ପ୍ରଦ୍ୟୁମ୍ନ ଶତପଥୀ
ବନ୍ଧୁ ରଣଜିତ ପ୍ରଧାନଙ୍କ ସହିତ ମୁଖ ପୁସ୍ତକରେ ବନ୍ଧୁତାର ଷଷ୍ଠ ବାର୍ଷିକୀ ଅବସର , ଗତକାଲି ତାଙ୍କର ପ୍ରଶଂସାର ଭାଷା, ଯେଉଁଥିପାଇଁ ଆମେ ସେଭଳି ଯୋଗ୍ୟ ମଧ୍ୟ ନୋହୁଁ , ତାଙ୍କର ପ୍ରଶ୍ନ, ଆମର ଉତ୍ତର ।

ଜନ୍ମ ନୁହେଁ, ବରଂ ଗୁଣ, କର୍ମ ଓ ଜ୍ଞାନ ଆଧାରରେ ବ୍ରାହ୍ମଣତ୍ୱ ହୁଏ ନିର୍ଦ୍ଧାରିତ। ଉପନିଷଦ ଓ ବେଦାନ୍ତ ଦର୍ଶନରେ “ବ୍ରହ୍ମ” ବା “ବ୍ରାହ୍ମଣ” ହେଉଛନ୍ତି ସୃଷ୍ଟିର ସର୍ବୋଚ୍ଚ, ଅନାଦି, ଅନନ୍ତ ଓ ନିରାକାର ପରମ ସତ୍ୟ।ସମଗ୍ର ବ୍ରହ୍ମାଣ୍ଡରେ ଏକମାତ୍ର ଚେତନା ବ୍ରହ୍ମ ହିଁ ସତ୍ୟ, ଏବଂ ପ୍ରତ୍ୟେକ ଜୀବର ଆତ୍ମା ଏହି ବ୍ରହ୍ମଙ୍କର ହିଁ ଅଂଶ।ହିନ୍ଦୁ ସମାଜ ଓ ଦର୍ଶନରେ ‘ବ୍ରାହ୍ମଣ’ ଶବ୍ଦର ବ୍ୟବହାର ମୁଖ୍ୟତଃ ଦୁଇଟି ପ୍ରସଙ୍ଗରେ ହୋଇଥାଏ , ଯଥା ବୈଦିକ ବର୍ଣ୍ଣ ବ୍ୟବସ୍ଥାରେ ଜ୍ଞାନ ଓ ପୂଜାପାଠ ସହ ଜଡ଼ିତ ବର୍ଗ, ଏବଂ ଦ୍ଵିତୀୟ, ବେଦ ସହ ସମ୍ବନ୍ଧିତ ପ୍ରାଚୀନ ଧାର୍ମିକ ଗ୍ରନ୍ଥ। ବିଶେଷ କରି ଷଟ୍ କର୍ମ, ଯଥା ଅଧ୍ୟୟନ (ଶାସ୍ତ୍ର ପଢ଼ିବା), ଅଧ୍ୟାପନ (ଶିକ୍ଷା ଦେବା), ୟଜନ (ଯଜ୍ଞ କରିବା), ଯାଜନ (ଅନ୍ୟଙ୍କ ପାଇଁ ଯଜ୍ଞ କରାଇବା), ଦାନ ଏବଂ ପ୍ରତିଗ୍ରହ (ଦାନ ଗ୍ରହଣ କରିବା) ହିଁ ପ୍ରଧାନ କର୍ତ୍ତବ୍ୟ । ଏଥି ସହିତ ସତ୍ୟବାଦୀ, ଶାନ୍ତ, ଦୟାଳୁ ,ଜ୍ଞାନୀ ଏବଂ ପରୋପକାରୀ ଚରିତ୍ର ହିଁ ବ୍ରାହ୍ମଣ ଙ୍କ ଭୂଷଣ ।
ସେହିପରି ଶାସ୍ତ୍ରନୁସାରେ ବ୍ରାହ୍ମଣର ବିଭିନ୍ନ ନାମର ଉତ୍ପତ୍ତି ଯଥା ପ୍ରଥମେ ଲୋକ ‘ଶୂଦ୍ର’ ରୂପ ଜନ୍ମଗ୍ରହଣ କରେ, ଉପନୟନ ସଂସ୍କାର ପରେ ସେ ‘ଦ୍ୱିଜ’ ବୋଲାଏ; ବେଦ ପାଠ କଲେ ସିଏ
‘ବିପ୍ର’ ହୁଅନ୍ତି ,ବିପ୍ର ବ୍ରହ୍ମଙ୍କୁ ଚିହ୍ନିଲେ, ଅର୍ଥାତ୍ ବିପ୍ରର ବ୍ରହ୍ମଜ୍ଞାନ ଜନ୍ମିଲେ ସେ ବ୍ରାହ୍ମଣ ହୁଅନ୍ତି ଏବଂ ଦଶବିଧି ସଂସ୍କାର ଧାରକ ଯଥା ଗର୍ଭଧାନ,ପୁଂସବନ, ସୀମାନ୍ତୋନୟନ,ଜାତ କର୍ମ, ନାମକରଣ ,ଅନ୍ନପ୍ରଶନ,ଚୁଡାକରଣ,ଉପନୟନ, ସମାବର୍ତ୍ତନ ଓ ବିବାହ । ସେହିପରି ଦଶବିଧି ସଂସ୍କାର ବ୍ୟତୀତ, ବ୍ରାହ୍ମଣ
ମାନଙ୍କର ଚାରିଗୋଟି ଆଶ୍ରମ ଯଥା ବ୍ରହ୍ମଚର୍ଯ୍ୟ ,ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ସନ୍ୟାସ ବା ଭିକ୍ଷା ବ୍ରତ ।ବେଦ ଆର୍ଯ୍ୟମାନଙ୍କର ଆଦି ଧର୍ମ ଗ୍ରନ୍ଥ ଏବଂ ସମଗ୍ର ପୃଥିବୀର ପ୍ରାଚୀନତମ ଗ୍ରନ୍ଥ କହିଲେ ଅତ୍ୟୁକ୍ତି ହେବ ନାହିଁ । ବେଦ ସ୍ୱଂୟ ଭଗବାନଙ୍କର ମୁଖନିଃସୃତ ବାଣୀ ବୋଲି ଆର୍ଯ୍ୟମାନେ ବିଶ୍ୱାସ କରନ୍ତି । ଆର୍ଯ୍ୟମାନେ ବେଦକୁ ପୁରୁଷାନୁକ୍ରମେ ଶୁଣି ଶୁଣି ମନେ ରଖୁଥିଲେ ବୋଲି ତାହାର ଅନ୍ୟ ନାମ ଶ୍ରୁତି । ବେଦ ଶବ୍ଦର ଅର୍ଥ ଅଲୌକିକ ଜ୍ଞାନ । ବେଦ ବହୁ ସ୍ତୋତ୍ର, ମନ୍ତ୍ର ଓ ବିଭିନ୍ନ ଉପାଦେୟ ତଥ୍ୟର ସମଷ୍ଟି ମାତ୍ର । ଏହା ବିଭିନ୍ନ ସମୟରେ ବହୁ ଜ୍ଞାନୀ ମୁନି-ଋଷିମାନଙ୍କଦ୍ୱାରା ରଚିତ ହୋଇଥିଲା । ଅତଏବ ବେଦ ହିଁ ମୁଖ୍ୟ ଧର୍ମଗ୍ରନ୍ଥ, ଯାହା ସଂହିତା,ବ୍ରାହ୍ମଣଭାଗ, ଆରଣ୍ୟକ, ଉପନିଷଦ,ବେଦାଙ୍ଗ, ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହାକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହାଯାଏ ।
କର୍ମକାଣ୍ଡ ଭାବେ ପରିଚିତ ଦ୍ୱିତୀୟ ବେଦ ଯଜୁର୍ବେଦର ବୈଦିକ ମନ୍ତ୍ର ସଂଖ୍ୟା ୧,୯୭୫ କର୍ମ ପ୍ରେରଣା ପ୍ରଦାନ କରିବା ଏହି ମନ୍ତ୍ରମାନଙ୍କର ଲକ୍ଷ୍ୟ । ୟଜୁର୍ବେଦରେ ଧର୍ମ ସମ୍ବନ୍ଧୀୟ କ୍ରିୟାକଳାପ ଏବଂ ଉପାସନାଦି ଅଛି । ଧନୁର୍ବେଦ ଏହାର ଉପବେଦ। ଏହାର ଅଧିପତି ଗ୍ରହ ଶୁକ୍ର, ବାର ଶୁକ୍ରବାର । ଏମାନେ ବହୁଗୋତ୍ରୀ, ଦେବତା ବାୟୁ(ମରୁତ୍ ବା ମାତରିଶ୍ୱା), ଛନ୍ଦ ଉଷ୍ଣିକ୍ । ଯଜୁର୍ବେଦର ଦୁଇଟି ପରମ୍ପରା ଅଛି , ଯଥା
ଶୁକ୍ଳ ବା ବାଜସନେୟୀ ଏବଂ କୃଷ୍ଣ ବା ମିଶ୍ର । ଶୁକ୍ଳ ଯଜୁର୍ବେଦ କୃଷ୍ଣ ଯଜୁର୍ବେଦ ଅପେକ୍ଷା ବେଶୀ ଆଦରଣୀୟ, କାରଣ ଏଥିରେ ସଂହିତା ଏବଂ ବ୍ରାହ୍ମଣ ଗ୍ରନ୍ଥ ଅଲଗା ହୋଇ ରହିଛି। ଏହାର ସ୍ୱଭାବ ରାଜସିକ ହୋଇଥିବାରୁ ଏହାକୁ ଉପାଂଶୁ ଭାବେ ଜପ କରାଯାଏ । ଶୁକ୍ଳ ଅଂଶର ଅନ୍ୟନାମ ବାଜସନେୟୀ (ବାଜସନି=ସୂର୍ଯ୍ୟ,ଏହାର ଆଦି ଗୁରୁ),ସୂର୍ଯ୍ୟଙ୍କଠାରୁ ଯାଜ୍ଞବଳ୍କ୍ୟ ଏହା ଅଧ୍ୟୟନ କରିଥିଲେ. ଏହାର ଆଦି ଗୁରୁ ବୈଶମ୍ପାୟନ ନୁହନ୍ତି। ଏହାର ବ୍ରାହ୍ମଣ ଗ୍ରନ୍ଥ ହେଉଛି ଶତପଥ ,ବୃହଦାରଣ୍ୟକ ଏହି ବେଦର ମୁଖ୍ୟ ଉପନିଷଦ । ଇଶୋପନିଷଦ ଶୁକ୍ଳ ଯଜୁବେଦର ଅନ୍ତିମ ଅଧ୍ୟାୟ । ଶୁକ୍ଳ ଯଜୁର୍ବେଦର ଶାଖା ସଂଖ୍ୟା ପନ୍ଦର,ମୁଖ୍ୟ ଶାଖା ଗୁଡ଼ିକ ହେଉଛି ବାଜସନେୟ ମାଧ୍ୟନ୍ଦିନ, ଜାବାଳ, ବୋଧେୟ, କାଣ୍ୱ ଇତ୍ୟାଦି । ମାଧ୍ୟନ୍ଦିନ ବାଜସନେୟ ମୁଖ୍ୟତଃ ଉତ୍ତର ଭାରତ, ଗାଙ୍ଗେୟ ସମତଳ ଏବଂ ଗୁଜରାଟରେ ଅଧ୍ୟୟନ କରାଯାଏ । ଉତ୍କଳର ୟଜୁର୍ବେଦୀ ବ୍ରାହ୍ମଣମାନେ ସମସ୍ତେ ଶୁକ୍ଳଯଜୁର୍ବେଦ କାଣ୍ୱ ଶାଖା ଅଧ୍ୟୟନ କରନ୍ତି । ଏଥିରେ ଚାଳିସିଟି ଅଧ୍ୟାୟ ଅଛି।ଏହାର କଳ୍ପସୂତ୍ର କାତ୍ୟାୟନ ଓ ଗୃହ୍ୟସୁତ୍ର କାତୀୟ-ପାରସ୍କର ।ଶତପଥ ଅର୍ଥ ହେଉଛି “ଶହେଟି ପଥ ବା ଅଧ୍ୟାୟ”, ଯେଉଁଥିରେ ଯଜ୍ଞ କର୍ମକାଣ୍ଡର ସୂକ୍ଷ୍ମ ଓ ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ରହିଛି, ରହିଛି ମଧ୍ୟ
ପ୍ରଳୟ କାଳର ମତ୍ସ୍ୟ ଅବତାର ଏବଂ ମନୁଙ୍କ କାହାଣୀ, ଯେଉଁଥିରେ ଉଲ୍ଲେଖ ରହିଛି ପ୍ରାଚୀନ ଭାରତୀୟ ସଂସ୍କୃତି, ଇତିହାସ ଏବଂ ଜ୍ୟୋତିଷ ସମ୍ବନ୍ଧୀୟ ବହୁ ତଥ୍ୟ । ମତ୍ସ୍ୟ ଅବତାର, ଯାହା ମାଛ ଓ ଜଳ ପ୍ଲାବନ କାହାଣୀ କୁ ଆଧାର କରି , ଯେଉଁଥିରେ ସଂସାରର ସୃଷ୍ଟି ଓ ପ୍ରଳୟ ସମୟରେ ମନୁଙ୍କୁ ଏକ ବିଶାଳ ମାଛ (ମତ୍ସ୍ୟ) କିପରି ରକ୍ଷା କରିଥିଲା, ତାହାର ସବୁଠାରୁ ପ୍ରାଚୀନ ବର୍ଣ୍ଣନା ଶତପଥ ବ୍ରାହ୍ମଣରେ ମିଳିଥାଏ। ସେହିପରି ପୁରୁଋବା ଓ ଉର୍ବଶୀ କାହାଣୀ ଜରିଆରେ ନୈତିକ ଓ ସାମାଜିକ ଶିକ୍ଷା ଦିଆଯାଇଛି। ତଦୋପରି ଖଗୋଳ ଓ ଗଣିତ ଶାସ୍ତ୍ରର ବିଷଦ ବିବରଣୀ ଯଥା ଞଯଜ୍ଞବେଦି ନିର୍ମାଣ ପାଇଁ ଗଣିତ (ରେଖାଗଣିତ) ଏବଂ ନକ୍ଷତ୍ର-ଗ୍ରହମାନଙ୍କ ଗତିବିଧିର ସୂକ୍ଷ୍ମ ଗଣନା ଏଥିରେ ଦେଖିବାକୁ ମିଳେ।ଭାରତୀୟ ଦର୍ଶନ, ସଂସ୍କୃତି ଏବଂ ବୈଦିକ କର୍ମକାଣ୍ଡର ମୂଳଦୁଆ ବୁଝିବା ପାଇଁ ଶତପଥ ବ୍ରାହ୍ମଣ ଏକ ଗୁରୁତ୍ୱପୂର୍ଣ୍ଣ ସ୍ରୋତ। ପ୍ରାଚୀନ କାଳରେ ଯେଉଁ ବ୍ରାହ୍ମଣମାନେ “ଶତପଥ ବ୍ରାହ୍ମଣ” ଗ୍ରନ୍ଥର ଅଧ୍ୟୟନ, ଅଧ୍ୟାପନା କିମ୍ବା ଏହାର ସିଦ୍ଧାନ୍ତ ଅନୁସାରେ ଯଜ୍ଞାଦି କାର୍ଯ୍ୟ ପରିଚାଳନା କରୁଥିଲେ, ସେମାନଙ୍କୁ ଶତପଥୀ ସାଙ୍ଗିଆରେ ସମ୍ବୋଧିତ କରାଯାଇଥିଲା । ଅତଏବ ଶତପଥୀ ବ୍ରାହ୍ମଣ ସଂସ୍କୃତି ଓଡ଼ିଶାର ବୈଦିକ ଓ ଶାସନୀ ବ୍ରାହ୍ମଣ ପରମ୍ପରାର ଏକ ପ୍ରମୁଖ ବିଭାବ। ‘