ବିବାଦମୁକ୍ତ ଓ ନିର୍ଭୁଲ ଭୋଟର ତାଲିକା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ

ବିବାଦମୁକ୍ତ ଓ ନିର୍ଭୁଲ ଭୋଟର ତାଲିକା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ

ଓଡ଼ିଶାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ର ଚିଠା ଭୋଟର ତାଲିକା ଆସନ୍ତା ଜୁଲାଇ ୫ ତାରିଖରେ ପ୍ରକାଶ ପାଇବାକୁ ଯାଉଛି। ଏହି ପ୍ରକାଶନକୁ ନେଇ ନିର୍ବାଚନ କମିଶନ ଓ ଜିଲ୍ଲା ପ୍ରଶାସନ ସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗଣତନ୍ତ୍ରର ସବୁଠାରୁ ବଡ଼ ଆଧାର ହେଉଛି ଏକ ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା, ତେଣୁ ଏହି ସଂଶୋଧନ ପ୍ରକ୍ରିୟା ଉପରେ ସମସ୍ତଙ୍କ ନଜର ରହିଛି। ଦେଶର କିଛି ରାଜ୍ୟରେ ପୂର୍ବରୁ ଏସଆଇଆରକୁ ନେଇ ଅନେକ ବିବାଦ ଦେଖାଦେଇଛି । କିଛି ରାଜନୈତିକ ଦଳ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି । ନିର୍ବାଚନ କମିଶନ ଏଥିପ୍ରତି ନିଶ୍ଚୟ ଦୃଷ୍ଟି ଦେଇ କାର୍ଯ୍ୟ କରିଥିବେ ।

ବିଗତ ଦିନରେ ଦେଶର କେତେକ ରାଜ୍ୟରେ ଭୋଟର ତାଲିକାରେ ବ୍ୟାପକ ତ୍ରୁଟିବିଚ୍ୟୁତି ଯୋଗୁଁ ପ୍ରବଳ ରାଜନୈତିକ ବିବାଦ ଓ ଅସନ୍ତୋଷ ଦେଖାଦେଇଥିଲା। କେଉଁଠି ଯୋଗ୍ୟ ଭୋଟରଙ୍କ ନାମ କଟିଯାଇଥିଲା ତ ଆଉ କେଉଁଠି ବହୁ ସଂଖ୍ୟାରେ ଅନୁପସ୍ଥିତ ଲୋକଙ୍କ ନାମ ତାଲିକାରେ ରହିଥିଲା। ଓଡ଼ିଶା କ୍ଷେତ୍ରରେ ଯେପରି ସେଭଳି କୌଣସି ପରିସ୍ଥିତି ସୃଷ୍ଟି ନହୁଏ, ସେଥିପ୍ରତି ପ୍ରଶାସନକୁ ଚରମ ସତର୍କତା ଅବଲମ୍ବନ କରିବାକୁ ହେବ। ଜୁଲାଇ ୫ରେ ପ୍ରକାଶ ପାଇବାକୁ ଥିବା ଚିଠା ତାଲିକାଟି ସମ୍ପୂର୍ଣ୍ଣ ରୂପେ ଭ୍ରମଶୂନ୍ୟ ହେବା ଜରୁରୀ।

ଏହି ସଂଶୋଧନ ପ୍ରକ୍ରିୟାର ମୂଳ ଲକ୍ଷ୍ୟ ହେଉଛି ତାଲିକାର ସ୍ୱଚ୍ଛତା। ଓଡ଼ିଶାରେ ବିଭିନ୍ନ ସମୟରେ ଅଭିଯୋଗ ଆସେ ଯେ, ଜଣେ ବ୍ୟକ୍ତିଙ୍କ ନାମ ଏକାଧିକ ସ୍ଥାନରେ ରହିଛି କିମ୍ବା ମୃତ ଓ ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ନାମ ମଧ୍ୟ ବର୍ଷ ବର୍ଷ ଧରି ତାଲିକାରୁ ହଟାଯାଉ ନାହିଁ। ଜାଲ୍, ନକଲି ଏବଂ ଦୋହରା ନାମ ଥିବା ଭୋଟରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନାମକୁ ସମ୍ପୂର୍ଣ୍ଣ ଭାବେ ବାଦ୍ ଦେବା ଆବଶ୍ୟକ। ପ୍ରକୃତ ଓ ଯୋଗ୍ୟ ନାଗରିକ, ବିଶେଷ କରି ୧୮ ବର୍ଷ ହୋଇଥିବା ନୂତନ ଯୁବ ଭୋଟରମାନଙ୍କ ନାମ ଯେପରି କୌଣସି କାରଣରୁ ପ୍ରକ୍ରିୟାରୁ ବାଦ୍ ନପଡ଼େ, ତାହା ନିଶ୍ଚିତ କରିବାକୁ ହେବ। ଏକ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ‘ଜଣେ ଭୋଟର, ଏକ ପରିଚୟ’ ନୀତି କଡ଼ାକଡ଼ି ପାଳନ ହେବା ଉଚିତ। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଭୋଟର ତାଲିକାକୁ ନେଇ କୌଣସି ବିବାଦ ବା ଅନାବଶ୍ୟକ ତିକ୍ତତା ସୃଷ୍ଟି ହେବା ଅନୁଚିତ। ବିଭାଗୀୟ ଅଧିକାରୀ ଏବଂ BLO ମାନେ ଘରକୁ ଘର ବୁଲି ଯେଉଁ ଯାଞ୍ଚ କରିଛନ୍ତି, ତାର ସଠିକ୍ ପ୍ରତିଫଳନ ଏହି ଚିଠା ତାଲିକାରେ ଦେଖିବାକୁ ମିଳିବା ଦରକାର। ପ୍ରକୃତ ଭୋଟରଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ହିଁ ଏହି ଅଭିଯାନର ପ୍ରକୃତ ସଫଳତା ହେବ।

ସୂଚନା ଅନୁସାରେ ଓଡ଼ିଶାରେ ଚାଲିଥିବା ସ୍ବତନ୍ତ୍ର ସଘନ ସଂଶୋଧନ-୨୦୨୬ର ଚିଠା ତାଲିକା ଜୁଲାଇ ୫ରେ ପ୍ରକାଶ ପାଇବ। ଏହା ପରେ ଯଦି ଚିଠା ଭୋଟର ତାଲିକାରେ କୌଣସି ତ୍ରୁଟି ପରିଲଖିତ ହୁଏ ତେବେ ୪ ଅଗଷ୍ଟ ଯାଏଁ ଫର୍ମ-୬ (Form 6)-ମାଧ୍ୟମରେ ନୂତନ ନାମ ଯୋଡ଼ିପାରିବେ, ଫର୍ମ-୭ (Form 7) ଦେଇ ଭୋଟର ତାଲିକାରୁ ନାମ ବାଦ୍ ଓ ଫର୍ମ-୮ (Form 8) ମାଧ୍ୟମରେ ଯେକୌଣସି ପ୍ରକାରର ସଂଶୋଧନ କରିପାରିବେ।

କୌଣସି ମଧ୍ୟ ଯୋଗ୍ୟ ଭୋଟର ଯେପରି ବାଦ୍ ନପଡ଼ନ୍ତି ଏବଂ ଭୋଟର ତାଲିକା ଯେପରି ସଠିକ୍, ସମାବେଶୀ ଓ ତ୍ରୁଟିଶୂନ୍ୟ ରହେ, ତାହା ନିଶ୍ଚିତ କରିବାରେ ସମସ୍ତ ରାଜନୈତିକ ଦଳ ସହଯୋଗ କରିବା ଆବଶ୍ୟକ । ରାଜ୍ୟର ମୋଟ ୩ କୋଟି ୩୩ଲକ୍ଷ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାକ୍‌ ଏସ୍‌ଆଇଆର୍‌ରେ ୩କୋଟି ୧୬ଲକ୍ଷ ଅର୍ଥାତ୍‌ (୯୪.୬%) ପ୍ରତିଶତ ଭୋଟରଙ୍କ ମ୍ୟାପିଂ (ତଥ୍ୟା ସମନ୍ବୟ) ସଫଳତାର ସହକାରେ ଶେଷ ହୋଇଛି ବୋଲି ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) କାର୍ଯ୍ୟକ୍ରମର ସମୀକ୍ଷା ବୈଠକରୁ ଜଣାଯାଇଛି। ମାତ୍ର ୫.୩୪ ପ୍ରତିଶତ ଭୋଟରଙ୍କ ଅନ୍‌-ମ୍ୟାପିଂ ରହିଛି। ତେଣୁ ଏହି ପ୍ରସଙ୍ଗରେ ସ୍ପଷ୍ଟତା ରହିବା ଆବଶ୍ୟକ । ଏସ.ଆଇ.ଆର-୨୦୨୬ ର ସଫଳ ରୂପାୟନ ପାଇଁ ସମସ୍ତେ ଆଗେଇ ଆସିଲେ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ହେବ, ଏଥିରେ ସନ୍ଦେହ ନାହିଁ ।

Posted in ରାଜ୍ୟ.