ଶହୀଦ ଭଗତ ସିଂହଙ୍କର ୧୧୯ ତମ ଜୟନ୍ତୀ

September 28, 2025 · By R P 1 min read
ଶହୀଦ ଭଗତ ସିଂହଙ୍କର ୧୧୯ ତମ ଜୟନ୍ତୀ

ଆଜି ଶହୀଦ ଭଗତ ସିଂହଙ୍କର ୧୧୯ ତମ ଜୟନ୍ତୀ ଅବସରରେ ତାଙ୍କର ବୈପ୍ଳବିକ ସ୍ମୃତି ପ୍ରତି କୋଟି କୋଟି ଲୋହିତ ପ୍ରଣାମ । ୧୯୦୭ ମସିହା, ସେପ୍ଟେମ୍ବର ୨୮ ତାରିଖ ( କେତେକ କୁହନ୍ତି ଅକ୍ଟୋବର,୧୯,୧୯୦୭)ରେ ପିତା କିଷନ ସିଂହ ଏବଂ ମାତା ବିଦ୍ୟାବତୀଙ୍କର ଔରସରୁ ସେମାନଙ୍କ ଦ୍ୱିତୀୟ ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ ଏହି ବିପ୍ଲବୀ ବୀର । ତାଙ୍କର ଜନ୍ମ ବେଳେ ତାଙ୍କର ବାପା ରାଜନୈତକ କାରଣରୁ କାରାଗାରରେ ଥିଲେ । ଯେବେ ଭଗତ ସିଂହଙ୍କୁ ୧୩ ବର୍ଷ ହେଲା ସେ ତାଙ୍କର ପରିବାରର ସ୍ୱାଧୀନତା ସଂଗ୍ରାମରେ ସମ୍ପୃକ୍ତି ସମ୍ପର୍କରେ ଭଲଭାବରେ ଜ୍ଞାତ ହୋଇସାରିଥିଲେ ।

୧୯୧୯ ମସିହାରେ ତାଙ୍କୁ ଯେବେ ୧୨ ବର୍ଷ ବୟସ ହୋଇଥିଲା , ସେତେବେଳେ ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡର କିଛି ଘଣ୍ଟା ପରେ ସେହି ଭୟଙ୍କର, ଲୋମହର୍ଷଣକାରୀ ଘଟଣା ସ୍ଥଳକୁ ଦେଖିବାକୁ ଯାଇଥିଲେ । ତାଙ୍କର ପିତା ସଂଗ୍ରାମୀ କିଷନଜୀ, ମହାତ୍ମା ଗାନ୍ଧୀଙ୍କର ସମର୍ଥକ ଥିଲେ । ଯେବେ ଗାନ୍ଧିଜୀ ସରକାରଙ୍କର ସଂସ୍ଥାଗୁଡ଼ିକୁ ଛାଡିବା ନିମିତ୍ତ ଡାକରା ଦେଇଥିଲେ ସେବେ ଭଗତ ସିଂହ ତାଙ୍କର ବିଦ୍ୟାଳୟ, ନ୍ୟାସନାଲ କଲେଜ ଅଫ ଲାହୋର (ଯେଉଁଠାରେ ସେ ଇଉରୋପରେ ହୋଇଥିବା ସଂଗ୍ରାମ ବିଷୟରେ ପଢୁଥିଲେ) ପରିତ୍ୟାଗ କରିଦେଇଥିଲେ ।

ସମୟାନୁକ୍ରମେ ସେ ଗାନ୍ଧୀଜୀଙ୍କର ଅହିଂସା ନୀତିରୁ ଓହରିଯାଇ ହିଂସା ଏବଂ ବନ୍ଧୁକ ମୁନରେ ହିଁ କେବଳ ରାଜନୈତିକ ସ୍ୱାଧୀନତା ମିଳିବ ବୋଲି ବିଶ୍ୱାସ ରଖିଥିଲେ , ସେତିକିବେଳେ , ଯେତେବେଳେ ଲାଲା ଲଜପତ ରାୟଙ୍କ ମୃତ୍ୟୁ ଏବଂ ସନ୍ଦର୍ଶଙ୍କୁ ହତ୍ୟା କରାଯାଇଥିଲା । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ୧୯୨୮ ମସିହାରେ ବ୍ରିଟିଶ ସରକାର ଭାରତରେ ହେଉଥିବା ରାଜନୈତିକ ବାତାବରଣର ଯାଞ୍ଚ ପରଖ କରିବା ନିମିତ୍ତ ସାଇମନ କମିଶନ ନାମକ ଏକ ଆୟୁକ୍ତ ଗଠନ କରି ଭାରତକୁ ପଠାଇଥିଲେ । କେତେକ ରାଜନୈତିକ ଦଳଗୁଡିକ ଏହି କମିଶନରେ କେହି ଭାରତୀୟ ନଥିବାରୁ ଏହାର ବହିଷ୍କାର କରିଥିଲେ । ଦେଶସାରା ଏହି କମିଶନର ପରିଭ୍ରମଣ ନିମିତ୍ତ ତୀବ୍ର ବିରୋଧ ଏବଂ ଆନ୍ଦୋଳନ କରାଯାଇଥିଲା ।

୩୦ ଅକ୍ଟୋବର ୧୯୨୮ରେ ଯେବେ ଏହି କମିଶନ ଲାହୋର ପରିଭ୍ରମଣରେ ଆସିଥିଲେ ଲାଲା ଲଜପତ ରାୟ ଏହା ବିରୁଦ୍ଧରେ ଏକ ଆନ୍ଦୋଳନ କରିଥିଲେ । ପୋଲିସ ଆନ୍ଦୋଳନକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ ଯାହାକି ପରେ ବଢିଯାଇ ହିଂସାର ରୂପ ଧାରଣ କରିଥିଲା । ଉପସ୍ଥିତ ବ୍ରିଟିଶ ଆରକ୍ଷୀ ଅଧିକ୍ଷକ (ପୋଲିସ ସୁପରିଟେଣ୍ଡେଣ୍ଟ )ଜେମ୍ସ ଏ. ସ୍କଟ ଲାଠି ଚାଳନାର ଆଦେଶ ଦେଇଥିଲେ, ଏବଂ ନିଜେ ଲାଲାଜୀଙ୍କୁ ଲାଠିରେ ମାରି ଗୁରୁତର ଆହତ କରିଦେଇଥିଲେ । ୧୭ ନଭେମ୍ବର ୧୯୨୮ରେ ଲାଲାଜୀ ଚିକିତ୍ସା ହେଉଥିବା ସମୟରେ କୁହାଗଲା ଯେ ସେ ହୃଦଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ ।

ମାତ୍ର ତାଙ୍କର ଚିକିତ୍ସା କରୁଥିବା ଡାକ୍ତରମାନେ କହିଲେକି ଆଘାତ ଯୋଗୁଁ ତାଙ୍କର ଶରୀରର ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଥିଲା । ପରେ ଯେବେ ବ୍ରିଟିଶ ପାର୍ଲିଆମେଣ୍ଟରେ ଏହି ପ୍ରସଙ୍ଗଟିର ଆଲୋଚନା ପଡ଼ିଲା, ଏଥିରେ ବ୍ରିଟିଶ ସରକାରର କିଛି ହାତ ନାହିଁ କହି ଏହି ପ୍ରସଙ୍ଗଟି ଏଡ଼ାଇ ଦିଆଗଲା । ଭଗତ ସିଂହ ଲାଲାଜୀଙ୍କ ନେତୃତ୍ବ ରେ ଗଠିତ ସଙ୍ଗଠନ” ହିନ୍ଦୁସ୍ଥାନ ରିପବ୍ଲିକାନ ଆସୋସିଏସନ”ର ଜଣେ ପ୍ରମୁଖ ସଦସ୍ୟ ଥିଲେ ଏବଂ ବିଶ୍ୱାସ କରାଯାଏକି ଏହାର ନାମ ପରିବର୍ତ୍ତନରେ (ହିନ୍ଦୁସ୍ଥାନ ରିପବ୍ଲିକାନ ଆସୋସିଏସନର ନାମ ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ହୋଇଥିଲା) ।

ଏହି ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ଲାଲାଜୀଙ୍କର ବଳିଦାନର ପ୍ରତିଶୋଧ ନେବାକୁ ପ୍ରତିଜ୍ଞା ନେଲା । ଭଗତ ସିଂହ ଶିଭରାମ ରାଜଗୁରୁ, ଶୁଖଦେବ ଠାପର ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ସହ ମିଶି ଜେମ୍ସ ଏ. ସ୍କଟଙ୍କୁ ମାରିବାର ଯୋଜନା ପ୍ରସ୍ତୁତ କଲେ । କିନ୍ତୁ ଭୁଲବଶତଃ ସ୍କଟଙ୍କ ସ୍ଥାନରେ ଜନ ପି. ସନ୍ଦର୍ଶ ନାମକ ଏକ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଅଫ ପୋଲିସଙ୍କୁ ମାରିଦେଲେ । ଏହି ହତ୍ୟା ପରେ ସମାଜର ବିଭିନ୍ନ ବର୍ଗରୁ ନିନ୍ଦା ହେଲା । ମହାତ୍ମା ଗାନ୍ଧୀ ଏହାର ତୀବ୍ର ନିନ୍ଦା କରିଥିଲେ ।ସନ୍ଦର୍ଶଙ୍କୁ ହତ୍ୟା କରିବା ପରେ ଦଳଟି ଡି.ଏ.ଭି. କଲେଜର ଗେଟ ଦେଇ ବାହାରକୁ ଖସିଗଲେ ।

ଚରଣ ସିଂହ, ଯିଏ ସେମାନଙ୍କର ପିଛା କରୁଥିଲେ, ଚନ୍ଦ୍ରଶେଖର ଆଜାଦଙ୍କର ଗୁଳିରେ ଗୁରୁତର ଆହତ ହୋଇଥିଲେ । ପୋଲିସ ସେମାନଙ୍କୁ ଧରିବା ନିମିତ୍ତ ଏକ ସଶସ୍ତ୍ର ସୈନ୍ୟ ଦଳ ଗଠନ କରିଥିଲା । ଶୁଖଦେବ, ଭଗବତୀ ଚରଣ ଭୋରାଙ୍କର (ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ସଦସ୍ୟ ) ପତ୍ନୀ ଦୁର୍ଗାବତୀ ଦେବୀଙ୍କର ସାହାଯ୍ୟ ଲୋଡ଼ିଲେ । ସେମାନେ ପରଦିନ ଭୋରୁ ଭୋରୁ ଲାହୋରରୁ ବଥିଣ୍ଡା ଦେଇ ହାଓଡ଼ା ଯାଉଥିବା ଟ୍ରେନରେ ପଳେଇବାକୁ ନିଷ୍ପତି ନେଲେ ।ଭଗତ ସିଂହ ଏବଂ ରାଜଗୁରୁ ଉଭୟେ ଗୁଳିଭର୍ତ୍ତି ରିଭଲଭର ଧରି ପରଦିନ ସକାଳୁ ବାହାରିପଡିଲେ ।

ସିଂହ ତାଙ୍କର ଶିଖ ବାଳ ଏବଂ ଦାଢ଼ି କାଟି, ଏକ କଣୁଆ ହ୍ୟାଟ ସହ ପାଶ୍ଚାତ୍ୟ ବେଶଭୂଷାରେ ଥିଲେ, ସାଥିରେ ଦୁର୍ଗାବତୀ ଦେବୀ ତାଙ୍କର ଶୋଇଥିବା ଶିଶୁକୁ ଧରିଥିଲେ । ଉଭୟେ ନବ ବିବାହିତା ଦମ୍ପତି ଭଳି ଥିଲେ, ରାଜଗୁରୁ ତାଙ୍କର ଚାକର ଭଳି ବେଶରେ ସେମାନଙ୍କର ଜିନିଷପତ୍ର ବୋହିଥିଲେ । ସେମାନେ କାନପୁର ଯିବାକୁ ଥିବା ରେଳଗାଡ଼ିରେ ଚଢ଼ିଥିଲେ । କାନପୁରରେ ଓହ୍ଲାଇ ସେମାନେ ଲକ୍ଷ୍ନୋ ଯିବା ନିମିତ୍ତ ରେଳରେ ଯାଇଥିଲେ । କାରଣ ସି ଆଇ ଡି ହାଓଡ଼ାରେ ଲାହୋରରୁ ସିଧା ସେଠାକୁ ଯାଉଥିବା ରେଳଗାଡିରେ ଥିବା ଯାତ୍ରୀମାନଙ୍କର ଯାଞ୍ଚ ପରଖ କରୁଥାନ୍ତି ।

ଲକ୍ଷ୍ନୋରେ ରାଜଗୁରୁ ଅଲଗା ବାରଣାସୀ ଚାଲିଗଲେ, ଅନ୍ୟପକ୍ଷରେ ଏହି ନବ ଦମ୍ପତି ବେଶଭୁଷାଳି ଏବଂ ତାଙ୍କର ସନ୍ତାନ ହାଓଡ଼ା ଗଲେ । ସିଂହଙ୍କ ଛଡ଼ା ବାକି ସମସ୍ତେ କିଛି ଦିନପରେ ପୁଣି ଲାହୋର ଫେରିଗଲେ ।ଭଗତ ସିଂହଙ୍କର ଆଦର୍ଶ ଥିଲେ କର୍ତ୍ତାର ସିଂହ ସରାଭା, ଯିଏକି ଗର୍ଦାର ପାର୍ଟିର ପ୍ରତିଷ୍ଠାତା ଥିଲେ । ସେ ବିପ୍ଳବବାଦ ଏବଂ ସାମ୍ୟବାଦ ଆଡ଼କୁ ଆକୃଷ୍ଟ ଥିଲେ । ସେ ବହୁମାତ୍ରାରେ ପୁସ୍ତକ ପଢୁଥିଲେ । ସେ ହିନ୍ଦୁ-ମୁସଲମାନ ଭେଦଭାବ ଦେଖି ଧର୍ମ ଉପରେ ଆଙ୍ଗୁଠି ଉଠାଇଥିଲେ । ପରେ ସେ ନାସ୍ତିବାଦ ଉପରେ ବିଶ୍ୱାସ କରୁଥିଲେ । ସେ ବିଶ୍ୱାସ ରଖୁଥିଲେ କି ଗୋଟିଏ ମନୁଷ୍ୟ ବା ଲକ୍ଷ୍ୟ ଲକ୍ଷ୍ୟ ମନୁଷ୍ୟଙ୍କୁ ମାରିଦେବା ସହଜ କିନ୍ତୁ ଏକ ଚିନ୍ତାଧାରା ବା ବିଚାରକୁ ମାରିବା ଅସମ୍ଭବ ।

Read Next