ଦକ୍ଷିଣା ପବନ ସବୁରି ହିତ
ଉତ୍ତରା ପବନ ଆଣଇ ଶୀତ
ପୁବେଇ ପବନ ଧାନକୁ ଭଲ
ପଶ୍ଚିମା ପବନ ଜରର ମୂଳ
ପାଣି,ପବନକୁ ନେଇ ଯେ ବେପାର ବଣିଜ କରିହେବ , କରିହେବ କ’ଣ , ସର୍ବାଧିକ ପରିମାଣରେ ଆୟ କରିହେବ , ଏକଥା ଯେତେବେଳେ ପଶ୍ଚିମାପଣ୍ଡିତମାନେ ଜାଣି ନଥିଲେ , ସେତେବେଳେ ଛ ଶହ ବର୍ଷ ତଳେ ମହାନ୍ ଓଡିଆ ସନ୍ଥମାନେ ଭବିଷ୍ୟତ ମାଳିକା ବା କଥନ, ବଚନରେ କହିଯାଇଛନ୍ତି । ଏବେ ତ ପବନବିକାମାନେ ବିଶ୍ବର ଶ୍ରେଷ୍ଠ ଧନୀ ମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ଏହି ପ୍ରଚୁର ପରିମାଣର ଅର୍ଥ ଯେଭଳି ବରବାଦ୍ କରୁଛନ୍ତି , ତାହା ଜାଣିବା ପରେ ଦେହରେ ନିଆଁ ଲାଗିଯାଉଛି । ଗତ ବର୍ଷ ତ ଜଣେ ପବନବିକା କଳାପୁଞ୍ଜି ଐରାବତ ବିଦେଶରେ ନିଜର ସାନପୁଅର ବିଳାସ ବ୍ୟସନ ପାଇଁ ପାଞ୍ଚ ହଜାର କୋଟି ଟଙ୍କାର ସମ୍ପତ୍ତି କିଣିଲା । ଗୋଟିଏ ଗୋଟିଏ ଘର ୨୮ ମହଲା,୩୦ ମହଲା , ଯାହା ମଧ୍ୟରେ ସଂସାରର ସକଳ ଇନ୍ଦ୍ରୀୟ ଭୋଗୀ ଉପାଦାନ ଉପଲବ୍ଧ ଠାରୁ ବ୍ୟୋମଯାନ ଅବତରଣ ସ୍ଥଳ , ରହଣୀ ସ୍ଥଳ, କୋଟି କୋଟି ଟଙ୍କାର ଶହଶହ ସୌଖିନ ଚତୁର୍ଚକୀ ଯାନ, ସୁନା ପାଇଖାନା ଆଦିର ଚିତ୍ର ଆଖି ଝଲସେଇ ଦେଉଥିବା ବେଳେ ଏପଟେ ବନ୍ୟା ପ୍ରପିଡିତ ଗଡବଳଭଦ୍ରପୁରର ମୁକୁନ୍ଦ ବିଶ୍ବାଳଙ୍କ ଝୁମ୍ପୁଡିର ସ୍ଥିର ଚିତ୍ର ସ୍ଵାଧୀନୋତ୍ତର ଭାରତରେ ଅମୃତ ମହୋତ୍ସବ ପାଳନ ଅବସରରେ ସମତା ପ୍ରତିଷ୍ଠାର ବାସ୍ତବଧର୍ମୀ ଚିତ୍ର ପ୍ରଦର୍ଶିତ କରୁଛି । ଆଜି ଯେତେବେଳେ ପଶ୍ଚିମା ପଣ୍ଡିତ ବା ବୈଜ୍ଞାନିକ ମାନେ ବାୟୁ ଓ ପବନର ବର୍ଗୀକରଣ କରିଛନ୍ତି , ସେତେବେଳେ ହଜାର ବର୍ଷ ତଳେ ଗାଉଁଲି ଓଡ଼ିଆମାନେ ଢଗଢମାଳି ରେ ପବନର ବର୍ଗୀକରଣ କରିଯାଇଛନ୍ତି । ଅନେକ ଉଦାହରଣୀୟ ତଥ୍ୟ ଥିଲେ ମଧ୍ୟ ଏଠାରେ ଗୋଟିଏ ଉଦାହରଣ, ଯାହା କେଉଁ ପବନ କାହାକୁ ହିତକର, ତାହା ଉଲ୍ଲେଖ କରୁଛୁ ।
” ଦକ୍ଷିଣା ପବନ ସବୁରି ହିତ
ଉତ୍ତରା ପବନ ଆଣଇ ଶୀତ
ପୁବେଇ ପବନ ଧାନକୁ ଭଲ
ପଶ୍ଚିମା ପବନ ଜରର ମୂଳ
ଈଶାନ ପବନ ମାଛ ମରାକୁ
ଆଗ୍ନେୟ ପବନ ଆଖି ଧରାକୁ
ନୈଋତ ପବନ ରବିକୁ ଭଲ
ବାୟବ ପବନ ବରଷା ଭଲ
……………………… ।।”
ଏବେ ପାଶ୍ଚାତ୍ୟ ବୈଜ୍ଞାନିକ ମାନେ ପବନର ସଂଜ୍ଞା ନିରୂପଣ କରି ଯେଉଁ ବର୍ଗୀକରଣ କରିଛନ୍ତି ତାହା ଏଠାରେ ଉଲ୍ଲେଖ କରୁଅଛୁ । ସେମାନଙ୍କ ଭାଷାରେ ବାୟୁ ଓ ତା ମଧ୍ୟରେ ଥିବା ଗ୍ୟାସେସ (gases) ଅଧିକ ପରିମାଣର ପ୍ରବାହକୁ ପବନ କୁହାଯାଏ । ପୃଥିବୀର ଭୁପୃଷ୍ଠରେ ପବନ ବୋହିବା ଅର୍ଥ ବାୟୁର ଅଧିକ ପରିମାଣର ଚଳନକୁ ବୁଝାଏ । ଅନ୍ତରୀକ୍ଷରେ (outer space) ସୋଲାର ପବନ ଅର୍ଥ ଗ୍ୟାସ ବା ସୂର୍ଯ୍ୟରୁ ଆସୁଥିବା ଚାର୍ଜ ହୋଇଥିବା କଣିକା, ପ୍ଲାନେଟାରୀ ପବନ ଅର୍ଥ ଗ୍ରହର ବାୟୁମଣ୍ଡଳରୁ ହାଲୁକା ରାସାୟନିକ ପଦାର୍ଥ ବା ଏଲିମେଣ୍ଟର ଅନ୍ତରୀକ୍ଷକୁ ପ୍ରବାହ । ପବନର ସ୍ପାସିଆଲ ସ୍କେଲ (spatial scale), ବେଗ, ତାକୁ ସୃଷ୍ଟିକରୁଥିବା ବଳ, ସୃଷ୍ଟିର ସ୍ଥାନ ଓ ପ୍ରଭାବ ଇତ୍ୟାଦିକୁ ନେଇ ପବନର ବର୍ଗୀକରଣ କରାଯାଏ । ସୌର ମଣ୍ଡଳରେ ନେପଚ୍ୟୁନ (Neptune) ଓ ଶନି (Saturn) ଗ୍ରହରେ ସର୍ବାଧିକ ଜୋରରେ ପବନ ପ୍ରବାହିତ ହୁଏ । ପବନ ବୋହୁଥିଲେ ତାହାର ଭେଲୋସିଟି ପବନ ବେଗ (velocity (wind speed)), ସେଥିରେ ଥିବା ଗ୍ୟାସମାନଙ୍କର ଘନତ୍ୱ ଓ ପବନର ଶକ୍ତି (wind energy) ପରିମାଣ ହିସାବକୁ ଆସେ । ପବନ ମାଧମରେ ମଞ୍ଜି ଓ ଛୋଟ ପକ୍ଷୀମାନେ ହଜାର ହଜାର ମାଇଲ ପର୍ଯ୍ୟନ୍ତ ସ୍ଥାନାନ୍ତର ହୋଇପାଅନ୍ତି ।ମେଟେରିଓଲୋଜି (meteorology) ବିଜ୍ଞାନରେ ପବନକୁ ତାର ବଳ, ପ୍ରବାହର ଦିଗ ଅନୁସାରେ ସୂଚନା ଦିଆଯାଏ । ଇଂରାଜୀରେ ଉଚ୍ଚବେଗ ଓ ସ୍ୱଳ୍ପ ସମୟର ପବନକୁ ଗସ୍ଟ, ବଳଶାଳୀ ଓ ପ୍ରାୟ ଏକ ମିନିଟର ପବନକୁ ସ୍କ୍ୱାଲ (squall) କୁହାଯାଏ । ଅଧିକ ସମୟବ୍ୟାପୀ ଓ ସାଧାରଣ ବଳଥିବା ପବନକୁ ବ୍ରିଜ (breeze), ଗେଲ (gale) ଓ ଅଧିକ ବଳଶାଳୀ ପବନକୁ ସ୍ଟର୍ମ (storm) ଓ ହରିକେନ (hurricane) ନାମ ଦିଆଯାଏ । ବଡ଼ ପରିମାଣର ବାୟୁମଣ୍ଡଳର ସଞ୍ଚାଳନର ଦୁଇଟି କାରଣ ଥାଏ ଯଥା:- ମେରୁ ଓ ଭୁମଧ୍ୟ ଅଞ୍ଚଳର ତାପ ଅନ୍ତର ଓ ଗ୍ରହର ଘୁର୍ଣ୍ଣନ ଯାହାକୁ କୋରିଓଲିସ ପ୍ରଭାବ (Coriolis effect) କୁହାଯାଏ । ଭୂମଧ୍ୟ ଅଞ୍ଚଳରେ ଉଚ୍ଚ ଶୃଙ୍ଗ ଓ ଭୂଭାଗ ମଧ୍ୟରେ ତାପ ସଞ୍ଚାଳନ ଯୋଗୁ ମୌସୁମୀ ବାୟୁ ପ୍ରବାହିତ ହୁଏ । ସାଗର କୂଳରେ ସ୍ଥଳ ଓ ଜଳ ଭାଗର ତାପ ପାର୍ଥକ୍ୟ ଯୋଗୁ ସ୍ଥାନୀୟ ପବନ ବୁହେ; ସେହିଭଳି ଅସମାନ ପାହାଡ଼ିଆ ଅଞ୍ଚଳରେ ସ୍ଥାନୀୟ ପବନ ବୁହେ । ଭୂପୃଷ୍ଠର ବାୟୁ ଘର୍ଷଣ ଯୋଗୁ ପବନ ନିମ୍ନ-ଚାପ ସ୍ଥାନକୁ ସଞ୍ଚାଳିତ ହୁଏ । ମାନବ ସଭ୍ୟତାରେ ପୁରଣମାନଙ୍କରେ (mythology) ପବନର ବିଷୟରେ ସବିଶେଷ ଅନ୍ୱେଷଣ କରାଯାଇଥିଲା; ଏହା ଇତିହାସର ଘଟଣାବଳୀକୁ ପ୍ରଭାବିତ କରିଥିଲା, ପରିବହନ ଓ ଯୁଦ୍ଧକୁ ପ୍ରସାରିତ କରିଥିଲା ଓ ଯାନ୍ତ୍ରିକ କାମ, ବିଦ୍ୟୁତ ଶକ୍ତି ଓ ଆମୋଦ ପ୍ରମୋଦକୁ ଶକ୍ତି ଯୋଗେଇବାରେ ସାହାଯ୍ୟ କରୁଥିଲା । ସମୁଦ୍ରରେ ପାଲଟଣା ଜାହଜ ଚଲେଇବାରେ ପବନ ଶକ୍ତିକୁ ବ୍ୟବହୃତ କରାଯାଉଥିଲା । ଅଳ୍ପ ଦୂର ଯିବା ଆସିବା ନିମନ୍ତେ ଗରମ ପବନ ବେଲୁନରେ (Hot air balloon) ପବନ ପ୍ରୟୋଗ କରାଯାଏ, ଉଡ଼ାଜାହଜ ଉପରକୁ ଉଠିବା ନମନ୍ତେ ଏହାକୁ ବ୍ୟବହାର କରି ଶକ୍ତି ସଞ୍ଚୟ କରେ । ଶକ୍ତ ପବନ ପ୍ରବାହ ହେଲେ ମାନବ ତିଆରି ଘରଦ୍ୱାର ଓ ବୃକ୍ଷ ଇତ୍ୟାଦି ଭାଙ୍ଗିଯାଏ ।
ପବନର ଅନେକ ପ୍ରକାରର ପ୍ରକ୍ରିୟରେ ଉର୍ବର ମୃତ୍ତିକା ତିଆରି ହୁଏ ଓ ବିନଷ୍ଟ ବି ହୁଏ । ପବନ ଯୋଗୁ ମରୁଭୂମିର ଧୁଳି ବହୁତ ଦୂର ପର୍ଯ୍ୟନ୍ତ ଉଡ଼ିଯାଇପାରେ । ଏହା ଯୋଗୁ ମଞ୍ଜି ବିକ୍ଷେପ ସହଜସାଧ୍ୟ ହୁଏ । ଅଗ୍ନି ମଧ୍ୟ ଦୂରଦୂରାନ୍ତକୁ ବ୍ୟାପିଯାଏ ।