ଆଜିକାଲି ପ୍ରାୟ ସବୁ ବାପା–ମା’ଙ୍କର ଗୋଟିଏ ଧାରଣା—”ପିଲାଟା ପାଠ ପଢ଼ୁଛି, ତାକୁ ଆଉ ଘରକାମ କରିବାକୁ କାହିଁକି କହିବା?” ଏହି ଭାବନାରୁ ଆମେ ତା’ର ବହି ସଜାଡ଼ିବା, ବିଛଣା ପକାଇବା, ପାଣି ଆଣିଦେଉ, ଖାଇସାରି ଥାଳି ମଧ୍ୟ ଉଠାଇ ରଖିଦେଉ। ଆମକୁ ଲାଗେ ଏହା ହିଁ ସ୍ନେହ। କିନ୍ତୁ ଅଜାଣତରେ ଆମେ ତା’ଠାରୁ ଜୀବନର ଏକ ବଡ଼ ଶିକ୍ଷା ଛଡ଼ାଇ ନେଉଛୁ।
ଇଂରାଜୀରେ ଗୋଟିଏ ସୁନ୍ଦର କଥା ଅଛି—”Responsibility makes maturity.” ଅର୍ଥାତ୍ ଦାୟିତ୍ୱବୋଧ ହିଁ ମଣିଷକୁ ପରିପକ୍ୱ କରେ। ପରିପକ୍ୱତା କେବଳ ବୟସ ବଢ଼ିଲେ ଆସେ ନାହିଁ; ଛୋଟ ଛୋଟ ଦାୟିତ୍ୱ ନେବାରୁ ଆସେ।
ନିଜ ବହିପତ୍ର ସଜାଡ଼ିବା, ବିଛଣା ସଜାଇବା, ଖାଇସାରି ନିଜ ଥାଳି ରଖିବା, ନିଜ କପଡ଼ା ସଫା କରିବା, ଗଛରେ ପାଣି ଦେବା, ଘର ପାଇଁ ସଉଦା ଆଣିବା , ବିଲକୁ ପାଣି ନେଇଯିବା , ମୂଲିଆଙ୍କ ନିମନ୍ତେ ଟିଫିନ୍ ଆଣିବା , ଗାଈ ଗୁହାଳ ରେ ଛଣ କିମ୍ବା ବାପା–ମା’ଙ୍କୁ ଘରକାମରେ ସାହାଯ୍ୟ କରିବା—ଏହି ସାଧାରଣ କାମଗୁଡ଼ିକ ପିଲାଙ୍କ ମନରେ ଶୃଙ୍ଖଳା, ଆତ୍ମବିଶ୍ୱାସ, ସମୟର ମୂଲ୍ୟବୋଧ, ପରିଶ୍ରମର ଅଭ୍ୟାସ ଏବଂ ଅନ୍ୟର ଶ୍ରମ ପ୍ରତି ସମ୍ମାନ ସୃଷ୍ଟି କରେ।
ଆମେ ଗୋଟିଏ କଥା ପ୍ରାୟ ସମସ୍ତେ ଲକ୍ଷ୍ୟ କରିଛୁ। ଯେଉଁ ପିଲାମାନେ ହଷ୍ଟେଲରେ ରହନ୍ତି, ସେମାନଙ୍କ ମଧ୍ୟରେ ସାଧାରଣତଃ ଦାୟିତ୍ୱବୋଧ ଓ ପରିପକ୍ୱତା ଟିକେ ଅଧିକ ଦେଖାଯାଏ। କାରଣ ସେଠାରେ ସେମାନେ ନିଜ କାମ ନିଜେ କରିବାକୁ ଶିଖନ୍ତି, ସମୟର ମୂଲ୍ୟ ବୁଝନ୍ତି ଏବଂ ନିଜ ଦାୟିତ୍ୱ ନିଜେ ବହନ କରନ୍ତି।
ମୋ ମତରେ, ପ୍ରତ୍ୟେକ ପିଲାଙ୍କୁ ବେଳେବେଳେ କିଛି ଦିନ ପାଇଁ କୌଣସି ଭଲ ଆବାସିକ ଶିବିର (କ୍ୟାମ୍ପ), ସ୍କାଉଟ୍-ଗାଇଡ୍ ଶିବିର କିମ୍ବା ହଷ୍ଟେଲ ପରି ପରିବେଶରେ ରହିବାର ସୁଯୋଗ ମିଳିବା ଉଚିତ। ସେଠାରେ ସେମାନେ କେବଳ ନୂଆ କଥା ଶିଖନ୍ତି ନୁହେଁ, ନିଜ କାମ ନିଜେ କରିବାର ଅଭ୍ୟାସ ମଧ୍ୟ ଗଢ଼ିଉଠେ। ଘରକୁ ଫେରିବା ପରେ ମଧ୍ୟ ସେହି ଅଭ୍ୟାସ ସେମାନଙ୍କ ଜୀବନର ଏକ ଅଂଶ ହୋଇ ରହିଯାଏ।
ଆମେ ସମସ୍ତେ ଚାହୁଁ ଆମ ପିଲା ଭଲ ପାଠ ପଢ଼ୁ, ବଡ଼ ହୋଇ ସଫଳ ମଣିଷ ହେଉ। କିନ୍ତୁ ପ୍ରକୃତ ସଫଳତା କେବଳ ଭଲ ନମ୍ବର କିମ୍ବା ଭଲ ଚାକିରିରେ ନୁହେଁ; ଜଣେ ଦାୟିତ୍ୱବାନ୍, ସ୍ୱାବଲମ୍ବୀ ଓ ମାନବିକ ମଣିଷ ହୋଇ ଗଢ଼ିଉଠିବାରେ ରହିଛି।
ପିଲାଙ୍କ ପାଇଁ ସବୁ କାମ କରିଦେବା ପରିବର୍ତ୍ତେ, ସେମାନଙ୍କୁ ନିଜେ କାମ କରିବାର ସୁଯୋଗ ଦିଅନ୍ତୁ। ଆଜିର ଛୋଟ ଛୋଟ ଦାୟିତ୍ୱ ହିଁ ଆସନ୍ତାକାଲିର ବଡ଼ ବ୍ୟକ୍ତିତ୍ୱର ମୂଳଦୁଆ
ଜୀବନ ମହାପାତ୍ର ଖଡ଼ିଅଙ୍ଗ ବଡ଼ଚଣା ଯାଜପୁର
