ଧର୍ମୀୟ ଓ ଦାର୍ଶନିକ ଉକ୍ତି “କେହି ରହି ନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ ” ହିଁ ନିର୍ବିବାଦୀୟ ସତ୍ୟ , ଯାହା ମଣିଷ ଜୀବନର ନଶ୍ୱରତା ଏବଂ ସଂସାରର ଅସ୍ଥାୟୀ ରୂପକୁ ସୂଚେଇ ଦେଇଥାଏ । ଏହି ଅସୀମ ନାଟକର ମଞ୍ଚ ହେଉଛି ଆମର ଏହି ପୃଥିବୀ, ଆଉ ଆମେ ସମସ୍ତେ ନିଜ ନିଜର ଭୂମିକା ତୁଲାଉଥିବା ଜଣେ ଜଣେ କଳାକାର ବା ଅଭିନେତା ବା ଅଭିନେତ୍ରୀ । ବିଶ୍ବର ସର୍ବାଧିକ ଜନପ୍ରିୟ କବି, ନାଟ୍ୟକାର ସେକ୍ସ୍ ପିଅର ମଧ୍ୟ ଅତ୍ୟନ୍ତ ସ୍ପଷ୍ଟ ଭାବରେ କରିଯାଇଛନ୍ତି ଯେ “ସାରା ସଂସାରଟା ଗୋଟିଏ ରଙ୍ଗମଞ୍ଚ, ଆଉ ସବୁ ନର-ନାରୀ କେବଳ ଅଭିନେତା ଓ ଅଭିନେତ୍ରୀ।” ଆମର ବିଦ୍ୟାର୍ଥୀ ଜୀବନରେ ୧୯୭୬ ମସିହାରେ ବୋଧେ ଉପନ୍ୟାସିକ ଚିନ୍ତାମଣି ଜେନାଙ୍କ “ସରପଞ୍ଚ ପୁଅ”ଉପନ୍ୟାସ କୁ କାହାଣୀ କରି ପ୍ରଦର୍ଶିତ ଚଳଚ୍ଚିତ୍ର “ସିନ୍ଦୂର ବିନ୍ଦୁ ” ରେ ଗୀତିକାର ଶୀର୍ଷାନନ୍ଦ ଦାସ କାନୁନଗୋ ଙ୍କ ଗୀତ କୁ ସଙ୍ଗୀତ ସମ୍ରାଟ ଅକ୍ଷୟ ମହାନ୍ତି ଙ୍କ ନିର୍ଦ୍ଦେଶନାରେ ବରେଣ୍ୟ ପ୍ରଣବ ପଟ୍ଟନାୟକ ଙ୍କ କଣ୍ଠରେ ” ଏ ଜୀବନ ଟା ଏକ ନାଟକ, ମୁଁ ନାୟକ ,ଏ ଜୀବନଟା ଏକ ନାଟକ, ମୁଁ ନାୟକ
ଏଠି ରଙ୍ଗମଞ୍ଚେ ଅଭିନୟ କରେ ,ଜଣେ ଜଣେ ଜଣେ ସାଧାରଣ ଲୋକ ,ଏ ଜୀବନଟା ଏକ ନାଟକ, ମୁଁ ନାୟକ…କେତେ ରୂପ ଏଠି, କେତେ ଯେ ବେଶ ,ଦୁଃଖ ସୁଖ ସାଥେ ଖେଳ ଶେଷ, ଯେତିକି ଦେଲେ ସେ ନିର୍ଦ୍ଦେଶ ,ସେତିକି କରିବା ମୋର ତ ପାଟ
ମୋ ପଛେ ଲାଗିଛି ଦୁନିଆଁ ଗୋଟା ,ମୋ ପଛେ ଲାଗିଛି ଦୁନିଆଁ ଗୋଟା…,କିଏ ବୋଲେ ମୋତେ ପାଗଳ ଟାଏ ,କିଏ ବୋଲେ ମୋତେ କେତେ କଥା,କିଏ ବୁଝିବ ଏ ନିରୀହ ମନର
ଅକୁହା କେତେ ଯେ ବ୍ୟଥା, ଲୁହ ଢାଳିବାକୁ ବେଳ ମୋର ନାହିଁ
ହସି ହସି ଦିନ ବିତିଯାଏ… ।” ସେହିପରି ଜୀବନ ଦର୍ଶନ
ହେଉଛି ପ୍ରତ୍ୟେକ ବ୍ୟକ୍ତିର ଜୀବନ ଜିଇଁବାର ଶୈଳୀ, ଆଦର୍ଶ, ଚିନ୍ତାନାୟକ ଭାବନା, ଏବଂ ସତ୍ୟର ସନ୍ଧାନ। ଏହା ବ୍ୟକ୍ତିର ମୂଲ୍ୟବୋଧ, ବିଶ୍ୱାସ, ଏବଂ କର୍ମକୁ ନିର୍ଦ୍ଧାରଣ କରିଥାଏ।
ଭାରତୀୟ ଦର୍ଶନ ଅନୁସାରେ “କର୍ମ ହିଁ ଭଗବାନ୍”। ମଣିଷ ନିଜର କର୍ମ ଦ୍ୱାରା ହିଁ ନିଜର ଭାଗ୍ୟ ନିର୍ମାଣ କରେ। ଆମେ ଯେଉଁ ପ୍ରକାରର କାର୍ଯ୍ୟ କରିବା, ତାର ଫଳ ମଧ୍ୟ ସେହିପରି ମିଳିବ। ଫଳର ଆଶା ନରଖି ନିଜର କର୍ତ୍ତବ୍ୟ କରିଚାଲିବା ହିଁ ଜୀବନର ପ୍ରକୃତ ଆନନ୍ଦ। ଯଥାର୍ଥରେ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ କହି ଯାଇଛନ୍ତି” ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ,କର୍ମେ ଯିଏଁ ନର କର୍ମ ଏକା ତାର ଜୀବନର ମାନଦଣ୍ଡ ” । ମନୁଷ୍ୟ ଜୀବନର ସଫଳତା କେବେ ହେଲେ କେବଳ ବର୍ଷ, ମାସ, ଦିନ କିମ୍ବା ବୟସର ଦୀର୍ଘତା ଦ୍ୱାରା ମପାଯାଏ ନାହିଁ। ଜଣେ ମଣିଷ କେତେ ବର୍ଷ ବଞ୍ଚିଲା ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ନିଜ ଜୀବନକାଳ ମଧ୍ୟରେ ସେ କିପରି ସତ୍କର୍ମ, ତ୍ୟାଗ ଓ ସମାଜ ସେବା କରିଛି, ତାହାହିଁ ତା’ ଜୀବନର ସଚ୍ଚା ପରିଚୟ ଓ ମାନଦଣ୍ଡ ଅଟେ। ସେଥିପାଇଁ ସେ ପୁଣି କହି ଯାଇଛନ୍ତି ” ମୁହୂର୍ତ୍ତେ ମାତର ଉଜ୍ଜ୍ୱଳି ପ୍ରଖର ଶିଖା ଟେକି ହୁତାଶନ,ଜଳି ଯେବେ କରେ ଆଲୋକ ଉତ୍ତାପ ଚଉଦିଗେ ବିତରଣ,ଲିଭୁ ସେ କ୍ଷଣକେ, ତଥାପି ଏ ଲୋକେ ରହିବ ତାହାର ଯଶ, କି ଲାଭ ମହିରେ ବଞ୍ଚି ଏ ସଂସାରେ କୁହୁଳି ସହସ୍ର ବର୍ଷ ?” । ଅତଏବ ଦୀର୍ଘତା ନୁହେଁ, ମହତ୍ ବଡ ।
ନିଷ୍କର୍ମା ହୋଇ ଦୀର୍ଘଦିନ ବଞ୍ଚିବା ଅପେକ୍ଷା କର୍ମମୟ ଓ ଅର୍ଥପୂର୍ଣ୍ଣ ସଂକ୍ଷିପ୍ତ ଜୀବନ ଅନେକ ଶ୍ରେଷ୍ଠ। ମାନବ ସେବା ହିଁ ମାଧବ ସେବା , ଭୋଗ ନୁହେଁ ତ୍ୟାଗ ହିଁ ଜୀବନର ମୂଲ୍ୟବୋଧ କୁ ପ୍ରତିପାଦିତ କରିଥାଏ । ସମାଜ ମଙ୍ଗଳ, ଦୀନଦୁଃଖୀଙ୍କ ସେବା ଏବଂ କର୍ତ୍ତବ୍ୟ ପରାୟଣତା ମାଧ୍ୟମରେ ମଣିଷ ଚିରସ୍ମରଣୀୟ ହୋଇରହେ। ଆମର କର୍ମହିଁ ମୃତ୍ୟୁ ପରେ ବି ଆମକୁ ଅମର କରି ରଖେ। ଅତଏବ ଜୀବନରେ ସତ୍ୟର ମାର୍ଗ ଆପଣାଇବା ଏବଂ କାହାରିକୁ ନିଜର ମନ, ବାକ୍ୟ, କିମ୍ବା କର୍ମ ଦ୍ୱାରା ଆଘାତ ନପହଞ୍ଚାଇବା ଦର୍ଶନର ଏକ ବଡ଼ ଭାଗ। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ହିଁ ସମାଜକୁ ଆଗକୁ ନେଇଥାଏ। ଶାନ୍ତିପୂର୍ଣ୍ଣ ସହାବସ୍ଥାନ
ର ଅର୍ଥ ହେଉଛି ଭିନ୍ନ ଭିନ୍ନ ମତ, ଧର୍ମ, ଜାତି, ଭାଷା, ସଂସ୍କୃତି କିମ୍ବା ବିଚାରଧାରାର ଲୋକମାନେ କୌଣସି ହିଂସା କିମ୍ବା ମନୋମାଳିନ୍ୟ ନ ରଖି ଏକାଠି ଶାନ୍ତିପୂର୍ଣ୍ଣ ଭାବେ ବସବାସ କରିବା। ଏହା କେବଳ ବ୍ୟକ୍ତିଗତ କିମ୍ବା ସାମାଜିକ ସ୍ତରରେ ନୁହେଁ, ବରଂ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ବିଭିନ୍ନ ଦେଶମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରଖିବା ପାଇଁ ଏକ ମୁଖ୍ୟ ନୀତି। ବିଶେଷ କରି ପାରସ୍ପରିକ ସ୍ନେହ, ସମ୍ମାନ, ସଦିଚ୍ଛା ପ୍ରଦର୍ଶନ ସାମାଜିକ ସଂହତି ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ବ୍ୟକ୍ତି ଓ ସମୁଦାୟର ନିଜସ୍ୱ ବିଶ୍ୱାସ, ସଂସ୍କୃତି ଓ ସ୍ୱାଧୀନତାକୁ ସମ୍ମାନ ଦେବା। ଅନ୍ୟର ଭିନ୍ନ ମତ କିମ୍ବା ଜୀବନଶୈଳୀକୁ ଗ୍ରହଣ କରିବାର କ୍ଷମତା ରଖିବା। କୌଣସି ବାଦବିବାଦ କିମ୍ବା ମତଭେଦ ସୃଷ୍ଟି ହେଲେ ହିଂସା ବଦଳରେ କଥାବାର୍ତ୍ତା ଓ ଆଲୋଚନା ମାଧ୍ୟମରେ ସମାଧାନ କରିବା। ସମସ୍ତଙ୍କୁ ସମାନ ଅଧିକାର ଓ ସୁଯୋଗ ପ୍ରଦାନ କରିବା ହେଉଛି କେବଳ ବ୍ୟକ୍ତି ନୁହେଁ, ରାଷ୍ଟ୍ରୀୟ ନେତା ଓ ପ୍ରଶାସନିକ ଅଧିକାରୀ ମାନଙ୍କ ମାନବୀୟ କର୍ତ୍ତବ୍ୟ କର୍ମ । ଏହା ଫଳରେ ହିଁ ହିଂସା, ସାମ୍ପ୍ରଦାୟିକ ଦଙ୍ଗା, ଧର୍ମୀୟ ବିଦ୍ୱେଷ, ଭାଇଚାରା ଆଦି ସକରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ । ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧି ମଧ୍ୟରେ ସହସ୍ରାଧିକ ଆଲେଖ୍ୟ ଆଲୋଚନା, ଦୃଶ୍ୟ -ଶ୍ରାବ୍ୟ ଗଣମାଧ୍ୟମ ଆଲୋଚନା, ବିଭିନ୍ନ ସଭାସମିତିରେ ଉଲ୍ଲେଖ କରି ଆସୁଛୁ ଯେ ” ପରିବର୍ତ୍ତନଶୀଳ ଦୁନିଆରେ ପରିବର୍ତ୍ତନ ହିଁ ଅପରିବର୍ତ୍ତିତ ନିୟମ”। ସୁଖ -ଦୁଃଖ, ହାନି-ଲାଭ, ସଫଳତା-ବିଫଳତା ଜୀବନର ଦୁଇଟି ପାଖ। ପ୍ରତ୍ୟେକ ପରିସ୍ଥିତିକୁ ସମାନ ଭାବରେ ସ୍ୱୀକାର କରିବା ଏବଂ ସନ୍ତୁଳନ ରକ୍ଷା କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ।
ବାହ୍ୟ ଜଗତର ଜିନିଷରେ ଆନନ୍ଦ ଖୋଜିବା ପରିବର୍ତ୍ତେ ନିଜ ଭିତରର ଶାନ୍ତି ଓ ସନ୍ତୋଷକୁ ଚିହ୍ନିବା ଜରୁରୀ। “ମୁଁ କିଏ?” ଏବଂ “ମୋର ଜୀବନର ଲକ୍ଷ୍ୟ କ’ଣ?” – ଏହାର ସନ୍ଧାନ ହିଁ ପ୍ରକୃତ ଜୀବନ ଦର୍ଶନ।

“କେହି ରହି ନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ “
Posted in ସାହିତ୍ୟ.