ସାହିତ୍ୟ,ସଂସ୍କୃତି ପରମ୍ପରା ଓ ବିକାଶ ପ୍ରାଣ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ନିର୍ବାଚିତ ହୋଇନଥିବା ସତ୍ତ୍ବେ ବିଗତ ନଅ ବର୍ଷ ଧରି ଅନେକ ଓଡ଼ିଆଙ୍କ କଟୁ ସମାଲୋଚନା ସତ୍ତ୍ବେ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଯେତେ ଯେତେ କାର୍ଯ୍ୟ କରିଛନ୍ତି , ତାହାର ମୂଲ୍ୟାଙ୍କନ ତ ହୋଇନାହିଁ, ଅଧିକନ୍ତୁ ଅନେକ ଅତ୍ୟନ୍ତ କଦର୍ଯ୍ୟ ଭାଷାରେ ଗାଳି ବର୍ଷଣ କରୁଥାଆନ୍ତି ଏବଂ ଯିଏ ଯଦି ମୂଲ୍ୟାଙ୍କନ କଲା , ତାକୁ ତୈଳେନ୍ଦ୍ର ହିତାଧିକାରୀ ବୋଲି ଆକ୍ଷେପ କରିଥାନ୍ତି ତ କେତେକ ତାଙ୍କୁ ଗୈରିକ, କିଏ ଭକ୍ତ ବିଶେଷଣରେ ବିଭୂଷିତ କରିଥାନ୍ତି । ଆମେ ବ୍ୟକ୍ତିଗତ ଭାବେ ତାଙ୍କର ଜଣେ ପ୍ରଶଂସକ । ୧୯୮୦ ମସିହାରୁ ଆମେ ଶତାଧିକ ଆଲେଖ୍ୟ ,ନଥି ପ୍ରମାଣ ସହିତ ପ୍ରକାଶ କରାଇ ଆସିଥିଲୁ, ଅନେକ ସଭା ସମିତିରେ କହିଥିଲୁ ଯେ ଓଡ଼ିଶାର ଇତିହାସ ଲେଖାଯାଇନାହିଁ । କାରଣ ଦର୍ଶାଇଥିଲୁ ଯେ ” ବିଜେତା ଯେବେ ପରାଜିତର ଇତିହାସ ଲେଖେ, ସେତେବେଳେ ସିଏ ନିଜକୁ ମହିମା ମଣ୍ଡିତ କରି ପରାଜିତକୁ ମସିଲିପ୍ତ କରାଇଥାଏ” , ତାହାହିଁ ହୋଇଛି ଓଡ଼ିଶା ଇତିହାସ ରଚନା କ୍ଷେତ୍ରରେ ପ୍ରତିଫଳିତ । ଇନ୍ଦ୍ରଦ୍ୟୁମ୍ନ ସଂସ୍କୃତିର ଉପାସକ ଓଡ଼ିଆ ଜାତି ତା’ର ସମସ୍ତ ଶ୍ରେୟ ଜଗନ୍ନାଥଙ୍କୁ ଅର୍ପଣ କରି ଆସିଥିବାରୁ ଓଡ଼ିଶାର ଇତିହାସ ନଲେଖା ଯିବାର ସୁଯୋଗ ନେଇ ଉପନିବେଶବାଦୀ , ଶୋଷକ ବ୍ରିଟିଶ ଶାସକର ପ୍ରୋତ୍ସାହନରେ ବ୍ରିଟିଶ ଐତିହାସିକ ଓ ସଦା ଓଡ଼ିଆ ବିଦ୍ବେଷୀ ବଙ୍ଗୀୟ ଐତିହାସିକ ମାନେ ଓଡ଼ିଶାର ଇତିହାସ ଲେଖି ଓଡ଼ିଆଙ୍କୁ ନଗଣ୍ୟ, ହୀନ , ଏପରିକି ସେମାନଙ୍କ ଭାଷାକୋଷରେ ଓଡ଼ିଆ ଶବ୍ଦର ଅର୍ଥ କୁଲି ବା ଭାରଵାହକ ବୋଲି ଉଲ୍ଲେଖ କରିଥିବା, ଓଡ଼ିଆ ଏକଟା ଭାଷା ନଏ ବୋଲି ଚିଲ୍ଲେଇ ଥିବା ଜାତିର ଐତିହାସିକମାନେ ଓଡ଼ିଶାର ଇତିହାସ ଲେଖିଲେ । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ଆମର ଓଡ଼ିଆ ଐତିହାସିକମାନେ କିଛି ଗବେଷଣା ନକରି, ସତ୍ୟା ସତ୍ୟ ନବୁଝି ସେମାନେ ଲେଖିଥିବା ଇତିହାସକୁ ” ଶାଗ ବଡ଼ି ଥୋଡ଼ି, ଖଡା, ଥୋଡି ବଡ଼ି ଖଡା ଶାଗ” ଲେଖି ପିଏଚଡ଼ି,ଡିଲିଟ୍ ପାଇ ଅଧ୍ୟାପକ, ପ୍ରାଧ୍ୟାପକ ଭାବରେ କାର୍ଯ୍ୟରତ ହେଲେ । ଜାଲିଓ୍ବାନବାଗ ଇତିହାସକୁ ଶହଶହ ଫର୍ଦ୍ଦରେ ଲେଖିଲେ ମାତ୍ର ଇରମ ଅବା ଟମକୋ ସିମକୋ ସମ୍ପର୍କରେ ଧାଡ଼ିଟିଏ ରେ ରହିଗଲେ । ଗଣିତ ପରେ ଆମେ ଘରୋଇ ଭାବରେ ଇତିହାସରେ ସ୍ନାତକୋତ୍ତର ଶିକ୍ଷା ପାଠ୍ୟକ୍ରମ ପଢ଼ିବା ସମୟରେ ଏହି ସତ୍ୟ ଜାଣି ଏହାର ପ୍ରତିବାଦରେ ଆଲେଖ୍ୟ ପ୍ରସ୍ତୁତ କରି ଜନଚେତନା ଜାଗ୍ରତ କରିବା ଥିଲା ଆମର ଉଦ୍ଦେଶ୍ୟ । ୩୭ ବର୍ଷ ଧରି କରିଥିବା ଏହି ଅଭିଯାନର ଫଳ ଥିଲା ପ୍ରଭାବଶୂନ୍ୟ । ଆମର ବୌଦ୍ଧିକ ଅନ୍ତୁଡିଶାଳ ଗୋପୀନାଥ ଉଚ୍ଚ ବିଦ୍ୟାଳୟର ସୂବର୍ଣ ଜୟନ୍ତୀ ଅବସରରେ ପ୍ରାକ୍ତନ ଛାତ୍ର ସଂସଦର ସଭାପତି ଭାବେ ଆମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିବା ସମୟରେ ଆଲୋଚନା ପ୍ରସଙ୍ଗରେ ଏହା କହିଥିଲୁ । ଉଦାହରଣ ଦେଇଥିଲୁ ଯେ ମାର୍ଚ୍ଚ ୨୯ , ୧୮୫୭ ର ସିପାହୀ ବିଦ୍ରୋହର ଠିକ୍ ୪୦ ବର୍ଷ ତଳେ , ସେହି ମାର୍ଚ୍ଚ ୨୯ ତାରିଖ, ୧୮୧୭ ରେ ଓଡ଼ିଶା ମାଟିରେ ହୋଇଥିବା ପାଇକ ସଂଗ୍ରାମ ହିଁ ଥିଲା ଏକ ଜନ ଆନ୍ଦୋଳନ ଏବଂ ଏହା ହିଁ ଭାରତ ମୁକ୍ତି ଆନ୍ଦୋଳନର ପ୍ରଥମ ଶ୍ରେୟ ପାଇବା କଥା । କେତେକ ବେତନ ଭୋଗୀ ଆରକ୍ଷୀ କର୍ମଚାରୀଙ୍କ ବିଦ୍ରୋହକୁ ଇତିହାସ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରିଥିବା ସମୟରେ ଓଡ଼ିଶାର ବୀରତାର ଇତିହାସ ପ୍ରତି କ୍ରୁରତା ଅସହ୍ୟ । ” ପାଇକ ସଂଗ୍ରାମ” ହୃତ ଗୌରବ ଓଡ଼ିଆ ଜାତିର ଆତ୍ମ ଜାଗରଣ ଓ ଅସ୍ମିତାବୋଧର ପ୍ରଥମ ଦର୍ପିତ ଉଚ୍ଚାରଣ । ସବୁ ଶୁଣି ଶ୍ରୀଯୁକ୍ତ ପ୍ରଧାନ କହିଲେ ” ଇତିହାସ ତଥ୍ୟ ଉପରେ ଲେଖାଯାଏ ଭାଇନା” । ଆମେ କହିଲୁ ହଁ ସବୁ ତଥ୍ୟ ଅଛି । ସେ କହିଲେ ” ଆପଣ କେବେ ଦେବେ ? ଆମକୁ ସାତ ଦିନ ସମୟ ଦିଅ ବୋଲି କହି ସମ୍ମାନୀୟ ଐତିହାସିକ ସତ୍ୟବାଦୀ ବଳିୟାର ସିଂହଙ୍କ ଠାରୁ ଆରମ୍ଭ କରି ଐତିହାସିକ ଡଃ ରାୟ, ଡଃ ପ୍ରଧାନ, ଡଃ ସାହୁ ପ୍ରଭୃତି ଐତିହାସିକ ତଥ୍ୟ ସନ୍ନିବେଶିତ କରି ଏକ ଆଲେଖ୍ୟ ଆବେଦନ ତାଙ୍କୁ ଦେଲୁ । ତା ପରବର୍ତ୍ତୀ ଇତିହାସ ରୋମାଞ୍ଚିତ । ସୁଚତୁର ଶ୍ରଦ୍ଧେୟ ପ୍ରଧାନ ଏହା ପରେ ଆମ ପ୍ରଦତ୍ତ ତଥ୍ୟକୁ ପରୀକ୍ଷା ନିରୀକ୍ଷା କରି ପ୍ରଧାନମନ୍ତ୍ରୀ ଙ୍କ ସମେତ ଅନ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏକଦା ଭ୍ରାମ୍ୟମାଣ ଦୂରଭାଷରେ ଆମକୁ କହିଲେ ଆସନ୍ତାକାଲି ସକାଳ ୯ ଘଣ୍ଟା ସମୟରେ ପ୍ରଧାନମନ୍ତ୍ରୀ ଓଡ଼ିଶା ରାଜଭବନରେ ପାଇକ ସଂଗ୍ରାମ ସମ୍ପର୍କରେ ଆଲୋଚନା କରିବେ । ଆପଣ ଜୟୀ ରାଜଗୁରୁଙ୍କ ଠାରୁ ଆରମ୍ଭ କରି ବକ୍ସି ଜଗବନ୍ଧୁ,ପିଣ୍ଡିକି ବାହୁବଳେନ୍ଦ୍ର, ମୀର ହାଇଦର ଅଲ୍ଲୀ, ପଦ୍ମନାଭ ଛୋଟରାୟ, କୃତିବାସ ପାଟ୍ଟଶାଣୀ,ମାଧବ ରାଉତରାୟ ,ବୀର ସୁରେନ୍ଦ୍ର ସାଏ, ଚକରା ବିଶୋଇ, ଲକ୍ଷ୍ମଣ ନାୟକ ଙ୍କ ଠାରୁ ଆରମ୍ଭ କରି ଚାଖି ଖୁଣ୍ଟିଆ ପ୍ରଭୃତି ବୀର ମାନଙ୍କ ଦାୟାଦ ମାନଙ୍କୁ ଡ଼ାକି ଆଣି ପାରିବେ ? ପ୍ରଧାନମନ୍ତ୍ରୀ ସେମାନଙ୍କୁ ସମ୍ବର୍ଦ୍ଧିତ କଲେ ପରୋକ୍ଷରେ ପାଇକ ସଂଗ୍ରାମକୁ ରାଷ୍ଟ୍ର ସ୍ବୀକୃତି ହାସଲ କରିବା ଭଳି ହେବ । ମାତ୍ର ୨୪ ଘଣ୍ଟା ମଧ୍ୟରେ ଓଡିଶାର କୋଣ ଅନୁକୋଣରେ ଥିବା ଏବଂ ଦୁଇଶହ ବର୍ଷ ପରେ କେତେ ପିଢ଼ି , ତନ୍ମଧ୍ୟରୁ ଜଣେ ଦାୟାଦ ବାଛି , ସେମାନଙ୍କୁ କ’ଣ ଆଣି ହେବ ବୋଲି ସନ୍ଦେହରେ ଥିବା ସମୟରେ ଶ୍ରଦ୍ଧେୟ ସତ୍ୟବାଦୀ ବଳିୟାର ସିଂହ, , ବନ୍ଧୁ ମୋହନ ସୁନ୍ଦର ଦଳସିଂହ ରାୟ, ପ୍ରଦୀପ ବିଶ୍ବାଳ ଓ ସୁରଥ ବିଶ୍ବାଳ ଆମକୁ କହିଲେ ” ଆପଣ ହଁ କରିଦିଅନ୍ତୁ ” । ଆମେ ପୁନଃ ଦୂର ଭାଷରେ ଶ୍ରୀଯୁକ୍ତ ପ୍ରଧାନଙ୍କୁ ଦମ୍ଭର ସ଼ହିତ କହିଲୁ “ସମସ୍ତ ଓଡ଼ିଆ ସଂଗ୍ରାମୀ ମାନଙ୍କ ଦାୟାଦ” ମାନେ ଆସିବେ । ଶ୍ରୀଯୁକ୍ତ ପ୍ରଧାନ ୨୪ ଘଣ୍ଟା ମଧ୍ୟରେ ଯେପରି ଆୟୋଜନ କଲେ ଠିକ୍ ସେହିପରି ଏହି ଚାରି ଜଣ ଓ ସତ୍ୟବାଦୀ ବଳିୟାରସିଂହ ପ୍ରଭୃତି ରାତାରାତି ସମସ୍ତଙ୍କୁ ଡକାଇଲେ ଓ ସେମାନେ ସମସ୍ତେ ସକାଳ ୮ ଟା ସୁଦ୍ଧା ରାଜଭବନରେ ପହଞ୍ଚିଗଲେ । ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଥିବା ସାଥିମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ । ପ୍ରଧାନମନ୍ତ୍ରୀ ରାଜ ଭବନରେ ପାଇକବୀର ମାନଙ୍କ ଦାୟାଦ ମାନଙ୍କୁ ସମ୍ବର୍ଦ୍ଧିତ କରି ଓଡ଼ିଆ ବୀରତାର ମହନୀୟତା ସମ୍ପର୍କରେ ଏକ ଐତିହାସିକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯେଭଳି ଆଲୋଚନା କରାଯିବା କଥା କରାଗଲା ନାହିଁ । ନେତାଜୀଙ୍କ ଅନୁଗାମୀ ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ରାଜଭବନ ସମ୍ମୁଖରେ ଠିଆ ହୋଇଥିବା ବେଳେ ଜଣେ ପ୍ରାକ୍ତନ ମନ୍ତ୍ରୀ ନନ୍ଦ ତାକୁ ନେଇ ଲୁଚାଇ ଦେଇ ପ୍ରଚାର କରାଇଦେଲେ ” ବାବୁଲା ନିଖୋଜ” । ଆମର ଦୃଶ୍ୟ ଶ୍ରାଵ୍ୟ ଗଣମାଧ୍ୟମମାନେ ” ବାବୁଲା ହଜିଲା, କୁଆଡେ ଗଲା, ଏଥିପାଇଁ ଧର୍ମେନ୍ଦ୍ର ଦାୟୀ ପ୍ରଭୃତି ଶୀର୍ଷକ କୁ ଉପଜିଵ୍ୟ କରି ୨୪ ଘଣ୍ଟା ପ୍ରଚାର ପ୍ରସାର କଲେ , ଶେଷକୁ ବାବୁଲା ମିଳିଲା, ପ୍ରଚାର ପ୍ରସାର ବନ୍ଦ ହେଲା ସତ ମାତ୍ର, ରାଜଭବନ କାର୍ଯ୍ୟକ୍ରମକୁ କେହି ପ୍ରଚାର ପ୍ରସାର କଲେ ନାହିଁ । ସଂଗ୍ରାମ ଅବ୍ୟାହତ ରହିଲା , ଏଭଳି ସ୍ଥିତି ହେଲା ଯେ ପ୍ରାକ୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳର ଶେଷ ଦିବସ, ଶେଷ ସାଧାରଣ ସଭା, ବିଜ୍ଞାନ ଭବନରେ ଘୋଷଣା କରିଥିଲେ ଯେ ” ଓଡ଼ିଶାରେ ସଂଗଠିତ ପାଇକ ସଂଗ୍ରାମ ହିଁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ ।” ଏହି ସଭାରେ ଧର୍ମେନ୍ଦ୍ର ଆଜ୍ଞାଙ୍କ ସମେତ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ , ପ୍ରାୟ ସମସ୍ତ ସାଂସଦ, ପ୍ରାୟ ଅଧିକାଂଶ ଓଡ଼ିଆ ପ୍ରଶାସନିକ ସେବା ଅଧିକାରୀଙ୍କ ସମେତ ଓଡ଼ିଆ ପାଇକ ବୀର ମାନଙ୍କ ଦାୟାଦ ଓ ଆମେମାନେ ଉପସ୍ଥିତ ଥିଲୁ । ମାଧ୍ୟମିକ ଶିକ୍ଷା ପାଠ୍ୟକ୍ରମରେ ଏହା ସ୍ଥାନିତ ହେଲା । ଅଷ୍ଟମ ଶ୍ରେଣୀର ଇତିହାସ ବହିର ୬୨/୬୩ ପୃଷ୍ଠାରେ ସ୍ଥାନିତ । ଅତଏବ ଇତିହାସ ସଂଶୋଧିତ ହେଲା । ଅନ୍ୟ ରାଜ୍ୟରେ ଏହା ବିରୋଧରେ ସ୍ବର ଉଠିଲା। ଏପରିକି ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଏହାକୁ ମସିଲିପ୍ତ କରିବାକୁ ଅମିତାଭ ବଚ୍ଚନଙ୍କ ସମେତ ରଜନୀ କାନ୍ତଙ୍କ ଭଳି ବହୁ ବଡ଼ ବଡ଼ କଳାକାରଙ୍କୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ କରାଗଲା, ଯାହାର କ୍ରମ ଦେଖିଥିଲେ ୨ କୋଟି ଲୋକ ଓ ୪୦୦ କୋଟି ଟଙ୍କା ଖର୍ଚ୍ଚ । ଏହା ପ୍ରଦର୍ଶିତ ହେବାର ୪ ଦିନ ପୂର୍ବରୁ ଯୁବ ସାମ୍ବାଦିକ ଶ୍ରଦ୍ଧେୟ କିସନ୍ ବରାଇ ଏହି ତଥ୍ୟ ଆମକୁ ଦେଲେ ଓ ଶ୍ରଦ୍ଧେୟ ଅର୍ଦ୍ଧେନ୍ଦୁ ଦାସ ଆଲୋଚନା କରାଇଲେ । ଠିକ୍ ରାତି ୯ ଟା ରେ ନ୍ୟୁଜ-୭ ରେ ଆଲୋଚନା କରିବା ପରେ ଆମେ ଧର୍ମେନ୍ଦ୍ର ଆଜ୍ଞାଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚେଷ୍ଟା କରି ବିଫଳ ହେଲୁ । ପର ଦିନ ତାଙ୍କୁ କହିଲୁ । ତାଙ୍କର ବଳିଷ୍ଠ ଭୂମିକା ଫଳରେ ସେହି ଚଳଚ୍ଚିତ୍ର ସେ ଦିନ ମୁକ୍ତିଲାଭ କଲାନାହିଁ । ଅମିତାଭ ବଚ୍ଚନଙ୍କ ସେହି ସ୍ଵର ବଦଳାଯିବା ପରେ,ପ୍ରଥମ ସଂଗ୍ରାମ ଶବ୍ଦ କଟିଗଲା ପରେ ଯାଇ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏଭଳି ଅନେକ ଅନାଲୋଚିତ ତଥ୍ୟ ଅଛି । ଦେଶ ବିଦେଶରେ ପାଇକ ସଂଗ୍ରାମର ଦ୍ବିଶତବାର୍ଷିକୀ ପାଳନ କରାଇବା ଠାରୁ ଆରମ୍ଭ କରି ପାଇକ ସଂଗ୍ରାମ ଆଧାରିତ ପୁସ୍ତକ , ଚଳମାନ ଧାରାବାହିକ ପ୍ରସାରଣ,ଡାକ ଟିକଟ ପ୍ରଚଳନ, ବରୁଣେଇ ଠାରେ ପାଇକ ସ୍ମାରକୀ ପ୍ରଭୃତି ଅନେକ ଅନାଲୋଚିତ ଇତିହାସ ବ୍ୟାପକ । ଆମେ ଜଣେ ପ୍ରତିଭା ପୂଜକ ଓ ପ୍ରତିଭା ପ୍ରଚୋଦିତ ମାନସିକତା ବିଜଡ଼ିତ ବ୍ୟକ୍ତିତ୍ଵ । ଏହି ନ୍ୟାୟରେ ଶ୍ରଦ୍ଧେୟ ଧର୍ମେନ୍ଦ୍ର ପ୍ରଧାନ ଆମର ଅତ୍ୟନ୍ତ ପ୍ରିୟ ବ୍ୟକ୍ତି । ଏହାକୁ ଈର୍ଷା ର ଅସୁରମାନେ ଯେଭଳି ଭାବରେ ପ୍ରତିକ୍ରିୟା ଦିଅନ୍ତୁ ନା କାହିଁକି , ସେଥିପ୍ରତି ଆମେ ନିର୍ବିକାର ,ନିର୍ଲିପ୍ତ । ୨୦୧୪ ମସିହାରୁ ବିଗତ ବାରବର୍ଷ ଭିତରେ ଓଡ଼ିଶାର ବିକାଶ , ତାହା ପଦାର୍ଥ ଆଧାରିତ ହେଉ ଅବା ଭାଷା ସାହିତ୍ୟ ସଂସ୍କୃତି, ଆଧ୍ୟାତ୍ମିକ, ଓଡ଼ିଆ ଅସ୍ମିତା, ସୀମା ଆଦି ବହୁବିଧ କ୍ଷେତ୍ରରେ ତାଙ୍କର ଅବଦାନ ଅନାଲୋଚିତ । ଅଧିକନ୍ତୁ ଏକ ଭୟଙ୍କର ଷଡ଼ଯନ୍ତ୍ରର ଭିତ୍ତିଭୂମିରେ ନିଟ୍ ପ୍ରଶ୍ନପତ୍ର ବିଭ୍ରାଟକୁ ଉପଜିବ୍ୟ କରି ଯେଭଳି ନିନ୍ଦା, ଅସଭ୍ୟ ଭାଷାରେ ସମାଲୋଚନା , ନୈତିକ ଦାୟିତ୍ବ ନେବା ପରେ ମଧ୍ୟ ତାଙ୍କର ଇସ୍ତଫା ଦାବିର ଭାଷା , ଅପପ୍ରଚାର ସମସ୍ତ ସୀମା ଲଙ୍ଘନର ଇତିହାସ ବ୍ୟାପକ,ସତେ ଯେପରି ପ୍ରଶ୍ନ ପତ୍ର ପ୍ରଘଟ ଭଳି ଘଟଣା ପ୍ରଥମ ଥର ପାଇଁ ପ୍ରତିଫଳିତ ହୋଇଛି । ୨୦୦୫ ରୁ ୨୦୧୪ ମଧ୍ୟରେ ଛ ଥର ପ୍ରଘଟ,ଜାଲିଆତି ହୋଇଥିବା ସମୟରେ କେଉଁ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେଇଥିଲେ ନା ଏଭଳି ସମାଲୋଚନାର ଶରବ୍ୟ ହୋଇଥିଲେ ? ଆମେ ଏବେ ନିକଟରେ ଭିଏତନାମ ବୁଲୁଥିବା ସମୟରେ ଆମର ମୁଖ ପୁସ୍ତକରେ ଦୈନନ୍ଦିନର ଉପସ୍ଥାପନ ପଢି ଆମକୁ କହିଥିଲେ , ଭାଇନା ! ଆପଣ ଏହାକୁ ଉପଜିବ୍ୟ କରି ଲେଖନ୍ତୁ । ପ୍ରତି ଦିନ ମହାପୁରୁଷଙ୍କ ସମ୍ପର୍କରେ ଯେଉଁ ଉପସ୍ଥାପନ କରୁଛନ୍ତି , ତାକୁ ବହି ଆକାରରେ ପ୍ରକାଶ କରନ୍ତୁ । ଆମେ ଉତ୍ତର ଦେଇଥିଲୁ ଯେ ୨୦୦୨ ମସିହା ରୁ ଆମ ଉପରେ ସରକାର ପ୍ରାୟୋଜିତ ଆକ୍ରମଣ , ମସୀଲିପ୍ତ ଚକ୍ରାନ୍ତ , ୨୦୦୭ ମସିହାରୁ ଏଯାବତ୍ ଅବସର ନେବାକୁ ଯାଉଥିବା ଆମ ଅଧ୍ୟାପିକା ପତ୍ନୀ ଙ୍କ ଦରମା ବନ୍ଦ , ସୁବାର୍ତ୍ତା ୨୦୦୪ ରୁ ଏଯାବତ୍ ରାଜ୍ୟ ସରକାର ଅବା କେନ୍ଦ୍ର ସରକାରଙ୍କ ଠାରୁ ଗୋଟିଏ ଟଙ୍କାର ମଧ୍ୟ ବିଜ୍ଞାପନ ନ ପାଇବା ଫଳରେ ଆମର ଆର୍ଥିକ ସ୍ଥିତି ସମ୍ପର୍କରେ ବୋଧେ ଆପଣ ଜାଣି ନାହାନ୍ତି କି ? ଏଇଭଳି ଅନେକ ଆଲୋଚନା ତାଙ୍କ ସହିତ ହୋଇଛି । ମାତ୍ର ତାଙ୍କର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ଐତିହ୍ୟ, ଅସ୍ମିତାବୋଧ, ସର୍ବୋପରି ତାଙ୍କର ଓଡ଼ିଆ ଗଉଁଦାରୀର ଆମେ ଜଣେ ଅଣ ହିତାଧିକାରୀ ପ୍ରଶଂସକ । ଆଜି ତାଙ୍କର ଶୁଭ ଜନ୍ମଦିନର ଶୁଭାବସରରେ ଶୁଭାଭିନନ୍ଦନ ସହିତ ଶୁଭକାମନା ଜଣାଉଛୁ । ରତ୍ନ ସିଂହାସନାଧିରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣା ଓ ଅସୀମ ଆଶୀର୍ବାଦରେ ସେ ହୁଅନ୍ତୁ ଯଶସ୍ବୀ ଆୟୁଷ୍ମାନ, ଉଜ୍ଜ୍ୱଳା ମଣିଷଙ୍କ ଅବୟବରୁ ରୋପିତ କଳଙ୍କର ମିଛ କାଳିମା ହେଉ ଅପମାନିତ ,ଏହାହିଁ କାମନାନ୍ତେ , ପ୍ରାର୍ଥନାନ୍ତେ ଜୟ ଜଗନ୍ନାଥ,ବନ୍ଦେ ଉତ୍କଳ ଜନନୀ ।

Posted in ରାଜ୍ୟ.