ବଞ୍ଚିଥିଲେ ଆଜି ସ୍ବାଧୀନତା ସଂଗ୍ରାମୀ ତଥା ବ୍ୟକ୍ତିଗତ ଭାବେ ଆମର ପରମ ସମ୍ମାନନୀୟ, ଆଚରଣ ଓ ଉଚ୍ଚାରଣସିଦ୍ଧ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ , ଓଡ଼ିଶା ବିଧାନସଭାର ପ୍ରାକ୍ତନ ବାଚସ୍ପତି ଯୁଧିଷ୍ଠିର ଦାସ ଶହେ ଦୁଇ ବର୍ଷ ଅତିକ୍ରମ କରି ଶହେ ତିନି ବର୍ଷରେ ପଦାର୍ପଣ କରିଥାନ୍ତେ । ସେହିପରି ଆଜି ମହାନ୍ ସ୍ବାଧୀନତା ସଂଗ୍ରାମୀ ଜୟକୃଷ୍ଣ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ଏବଂ ଅନ୍ୟତମ ସ୍ବାଧୀନତା ସଂଗ୍ରାମୀ ନରସିଂହ ପ୍ରସାଦ ନନ୍ଦଙ୍କର ଆଜି ଜୟନ୍ତୀ । ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀଙ୍କ ଏହି ସୁଯୋଗ୍ୟ ସନ୍ତାନ ମାନଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ବ୍ୟକ୍ତିଗତ ଭାବେ ଆମେ ବରେଣ୍ୟ ଯୁଧିଷ୍ଠିର ଦାସଙ୍କୁ ଯୁଝିଆନା ବୋଲି ସମ୍ବୋଧନ କରିଥାଉ । ୧୯୮୦ ରୁ ୨୦୧୪, ଦୀର୍ଘ ୩୪ ବର୍ଷର ଘନିଷ୍ଠ ସମ୍ପର୍କର ଇତିହାସ ବ୍ୟାପକ, ଅବିସ୍ମରଣୀୟ , ତାଙ୍କର ସ୍ମୃତି ଆମ ପାଇଁ ଅମ୍ଲାନ, ଅମୃତ । ୧୯୨୩ ମସିହା, ସେପ୍ଟେମ୍ବର ୨୫ ତାରିଖରେ ଅବିଭକ୍ତ କଟକ ଜିଲ୍ଲା, ଅଧୁନା ଜଗତସିଂହପୁର ଜିଲ୍ଲାର ରାହାଡିଙ୍ଗା ଗ୍ରାମରେ ବରେଣ୍ୟ ମଧୁସୂଦନ ଦାସ ଙ୍କ ପୁତ୍ର ଭାବରେ ଜନ୍ମ ଗ୍ରହଣ କରିଥିବା ଯୁଧିଷ୍ଠିର ଦାସ ଛାତ୍ର ଆନ୍ଦୋଳନର ନେତୃତ୍ଵ ନେଇଥିଲେ , ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଏବଂ ସ୍ବାଧୀନତା ପରେ ସମାଜସେବା ରେ ଯୋଗ ଦେଇ ସୋସିଆଲିଷ୍ଟିକ ପାର୍ଟିର ସଙ୍ଗଠକ ହୋଇଥିଲେ । ଆମେ ଜାଣିବାରେ ଜରୁରୀକାଳୀନ ପରିସ୍ଥିତି ସମୟରେ ୭ ମାସ କାରାବରଣ ବ୍ୟତୀତ ବିଭିନ୍ନ ଗଣ ଆନ୍ଦୋଳନରେ ସେ ଶତାଧିକ ଥର କାରାବରଣ କରିଥିଲେ । ରାଜନୈତିକ ଜୀବନରେ ସେ ରାଜ୍ୟର ଲୋକଦଳ ର ସଭାପତି , ପରବର୍ତ୍ତୀ ସମୟରେ ୧୯୮୯ ମସିହାରେ ନବ ଗଠିତ ( ଜନତା ପାର୍ଟି + ଲୋକଦଳ+ ଜନମୋର୍ଚ୍ଚା) ଜନତାଦଳର ଉପ ସଭାପତି ହୋଇଥିଲେ । ତାଙ୍କର ଅଗୋଚରରେ ସେ ହୋଇଥିଲେ ୧୯୯୦ ରେ କିଶନନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତାଦଳର ପ୍ରାର୍ଥୀ । ଏହି ପ୍ରାର୍ଥୀତ୍ବ ପୃଷ୍ଠଭୂମିରେ ରହିଛି ଏକ ଅନାଲୋଚିତ ଇତିହାସ । ଆମେ ଯେତେବେଳେ ପାନ ପାଇଁ ଓଡିଶା ନିବାସ ଛକ ଓଡ଼ିଆ ଦୋକାନରେ ଠିଆ ହୋଇଥିଲୁ , ସେତେବେଳେ ସେ ହଠାତ୍ ଆସି ପହଞ୍ଚିଲେ, ସେତେବେଳେ ଆମେ ତାଙ୍କୁ କହିଲୁ ଯେ ଆପଣ କିଶନନଗରରୁ ପ୍ରାର୍ଥୀ ହେଉଛନ୍ତି , ସେତେବେଳେ ସେ ଆମ ପିଠିକୁ ସ୍ନେହରେ ଗୋଟିଏ ବିଧା ମାରି କରିଥିଲେ , ତୁ କ’ଣ ସକାଳୁ ସକାଳୁ ଥଟ୍ଟା କରୁଛୁ ? ଏଇମିତିଆ କ’ଣ ଥଟ୍ଟା ମଜା କରାଯାଏ । ସେତେବେଳେ ସେ ଓଡ଼ିଶା ଜନତା ଦଳର ସଂସଦୀୟ କମିଟି ( ପାର୍ଲିଆମେଣ୍ଟାରୀ ବୋର୍ଡର) ର ସମସ୍ତ ନଥିପତ୍ର ଦାୟିତ୍ଵରେ ଥିଲେ । ଆମେ ତାଙ୍କୁ କହିଲୁ , ଚିତ୍ତ ଭାଇ ( ଚିତ୍ତରଞ୍ଜନ ମହାନ୍ତି) ଙ୍କ ଟିକେଟ କାଟିବାକୁ ଓ କେନ୍ଦ୍ରୀୟ ସଂସଦୀୟ କମିଟି ସଦସ୍ୟ ( ଦେବୀ ଲାଲ୍ ଙ୍କ ଅଧ୍ୟକ୍ଷତାରେ ଗଠିତ ସେଣ୍ଟ୍ରାଲ ପାର୍ଲିଆମେଣ୍ଟାରୀ ବୋର୍ଡ) ଅଜିତ ସିଂହ ଙ୍କ ସମର୍ଥନ ପାଇବା ପାଇଁ ବିଜୁ ବାବୁ ଯେଉଁ ଯୋଜନା କରିଛନ୍ତି , ସେହି ଆଧାରରେ ଆପଣ ପ୍ରାର୍ଥୀ ହେବେ । ସେ କହିଲେ ତୁ ତ ପାନୁଆ, ଗଞ୍ଜେଇ ଅଭ୍ୟାସ କେବେଠୁ କଲାଣୁ ? ସକାଳୁ ସକାଳୁ କୋଉ ଗଞ୍ଜେଇ ଖଟି ରୁ ଆସିଲୁ ? ହସିଦେଇ ବିଜୁ ବାବୁ ଙ୍କ ଡାକରା ପାଇ ଓଡ଼ିଶା ଭବନକୁ ପଳେଇଲେ । ଏହା ପରେ ଅଛି ଅନେକ ଅନାଲୋଚିତ ଇତିହାସ । ସେ ପ୍ରାର୍ଥୀ ହେଲେ ଓ ବିଜୟ ଲାଭ କଲେ, ପ୍ରଥମ ଥର ପାଇଁ ସେ ବିଧାନ ସଭା ଭିତରେ ପ୍ରବେଶ କଲେ , ସେ ଦିନ ଥିଲା ମାର୍ଚ୍ଚ ୯ ତାରିଖ, ୧୯୯୦, ଦଶମ ଓଡ଼ିଶା ବିଧାନ ସଭାର ମାନ୍ୟବର ବାଚସ୍ପତି ଭାବେ ଶପଥଗ୍ରହଣ କରିଥିଲେ , ୨୨ ମାର୍ଚ୍ଚ ,୧୯୯୫ ପର୍ଯ୍ୟନ୍ତ ସେ ଦୀର୍ଘ ପାଞ୍ଚ ବର୍ଷ ର କାର୍ଯ୍ୟକାଳ ରେ ଯେଭଳି ଭୂମିକା ନିର୍ବାହ କରିଥିଲେ, ତାହା ପୁଣି ବିଜୁ ବାବୁଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଭିତରେ, ତାହା ପରବର୍ତ୍ତୀ ସମୟରେ ବିଧାନ ସଭାର କାର୍ଯ୍ୟକ୍ରମ ର ଆହରଣୀୟ ଦର୍ଶନ । ୧୯୯୫ ରେ ସେ ପୁନଃ କିଶନ ନଗର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ତାଙ୍କର ସଚ୍ଚୋଟ ପଣିଆ ବା ନିର୍ମଳ ଭାବମୂର୍ତ୍ତି ଯେପରି ଅତୁଳନୀୟ, ଠିକ୍ ସେହିପରି ତାଙ୍କର ଓଡ଼ିଆ ଭାଷା ପ୍ରାଣ ବି ଅତୁଳନୀୟ । ଚିର କୁମାର ଯୁଝିଆନାଙ୍କ ସେହି କଲମ , ଯାହା ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀଙ୍କ ଭିନ୍ନ ଏକ ବିବାହ ସମାବେଶରେ ଅଧ୍ୟକ୍ଷତା କରୁଥିବା ସମୟରେ ତାଙ୍କ ପକେଟ୍ ରୁ ଥଟ୍ଟା ମଜା ରେ ଟାଣି ଆଣିଥିଲୁ , ସେହି କଲମ ଟି ପ୍ରତି ମୁହୂର୍ତ୍ତରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି କୁ ଉଜ୍ଜୀବିତ କରୁଛି । ବିଶ୍ବ ଓଡ଼ିଆ ସମ୍ମିଳନୀ ଦର୍ଶନ ପ୍ରଦାତା ଯୁଝିଆନା ଆମ ପାଇଁ ଚିର ସ୍ମରଣୀୟ, ବନ୍ଦନୀୟ । ସେହିପରି ଅନ୍ୟତମ ମହାନ୍ ଓଡିଆ ନରସିଂହ ପ୍ରସାଦ ନନ୍ଦ, ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଗ୍ରାମ ରେ ୧୯୨୭ ମସିହା, ସେପ୍ଟେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଭାରତ ଛାଡ଼ ଆନ୍ଦୋଳନରେ ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ନେତା ଭାବେ ଯୋଗଦେଇଥିଲେ ଏବଂ ଗଡ଼ଜାତ ଆନ୍ଦୋଳନରେ ନେତୃତ୍ବ ନେଇଥିଲେ । ରାଜ୍ୟର ଜଣେ ଜନାଦୃତ ଅଧିବକ୍ତା ଭାବେ ପରିଚିତ ବରେଣ୍ୟ ନନ୍ଦ ୧୯୭୭ ମସିହାରେ କଙ୍ଗ୍ରେସ ଦଳ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ନିଜର ପ୍ରତିଭାର ପରିଚୟ ଦେଇଥିଲେ ।
କ୍ରମଶଃ