ମହାଷ୍ଟମୀର ମହତ୍ତ୍ଵ ଓ ମହକ

October 1, 2025 · By R P 1 min read
ମହାଷ୍ଟମୀର ମହତ୍ତ୍ଵ ଓ ମହକ



ନବରାତ୍ରୀ ଦୂର୍ଗାପୂଜା ଉତ୍ସବର ଅଷ୍ଟମୀ ଦିନଟି ଦୂର୍ଗାଷ୍ଟମୀ ବା ମହାଷ୍ଟମୀ ଭାବେ କେଉଁ ଅନାଦି ଅନନ୍ତ କାଳରୁ  ଆମେ ଓଡିଆମାନେ ପାଳନ କରି ଆସୁଛନ୍ତି । ଏହାକୁ ମହାଷ୍ଟମୀ ଭାବେ ସମ୍ବୋଧିତ କରିବାର ବହୁବିଧ କାରଣ  ମଧ୍ୟ ଆମ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଦେବୀଙ୍କର ଅସ୍ତ୍ର ସବୁ ଏହି ଦିନ ପୂଜା କରାଯାଉଥିବାରୁ ଏହି ଦିବସକୁ ‘ଅସ୍ତ୍ର ପୂଜା’ ଦିବସ ମଧ୍ୟ କୁହାଯାଏ । ଅନେକ ସ୍ଥାନରେ ଅସ୍ତ୍ର ବ୍ୟବହାର କରି ସାମରିକ କଳା କୌଶଳ ପ୍ରଦର୍ଶନ କରୁଥିବାରୁ ଏହି ଦିବସକୁ ବୀର ଅଷ୍ଟମୀ ମଧ୍ୟ କୁହାଯାଏ ।

କେବଳ ଓଡିଆ ନୁହନ୍ତି, ସାମଗ୍ରିକ ଭାବେ ଏହି ପବିତ୍ର ତିଥିଟି ହିନ୍ଦୁମାନଙ୍କର ଏକ ପବିତ୍ର ଦିବସ । ହିନ୍ଦୁମାନଙ୍କର ଦିନ ପଞ୍ଜିକା ବା କ୍ୟାଲେଣ୍ଡର ଅନୁସାରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ଅଷ୍ଟମୀ ତିଥିରେ ଏହି ଦିବସ ପାଳନ କରାଯାଇ ଆସୁଛି । କେତେକ ସ୍ଥାନରେ ବିଶ୍ୱାସ କରାଯାଏ ଯେ ମା’ ଦୂର୍ଗାଙ୍କର କପାଳରୁ ଦେବୀ ଚାମୁଣ୍ଡା ଏହି ଦିବସରେ ଜାତ ହୋଇ ମହିଷାସୁରର  ତିନି ସାଥି ଚଣ୍ଡ, ମୁଣ୍ଡ ଓ ରକ୍ତବୀଜ ଅସୁରଙ୍କୁ ମାରିଥିଲେ ।

ଚଉଷଠି ଯୋଗିନୀ ଓ ଅଷ୍ଟ ଶକ୍ତି ବା ଅଷ୍ଟ ମାତୃକା (ଦେବୀ ଦୁର୍ଗାଙ୍କର ଭୟାନକ ରୂପ) ପୂଜା ମଧ୍ୟ ଏହି ଦିନ କରାଯାଏ । ଭାରତର ବିଭିନ୍ନ ସ୍ଥାନରେ ଅଷ୍ଟଶକ୍ତିଙ୍କର ବିଭିନ୍ନ ପ୍ରକାରର ବର୍ଣ୍ଣନା କରାଯାଏ ସତ୍ୟ କିନ୍ତୁ, ସମସ୍ତ ଦେବୀ ଶକ୍ତିଙ୍କର ଅବତାର ରୂପେ ମାନ୍ୟତା ପାଇ ଆସୁଛନ୍ତି। ପୂଜା ପାଉଥିବା ଏହି ଅଷ୍ଟ ଶକ୍ତିଙ୍କର ନାମ ୟଥାକ୍ରମେ ବ୍ରାହ୍ମଣୀ, ମାହେଶ୍ୱରୀ, କୌମାରୀ, ବୈଷ୍ଣବୀ, ବରାହୀ, ନରସିଂହୀ, ଇନ୍ଦ୍ରାଣୀ ଓ ଚାମୁଣ୍ଡା । ଉତ୍ତର ଭାରତରେ ଏହି ପବିତ୍ର ତିଥିରେ କୁମାରୀମାନଙ୍କୁ ଘରକୁ ଡାକି ସମ୍ମାନ ଦେବା ପରମ୍ପରା ଆରମ୍ଭ ହୋଇଥିଲା ଏକ ଦୂର୍ଗାଷ୍ଟମୀ ଦିନ ।

ପାଞ୍ଚ ରୁ ସାତ ଜଣ କୁଆଁରୀ ଝିଅଙ୍କୁ ଘରକୁ ଡାକି ସମ୍ମାନ ଦିଆଯାଏ । ଏହାର ତାତ୍ପର୍ଯ୍ୟ ହେଲା, କନ୍ୟାମାନଙ୍କୁ ପୃଥିବୀରେ ମା’ ଦୂର୍ଗାଙ୍କର ଶକ୍ତି ବୋଲି ମନେ କରାଯାଏ । ସେହି ଝିଅମାନେ ଆସିଲେ ଘର ଭିତରକୁ ଆସିବା ପୂର୍ବରୁ ତାଙ୍କର ପାଦ ଧୋଇଦେଇ ଘରକୁ ସ୍ୱାଗତ କରାଯାଏ ଓ ତା’ପରେ ତାଙ୍କର ଆଳତି ଓ ପୂଜା କରାଯାଏ । ଏହା ପରେ ତାଙ୍କୁ ଖାଦ୍ୟ ଓ ମିଠା ଓ ଉପହାର ଦେଇ ଆପ୍ୟାୟିତ କରାଯାଇଥାଏ । କେଉଁ ଆବହମାନ କାଳରୁ ଜନ ବିଶ୍ବାସ ରହିଆସିଛି ଯେ ଦୂର୍ଗାପୂଜା ହେଉଛି  ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ ।

ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧା ଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ , ଜର୍ଜରିତ , ନିର୍ଯ୍ୟାତିତ , ଲଜ୍ଜିତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନ ହୋଇଥିଲେ,ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ ଏବଂ ଦେବୀ ଦୁର୍ଗା ପ୍ରକଟିତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଅସ୍ତ୍ରଶସ୍ତ୍ର ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ ।

ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ପ୍ରଭୁ ଲୋକାଭିରାମ ଅଭିରାମ ଶ୍ରୀରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ୱିନରେ ଏହି ପୂଜା କରିଥିଲେ, ସେବେଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ୱିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ ।

ନବମୀର ପରବର୍ତ୍ତୀ ଦିନ ବିଜୟ ଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ,ଏହା ଦେବତାମାନଙ୍କ ଦ୍ୱାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଇଥାଏ ।  କୁହାଯାଇଛି  ଯେ ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ । ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁ ମାଆ ବସୁନ୍ଧରା ଙ୍କ ପ୍ରଦତ୍ତ  ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ, ସେହି ଧରିତ୍ରୀ ରାଣୀର ବୟଃପ୍ରାପ୍ତିରେ ଉତ୍‌ଫୁଲ୍ଲ ହୋଇ ଜନ-ମାନସ ବାସନ୍ତୀ ଦୁର୍ଗାଙ୍କ ପୂଜାର ଆୟୋଜନ କରେ, ମାତ୍ର ଏକ ସାର୍ବଜନୀନ ପୂଜା ରୂପେ ଶାରଦୀୟ ଦେବୀପୂଜା ହିଁ ଅଧିକ ଲୋକପ୍ରିୟତା ଅର୍ଜନ କରିଆସିଛି ।

ଏହି ଶାରଦୀୟ ପର୍ବ କେବଳ ଓଡ଼ିଶା ରେ ନୁହେଁ, ସମଗ୍ର ଭାରତର ପୁରପଲ୍ଲୀରେ ଦଶହରା ପର୍ବ ରୂପେ ପାଳନ କରାଯାଇ ଆସୁଛି । ଏହି ପର୍ବର ମୂଳ ଲକ୍ଷ୍ୟ ହେଉଛି ଦେବୀ ଉପାସନା । ଦୁର୍ଗାପୂଜା ପରି ଦଶହରା ପର୍ବ ମଧ୍ୟ ବର୍ଷକରେ ଦୁଇଥର ପାଳନ କରାଯାଏ । ଜ୍ୟେଷ୍ଠମାସ ଶୁକ୍ଳଦଶମୀ ହେଉଛି ଗଙ୍ଗାମାତାଙ୍କର ଜନ୍ମଦିବସ I ଏହିଦିନ ଗଙ୍ଗାପୂଜା କରି ଗଙ୍ଗାନଦୀରେ ସ୍ନାନ କଲେ ତ୍ରିବିଧ ପାପ ଖଣ୍ଡନ ହୁଏ ବୋଲି ଏହି ତିଥିକୁ ‘ଦଶହରା’ ବା ‘ଦଶବିଧ’ ପାପହରଣ ଦିବସ କୁହାଯାଏ ।

ଏହି ତିଥିଟି ଲୋକମୁଖରେ ‘ଗଙ୍ଗା ଦଶହରା’ ନାମରେ ପରିଚିତ I ଅନ୍ୟ ଦଶହରା ପର୍ବଟି ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳିତ ହୁଏ I ଏହି ଦୁର୍ଗାପୂଜାର ଶେଷ ଦିବସ । ଏହି ଦଶହରା ପର୍ବ ଭାରତରେ ସର୍ବଜନବିଦିତ ପର୍ବ । ତେଣୁ ‘ଦଶହରା’ କହିଲେ ସମସ୍ତେ ଆଶ୍ୱିନ ଶୁକ୍ଳ ଦଶମୀକୁ ହିଁ ବୁଝନ୍ତି । ଏହି ଦଶହରା ଦିବସରେ ରାମଚନ୍ଦ୍ର ମାତୃଶକ୍ତି ବନଦୁର୍ଗାଙ୍କୁ ସ୍ତୁତି କରି ରାବଣର ନିଧନ ଉଦ୍ଦେଶ୍ୟରେ ଲଙ୍କା ଅଭିମୁଖେ ବିଜୟଯାତ୍ରା କରିଥିବାରୁ ଏହି ତିଥିକୁ ‘ବିଜୟା ଦଶମୀ’ କୁହାଯାଏ । ପୁଣି ଏହି ଦିବସର ଅବ୍ୟବହିତ ପୂର୍ବରୁ ସିଂହବାହିନୀ ଆଦ୍ୟା ଶକ୍ତି ଦୁର୍ଗା ଦୁର୍ଦ୍ଦମନୀୟ ମହିଷାସୁରକୁ ବଧ କରି ଦେବତାମାନଙ୍କର ମଙ୍ଗଳ ବିଧାନ କରିଥିଲେ । ଦେବୀଙ୍କ ସହ ଦାନବମାନଙ୍କର ଯୁଦ୍ଧ କନ୍ୟାମାସ ବା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ଧରି ଚାଲିଥିଲା । ଶୁକ୍ଳ ଅଷ୍ଟମୀ ଓ ନବମୀ ତିଥିରେ ମହାମାରୁ ହୋଇଥିଲା ।

ମହିଷାସୁର ସମେତ ସମସ୍ତ ଅସୁର ବଂଶ ନିପାତ ହେଲେ । ମହାମାରୁ ନବମୀ ରାତିର ଅନ୍ଧକାର ସହ ତ୍ରୈଲୋକ୍ୟରୁ ଅମଙ୍ଗଳର ଛାୟା ଅପସରି ଗଲା, ଶୁକ୍ଳ ଦଶମୀରେ ସବୁପ୍ରକାର ଶୁଭକାର୍ଯ୍ୟର ଆରମ୍ଭ ହେଲା । ଏହିଦିନ ଜଗତର ଦୁଃଖ ହରଣ ହୋଇଥିବାରୁ ଏହା ‘ଦୁଃଖହା ଦଶମୀ’ ନାମରେ ଖ୍ୟାତି ଲାଭ କରିଅଛି ବୋଲି ଆଦିକବି ଶୂଦ୍ରମୁନି ସାରଳା ଦାସ ‘ଚଣ୍ଡୀପୁରାଣ’ରେ ଲେଖିଛନ୍ତି । ‘ଦୁଃଖହା ଦଶମୀ’ ଦିନ ମହାଦଶାରୁ ଉଦ୍ଧାର ପାଇ ଦେବତାମାନେ ମହାଶକ୍ତି ବ୍ରହ୍ମମୟୀ ଦୁର୍ଗତିନାଶିନୀ ଦୁର୍ଗାଙ୍କୁ ସ୍ତୁତି କରିଥିବାରୁ ଏହି ତିଥିରେ ଦୁର୍ଗାଙ୍କର ଆରାଧନା କରାଯାଏ ।ସ’ଦେବୀ ମାହାତ୍ମ୍ୟ’ ରେ ବର୍ଣ୍ଣିତ ଯେ ‘ଚଣ୍ଡୀ’ ଶୁଣି ରାଜ୍ୟଭ୍ରଷ୍ଟ ରାଜା ସୁରଥଙ୍କର ମୋହ ତୁଟିଯିବା ପରେ ସେ ଦୁର୍ଗାପୂଜାର ପରମ୍ପରା ସୃଷ୍ଟି କରିଥିଲେ । ଦେବୀସପୀଠଗୁଡ଼ିକରେ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ବ୍ୟାପୀ ପୂଜା ଅନୁଷ୍ଠିତ ହୁଏ ।

ଏହାକୁ ଷୋଳପୂଜା କୁହାଯାଏ । ଶୁକ୍ଳପକ୍ଷ ସପ୍ତମୀ ଦିନ ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପିତ ହୁଏ । ଅଷ୍ଟମୀଦିନ ମହାଷ୍ଟମୀ ପୂଜା ଓ ବଳିଦାନ କରାଯାଏ । ‘ବଳି’ ଶବ୍ଦର ଅର୍ଥ ହେଉଛି ଉପହାର । ଜଗତଜନନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଉପହାର ଦେବାକୁ ପଡେ । ତେଣୁ ଦେବୀପୂଜାରେ ବଳିଦାନର ବ୍ୟବସ୍ଥା ରହିଛି I ନବମୀ ଦିନ ରକ୍ତମୁଖା ଦେବୀଙ୍କୁ ଶାନ୍ତ କରିବା ପାଇଁ ଶାନ୍ତି ବୋଦା ପଡେ । ଦଶମୀ ଦିନ ମହା ସମାରୋହରେ ମୃଣ୍ମୟୀ ଦେବୀ ପ୍ରତିମା ଓ ଘଟ ବିସର୍ଜନ କରାଯାଏ I ପୁରୀଠାରେ ଦଶହରା ପରଦିନ ଦୁର୍ଗାଙ୍କର କ୍ରୋଧାନ୍ୱିତା ଶକ୍ତି ‘ଗୋସାଣୀ ଯାତ’ ଏବଂ ଏହି ତିଥିକୁ ଗୋସାଣୀ ଏକାଦଶୀ କୁହାଯାଏ I ଶାରଦୀୟ ଦୁର୍ଗାପୂଜାରେ ମହାସ୍ନାନ ବଳି ଏବଂ ହୋମର ବ୍ୟବସ୍ଥା ଥିବାରୁ ଏହାକୁ ‘ମହାପୂଜା’ ମଧ୍ୟ କୁହାଯାଏ ।

ବିବିଧ କାରଣରୁ ଦଶହରା ପର୍ବ ପାଳନ କରାଯାଉଥିବାରୁ ଏହା ଏକ ମହାନ ପାର୍ବଣରେ ପରିଣତ ହୋଇଛି । ଏହି ପର୍ବର ମହତ୍ତ୍ୱ ବିଷୟରେ ଦେବୀ ପୁରାଣରେ କୁହାଯାଇଛି ଯେ ଏହା ଏକ ମହାନ, ପବିତ୍ର ବ୍ରତ ଏବଂ ଏହି ବ୍ରତ ପାଳନ କଲେ ସିଦ୍ଧି ଲାଭ ହୁଏ ଓ ଶତ୍ରୁମାନେ ପରାଜିତ ହୁଅନ୍ତି I କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭର ପୂର୍ବରୁ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ବନଦୁର୍ଗାଙ୍କର ଆରାଧନା କରିବା ପାଇଁ ଉପଦେଶ ଦେଇଥିଲେ । ଇତିହାସ ପ୍ରସିଦ୍ଧ ଛତ୍ରପତି ଶିବାଜୀ ମଧ୍ୟ ମୋଗଲମାନଙ୍କ ସହ ଯୁଦ୍ଧ କରିବା ସମୟରେ ଦୁର୍ଗାଙ୍କର ଉପାସନା କରିଥିଲେ I ଦଶହରା ପର୍ବରେ ଦେବୀଙ୍କ ଶକ୍ତିର ପ୍ରତିଷ୍ଠା ପାଇଁ  ଖଣ୍ଡା ବା ଖଡ୍ଗ ପୂଜା କରାଯାଏ I

ଦଶହରା ଦିନ ଗୁରୁବାର ପଡ଼ିଲେ ଗୃହିଣୀମାନେ ପରିବାରର ମଙ୍ଗଳ ଲାଗି ସୁଦଶାବ୍ରତ ପାଳନ କରି ଗୃହଲକ୍ଷ୍ମୀଙ୍କ ପୂଜା କରନ୍ତି I ଭାଦ୍ରବ ମାସ ଶୁକ୍ଳ ଷଷ୍ଠୀଠାରୁ ଆରମ୍ଭ ହୋଇଥିବା ସୋମନାଥ ବ୍ରତର ଉଦଯାପନ ପର୍ବ ମଧ୍ୟ ଦଶହରା ତିଥିରେ ପାଳିତ ହୁଏ I ପରମ- ଈଶ୍ୱରୀ ଦେବୀ ଦୁର୍ଗା ବିଶ୍ୱର ସକଳ ବସ୍ତୁରେ ପରିବ୍ୟାପ୍ତ I ସେ ମହାବିଦ୍ୟା, ମହାମାୟା ,ମହାଯୋଗେଶ୍ୱରୀ । ତାଙ୍କର ‘କ୍ଷର’ ବା ଶେଷ ନଥିବାରୁ ସେ ‘ଅକ୍ଷରା’ I ‘ଦେବୀ ଭାଗବତ:ର ମତେ, ରାବଣର ନିଧନ ପାଇଁ ବ୍ରହ୍ମାଙ୍କ ପରାମର୍ଶ ମତେ ଶ୍ରୀରାମ ବସନ୍ତ କାଳରେ ଦେବୀପୂଜା କରିବାକୁ ଚାହିଁଲେ। କାରଣ, ଶରତକାଳ ଅକାଳ, ଆଷାଢ଼ ଶୁକ୍ଳ ଏକାଦଶୀ (ହରିଶୟନ ଏକାଦଶୀ)ଠାରୁ ହେମନ୍ତ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଦେବତାମାନେ ନିଦ୍ରା ଯାଆନ୍ତି ।

ବ୍ରହ୍ମାଙ୍କ ନିର୍ଦ୍ଦେଶ ମତେ ଶ୍ରୀରାମଚନ୍ଦ୍ର କନ୍ୟାରାଶିର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଦେବୀଙ୍କ ଅକାଳ ବୋଧନ ନିମନ୍ତେ ପୂଜାର ଆୟୋଜନ କରିଥିଲେ । ଶ୍ରୀରାମ ଧ୍ୟାନ ବଳରେ, ଦେବୀ କୁମାରୀ ରୂପରେ ବେଲଗଛ ଶାଖାରେ ଶାୟିତ ଥିବା ଜାଣିପାରି, ସକାଳେ କଳ୍ପାରମ୍ଭ ଓ ସନ୍ଧ୍ୟାବେଳେ ବିଲ୍ୱବୃକ୍ଷମୂଳେ ଆରମ୍ଭ କଲେ ଦେବୀଙ୍କ୍  ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା ।ଏହାପରେ ସପ୍ତମୀ ତିଥିରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ । ସେତେବେଳେ ମଧ୍ୟ ଦେବୀ ସୁପ୍ତ ଅବସ୍ଥାରେ ଥିବାରୁ ଅଷ୍ଟମୀ ତିଥିରେ ଯୋଗିନୀଗଣଙ୍କୁ ଆହ୍ୱାନ କରି ଦେବୀଙ୍କୁ ପୁଣି ପୂଜା କଲେ । ଆଗତ ଯୋଗିନୀଗଣଙ୍କ କୋଳାହଳରେ ଦେବୀ କେବଳ କଡ଼ ଲେଉଟାଇ ପୁଣି ଶୋଇଲେ । ଏହା ପରେ ଅଷ୍ଟମୀର ଶେଷ ଓ ନବମୀର ଆରମ୍ଭ ବା ସନ୍ଧିକ୍ଷଣ ସମୟରେ ଶ୍ରୀରାମଚନ୍ଦ୍ର କଲେ ସନ୍ଧିପୂଜା ।

ଅଷ୍ଟମୀର ଚବିଶ ମିନଟ ଓ ନବମୀର ଚବିଶ ମିନଟ, ଏହିପରି ମୋଟ ଅଠଚାଳିଶ ମିନଟ ଧରି ଦେବୀ ଚାମୁଣ୍ଡାଙ୍କର ଏହି ବିଶେଷ ସନ୍ଧିପୂଜା କରିଥିଲେ । ଶ୍ରୀରାମ ଚାମୁଣ୍ଡାଙ୍କୁ ଆବାହନ କରି ଦେବୀ ଦୁର୍ଗାଙ୍କୁ ଉଠାଇବା ପାଇଁ ନିବେଦନ କଲେ । ଚାମୁଣ୍ଡାଙ୍କ ସହଯୋଗଫଳରେ ନବମୀ ତିଥିରେ ଦେବୀ ଦୁର୍ଗା ଜାଗ୍ରତ ହେଲେ । ଏତିକିବେଳେ ସେ ଦେବୀଙ୍କୁ କୁମାରୀ ରୂପରେ ଦର୍ଶନ କରି ଯୋଗିନୀମାନଙ୍କ ସହିତ ବିଶେଷ ପୂଜା କରି ଏକା ସାଙ୍ଗେ ଶହେ ଆଠ ନୀଳପଦ୍ମ ଅର୍ପଣ କରିଥିଲେ ।

ସେହି ଦିନଠାରୁ କୁମାରୀ ରୂପୀ ଦେବୀଙ୍କର ପୂଜାର ଆରମ୍ଭ ।  ଅତଏବ ଶରତକାଳୀନ ଦୁର୍ଗା ହେଉ ଅଥବା ବାସନ୍ତି ଦୁର୍ଗାପୂଜା, ଏଥିରେ ମୂର୍ତ୍ତି ସ୍ଥାପନ କରାଯାଇ ଜୀବନ୍ୟାସ କର୍ମ ସହ ପୂଜା ନିୟମ ପ୍ରଣୟନ ହେଉଥିଲେ ମଧ୍ୟ ଘଟ ସ୍ଥାପନ ଜନିତ ପୂଜା ଆବହମାନ କାଳରୁ ପ୍ରଚଳିତ । ବିଭିନ୍ନ ଭାବରେ ମୂର୍ତ୍ତିପୂଜାର ଆଦର ବଢିଥିଲେ ମଧ୍ୟ ମୂଳ ତତ୍ତ୍ୱକୁ ବାଦ ଦେବା ସମ୍ଭବ ହୋଇନାହିଁ । ବାସନ୍ତୀ ଦୁର୍ଗାପୂଜା ବିଶେଷ ଭାବେ ପାଳିତ ହୋଇ ନ ଥାଏ । ଅନ୍ୟପକ୍ଷରେ ଶରତକାଳୀନ ଦୁର୍ଗାପୂଜା ଏବେ ସାର୍ବଜନୀନ ପୂଜାର ସ୍ୱୀକୃତି ପାଇଛି, କିନ୍ତୁ ଉଭୟ ପୂଜା ଏବଂ ତା’ର ବିଧାନ ପ୍ରାୟତଃ ସମାନ ।

ଶରତକାଳୀନ ପୂଜା ଏବଂ ବାସନ୍ତୀପୂଜା ବ୍ୟତୀତ ଓଡ଼ିଶାର ଦକ୍ଷିଣ ଭାଗରେ ଅନ୍ୟ ଦିନରେ ମା’ଙ୍କର ସ୍ୱପ୍ନାଦେଶ ଅଥବା ଆଜ୍ଞାମାଳ ପରିପ୍ରେକ୍ଷୀରେ ବିଧିବ୍ୟବସ୍ଥା ଅନୁଯାୟୀ ମଧ୍ୟ ମା’ଙ୍କର ପୂଜା ଅର୍ଚ୍ଚନା କରାଯାଏ । ଏଠାରେ ମଧ୍ୟ ଘଟ ସ୍ଥାପନ ଏବଂ ଘଟପୂଜା ଦେଖିବାକୁ ମିଳେ I ଏପରିକି ଘଟକୁ ମୁଣ୍ଡରେ ଧରି ପରିକ୍ରମା କରାଯିବାର ବିଧି ରହିଛି । ମୃଣ୍ମୟ ମୂର୍ତ୍ତିପୂଜା ମାତ୍ର ଦୁଇଶହ ବର୍ଷ ଭିତରେ ଦେଖିବାକୁ ମିଳିଲା ବ୍ରିଟିଶ ଶାସକ ମାନଙ୍କ ପାଇଁ , ପ୍ରଥମେ କୋଲକାତା ରେ , କେତେକ ବଙ୍ଗୀୟ ତୈଳ ମର୍ଦ୍ଦନ କଳାକୁଶଳୀ ଜମିଦାର ଙ୍କ ଉଦ୍ୟମ ଫଳରେ  । ହଜାର ହଜାର ବର୍ଷ ଧରି ଆମର ପୀଠ ପୂଜା ଯୋଗୁଁ ଧାତୁ ନିର୍ମିତ ମୂର୍ତ୍ତି ଦେଖିବାକୁ ମିଳୁଥିଲା ବେଳେ ମାତ୍ର ୧୦୦ରୁ ୧୫୦ ବର୍ଷ ମଧ୍ୟରେ ମାଟି ନିର୍ମିତ ମୂର୍ତ୍ତିର ବ୍ୟାପକ ପ୍ରସାର ଘଟିଛି ।

କିନ୍ତୁ ପ୍ରାରମ୍ଭରୁ ପ୍ରଚଳିତ ଘଟପୂଜା ଏବେ ବି ଅନୁଷ୍ଠିତ ହେଉଛି । ଆମର ସଂସ୍କୃତି ଅନୁଯାୟୀ ବିଭିନ୍ନ ପୂଜା ପଞ୍ଚଭୂତ ଉପରେ ଆଧାରିତ । ତାହା ହେଉଛି କ୍ଷିତ୍, ଅପ୍, ତେଜ,ମରୁତ୍ ଏବଂ ବ୍ୟୋମ୍ । ମନୁଷ୍ୟ ପ୍ରଥମେ  କୃତଜ୍ଞତା ଆଧାରରେ ମାଟିକୁ ପୂଜା କଲା । କାରଣ ଏହି ମାଟି ତାକୁ ରହିବା ପାଇଁ ଆଶ୍ରୟ ଦେଲା ଏବଂ ସେହି ମାଟିରୁ ଉତ୍ପାଦିତ ଫଳ ଖାଇ ସେ ବଞ୍ଚିଲା । ସେହିପରି ଜଳ (ଅପ୍)କୁ ଜୀବନ ବୋଲି କହିଲା । ସେ ଜାଣିଥିଲା ଜଳ ବିନା ଜୀବନ ଅସମ୍ଭବ । ତେଣୁ ଭିନ୍ନ ଭିନ୍ନ ଜଳାଶୟ ବା ନଦୀକୂଳରେ ଗଢିଉଠିଲା ଜନବସତି । ପରବର୍ତ୍ତୀ ସମୟରେ କେତେକ ନଦୀ ତୀର୍ଥକ୍ଷେତ୍ର ରୂପେ ପରିଗଣିତ ହେଲେ ।

ତେଜର ମୂର୍ତ୍ତିମନ୍ତ ରୂପ ସୂର୍ଯ୍ୟଙ୍କୁ ଈଶ୍ୱର ଭାବେ ଗ୍ରହଣ କରାଗଲା । ଅବଶ୍ୟ ଅଗ୍ନିକୁ ଗ୍ରହଣ କଲା ଏହାପରେ । ପବନ (ମରୁତ) ଏବଂ ଆକାଶ (ବ୍ୟୋମ)କୁ ମଧ୍ୟ ନିଜର ପୂଜ୍ୟ ଭାବେ ସ୍ୱୀକୃତି ଦିଆଗଲା । ସମୟର ଧାରାରେ ଏହି ପଞ୍ଚଭୂତ ଯାହା ସହ ସମ୍ପର୍କିତ ସେମାନଙ୍କୁ ମଧ୍ୟ ଈଶ୍ୱରୀୟ ସତ୍ତାର ଅଂଶ ବା ଈଶ୍ୱର ଭାବେ ଗ୍ରହଣ କରାଯାଇଛି । ଯେପରି ବୃକ୍ଷକୁ ବୃକ୍ଷଦେବତା ଏବଂ ଶିଳା, ଧାତୁ ପ୍ରଭୃତି ପୂଜନୀୟ ହେଲେ । ଏହି ମହାପଞ୍ଚଭୂତମନଙ୍କ ଧର୍ମଗତ ସ୍ୱଭାବ ହେଲା- ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ । ପୁନଃ ଏଗୁଡ଼ିକ ଆମର ପଞ୍ଚ ଇନ୍ଦ୍ରୀୟ ଅର୍ଥାତ୍ କର୍ଣ୍ଣ, ଚର୍ମ, ଚକ୍ଷୁ, ଜିହ୍ୱା ଓ ନାସା ଦ୍ୱାରା ଗୃହିତ ହୋଇଥାନ୍ତି ।

ବର୍ତ୍ତମାନ ଦେଖିବା ଏହି ଘଟରେ ଆମେ କେଉଁ କେଉଁ ଦେବତାଙ୍କୁ ଆବାହନ କରିଥାଉ । ଅବଶ୍ୟ ଜଳରେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ ଏବଂ କାବେରୀର ପବିତ୍ର ଭାବଧାରାକୁ ସମ୍ମିଶ୍ରଣ କରାଯାଏ । ଗୋଟିଏ ଘଟ ମଧ୍ୟରେ ଅର୍ଥାତ ବିନ୍ଦୁ ମଧ୍ୟରେ ସିନ୍ଧୁର ପରିକଳ୍ପନା ହୋଇଥାଏ । ସେହିପରି ବିଘ୍ନ ବିନାଶକ ଗଣନାୟକ, ଜଳର ଦେବତା ବରୁଣ, ଇନ୍ଦ୍ର ଏବଂ ଦଶଦିଗପାଳ, ସୂର୍ଯ୍ୟଙ୍କ ସହ ନବଗ୍ରହ ଏବଂ ଗ୍ରାମଦେବତୀଙ୍କୁ ଆବାହନ କରି ଘଟରେ ସ୍ଥାପନା କରାଯାଇ ପୂଜା କରାଯାଏ । ଅନ୍ୟ ପକ୍ଷରେ ଘଟ ମୁଖରେ ଶିବ, କଣ୍ଠରେ ବିଷ୍ଣୁ, ତଳ ଭାଗରେ ବ୍ରହ୍ମା, ମଧ୍ୟଭାଗରେ ଅଷ୍ଟାଦଶ ମାତୃଗଣ, କୁକ୍ଷୀରେ ସପ୍ତସାଗର, ସପ୍ତଦ୍ୱୀପ ପୃଥିବୀ ଏବଂ ଉଦରରେ ସମସ୍ତ ତୀର୍ଥକୁ ସ୍ମରଣ କରି ପୂଜା କରାଯାଏ
ଶ୍ରୀରାମଚନ୍ଦ୍ର ରାବଣଙ୍କୁ ବଧ କରିବା ପାଇଁ ଶରତ କାଳରେ ଶ୍ରୀ ଶ୍ରୀ ଦୁର୍ଗାପୂଜା କରିଥିଲେ । ଏହାକୁ ‘ଅକାଳବୋଧନ’ କୁହାଯାଏ । କାରଣ ଶରତକାଳ ସୂର୍ଯ୍ୟ ଦକ୍ଷିଣାୟନ କରନ୍ତି । ଶ୍ରାବଣ ମାସରୁ ପୌଷମାସ ସୂର୍ଯ୍ୟଙ୍କ ଦକ୍ଷିଣାୟନ; ମାଘରୁ ଆଷାଢ଼ ସୂର୍ଯ୍ୟଙ୍କର ଉତ୍ତରାୟନ । ଦକ୍ଷିଣାୟନ ଦେବତାଙ୍କର ରାତ୍ରି । ତେଣୁ ଉତ୍ତରାୟନ ଦେବତାଙ୍କ ଆରାଧନାର ପ୍ରକୃଷ୍ଟ ସମୟ । ରାବଣ, ବ୍ରହ୍ମାଙ୍କ ବରରେ ଅପାରଶକ୍ତିର ଆଧିକାରୀ ହୋଇଥିବାରୁ ତାଙ୍କୁ ବଧ କରିବା ନିମନ୍ତେ ଦେବୀଙ୍କ କୃପା ଆବଶ୍ୟକ । ତେଣୁ ବ୍ରହ୍ମା ଶ୍ରୀରାମଚନ୍ଦ୍ରଙ୍କୁ ଶରତ କାଳରେ ଦେବୀଙ୍କ କଳ୍ପାରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ।

ଶ୍ରୀରାମଚନ୍ଦ୍ର ଦ୍ୱନ୍ଦ୍ୱରେ ପଡ଼ିଲେ , ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ନିର୍ଦ୍ଦେଶ ଓ ଦେବଦେବୀଙ୍କର ଦକ୍ଷିଣାୟନ , ଦେବୀ ଜାଗ୍ରତ ନା ନିଦ୍ରିତ ? ଦେବୀ ଏବେ ଆବିର୍ଭୂତ ହେବେ ତ ? ତେଣୁ ସେ ଧ୍ୟାନମଗ୍ନ ହୋଇ ଜାଣିପାରିଲେ ଦେବୀ ତ୍ରିଶାଖା ବିଲ୍ୱଦଳରେ ‘କୁମାରୀ’ କନ୍ୟା ରୂପେ ଶାୟିତ । ଏହି ଦୃଶ୍ୟ ଅବଲୋକନ କରି ବିଭୋର ହେଲେ ଶ୍ରୀରାମଚନ୍ଦ୍ର । ଦେବୀଙ୍କୁ ଜାଗ୍ରତ କରାଇବେ ।ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଷଷ୍ଠୀଦିନ ‘ବିଲ୍ୱାଧିବାସ’ କଲେ ଶ୍ରୀରାମଚନ୍ଦ୍ର । ଷଷ୍ଠୀପରେ ସପ୍ତମୀରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ ମଧ୍ୟ ଦେବୀଙ୍କର ନିଦ୍ରାଭଙ୍ଗ ହେଲାନି । ଅଷ୍ଟମୀରେ ଯୋଗିନୀମାନଙ୍କୁ ଡାକି ବିଶେଷ ପୂଜାକରିଲେ ଶ୍ରୀରାମ । ତେଣୁ ଅଷ୍ଟମୀର ଶେଷ ଦଣ୍ଡ ଓ ନବମୀର ପ୍ରଥମ ଦଣ୍ଡ(୨୪+୨୪=୪୮ମିନିଟ) ସନ୍ଧିକ୍ଷଣରେ ପୂଜା କଲେ । ଏହାକୁ ‘ସନ୍ଧିପୂଜା’ କୁହାଯାଏ । ଚାମୁଣ୍ଡା ଦେବୀଙ୍କ ସହାୟତାରେ ଶ୍ରୀରାମଚନ୍ଦ୍ର ଏହି ‘ସନ୍ଧିପୂଜା’ କରିଥିଲେ । ଏହି ପୂଜା ପରେ ଅର୍ଥାତ୍‌ ନବମୀ ଦିନ ଦେବୀ ଜାଗ୍ରତ ହେଲେ ଏବଂ ପୁନର୍ବାର ‘କୁମାରୀ’ ରୂପରେ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ ଦେଲେ । 
ତେଣୁ ନବମୀ ଦିନ କୁମାରୀ ପୂଜାର ପ୍ରଚଳନ ଅଛି । କୁମାରୀ ସାକ୍ଷାତ ଯୋଗିନୀ, ପରମାଦେବୀ ପୁଣି ପରମପ୍ରକୃତି । ଶ୍ରୀ ଶ୍ରୀ ଚଣ୍ଡୀରେ ଉଲ୍ଲେଖ ଅଛି ‘ସ୍ତ୍ରୀୟା ସମସ୍ତା ସକଳ ଜଗତ ସୁ’ ଅର୍ଥାତ୍‌ ସମସ୍ତ ସ୍ତ୍ରୀ ଜାତି ବ୍ରହ୍ମମୟୀ, ମହାମାୟା ଜଗଜ୍ଜନନୀଙ୍କର ଏକ ଅଂଶ ବିଶେଷ । ପ୍ରତି ନାରୀ ଭଗବତୀଙ୍କ ଅଂଶ ହେଲେ ମଧ୍ୟ କୁମାରୀଙ୍କ ମଧ୍ୟରେ ଭଗବତ୍‌ ସତ୍ତା ବିଶେଷ ଭାବରେ ପ୍ରକାଶିତ । ତନ୍ତ୍ର ମତେ ଷୋହଳ ବର୍ଷ ପର୍ଯ୍ୟନ୍ତ ଅବିବାହିତା କନ୍ୟାଙ୍କୁ କୁମାରୀ କୁହାଯାଏ ।

ଯେତେ ଦିନ ପର୍ଯ୍ୟନ୍ତ କନ୍ୟା ଋତୁମତୀ ନ ହୁଅନ୍ତି ସେତେଦିନ ପର୍ଯ୍ୟନ୍ତ ‘କୁମାରୀ’ ତାହା କୁସୁମ ପରି ପବିତ୍ର । ତେଣୁ ସେତେଦିନ ପର୍ଯ୍ୟନ୍ତ କନ୍ୟା ଦେବସେବାରେ ନିବେଦିତ ହୋଇପାରିବେ । ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ କୁମାରୀ ରୂପରେ ଦର୍ଶନ କରିଥିଲେ ଏବଂ ପୂଜା କରିଥିଲେ ମଧ୍ୟ ।  ପରବର୍ତ୍ତୀକାଳରେ ଶ୍ରୀଶ୍ରୀ ରାମକୃଷ୍ଣ ଓ ତାଙ୍କର ଶିଷ୍ୟ ବିବେକାନନ୍ଦ ଏହାର ବହୁଳ ପ୍ରଚାର କରିଥିଲେ ଏବଂ ରାଣୀ ରାସମଣୀ ଦେବୀଙ୍କଦ୍ୱାରା କୁମାରୀ ପୂଜାକରାଇ ଏହାର ପ୍ରସାର ମଧ୍ୟ କରିଥିଲେ। କାରଣ କୁମାରୀଙ୍କ ମଧ୍ୟରେ ଭଗବତ୍‌ ସତ୍ତା ଅନୁଭବ କରିଥିଲେ ।

ଏଣୁ ଦୁର୍ଗାପୂଜାର ନବମୀ ରାତ୍ରିରେ କେତେକ ବ୍ରାହ୍ମଣ ବଂଶୀୟ ସାତରୁ ଆଠ ବର୍ଷର କନ୍ୟାକୁ ପାଦରେ ଅଳତା, ଆଖିରେ କଜ୍ଜଳ ଓ କପାଳରେ ଚନ୍ଦନ ଟିପା ଦେଇ ସୁନ୍ଦର ଭାବରେ ସଜାଇ ନୂତନ ଶାଢ଼ି ପରିଧାନ କରାଇ ବିଭିନ୍ନ ଉପଢ଼ୌକନ ଦେଇ ପୂଜା କରାଯାଏ । ଏହାକୁ ‘କୁଆଁରୀ ଲକ୍ଷ୍ମୀ’ ପୂଜା କୁହାଯାଏ । ଓଡ଼ିଶାର ସବୁ ପୂଜାମଣ୍ଡପରେ ନବମୀ ଦିନ କୁମାରୀ ପୂଜା କରା ନ ଗଲେ ମଧ୍ୟ କଟକ ଜିଲ୍ଲାର ପୁନଙ୍ଗ ଗ୍ରାମର ଘୋଷଘର ପୂଜାମଣ୍ଡପରେ ଆବାହମାନକାଳରୁ କୁମାରୀ ପୂଜା ହୋଇଆସୁଛି । କଥିତ ଅଛି, ଯେଉଁମାନେ ଏହି ପୂଜା ଦର୍ଶନ କରନ୍ତି, ସେମାନେ ଚତୁବର୍ଗ ଫଳ ପାଆନ୍ତି ।

କୁମାରୀ ପୂଜା ହେଉଛି ନାରୀଜାତି ପ୍ରତି ସମ୍ମାନ ପ୍ରଦର୍ଶନର ଏକ ପ୍ରକ୍ରିୟା ମାତ୍ର । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜନ୍ମାଷ୍ଟମୀ ଅବସରରେ ନଦୀରୁ ମାଟି ଉଦ୍ଧାର କରାଯାଏ,ଯାହା ଦଶହରାର ପ୍ରଥମ ବିଧି।ଏହା ପରେ କାରିଗରମାନେ ମୂର୍ତ୍ତି ଗଠନରେ ବ୍ୟସ୍ତ ରହନ୍ତି । ପବିତ୍ର ମହାଳୟା ଅବସରରେ ମା’ଙ୍କ ମୃଣ୍ମୟ ମୂର୍ତ୍ତିରେ ଖଡ଼ି ଚଢା ଯାଏ । ମହାଳୟା ଠାରୁ ପ୍ରକୃତ ଦୁର୍ଗାପୂଜା ଆରମ୍ଭ ହୁଏ । କାରଣ ଏହି ଦିନଠାରୁ ଦୁର୍ଗାପୂଜା ମଧ୍ୟରେ ୧୦ ଦିନ ସମୟ ରହିଥାଏ, ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଇଛି । ପ୍ରକୃତ ପୂଜାବିଧି ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ ।

ଷଷ୍ଠୀ ତିଥିରେ ଅଧିବାସ, ବିଲ୍ୱ ବରଣ, ମା’ଙ୍କୁ ସ୍ୱାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ । ବେଲଗଛ ପାଖରେ ଏହି ପୂଜା ସମ୍ପନ୍ନ କରାଯାଏ । ଶେଷରେ ରାତ୍ରୀ କାଳରେ ଦେବୀ ପ୍ରତିମା ର ଚକ୍ଷୁରେ ରଙ୍ଗ ଦେଇ ଚକ୍ଷୁଦାନ ସମ୍ପନ୍ନ ହୁଏ ଓ ମନ୍ତ୍ର ଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯାଏ । ସପ୍ତମୀରେ ନବ ପତ୍ରିକା ପୂଜା କରାଯାଏ, ଯେଉଁ ଥିରେ କଦଳୀ, ସାରୁ, ମାଣସାରୁ, ହଳଦୀ, ଅଶୋକ, ଡାଳିମ୍ବ, ବେଲ, ଜୟନ୍ତି ଓ ଧାନ ଏହି ନଅ ଜାତି ପତ୍ର ଦ୍ୱାରା ଦୁର୍ଗାଙ୍କର ଗୋଟିଏ ମୁର୍ତ୍ତି ଗଠନ କରି ପୂଜା କରିବାର ବିଧି ।ଏହା ପରେ ମହାସ୍ନାନ ବିଧି ସମ୍ପନ୍ନ ହୁଏ ।

ଚଣ୍ଡିପାଠହୋମ ଯଜ୍ଞ,,ଦେବୀମାହାତ୍ମ୍ୟ (ମାର୍କଣ୍ଡେୟ ପୂରାଣାନ୍ତର୍ଗତ ଦୁର୍ଗାଙ୍କ ବିଷୟ ବର୍ଣ୍ଣନାତ୍ମକ ଗ୍ରନ୍ଥ) ଗ୍ରନ୍ଥର ଆବୃତ୍ତି ସହ ହୋମ ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥାଏ । ଅଷ୍ଟମୀରେ ହୁଏ ମା’ଙ୍କ ମୂଖ୍ୟ ସନ୍ଧିପୂଜା । ମହାଷ୍ଟମୀର ଶେଷ ଦଣ୍ଡ ଓ ମହାନବମୀର ଆଦ୍ୟ ଦଣ୍ଡର ମଧ୍ୟକାଳୀନ ସମୟକୁ ସନ୍ଧି ସମୟ କୁହାଯାଏ । ଶାରଦୀୟ ପୂଜା ଅର୍ଚ୍ଚନା ବିଧି ବିଧାନ ପୂର୍ବରୁ ଏବେ ମୂଳାଷ୍ଟମୀ ରୁ ଷୋଡ଼ଶ ଉପଚାରରେ ସମସ୍ତ ଶକ୍ତିପୀଠରେ ମାଁ ଶକ୍ତିମୟୀ ଙ୍କର ପୂଜା ଅର୍ଚ୍ଚନା ଉପାସନା ଆରମ୍ଭ ହୋଇ ଯାଇଛି। ଶ୍ରୀକ୍ଷେତ୍ରରେ ବିଭିନ୍ନ ଶକ୍ତିପୀଠ ରେ ପୂଜା ଚାଲିଛି ଏହା ସହ ବଡବାଡ ସାଆନ୍ତାଣୀ ମାଁ ବିମଳାଙ୍କ ପୀଠ ରେ ଶ୍ରୀମନ୍ଦିର ବେଢାରେ ଷୋଡ଼ଶ ପୂଜା ଆରମ୍ଭ ହୋଇ ଯାଇଛି।

ଏହି ସମୟରେ ମହିଳାମାନେ ମାଁ ବିମଳାଙ୍କ ମନ୍ଦିରରେ ପ୍ରବେଶ କରିବା ନିଷେଧ କରାଯାଇଛି।ପ୍ରାଚୀ ତଟିନୀ ରେ ବିରାଜିତ ମାଁ ମଙ୍ଗଳାଙ୍କ ଷୋଡ଼ଶ ପୂଜା ଅର୍ଚ୍ଚନା ବିଧି ବିଧାନ ସହ ଆରମ୍ଭ ହୋଇ ଯାଇଛି। ସେହିପରି ଶ୍ରୀକ୍ଷେତ୍ରରେ ବିରାଜ ମାନ ମାଁ ରାମଚଣ୍ଡୀ ଙ୍କ ସହ ଅନ୍ଯ ଅଷ୍ଟ ଶକ୍ତିପୀଠରେ ପୂଜା ଚାଲିଛି। ସମ୍ବଲପୁରରେ ମାଁ ସମଲେଶ୍ଵରୀ ଙ୍କ ପୀଠରେ ଏହି ଷୋଡ଼ଶ ପୂଜା ଅର୍ଚ୍ଚନା ସହ ବିଭିନ୍ନ ବେଶ ରେ ଦର୍ଶନ ଦେଉଛନ୍ତି।ସେହିପରି ଋଷିକୂଲ୍ୟା ତଟରେ କୁମାରୀ ପର୍ବତରେ ବିରାଜ ମାନ ବହୁତ ପୁରାଣ ବର୍ଣ୍ଣିତ ପ୍ରସିଦ୍ଧ ଶକ୍ତିପୀଠ ସ୍ତନପୀଠେଶ୍ୱରୀ ଯାଆଁଳା ଭଗ୍ନୀ ମାଁ ତାରାତାରିଣୀ ଙ୍କ ଷୋଡଶ ପୂଜା ଆରମ୍ଭ ପୂର୍ବରୁ ଶହ ଶହ କଳସରେ ଋଷିକୂଲ୍ୟା ତଟରେ ମନ୍ତ୍ରିତ ପାଣି ମହିଳାମାନେ ମୂଳାଷ୍ଟମୀ ପୂର୍ବରୁ ଏକହଜାର ପାହାଚରୁ ଗୋଟିଏ କମ୍ କୁ କଳସ ମୁଣ୍ଡ ରେ ଧରି ଚଢି ଚଢି ଯାଇଥିଲେ।    

ଉତ୍କଳ ଭୂମି ର  ପୁରୁଷୋତ୍ତମ ନିବାସିନୀ ଶ୍ରୀ ଶ୍ରୀ ବିମଳା ସାଆନ୍ତାଣୀ ଙ୍କ ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଅଛି। ମହାପ୍ରଭୁ ଙ୍କ ସକାଳ ଧୂପ ପରେ ଶ୍ରୀ ମହାପ୍ରସାଦ ଶ୍ରୀ ସାଆନ୍ତାଣୀ ଙ୍କ ଛାମୁକୁ ଯାଇ ପୁନଃ ଷୋଡ଼ଶ ଉପଚାର ପୂଜା ରେ ମା ଙ୍କୁ ସମର୍ପଣ ହୋଇଥାଏ। ଏହି ଷୋହଳ ଦିନ ଶ୍ରୀ ମନ୍ଦିର ରେ ମହା ମହାପ୍ରସାଦ ମିଳିଥାଏ। ପ୍ରତିଦିନ ମା କୁ ମହାପ୍ରସାଦ ସମର୍ପଣ ହୁଏ କିନ୍ତୁ ଏହି ଷୋଳପୂଜା ରେ ପୁନର୍ବାର ଷୋଡ଼ଶ ଉପଚାର ରେ ମହାପ୍ରସାଦ ସମର୍ପଣ ହେଉଥିବାରୁ ଏହା ମହା ମହାପ୍ରସାଦ ହୋଇଥାଏ। 

ଶ୍ରୀମନ୍ଦିରର ବଡବାଡ ସାଆନ୍ତାଣୀ ଶ୍ରୀ ପାଦ ପୀଠେଶ୍ଵରୀ ଦାରୁବ୍ରହ୍ମ ବିଳାସିନୀ ସଦା କୈବଲ୍ୟଲୋପିନୀ ,ଶ୍ରୀବଡ଼ଠାକୁର ପ୍ରାଣପ୍ରିୟା ଶ୍ରୀକ୍ଷେତ୍ର ରାଜେଶ୍ବରୀ ମା ଭଗବତୀ ବିମଳା ଙ୍କ ସତୀଙ୍କ ୫୧ ଶକ୍ତିପୀଠ ମଧ୍ଯରୁ ତନ୍ତ୍ରୋକ୍ତ ପ୍ରମୁଖ ଶକ୍ତିପୀଠ ୪ ହେଲେ,”ରାମେଶ୍ଵରୀ ସେତୁବନ୍ଧେ ବିମଳା ପୁରୁଷୋତ୍ତମେ ବିରଜା ଉଡ୍ର ଦେଶେ ଚ କାମାକ୍ଷା ନୀଳପର୍ବତେ “। ମା’ ବିମଳା ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ ଧାମର ସ୍ବୟଂ ପ୍ରତିଷ୍ଠିତା ଦେବୀ। ମା’ ଙ୍କ ମହିମା କି ବର୍ଣ୍ଣିବି ମୁଁହି ସେ ଯେ ଅବର୍ଣ୍ଣନୀୟ। ଆଦି ଶଙ୍କରାଚାର୍ଯ୍ୟ ଙ୍କ ମତରେ ସେ ପ୍ରତ୍ଯକ୍ଷ ମାହେଶ୍ୱରୀ।

ଶ୍ରୀମଦ୍ ଭାଗବତ ମହାପୁରାଣ ଅନୁଯାୟୀ ମା’ ପାର୍ବତୀ ପରଂବ୍ରହ୍ମ ଜନାର୍ଦ୍ଦନଙ୍କ ମହାପ୍ରସାଦ ପାଇବା ପାଇଁ ଅଭିଳଷିତ ଥିବାରୁ ତଥା ମହାପ୍ରସାଦ ସମସ୍ତ ପ୍ରାଣୀଙ୍କ ପାଇଁ ସୁଲଭ କରାଇବାକୁ ପ୍ରାର୍ଥନା କରିଥିବାରୁ ଜଗଜ୍ଜନନୀଙ୍କ ଏତାଦୃଶ ଭକ୍ତି ରେ ସନ୍ତୁଷ୍ଟ ହୋଇ ଜନାର୍ଦ୍ଦନ ମାୟାପତି ଦେବୀଙ୍କୁ ବର ପ୍ରଦାନ କରିଥିଲେ ଯେ ପୁରୁଷୋତ୍ତମ ଧାମରେ ଯେବେ ଜଗନ୍ନାଥ ଅଲୌକିକରୁ ଲୌକିକ ହେବେ ସେବେ ସେ କ୍ଷେତ୍ରରେ ମା’ ରହି ପ୍ରଥମ ମହାପ୍ରସାଦର ଅଗ୍ରଗ୍ରାହୀ ହେବେ। ସେହିଦିନ ଠାରୁ ଶ୍ରୀ ମହାପ୍ରଭୁ ଙ୍କ ମହାପ୍ରସାଦ ସର୍ବପ୍ରଥମେ ମା’ ବିମଳା ଙ୍କୁ  “କୈବଲ୍ୟ ଭିଜିନୀ ଦେବୀ ବିମଳା ଵିମଳଂପ୍ରଦା,ଗୃହଣାନ୍ତୁ ହରି କୈବଲ୍ୟ ସୃଷ୍ଟି ସ୍ଥିତାନ୍ୟ କାରିଣୀ”  ଏହି ମନ୍ତ୍ରରେ ମହାପ୍ରଭୁଙ୍କ ଥାଳିରେ ତୁଳସୀ କାଢ଼ି ବିଲ୍ବଦଳ ପକାଇ ସମର୍ପଣ କରାଯାଏ। କିନ୍ତୁ ଷୋଡ଼ଶ ପୂଜା ସମୟରେ ମହାପ୍ରଭୁଙ୍କ ମହାପ୍ରସାଦ ପୁନଃ ଦେବୀ ଙ୍କ ପାଖରେ ଷୋଡ଼ଶ ଉପଚାରରେ ଲାଗି କରାଯାଏ।
ମା’ ବିମଳାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା, ମା’ ବିମଳା ଶ୍ରୀମନ୍ଦିର ମଧ୍ୟରେ ଥିବା ଏକ ଶାକ୍ତ ବା କୌଳଭୈରବୀଙ୍କ ମନ୍ଦିର। ସୋମବଂଶୀ ରାଜତ୍ୱ ସମୟରେ ସମଗ୍ର ଓଡ଼ିଶାରେ ଶକ୍ତି ଉପାସନା ପ୍ରସିଦ୍ଧି ଲାଭ କରିଥିଲା। ଏହି ସମୟରେ ଓଡ଼ିଶା ତନ୍ତ୍ରର ପ୍ରମୁଖ ପୀଠ ଓଡ୍ଡୀୟାନ ଭାବେ ପରିଚିତ ହୋଇ ସାରିଥିଲା। ଐତିହାସିଙ୍କ ଅନୁସାରେ ବର୍ତ୍ତମାନର ବିମଳା ମନ୍ଦିର ସେହି ସମୟର। ଭାରତବର୍ଷରେ ସର୍ବତ୍ର ଶିବଦୁର୍ଗା ଉପାସିତ ହେଉଥିବା ବେଳେ ପୁରୁଷୋତ୍ତମ କ୍ଷେତ୍ର ରେ ବିମଳା ଓ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ଏହି ପରମ୍ପରା ଦେଖା ଯାଇଥାଏ।

ପ୍ରଥମ ଶକ୍ତି-ପୀଠ ମଧ୍ୟରୁ ପାଦଖଣ୍ଡ ଭାବରେ ବିବେଚନା କରାଯାଉଥିବାରୁ ଏହି ମନ୍ଦିର ପ୍ରସିଦ୍ଧ। ଦେବୀ ସତୀଙ୍କ ପାଦ ଏହି ସ୍ଥାନରେ ପଡିଛି। ଦେବୀ ବିମଳାଦେବୀ ଶକ୍ତିଙ୍କର ଏକ ଅହିଂସା ରୂପ। ତନ୍ତ୍ର ଆଧାର, ବ୍ରହ୍ମଯାମଳ ତନ୍ତ୍ର ଅନ୍ତର୍ଗତ ଆଦ୍ୟା ସ୍ତୋତ୍ର ଅନୁସାରେ “ରାମେଶ୍ୱରୀ ସେତୁବନ୍ଧେ, ବିମଳା ପୁରୁଷୋତ୍ତମେ, ବିରଜା ଓଡ୍ର ଦେଶେ ଚ କାମାଖ୍ୟା ନୀଳ ପର୍ବତେ” ଅର୍ଥାତ୍ ସେତୁବନ୍ଧରେ ଦେବୀ ରାମେଶ୍ୱରୀ, ପୁରୁଷୋତ୍ତମ କ୍ଷେତ୍ରରେ ବିମଳା, ଓଡ୍ର ଦେଶରେ ସେ ବିରଜା, ପୁନଶ୍ଚ ନୀଳପର୍ବତରେ କାମାଖ୍ୟା ରୂପରେ ବିଦିତା । ପୁନଶ୍ଚ ତନ୍ତ୍ର ଚୂଡାମଣି ଅନୁସାରେ ଉତ୍କଳ ଦେଶରେ ହିଁ ସତୀଙ୍କ ପାଦ ପତିତ ହୋଇଥିଲା।

ମା’ ବିମଳା ପାଦ ପୀଠେଶ୍ଵରୀ ଓ କେହି କେହି ଏହାକୁ ଶ୍ରୀପୀଠ, ଉଦ୍ଦିଷ୍ଟ ପୀଠ, ନାଭି ପୀଠ ବୋଲି ବର୍ଣ୍ଣନା କରିଛନ୍ତି। ମହାନିର୍ବାଣ ତନ୍ତ୍ର ଅନୁସାରେ ପୁରୀ ଶ୍ରୀମନ୍ଦିର ଭୈରବୀ ଚକ୍ରର ନକ୍ସା ଆଧାରରେ ନିର୍ମିତ। ଶ୍ରୀକ୍ଷେତ୍ରେଶ୍ଵରୀ ରାଜରାଜେଶ୍ଵରୀ ବିମଳା ମା’ ତାନ୍ତ୍ରିକ ପୀଠ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି। ଏକାନ୍ତ ଗୋପନୀୟ ସିଦ୍ଧ ତନ୍ତ୍ର ପୀଠ ଓ ଏଠାରେ “କୁଳୋଡ୍ଡୀଶ ତନ୍ତ୍ର” ର “ଗଙ୍ଗାୟାଂ ମଙ୍ଗଳାନାମ ବିମଳା ପୁରୁଷୋତ୍ତମ।” ଓ “ବିମଳା ଯତ୍ର ଭୈରବୀ; ଜଗନ୍ନାଥ ତତ୍ର ଭୈରବଃ” “ବିମଳା ସା ମହାଦେବୀ ଜଗନ୍ନାଥସ୍ତୁ ଭୈରବ।” ନିୟମ ଅନୁସାରେ ଜଗନ୍ନାଥ ଅଜୈକପାଦ ଭୈରବ, ବଳଭଦ୍ର ଅହିର୍ବୁଧ୍ନ୍ୟ ଶେଷଭୈରବ, ସୁଭଦ୍ରା ଭୁବନେଶ୍ୱରୀ, ମହାଲକ୍ଷ୍ମୀ କମଳାତ୍ମିକା, ସୁଦର୍ଶନ ଏକଲିଙ୍ଗ ଓ ବିମଳା କୌଳେଶ୍ୱରୀ ବା ମହାଭୈରବୀ ଅଟନ୍ତି। ନବମ ଶତାବ୍ଦୀ ବେଳକୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଦେବୀଙ୍କ ବିଗ୍ରହ (କଳା ମୁଗୁନି ପଥରରେ) ପ୍ରତିଷ୍ଠା ହୋଇଥିବାର କୁହାଯାଇଛି।

ଦେବୀ ଚତୁର୍ଭୁଜା, ତ୍ରିନେତ୍ରା, ୫ ଫୁଟ୍ଉଚ୍ଚତା ବିଶିଷ୍ଟ ବିଗ୍ରହ, ଗଳାରେ ମୁଣ୍ଡମାଳାଧାରିଣୀ ଏବଂ ଅଷ୍ଟଦଳ ପଦ୍ମ ଉପରେ ଦଣ୍ଡାୟମାନା। ସେ ଉପର ଦୁଇଟି ହସ୍ତରେ ନାଗପାଶ, ମତ୍ସ୍ୟକନ୍ୟା ଧାରଣ କରିଛନ୍ତି ଓ ନିମ୍ନ ହସ୍ତ ଦୁଇଟିରେ ଜପମାଳା, ମଦ୍ୟପାତ୍ର ଧାଋଣ କରିଛନ୍ତି। ଦେବୀଙ୍କ ଦକ୍ଷିଣ ଓ ବାମ ପାର୍ଶ୍ୱରେ ମାୟା ଓ ଛାୟା ଦେବୀ (ଦେବକନ୍ୟା ଓ ନାଗକନ୍ୟା) ଅବସ୍ଥିତା। ଏତଦ୍ ବ୍ୟତୀତ ମନ୍ଦିରରେ ସପ୍ତମାତୃକା, ଦଶମହା ବିଦ୍ୟା ଆଦି ପୂଜା ପାଉଛନ୍ତି। ବିମଳା ମା’ ପୂଜା ପାଉଥିବା ମନ୍ଦିରର ଉଚ୍ଚତା ୬୦ ଫୁଟ୍ ଓ ଏହା ୩ ଭାଗରେ ବିଭକ୍ତ। ମୁଖଶାଳା ବା ବିମାନ, ଜଗମୋହନ ବା ନାଟ ମଣ୍ଡପ। ଷୋଡ଼ଶ ମାତୃକା ଓ ଯୋଗିନୀଙ୍କର ୪୪ଟି ଚିତ୍ର ନାଟ ମଣ୍ଡପ କାନ୍ଥରେ ଚିତ୍ରିତ ହୋଇଛି । ଶାରଦୀୟ ଷୋଡଶ ଦିନାତ୍ମକ ପୂଜାରେ ଦୁର୍ଗା ମାଧବ ଏକତ୍ର ଭଦ୍ରାସନ ରେ ରୁନ୍ଧା ହୋଇଥାନ୍ତି ଏବଂ ବିମଳା ମନ୍ଦିରରେ ବିଜେ କରିଥାନ୍ତି।

ଶ୍ରୀ ଦୁର୍ଗା ମାଧବ ଉପାସନା ଓ ଯାତ୍ରାବିଧି ଆଶ୍ୱିନ କୃଷ୍ଣ ଅଷ୍ଟମୀରୁ ଆରମ୍ଭ ହୋଇ ଆଶ୍ୱିନ ଶୁକ୍ଳ ଦଶମୀ ତିଥିରେ ଅର୍ଥାତ ଦଶହରା ଦିନ ଶେଷ ହୋଇଥାଏ, ପ୍ରତିଦିନ ନାରାୟଣୀ ମନ୍ଦିରକୁ ଯାତ୍ରା କରିଥାନ୍ତି, ଏହାକୁ “ଶାକ୍ତଗୁଣ୍ଡିଚାଯାତ୍ରା” କୁହାଯାଏ। ଏହି ସମୟରେ ସପ୍ତମୀ, ଅଷ୍ଟମୀ, ନବମୀ ଅର୍ଦ୍ଧରାତ୍ରୀ ସମୟରେ ମହାନିଶା ପୂଜା ଅନୁଷ୍ଠିତ ହୋଇଥାଏ ଯେଉଁଥିରେ ଦେବୀଙ୍କ ପାର୍ଶ୍ୱରେ ଥିବା ନାଗକନ୍ୟା ଓ ଦେବକନ୍ୟା ତଥା ଚଉଷଠି ଯୋଗିନୀଙ୍କ ପାଇଁ ପଶୁପ୍ରୋକ୍ଷଣ ଅନୁଷ୍ଠିତ ହୋଇଥାଏ; ମା’ଙ୍କର ନାରାୟଣୀ ବେଶ, ବନଦୁର୍ଗା ବେଶ, ବଗଲା ବେଶ, ହରଚଣ୍ଡୀ ବେଶ, ମାତଙ୍ଗୀ ବେଶ, ରାଜରାଜେଶ୍ୱରୀ ବେଶ, ସିଂହବାହିନୀ ବେଶ, ଭୁବନେଶ୍ଵରୀ ବେଶ, ଉଗ୍ରତାରା ବେଶ, ଜୟଦୁର୍ଗା ବେଶ ଓ ଦଶହରାରେ ଅପରାଜିତା ବେଶ ଆଦି ଅନୁଷ୍ଠିତ ହୋଇଥାଏ।
⁠ଷୋଳ ପୂଜା ସମୟରେ ମା’ ବିମଳା କେତେକ ଅଧିକ ସୁବର୍ଣ୍ଣ ଅଳଙ୍କର ପରିଧାନ କରନ୍ତି। ତାହା ହେଲା.. ⁠କମରପଟି-୧, ଝୋବା କଣ୍ଠି-୪, ସୁଉକି ମାଳ (ରାମାଭିଷେକ ପଦକ ଥାଇ)-୧, ଚମ୍ପାକଢ଼ି ମାଳ (୫୭ କଢ଼ି ଥାଇ)-୧, କୁରୁଜାତକ ମାଳି-୧, ବଡ଼ମୁଣ୍ଡ ମାଳି (୪୦ଟି ମୁଣ୍ଡ ଥାଇ)-୧, ସାନମୁଣ୍ଡି ମାଳି (୨୭ଟି ମୁଣ୍ଡ ଥାଇ) -୧, ନୋଥ-୧, ଅଷ୍ଟରତ୍ନ ଗୁଣା-୧, ଦଣ୍ଡି-୧, ଉପଚାର-୧, ସେବତୀ ହାର (ଅଷ୍ଟରତ୍ନ ପଦକ ଥାଇ ୧୬ଟି ସେବତୀ) -୧, ପଦ୍ମହାର (୩୦, ୫୫, ୩୨, ୨୪ ଓ ୪ଟି ପଦ୍ମ ଥାଇ)- ୫ଟି ଓ ରୁପାର ଏକ ପଦ୍ମ ହାର (୪୦ଟି ପଦ୍ମ ଥାଇ)। ⁠ଷୋଳ ପୂଜାରେ ପିନ୍ଧୁଥିବା ବିଶେଷ ଅଳଙ୍କାର ବ୍ୟତୀତ ବର୍ଷସାରା ସଦା ସର୍ବଦା ଦେବୀଙ୍କ ଶ୍ରୀଅଙ୍ଗରେ ନିମ୍ନଲିଖିତ ସୁବର୍ଣ ଅଳଙ୍କାର ଶୋଭାପାଏ। କିରୀଟ, ନାକଫୁଲ, କାନଫୁଲ, ଅନନ୍ତ ବ୍ରତ, ବାଜୁ, କିଆ, ଚୁଡ଼ି, ତ୍ରିନେତ୍ର, ନେତ୍ର, ଚାପସରି, କଣ୍ଡିମାଳ, ହରିଡ଼ାକଣ୍ଠ ମାଳ (୩), ବଟଫଳ, ବକ୍ଷସ୍ତଳ ପଦ୍ମ, ହସ୍ତ ଓ ପଦର ମୁଦ୍ରିକା, ପଦର ନଖ ଇତ୍ୟାଦି।
ଅତିବଡ଼ି ଶ୍ରୀ ଜଗନ୍ନାଥ ଦାଶଙ୍କ ଶ୍ରୀମଦ୍ ଭାଗବତର ଦ୍ୱାଦଶ ସ୍କନ୍ଦ
“ନାରାୟଣ କଳା ରୂପିଣି, ଜ୍ଞାନ କ୍ରିୟା ଏ ଇଛା ତିନି
ବିମଳାଦି ନବ ଶକ୍ତିନୀ ,ଏ ମଧ୍ୟେ ରାମ ବିଳାସିନୀ”।
ଏହି ପାରମ୍ପରିକ ସରଣୀରେ ବିମଳାଙ୍କୁ ଜଗନ୍ନାଥଙ୍କ ମାୟାଶକ୍ତି, ବଳଭଦ୍ରଙ୍କର କ୍ରିୟାଶକ୍ତି ଓ ସୁଭଦ୍ରାଙ୍କର ଇଛା ଶକ୍ତି ବୋଲି ନିଆଯାଇ ଥାଏ। ସେ ହିସାବରେ ବିମଳା ରାମ ବିଳାସିନୀ ବା ବଳଭଦ୍ର ବଲ୍ଲଭା ଜ୍ଞାନରୂପା ବୋଲି କଥିତ ହୁଅନ୍ତି।
“ବଳଭଦ୍ର ପ୍ରିୟା ଦେବୀ ଚିଦ୍‌ଜ୍ଞାନ ବିମଳାତ୍ମିକା
ଶୁଦ୍ଧଜ୍ଞାନ ସ୍ୱରୁପାୟୈ ସର୍ବ ସମ୍ପତ୍ ପ୍ରଦାୟନୀ ॥”
ଷୋଳ ପୂଜାର ପରମ୍ପରା ଅନୁଯାଇ ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କର ପବିତ୍ର ଅଧରମାଳା ପଦକାଦି ବିମଳାଙ୍କୁ ଲାଗି ହୋଇଥାଏ, ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅଧରମାଳା ମହାଲକ୍ଷ୍ମୀଙ୍କୁ ଲାଗିହୁଏ, ଦୁର୍ଗାମାଧବ ପ୍ରଥମ ଦିନ ବିମଳା ମନ୍ଦିରକୁ ବିଜେ ହେବା ପୂର୍ବରୁ ବିମଳାଙ୍କ ପାଖରେ ସହସ୍ର କୁମ୍ଭାଭିଷେକ ପୂଜା ସରିଥାଏ। ପ୍ରଥମ ପୂଜା ପାଇଁ ସକାଳ ଧୂପ ଶେଷ ପରେ ବିମଳାଙ୍କ ଦେଉଳରେ ପରିଚ୍ଛା ଓ ପରିକରଣ ମାନେ ହୁକୁମମାନ ପାଠ କରନ୍ତି। ବ୍ରହ୍ମାବରଣ ନିମନ୍ତେ ବରୁଣ ପୂଜା ହୁଏ। ଆଚାର୍ଯ୍ୟ ବରଣ, ବ୍ରହ୍ମାବରଣ, ସ୍ୱସ୍ତିବାଚନ ଓ ଚଣ୍ଡୀବରଣ ହୁଏ। ସଂକଳ୍ପ ହୁଏ। ଠାକୁରାଣୀଙ୍କ ଛାମୁରେ ପାଣି ପଡ଼ି, ପାହାଡ଼ ପଡ଼ି ଭୋଗ ବଢ଼ାହୁଏ। ପାଳିଆ ସେବକ ପୂଜା ଠା’ କରେ। ପ୍ରଧାନୀ ପୂଜକଙ୍କୁ ଡକାଇ ପୂଜାରେ ବସାନ୍ତି।

ପୂଜା ଷୋଡ଼ଶ ଉପଚାରରେ ହୁଏ। କୋଠଭୋଗର ମହାପ୍ରସାଦ ପିଠା, ଥାଳି ଖେଚୁଡ଼ି ବିମଳାଙ୍କ ମଣୋହିରେ ବଢ଼ାଯାଏ। ଭୋଗ ପୂଜା ବେଳେ ଘଣ୍ଟ, କାହାଳୀ ବାଜେ, ଛତ୍ର ଧରାଯାଏ। ଆଗ କାଳରେ ଏହି ସମୟରେ ପରିଚ୍ଛା ପଟୁଆର କରୁଥିଲେ ଓ ଦେବଦାସୀ ନୃତ୍ୟ କରୁଥିଲେ। ତାହା ଏବେ ହେଉ ନାହିଁ।
ଟେରା ଫିଟିଲେ କର୍ପୂର ଆଳତି ଓ ୨୧ବତି ବନ୍ଦାପନା ହୁଏ। ସକାଳ ଧୂପ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚଣ୍ଡୀପାଠ ଓ ସହସ୍ର ନାମାଦି ପାଠ କରାଯାଏ। କିନ୍ତୁ ଏହି ପାଠ ମଧ୍ୟାହ୍ନ ଓ ରାତ୍ର ଧୂପ ମାନଙ୍କରେ ହୁଏ ନାହିଁ। ବିଧି ଅନୁସାରେ ଶ୍ରୀଜୀଉ ମାନଙ୍କର ମଧ୍ୟାହ୍ନ ଧୂପ ଓ ସଂଧ୍ୟା ଧୂପ ପରେ ବିମଳାଙ୍କର ମଧ୍ୟାହ୍ନ ଓ ସଂଧ୍ୟା ଧୂପ ହୁଏ। ଏହି ଧୂପ ମାନଙ୍କରେ ସକାଳ ଧୂପ ପରି ପ୍ରସାଦ ଓ ପିଷ୍ଟକାଦି ଦେବୀଙ୍କୁ ନୈବେଦ୍ୟ ରୂପେ ବଢ଼ାଯାଏ ଘଣ୍ଟ, କାହାଳୀ ଓ ଛତି ବ୍ୟବସ୍ଥା ପ୍ରତ୍ୟେକ ଧୂପ ପାଇଁ ଅଛି। ସପ୍ତମୀ ଦିନଠାରୁ ବିମଳାଙ୍କର ତ୍ରିଦିବସାତ୍ମକ ପୂଜା ପାଇଁ ପୃକ ସଂକଳ୍ପ କରାଯାଏ।

ଏଥିରେ ତର୍ପଣ ମାର୍ଜନାଦି ସହ ବଳି, ଜପ, ହୋମ ଆଦି ଯୋଗ କରାଯାଏ। ଏହି ତିନି ଦିନ ଅର୍ଥାତ ସପ୍ତମୀ, ଅଷ୍ଟମୀ ଓ ନବମୀ ନିଶାର୍ଦ୍ଧରେ ସଙ୍ଖୁଡ଼ି ଓ ଆମିଷ (ମାଛ) ଭୋଗର ବ୍ୟବସ୍ଥା ଅଛି। ଏହି ଭୋଗ ପ୍ରସ୍ତୁତି ପାଇଁ ବିମଳା ମନ୍ଦିର ଆଗରେ ଥିବା କୂପର ଦକ୍ଷିଣ ଦିଗରେ ଅସ୍ଥାୟୀ ପାକଶାଳା ନିର୍ମିତ ହୋଇଥାଏ। ବଡ଼ ଦେଉଳରେ ଶ୍ରୀଜୀଉମାନଙ୍କର ରାତ୍ର ପହୁଡ଼ ପରେ ଶ୍ରୀମନ୍ଦିର ବେଢ଼ା ଶୋଧ କରାଯାଏ। ପଶ୍ଚିମ ଦ୍ୱାର ବାଟେ ଦେବୀଙ୍କ ଭୋଗ ପ୍ରସ୍ତୁତି ନିମନ୍ତେ ବଳି ପାଇଁ ପଶୁ ଓ ମାଛ ଆଦି ଅଣାଯାଏ। ଏହି ତିନି ଦିନ ପ୍ରତ୍ୟେକ ରାତ୍ରରେ ଦୁଇଟି ଲେଖାଏଁ ମେଣ୍ଢା ବଳି ପଡ଼େ। ମାଛ ରନ୍ଧା ହୁଏ। ଛେଦ ବିମଳାଙ୍କ କୂପ ପାଖରେ ପଡ଼ିବା ପରେ ଠାକୁରାଣୀଙ୍କ ପୂଜକ ରକ୍ତ ସରାରେ ନେଇ ଠାକୁରାଣୀଙ୍କ ପାଖରେ ରଖେ। ଶଙ୍ଖୁଡି ଧୂପ ପାଣି ପଡ଼ିବା ପରେ ପଶ୍ଚିମ ଦ୍ୱାର ପର୍ଯ୍ୟନ୍ତ ନପାଣି ପଡ଼ି ଧୁଆଯାଏ। ବିମଳାଙ୍କ ପୂଜା (୧୬ ଦିନ) ଭିତରେ କୌଣସି ସ୍ତ୍ରୀ ଲୋକ ବିମଳା ମନ୍ଦିର ଭିତରକୁ ପ୍ରବେଶ ନିଷେଧ। ଦୈନନ୍ଦିନ ଭୋଗକୁ ଛାଡ଼ି ଦେଲେ ଷୋହଳ ପୂଜା ବେଳେ ବିମଳାଙ୍କ ପାଇଁ କେତେକ ଅଧିକ ଭୋଗ ହୁଏ। ଲୋକଙ୍କ ଖଞ୍ଜା ଅନୁଯାୟୀ ସଂଧ୍ୟା ଧୂପ ପରେ ବିମଳା ଠାକୁରାଣୀଙ୍କର ବିଭିନ୍ନ ଦେବୀ ବେଶ ହୁଏ। ତାହା ହେଲା- ବନଦୁର୍ଗା ବେଶ, ଭୁବନେଶ୍ୱରୀ ବେଶ, ନାରାୟଣୀ  ବେଶ, ବଗଳା ବେଶ, ଜୟଦୁର୍ଗ ବେଶ, ଉଗ୍ରତାରା ବେଶ, ମାତଙ୍ଗିନୀ ବେଶ, ଦଶଭୁଜା ବେଶ, ରାଜରାଜେଶ୍ବରୀ ବେଶ, ହରଚଣ୍ଡୀ ବେଶ ଓ ସିଂହ ବାହିନୀ ବେଶ।

“ଓଁ ଶ୍ରୀ କ୍ଷେତ୍ରେଶ୍ୱର୍ଯୈ ବିଦ୍ମହେ, ଦୁର୍ଗା ମାଧବାଭ୍ଯାଂ ଧୀମହୀ, ତନ୍ନୋ ବିମଳା ପ୍ରଚୋଦୟାତ୍”

ଓଡିଶାରେ ଶକ୍ତି ପୂଜାର ଆଧିକ୍ଯ ରହିଥିଲେ ହେଁ ପ୍ରଧାନତଃ ଆଠଟି ତନ୍ତ୍ର ପୀଠରେ ଶକ୍ତି ସ୍ବରୂପିଣୀ ଦେବୀ କେଉଁଠି କେଉଁଠି ଅଷ୍ଟଭୁଜା ତ କେଉଁଠି ଦ୍ବିଭୁଜା, କେଉଁଠି ପରମ ବୈଷ୍ଣବୀ, ନରମୁଣ୍ଡମାଳିନୀ ଓ କେଉଁଠି କାତ୍ୟାୟନୀ ରୂପେ ପୂଜିତା। ଉତ୍କଳୀୟ ଶକ୍ତିପୀଠ ଗୁଡ଼ିକ ମଧ୍ଯ ଜଗତେ ଖ୍ଯାତ। ଶ୍ରୀକ୍ଷେତ୍ରରେ ମା’ ବିମଳା, କାକଟପୁରରେ ମା’ ମଙ୍ଗଳା, ବାଣପୁରରେ ଭଗବତୀ, ଝଙ୍କଡରେ ଶାରଳା, ଯାଜପୁରରେ  ବିରଜା, ବାଙ୍କୀରେ ଚର୍ଚ୍ଚିକା, ସମ୍ବଲପୁରରେ ସମଲେଇ ଓ ତାଳଚେରରେ ହିଙ୍ଗୁଳା ଭାବେ ପୂଜା ପାଇ ଆସୁଛନ୍ତି। ପ୍ରତ୍ୟକ ମାଙ୍ଗଳିକ କାର୍ଯ୍ୟରେ ଦୁର୍ଗା ଓ ମାଧବଙ୍କର ସ୍ମରଣ କରାଯାଇଥାଏ।

ଏହାହିଁ ଉତ୍କଳର ସଂସ୍କୃତି ଓ ବିଶେଷତ୍ୱ।ଶାସ୍ତ୍ର ବିଧି ଅନୁସାରେ ଶାରଦୀୟ ଓ ବାସନ୍ତୀ ଦୁର୍ଗାପୂଜାରେ ଏହି ସନ୍ଧି କାଳ ହିଁ ଦେବୀଙ୍କୁ ବଳି ଦେବର ପ୍ରଶସ୍ତ ସମୟ । ଏହି ସମୟରେ ମା’ଙ୍କ ପାଖରେ ବଳି ଦିଆଯାଏ । ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା, ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତି କଖାରୁ ବଳି ଦିଆଯାଉଛି । ଓଡ଼ିଶାରେ ଏହି ଦିନ ମହିଳାମାନେ ଶାଢ଼ୀ, ଚୁଡି ,ଶଙ୍ଖା ସିନ୍ଦୁର ଇତ୍ୟାଦି ଆଣି ମା’ଙ୍କ ପାଖରେ ଭୋଗ କରିସାରିବା ପରେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି ।ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ।କଟକର ଅଲିଶାବଜାର, ଚାନ୍ଦିନୀ ଚୌକ ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛ ଭୋଗ କରିଥାନ୍ତି । ଦଶମୀରେ ଘଟ ବିସର୍ଜନ ଓ ଭସାଣି ।

ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା ଅପରାଜିତା ପୂଜା ଏହି ଦିବସର ସ୍ୱାତନ୍ତ୍ର୍ୟତା ବହନ କରେ । ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦା କଲା ଭଳି କାନ୍ଦ ବୋବାଳି ପକାଉଥିଲେ, ଏବେ ଆଉ ନାହିଁ । ଏହା ସହିତ ମହିଳାମାନେ ସିନ୍ଦୁର ଖେଳ ଖେଳିଥାନ୍ତି  । ଅନେକ ସ୍ଥାନରେ ସିନ୍ଦୁର ଖେଳ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଉଥିଲା, ଯାହା ଏବେ ବୋଧେ ଆଉ ହେଉନାହିଁ । ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ । ପଖାଳ ସହିତ ଓଡ଼ିଆଙ୍କର ହଜାର ହଜାର ବର୍ଷ ର ସମ୍ପର୍କର ଏହାହିଁ ନିଦର୍ଶନ ।
ଅଧୁନା କର୍ପୁର ଉଡି ଯାଇଛି , କନା ନୁହେଁ, ଛିଣ୍ଡା କନା , ଯେଭଳି। ମୋଟର ଯାନ ମରାମତି କେନ୍ଦ୍ର ବା ଗ୍ୟାରେଜ ମାନଙ୍କରେ ମୋବିଲ ବୋଳା କଳା କୁତୁରା କନା ଭଳି ଦୃଶ୍ୟମାନ । ହଜିଲା ଅତୀତ କୁ ଖୋଜିବା ସମୟରେ ଯେଉଁ ମାର୍ମିକ ବେଦନା ଅନୁଭବ କରୁଛୁ, ତାହା ଭାଷାରେ ବର୍ଣନା କରିବା ପାଇଁ ଶବ୍ଦ ଅକୁଳାଣ । “ଦୁର୍ଗା ଦୁର୍ଗାର୍ତ୍ତିଶମନୀ, ଦୁର୍ଗାପଦ୍ ବିନିବାରିଣୀ, ଦୁର୍ଗମଚ୍ଛେଦିନୀ, ଦୁର୍ଗସାଧିନୀ ଦୁର୍ଗନାଶିନୀ ।।
ଦୁର୍ଗତୋଦ୍ଧାରିଣୀ,ଦୁର୍ଗମଜ୍ଞାନନ୍ଦା ଦୁର୍ଗଦୈତ୍ୟ ଲୋକଦବାନଳା ।।
ଦୁର୍ଗମାଲୋକା ଦୁର୍ଗାମାତ୍ମ ସ୍ୱରୂପିଣୀ, ଦୁର୍ଗମାର୍ଗପ୍ରଦା ଦୁର୍ଗମବିଦ୍ୟା ଦୁର୍ଗମାଶ୍ରିତା ।।
ଦୁର୍ଗମଜ୍ଞାନ ସଂସ୍ଥାନା ଦୁର୍ଗମ ଧ୍ୟାନଭାସିନୀ, ଦୁର୍ଗମୋହା, ଦୁର୍ଗମଣା ଦୁର୍ଗମାର୍ଥସ୍ୱରୂପିଣୀ ।।
ଦୁର୍ଗମାସୁରସଂହନ୍ତୀ ଦୁର୍ଗମାୟୁଧ ଧାରିଣୀ, ଦୁର୍ଗମାଙ୍ଗୀ ଦୁର୍ଗମତା ଦୁର୍ଗମ୍ୟା ଦୁର୍ଗମେଶ୍ୱରୀ ।।
ଦୁର୍ଗଭୀମା, ଦୁର୍ଗଭାମା ଦୁର୍ଗଭା ଦୁର୍ଗଦାରିଣୀ, ନାମାବଳିମିମାଂଯସ୍ତୁ ଦୁର୍ଗାୟ ମମମାନବଃ ।।”
ଦୁର୍ଗମଛେଦିନୀ, ଦୁର୍ଗତିନାଶିନୀ, ଶକ୍ତି ସ୍ୱରୂପିଣୀ, ତ୍ରିଶୂଳଧାରିଣୀ, ବଳଦାୟିନୀ, ମହିଷମର୍ଦ୍ଦିନୀ, ଚଣ୍ଡମୁଣ୍ଡ ବିନାଶିନୀ ,ମୋକ୍ଷଦାତ୍ରୀ ,ମଙ୍ଗଳମୟୀ ମା’ ଦୁର୍ଗାଙ୍କର ଅପାର କରୁଣା ଓ ଅସୀମ ଆଶୀର୍ବାଦରେ ‘ ସୁବାର୍ତ୍ତା’ ସକଳ ବର୍ଗର ପାଠକ ମାନଙ୍କର ସକଳ ସୁମନାସ ପ୍ରାର୍ଥନାନ୍ତେ ଜୟ ମାଆ ଦୁର୍ଗା ।

Read Next