ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସ୍କୁଲ ବହି ମୁଦ୍ରଣରେ ହୋଇଥିବା ମାତ୍ରାଧିକ ଭୁଲ୍ ପ୍ରସଙ୍ଗ ଏବେ ଅପରାଧିକ ତଦନ୍ତ ପରିସରଭୁକ୍ତ ହୋଇଛି। SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚରେ ଏକ ଆଧିକାରିକ ମାମଲା ଦାୟର କରାଯାଇଛି। ଭାରତୀୟ ନ୍ୟାୟ ସଂହିତା ୨୦୨୩ (BNS) ର ଧାରା ୩୧୬(୫), ୨୦୧, ୩(୫) ଏବଂ ୬୧(୨) ଅନୁଯାୟୀ ରୁଜୁ ହୋଇଥିବା ଏହି ସମ୍ବେଦନଶୀଳ ମାମଲାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କ୍ରାଇମବ୍ରାଞ୍ଚ ଏସପି କରୁଥିବା ବେଳେ ଡିଏସପି ନରେନ୍ଦ୍ର କୁମାର ବେହେରାଙ୍କୁ ମୁଖ୍ୟ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ପାଠ୍ୟପୁସ୍ତକ ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ଏକାଧିକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (SIT) ଗଠନ ହୋଇଛି ସତ, କିନ୍ତୁ ସାଧାରଣରେ ପ୍ରଶ୍ନ ଉଠୁଛି— କେବଳ ତଦନ୍ତ କମିଟି କିମ୍ବା ତଳିଆ କର୍ମଚାରୀଙ୍କ ନିଲମ୍ବନ ଦ୍ୱାରା ବ୍ୟବସ୍ଥା ସୁଧୁରିବ କି?
ଲକ୍ଷ ଲକ୍ଷ କୋମଳମତି ଶିଶୁଙ୍କ ଶିକ୍ଷା ଓ ମନୋବଳକୁ ନଷ୍ଟ କରିବା ପାଇଁ ହୋଇଥିବା ଏହି ବଡ଼ ଅବହେଳା ପଛରେ ଥିବା ପ୍ରକୃତ ଅପରାଧୀଙ୍କୁ ଚିହ୍ନଟ କରି ଜେଲ୍ ପଠାଇବା ସହ ସେମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବା ଉଚିତ। କ୍ରାଇମବ୍ରାଞ୍ଚ ତଦନ୍ତ କେବଳ ଫାଇଲ୍ପତ୍ର ଭିତରେ ସୀମିତ ନରହି ଯୁଦ୍ଧକାଳୀନ ଭିତ୍ତିରେ ଶେଷ ହେବା ଆବଶ୍ୟକ।
ଏଡ଼େ ବଡ଼ ବିଭାଗୀୟ ଅଘଟଣ ଓଡ଼ିଶା ଇତିହାସରେ କେବେ ଘଟିନଥିଲା। ଯେପର୍ଯ୍ୟନ୍ତ ଏହି ବିଭାଗର ଶୀର୍ଷରେ ବସିଥିବା ସଚିବ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ବଡ଼ ଅଧିକାରୀମାନଙ୍କୁ ସେମାନଙ୍କ ପଦବୀରୁ ହଟାଯାଇ ନାହିଁ କିମ୍ବା ବଦଳି କରାଯାଇ ନାହିଁ, ସେପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚର ଏହି ସ୍ୱତନ୍ତ୍ର ଟିମ୍ କିପରି ଏକ ନିରପେକ୍ଷ ତଦନ୍ତ କରିପାରିବ, ତାହା ବଡ଼ ପ୍ରଶ୍ନବାଚୀ। ବଡ଼ ବାବୁମାନେ ପଦବୀରେ ରହିଲେ ପ୍ରମାଣ ନଷ୍ଟ ହେବାର ଆଶଙ୍କା ସବୁବେଳେ ରହିଥାଏ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋଦ୍ ଏହା ପଛରେ ଷଡ଼ଯନ୍ତ୍ରର ଆଶଙ୍କା ବ୍ୟକ୍ତ କରିଛନ୍ତି। ତେଣୁ, ସେ କୌଣସି ବି ପ୍ରଶାସନିକ ବା ରାଜନୈତିକ ଚାପର ବଶବର୍ତ୍ତୀ ନହୋଇ ସିଧାସଳଖ ଦୃଢ଼ ନିଷ୍ପତ୍ତି ନେବା ଉଚିତ। ଯଦି ସରକାର ଏହି ମାମଲାରେ ଶୀର୍ଷ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ କୋହଳ ମନୋଭାବ ଦେଖାନ୍ତି, ତେବେ ଜନସାଧାରଣଙ୍କ ଆଗରେ ସରକାରଙ୍କ ସ୍ୱଚ୍ଛତା ଉପରେ ଆଙ୍ଗୁଠି ଉଠିବ ଏବଂ ଶେଷରେ ‘ଲୋକ ହସିବା ସାର ହେବ’। ବିଜେପି ସରକାରଙ୍କ ‘ଜିରୋ ଟଲରାନ୍ସ’ ନୀତିର ଅସଲ ପରୀକ୍ଷା ଏବେ ଏହି କ୍ରାଇମବ୍ରାଞ୍ଚ ତଦନ୍ତରୁ ହିଁ ଜଣାପଡ଼ିବ।
ତଦନ୍ତକୁ ବ୍ୟାପକ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଛି। ପାଠ୍ୟପୁସ୍ତକ ପ୍ରସ୍ତୁତି, ବିଷୟବସ୍ତୁ ଚୟନ, ଅନୁମୋଦନ, ମୁଦ୍ରଣ, ପ୍ରକାଶନ ଏବଂ ବଣ୍ଟନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବ ବୋଲି କୁହାଯାଉଛି । ତେବେ ସମୟ କହିବ ଏହି ଘଟଣାରେ କିଏ ଦଣ୍ଡ ପାଉଛି ।
