ବିପ୍ଲବୀ ଭଗବତୀ ଚରଣ ପାଣିଗ୍ରାହୀ

October 23, 2025 · By R P 1 min read
ବିପ୍ଲବୀ ଭଗବତୀ ଚରଣ ପାଣିଗ୍ରାହୀ

ଠିକ୍ ଆଜିର ତାରିଖ, ଅକ୍ଟୋବର ମାସ ୨୩ ତାରିଖ,୧୯୪୩ ମସିହାରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ, ସାମ୍ୟବାଦୀ ଚେତନାର ପ୍ରତିଭୂ ତଥା କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା, ଓଡ଼ିଆ ଭାଷା ସାହିତ୍ୟ ଜଗତରେ “ପ୍ରଗତି ଯୁଗ”ର ବାର୍ତ୍ତାବହ, ଚାଷୀ ମୂଲିଆ ଗରିବ ଖଟିଖିଆ ମେହନତୀ ,ସର୍ବହରା, ଶ୍ରମିକ ଆନ୍ଦୋଳନ ତଥା ଗଡ଼ଜାତ ପ୍ରଜା ଆନ୍ଦୋଳନର ବେସାଲିସ୍ ବିଦ୍ରୋହୀ ସେନାନାୟକ, ଓଡ଼ିଆ ସାଂସ୍କୃତିକ ଜାଗରଣର ମହାନ୍ କାଣ୍ଡାରୀ ସାଥୀ ଭଗବତୀ ଚରଣ ପାଣିଗ୍ରାହୀ ଇହଲୀଳା ସମ୍ବରଣ କରିଥିଲେ । ଛାତ୍ର ଜୀବନରୁ ଶୋଷକ ବ୍ରିଟିଶ ଶାସନ ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ । ବିଶେଷ କରି ପାଟନା ବିଶ୍ଵ ବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିବା ସମୟରେ ରାଜନୈତିକ ଅର୍ଥନୀତି ( political Economy) ପଢ଼ିବା ସମୟରେ ସମାଜବାଦୀ ଅର୍ଥନୀତିଜ୍ଞ ଜ୍ଞାନ ଚାନ୍ଦ ଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ, ଠିକ୍ ସେହି ସମୟରେ ୧୯୩୧ , ମସିହା, ମାର୍ଚ୍ଚ ୨୩ ତାରିଖ ରେ ଭଗତ୍ ସିଂ, ଶୁକଦେବ ଓ ରାଜଗୁରୁ ଙ୍କୁ ପ୍ରାଣ ଦଣ୍ଡ ଘୋଷଣା ପରେ ତାଙ୍କ ବିଦ୍ରୋହୀ ଆତ୍ମା ଜାଗି ଉଠିଥିଲା । ୧୯୩୩ ରୁ ୧୯୪୩ , ମାତ୍ର ୧୦ ବର୍ଷ ର ଜୀବନ ଥିଲା ଘଟଣା ବହୁଳ, ଯାହା ବିଶ୍ଵ ଇତିହାସରେ ବିରଳ । ୧୯୩୪ରେ ଜୟ ପ୍ରକାଶ ନାରାୟଣଙ୍କ ଉପସ୍ଥିତି ରେ ନବକୃଷ୍ଣ ଚୌଧୁରୀ ଙ୍କ ଘରେ ସମାଜବାଦୀ କଙ୍ଗ୍ରେସ ଗଠନ କରାଇଥିଲେ, ଯାହାର ସଭାପତି ହୋଇଥିଲେ ପ୍ରାଣନାଥ ପଟ୍ଟନାୟକ ଓ ସେ ହୋଇଥିଲେ ସମ୍ପାଦକ , ସୁରେନ୍ଦ୍ର ନାଥ ଦ୍ବିବେଦୀ, ମୋହନ ଦାଶ, ନବକୃଷ୍ଣ ଚୌଧୁରୀ ହୋଇଥିଲେ କାର୍ଯ୍ୟକାରୀ କମିଟିର ସଦସ୍ୟ । ୧୯୩୬ ମସିହାରେ ପ୍ରାଣନାଥ, ଗୁରୁଚରଣ ଙ୍କ ସହ କୋଲକାତା ଯାଇ କମ୍ୟୁନିଷ୍ଟ ପାର୍ଟି ର ସଦସ୍ୟ ହୋଇଥିଲେ ଓ ଓଡ଼ିଶାରେ ପ୍ରତିଷ୍ଠା କରିଥିଲେ କମ୍ୟୁନିଷ୍ଟ ପାର୍ଟି । କାର୍ଲ ମାର୍କସ ଙ୍କ ” କମ୍ୟୁନିଷ୍ଟ ମାନିଫୋଷ୍ଟ” କୁ ଅନୁବାଦ କରି “ବୈଜ୍ଞାନିକ ସାମ୍ୟବାଦ” ନାମରେ ପ୍ରକାଶ କରାଇଥିଲେ । ପ୍ରାଣନାଥ ଙ୍କ ସହ ପୁରୀ ରେ ପ୍ରଥମ ଶ୍ରମିକ ଆନ୍ଦୋଳନ “ମାହାରୀ ଆନ୍ଦୋଳନ”ର ନେତୃତ୍ବ ନେଇଥିଲେ । ୧୯୩୫, ମସିହା, ନଭେମ୍ବର ୨୯ରୁ ଛ ଦିନିଆ ” ନବଯୁଗ ସାହିତ୍ୟ ସଂସଦ” ଅଧିବେଶନ ଆୟୋଜନ କରିଥିଲେ, ଯାହାର ବିବରଣୀ ପଣ୍ଡିତ ନୀଳକଣ୍ଠ ଦାସ ” ନବ ଭାରତ” ର ବିଶେଷ ସଂଖ୍ୟାରେ ରହିଛି ଓ ଯାହା ଓଡ଼ିଆ ସାରସ୍ଵତ ଭଣ୍ଡାରର ଅମୂଲ୍ୟ ରତ୍ନ । ୧୯୩୮, ଅକ୍ଟୋବର ୧୦ ତାରିଖ ରେ ବ୍ରହ୍ମଣୀ ନଦୀର ନୀଳକଣ୍ଠ ପୁର ଘାଟରେ ଗୁଳିକାଣ୍ଡରେ ସହିଦ୍ ବାଜି ରାଉତ,ନଟ, ଲକ୍ଷ୍ମଣ, ରଘୁ,ଗୁରୀ, ହୃଷୀକେଶ ଙ୍କ ଶବକୁ ଶଗଡ଼ ଗାଡ଼ି ରେ କଟକ ଆଣି ଯେଉଁ ପ୍ରତିବାଦ କରିଥିଲେ, ସେହି ଶୋକ ଯାତ୍ରାର ଜନସମାଗମ ଥିଲା ଅଦ୍ଭୁତପୂର୍ଵ । ୧୯୪୦, ଜୁଲାଇ ୧୧ ତାରିଖ ରେ ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଲୋଚନା ସଭା କରୁଥିବା ବେଳେ କମ୍ୟୁନିଷ୍ଟ ଷଡ଼ଯନ୍ତ୍ର ମାମଲାରେ ତାଙ୍କ ସହିତ ଗୁରୁଚରଣ ପଟ୍ଟନାୟକ, ବୈଦ୍ୟନାଥ ରଥ, ଅନନ୍ତ ପଟ୍ଟନାୟକ,ଶରତ ପଟ୍ଟନାୟକ, ବନମାଳୀ ଦାସ, ବିଜୟ ଦାସ ପ୍ରମୁଖ ଙ୍କୁ ବ୍ରିଟିଶ ଶାସନ ବନ୍ଦୀ କରାଇ କାରାରୁଦ୍ଧ କରିଥିଲେ । ଦୁଇ ବର୍ଷ କାରାଦଣ୍ଡ ଭୋଗି ଫେରି ପ୍ରାକୃତିକ ବିପର୍ଯ୍ୟସ୍ତ ଓଡ଼ିଶାର ଚାରିଆଡେ ବୁଲି ରିଲିଫ କମିଟି ଗଠନ କରି ସାହାଯ୍ୟ କରିବା ସମୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମାତ୍ର ୩୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଓଡ଼ିଶା ପାଇଁ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି କରିଥିଲା, ତାହା ଯୁଗ ଯୁଗ ପାଇଁ ପୂରଣ ହୋଇ ପାରିବ ନାହିଁ । ସେହି ଅକଳ୍ପନୀୟ ଅଜ୍ରାମରକନ୍ଦ କୀର୍ତ୍ତି ସ୍ରଷ୍ଟା ଙ୍କ ପବିତ୍ର ବିପ୍ଲବୀ ସ୍ମୃତି କୁ କୋଟି କୋଟି ଲାଲ୍ ସଲାମ୍ ।

Read Next